କ୍ଷମତାର ଲଢ଼େଇ

ଶୀର୍ଷକଟି ସାର୍ବଜନୀନ ସତ୍ୟ କହିଲେ ଭୁଲ୍‌ ହେବ ନାହିଁ। ଏହି ଲଢ଼େଇଠାରୁ ବୋଧହୁଏ କେହି ମୁକ୍ତ ନୁହନ୍ତି। ପ୍ରାୟ ଊଣାଧିକେ ସମସ୍ତେ ଲଢ଼େଇର ମଇଦାନରେ ଅବତୀର୍ଣ୍ଣ। ସବୁଠି ଲଢ଼େଇ ଚାଲିଛି। ପୁଣି ସୀମାହୀନ। ପାହାଚ ପରେ ପାହାଚ ଚଢ଼ିବା ନିମନ୍ତେ ପଛକୁ ଠେଲିଦେଇ ଆଗକୁ ଆଗେଇ ଯିବାର ପ୍ରବଣତା ମଣିଷର ପ୍ରବୃତ୍ତି ପାଲଟି ଗଲାଣି। କ୍ଷମତାର ଲଢ଼େଇ ବେଳେ ଚିହ୍ନାମୁହଁ ସବୁ ଅଚିହ୍ନା ପାଲଟି ଯାଉଛନ୍ତି। ଆପଣାର ମଣିଷ ପର ପାଲଟି ଯାଉଛନ୍ତି। ସ୍କୁଲ, କଲେଜ, ଅଫିସ ସବୁଠି କ୍ଷମତାର ଲଢ଼େଇ। ସଂଘ, ସଂଗଠନ, ରାଜନୈତିକ ଦଳଗୁଡ଼ିକର ତ ଏହା ଅଣାୟତ୍ତ ହେବାକୁ ବସିଲାଣି।
କ୍ଷମତା ପାଇଁ ଲଢ଼େଇ ସାଧାରଣତଃ ଦୁଇ ପ୍ରକାର ହୋଇଥାଏ। ଏକ ପ୍ରକାର ଲଢ଼େଇ ଦୃଶ୍ୟମାନ। ଯେଉଁଥିରେ ସାଧାରଣ ଲୋକ ପକ୍ଷଭୁକ୍ତ ହୁଅନ୍ତି। ସେମାନେ କ୍ଷମତା ଲଢ଼େଇରେ ଜଣେ ଜଣେ ଅସଲି ସୈନିକ ସାଜନ୍ତି ଏବଂ ମତଦାନ ଜରିଆରେ କ୍ଷମତା ପ୍ରଦାନ କରନ୍ତି। ଯାହାକୁ ଆମେ ଗଣତନ୍ତ୍ରର ମହୋତ୍ସବ ବୋଲି ଧରିନେଉ। ଏହା ସରକାରୀ ବ୍ୟବସ୍ଥାର ଅଂଶବିଶେଷ। ସେଥିପାଇଁ ଦେଶର ଏକ ସ୍ବାଧୀନ ସଂସ୍ଥା ମଧ୍ୟ ଅଛି ଯାହାକୁ ନିର୍ବାଚନ ଆୟୋଗ ବୋଲି କୁହାଯାଏ। ପଞ୍ଚାୟତଠାରୁ ପାର୍ଲାମେଣ୍ଟ ସମସ୍ତ ଦରବାର ପାଇଁ ଯେଉଁ ଚେୟାରସବୁ ଅଛି ସେଥିରେ ଉପବେଶନ ପାଇଁ ଯୋଗ୍ୟତମ ବ୍ୟକ୍ତି ଚୟନ ନିମନ୍ତେ ପ୍ରତି ପାଞ୍ଚବର୍ଷରେ ନିର୍ବାଚନ ହୁଏ। ଏହି ନିର୍ବାଚନ ରଣାଙ୍ଗନରେ ଲଢ଼େଇ ପାଇଁ ଯେଉଁମାନେ ଅବତୀର୍ଣ୍ଣ ହୁଅନ୍ତି ସେମାନେ ଯେଉଁ କଳ, କୌଶଳ, କୂଟନୀତି ପ୍ରୟୋଗ କରନ୍ତି ସେଗୁଡ଼ିକ ଏମିତି ମାରଣାସ୍ତ୍ର ଯାହା ମଣିଷ ମଣିଷ ଭିତରେ ଘୃଣା, ବିଦ୍ୱେଷ, ହିଂସା, ଶତ୍ରୁତା ଜନ୍ମ ଦିଏ। ସଂପ୍ରୀତି, ସଂହତି, ସମ୍ପର୍କ, ଧ୍ୱଂସ କରିଦିଏ। ଭାବ, ଭ୍ରାତୃତ୍ୱ, ଭାଇଚାରା ନଷ୍ଟ କରିଦିଏ। ଏହାର ପ୍ରମୁଖ କାରଣ ହେଉଛି କ୍ଷମତା ପ୍ରତି ମାତ୍ରାଧିକ ଆସକ୍ତି ଓ ଆକର୍ଷଣ। ଯେମିତି ହେଉ କଳେ ବଳେ କୌଶଳେ ଲଢ଼େଇରେ ବିଜୟୀ ହେବାର ପ୍ରବଣତା ମଣିଷକୁ ବିଚାରବୋଧ ଠାରୁ ଦୂରେଇ ଦେଉଛି।
ମାତ୍ର ଏହି ରଣ କୌଶଳରେ ଯେଉଁସବୁ ପନ୍ଥା ଅବଲମ୍ବନ ହେଉଛି ତାହା ଗଣତନ୍ତ୍ରର ପରିପନ୍ଥୀ, ଗଣତନ୍ତ୍ରକୁ ଦୁର୍ବଳ କରୁଛି। ପ୍ରଥମତଃ ଲଢ଼େଇ ଜିତିବା ନିମନ୍ତେ ଅପର୍ଯ୍ୟାପ୍ତ ଅର୍ଥ ବିନିଯୋଗ ହେଉଛି ବ୍ୟବସାୟରେ ପୁଞ୍ଜି ନିବେଶ କଲାଭଳି। ଜାତି, ଧର୍ମକୁ ନେଇ ଭାବପ୍ରବଣତାର ଅସ୍ତ୍ର ପ୍ରୟୋଗ ହେଉଛି ଯେଉଁଠି ଯେମିତି ଆବଶ୍ୟକ। ଏହା ପରେ ‘ହାତୀ ଦେବି, ଘୋଡ଼ା ଦେବି’ର ମନଲୋଭା ପ୍ରତିଶ୍ରୁତି ଦେଇ ପ୍ରଲୁବ୍ଧ କରାଯାଉଛି ଜନତାଙ୍କୁ। କ୍ଷମତାରେ ଥିବା ବ୍ୟକ୍ତିମାନେ କ୍ଷମତାର ଅପବ୍ୟବହାର କରୁଛନ୍ତି ନିଜ କୁର୍ସିକୁ ବଜାୟ ରଖିବା ପାଇଁ। ଦେଖାଯାଉଛି ଲଢ଼େଇ ସମୟ ଯେତେ ପାଖେଇ ଆସୁଛି ସେତେ ସେତେ ମନଲୋଭା ଯୋଜନା ପ୍ରଣୟନ ହେଉଛି। ସରକାରୀ କଳ, ବଳ, ଧନର ଦୁରୁପଯୋଗ ହେଉଛି କେବଳ କ୍ଷମତାରେ ତିଷ୍ଠି ରହିବା ନିମନ୍ତେ। ଏହି ଅନୈତିକ ଲଢ଼େଇକୁ ରୋକିବା ପାଇଁ ନା ନିର୍ବାଚନ ଆୟୋଗ ପାଖରେ ଆନ୍ତରିକତା ଅଛି ନା ଜନସାଧାରଣଙ୍କ ଭିତରେ ସଚେତନତା ସୃଷ୍ଟି ହେଉଛି ? ସଭିଏ ସମୟ, ସମାଜ ଓ ବ୍ୟବସ୍ଥା ଉପରେ ଦୋଷ ଦେଉଛନ୍ତି।
ଆଉ ଏକ ପ୍ରକାର କ୍ଷମତାର ଲଢ଼େଇ ଆମେ ଦେଖିବାକୁ ପାଉଛୁ ଯାହା ପୂର୍ବୋକ୍ତ ଲଢ଼େଇଠାରୁ ଆହୁରି କ୍ଷତିକାରକ ଓ ମାରାତ୍ମକ। ଅଣ୍ଟି ଛୁରି ତଣ୍ଟି କାଟିଲା ଭଳି ଏହା ଭିତରେ ଭିତରେ ଚାଲିଥାଏ। ଏହି ଲଢ଼େଇ ସହିତ ସାଧାରଣ ଲୋକଙ୍କର କୌଣସି ସମ୍ପର୍କ ନ ଥାଏ। କିନ୍ତୁ ଏହା ସେମାନଙ୍କୁ ସଂକ୍ରମିତ କରେ। ସେମାନଙ୍କ ମଧ୍ୟରେ ବିଭାଜନର ବିଷ ମଞ୍ଜି ବୁଣେ। ଉଚ୍ଚ ପଦବୀରେ ଅଧିଷ୍ଠିତ ହେବା ପାଇଁ ଏହି ଲଢ଼େଇ ଚାଲେ ନିଜ ନିଜ ଭିତରେ। ପଦ ପଦବୀର ମୋହ, କ୍ଷମତାର ଲାଳସା ନିକଟରେ ବନ୍ଧୁତା ଶତ୍ରୁତାରେ ରୂପାନ୍ତରିତ ହୋଇଯାଏ। ପ୍ରଥମେ ଏହା ମତାନ୍ତର ବୋଲି କୁହାଯାଏ। କିନ୍ତୁ ପରବର୍ତ୍ତୀ ସମୟରେ ଏହା ମନାନ୍ତରରେ ପରିଣତ ହୁଏ। ଏହି ଲଢ଼େଇ ଦେଖିବାକୁ ମିଳେ ବିଭିନ୍ନ ସଂଘ, ସଂଗଠନ, ରାଜନୈତିକ ଦଳ ଭିତରେ। ଏହି ଆଭ୍ୟନ୍ତରୀଣ କନ୍ଦଳ ସଂଗଠନର ସଂହତିକୁ ନଷ୍ଟ କରିଦିଏ, କ୍ଷୁଣ୍ଣ କରିଦିଏ ରାଜନୈତିକ ଦଳର ପତିଆରା।
ଆମେ ଯଦି ରାଜନୈତିକ ଦଳଗୁଡ଼ିକୁ ବିଚାରକୁ ନେବା ତେବେ ସେଥିରେ ଏହି ପ୍ରକାର ଲଢ଼େଇ ବେଳେ ବେଳେ ଉତ୍କଟ ରୂପ ଧାରଣ କରେ। କେବଳ ବାମପନ୍ଥୀ ଦଳଗୁଡ଼ିକରେ ନେତୃତ୍ୱ ଚୟନ ବେଳେ ସେମିତି କିଛି ବଡ଼ ଧରଣର ସମସ୍ୟା ଉପୁଜୁ ନ ଥିଲେ ମଧ୍ୟ ସାମୟିକ ଦ୍ୱନ୍ଦ୍ୱ ଥାଏ। କିନ୍ତୁ ଏକ ନିର୍ଦ୍ଧାରିତ ସମୟରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ମାଧ୍ୟମରେ ନେତୃତ୍ୱ ଚୟନ ହୁଏ। କନ୍ଦଳ ପାଇଁ କେଉଁଠି ନେତୃତ୍ୱ ଚୟନ ପ୍ରକ୍ରିୟା ସ୍ଥଗିତ ରହିବା କଥା ଶୁଣିବାକୁ ମିଳେ ନାହିଁ। ଏହିସବୁ ଦଳଗୁଡ଼ିକରେ କ୍ଷମତାକୁ ନେଇ ଆଦୌ ଲଢ଼େଇ ହୁଏ ନାହିଁ କହିଲେ ଭୁଲ୍‌ ହେବ ମାତ୍ର କ୍ୱଚିତ୍‌। ଦକ୍ଷିଣପନ୍ଥୀ ଦଳଗୁଡ଼ିକରେ କ୍ଷମତାକୁ ନେଇ ଗୋଷ୍ଠୀ କନ୍ଦଳ ଉଗ୍ରରୂପ ଧାରଣ କରୁଛି। ବ୍ଲକ୍‌ଠାରୁ ରାଜ୍ୟରେ, ସର୍ବଭାରତୀୟ ସ୍ତରରେ ଯେତେସବୁ କମିଟି ଅଛି ସବୁଥିରେ କନ୍ଦଳ, ଗୋଷ୍ଠୀ କନ୍ଦଳ। ତାହା ପୁଣି ନେତୃତ୍ୱ ଚୟନକୁ ନେଇ। ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ କଥା କଟାକଟି, ଆକ୍ଷେପ, ପ୍ରତିଆକ୍ଷେପ, ବେଳେ ବେଳେ ସଭା ସମିତିରେ ଚେୟାର ଫିଙ୍ଗାଫିଙ୍ଗି ପର୍ଯ୍ୟନ୍ତ ଯାଏ। ଭୁଲିଯାଆନ୍ତି ସେମାନେ ସମସ୍ତେ ଗୋଟିଏ ପକ୍ଷୀର ପର ବୋଲି। ଲଢ଼େଇ ଏମିତି ସ୍ତରରେ ଯାଇ ପହଞ୍ଚେ ଟଣାଓଟରା ଯୋଗୁ ନେତୃତ୍ୱ ଚୟନ ହୋଇପାରେ ନାହିଁ। ଏହି ସବୁ ଦଳଗୁଡ଼ିକରେ ଗଣତନ୍ତ୍ର ଏକ ଢାଲ ଭାବରେ ବ୍ୟବହାର ହୁଏ। କିନ୍ତୁ ହାଇକମାଣ୍ଡଙ୍କ ଇସାରାରେ ନେତୃତ୍ୱ ଚୟନ ହୁଏ। ଫଳରେ ଅସନ୍ତୋଷର ନିଆଁ ଲିଭିବାର ନଁା ଧରେ ନାହିଁ। ଶାସକ ଦଳ ହୋଇଥିଲେ ମନ୍ତ୍ରିମଣ୍ଡଳ ଗଠନଠାରୁ ଆରମ୍ଭ କରି ଏହି ଲଢ଼େଇର ପ୍ରଭାବ ସରକାର ପରିଚାଳନା ଉପରେ ମଧ୍ୟ ପଡ଼େ। ତା’ପରେ ଏହା ଜନସାଧାରଣଙ୍କ ପାଖକୁ ସଂକ୍ରମିତ ହୋଇଯାଏ। ଗୋଟିଏ ଦଳ ଭିତରେ ଇଏ ତା’ ଗୋଷ୍ଠୀର ସିଏ ଇଆର କହି ଶତ୍ରୁତା ଚରମ ସୀମା ଛୁଏଁ।
କେବଳ ରାଜନୈତିକ ଦଳଗୁଡ଼ିକରେ କ୍ଷମତା ଲଢ଼େଇର ଅନ୍ତଃସ୍ରୋତ ପ୍ରବାହିତ ହେଉ ନାହିଁ, ହେଉଛି ଊଣାଧିକେ ସବୁ ଗଣ ସଂଗଠନରେ। ବିଭିନ୍ନ ପଦ ପଦବୀରେ କୁର୍ସି ଆରୋହଣ କରିବା ପାଇଁ ଚାଲୁଛି ଅଘୋଷିତ ଲଢ଼େଇ। ବିଶ୍ୱାସ ଅବିଶ୍ୱାସର ଲୁଚକାଳି ଖେଳ ଭିତରେ ସଂଗଠନର ସଂହତି, ଏକତା ପଶାପାଲିରେ ନିର୍ଜୀବ ଗୋଟି ପାଲଟି ଯାଉଛି। କିଛି କିଛି ଗଣ ସଂଗଠନରେ ଏହି ଲଢ଼େଇ ନିର୍ବାଚନର କୁରୁକ୍ଷେତ୍ର ସୃଷ୍ଟି କରୁଛି। ଦେଶରେ ସମ୍ପ୍ରତି ଅନୁଷ୍ଠିତ ନିର୍ବାଚନ ସବୁ ଯେମିତି କଳୁଷିତ ହେଲାଣି ସେମିତି ସମାନ ରାସ୍ତାରେ ଏବେ ଗଣ ସଂଗଠନଗୁଡ଼ିକର ନିର୍ବାଚନ ପ୍ରକ୍ରିୟା। ଏହି ଲଢ଼େଇ ଯେ ସଂଗଠନଗୁଡ଼ିକୁ ଦୁର୍ବଳ କରୁଛି ଏବଂ ସଂଗଠନ ତା’ର ନୀତି, ଆଦର୍ଶ, ଆଭିମୁଖ୍ୟଠାରୁ ଅପସରିଯାଉଛି ଏଥିରେ ସନ୍ଦେହ ନାହିଁ। କେବଳ ଗଣ ସଂଗଠନ ନୁହଁ ବହୁ ଲବ୍ଧ ପ୍ରତିଷ୍ଠିତ ସାହିତ୍ୟ ସଂଗଠନଗୁଡ଼ିକ ଏହି ବ୍ୟାଧିରୁ ମୁକ୍ତ ନୁହନ୍ତି।
ସତ କହିବାକୁ ଗଲେ କ୍ଷମତା ଥିଲେ ସମ୍ମାନ ମିଳୁଛି। କ୍ଷମତା ଥିଲେ ପ୍ରତିଷ୍ଠା, ପ୍ରତିପତ୍ତି ଅଛି। କ୍ଷମତା ଅର୍ଥ ଉପାର୍ଜନର ମାଧ୍ୟମ ପାଲଟି ଯାଇଛି। ସେଇଥିପାଇଁ କ୍ଷମତା ପ୍ରାପ୍ତିର ଲଢ଼େଇ ନିକଟରେ ସତ୍ୟ, ନ୍ୟାୟ, ସମ୍ପର୍କ, ସହାନୁଭୂତି ସବୁକିଛି ତୁଚ୍ଛ। ଏ ଲଢ଼େଇ ଥିଲା, ଅଛି, ରହିବ। କେବେ ବନ୍ଦ ହୋଇଯିବ ନାହିଁ। କିନ୍ତୁ ଏ ଲଢ଼େଇ ଯେତେ ସ୍ବଚ୍ଛ ଓ ସୁସ୍ଥ ହେବ, ସହଜ ଓ ସରଳ ହେବ, ଅନ୍ୟାୟ ଅନୀତିଠାରୁ ଦୂରେଇ ରହିବ ଆମ ସମସ୍ତଙ୍କ ପାଇଁ ସେତେ ଭଲ ହେବ। ସମାଜରେ ସୃଷ୍ଟି ହେବ ଏକ ସକାରାତ୍ମକ ବାତାବରଣ। ନଚେତ୍‌ ଲଢ଼େଇ ଜନ୍ମ ଦେବ ଅବିଶ୍ୱାସ। ଅବିଶ୍ୱାସରୁ ସନ୍ଦେହ, ସନ୍ଦେହରୁ ଶତ୍ରୁତା, ଶତ୍ରୁତାରୁ ହିଂସା ଓ ରକ୍ତପାତ।

ଅକ୍ଷୟ କୁମାର ମିଶ୍ର
ସଭାପତି, ଓଷ୍ଟା
ମୋ: ୯୯୩୮୭୬୩୨୩୭


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri