ନୀତିଶିକ୍ଷା ନୁହେଁ ନିଶଉଠା ପାଠ

ଅଧ୍ୟାପକ ନିରଞ୍ଜନ ପାଢ଼ୀ

 

ଆଲୋଚ୍ୟ ପ୍ରସଙ୍ଗଟିର ଆରମ୍ଭରୁ ଆମ ପ୍ରାଚୀନ କାହାଣୀମାଳାର ଏକ ରୋଚକ ଉପାଖ୍ୟାନ। ଜଣେ ପ୍ରଜାପ୍ରିୟ ପ୍ରସିଦ୍ଧ ରାଜାଙ୍କ ଏକମାତ୍ର ପୁତ୍ର ନିଜ ଉତ୍ତୀର୍ଣ୍ଣ ତାରୁଣ୍ୟ କାଳରୁ ଏମିତି ଉଚ୍ଛୃଙ୍ଖଳ ହୋଇଉଠିଲେ ଯେ ନିତିଦିନ ତାଙ୍କ ବିରୋଧରେ ବହୁ ଅଭିଯୋଗ ରାଜାଙ୍କ କାନରେ ପଡ଼ି ତାଙ୍କୁ ମ୍ରିୟମାଣ କରିଦେଲା। ରାଜପୁତ୍ର ଆଦ୍ୟ ଯୌବନରେ ପାଦ ଦେଲା ପରେ ରାଜା ଆଶା କରୁଥିଲେ ଯେ ତାଙ୍କ ପୁତ୍ର ଆସ୍ତେ ଆସ୍ତେ ଶୃଙ୍ଖଳିତ ହୋଇ ନିଜ ସମ୍ଭ୍ରାନ୍ତପଣର ପରିଚୟ ଦେବ। ମାତ୍ର ତାହା ନ ହୋଇ ତାକୁ କୁସଙ୍ଗ କବଳିତ ହୋଇ ବିପଥଗାମୀ ହେବାର ଲକ୍ଷ୍ୟ କରି ରାଜା ଦୁଃଖରେ ଭାଙ୍ଗିପଡ଼ିଲେ। ରାଜପୁତ୍ରଙ୍କ ବିଦ୍ୟାଶିକ୍ଷା ପାଇଁ ବନବିଦ୍ୟାଳୟ ସ୍ଥାପନ କରି କିଶୋର ଓ ତରୁଣ ବର୍ଗର ଛାତ୍ରମାନଙ୍କୁ ବିଦ୍ୟାଦାନ ଦେଉଥିବା ଜ୍ଞାନୀ ଗୁଣୀ ତପସ୍ବୀଙ୍କ ନିକଟରେ ନିଜ ଅମାତ୍ୟଙ୍କ ସହ ପହଞ୍ଚତ୍ଲେ ରାଜା।
ରାଜାଙ୍କ ଆଗମନର ଉଦ୍ଦେଶ୍ୟ ଜାଣିଲା ପରେ ସନ୍ନ୍ୟାସୀ କହିଲେ, ”ରାଜନ୍‌! ନୀତିଶିକ୍ଷା ନୁହେଁ ନିଶଉଠା ପାଠ। ଯେଉଁ ବୟସରେ ଜଣେ ବିଦ୍ୟାର୍ଥୀର ବ୍ୟକ୍ତିତ୍ୱ ଗଠନରେ ନୀତିଶିକ୍ଷା ଲାଭପ୍ରଦ ହୋଇଥାଏ, ସେଇ ବୟସ କେବେଠୁଁ ଅତିକ୍ରାନ୍ତ କରିସାରିଲେଣି ରାଜପୁତ୍ର। ସୁତରାଂ, ମୋ ଆଶ୍ରମରେ ଛାଡ଼ିଲେ ତାହା ତାଙ୍କୁ ଅବାଟରୁ ଫେରାଇ ଆଣିବା ପାଇଁ ବିଶେଷ ଫଳପ୍ରଦ ହେବନାହିଁ।“ ନିଜ ଅରାଜି ସପକ୍ଷରେ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରି ସେ ବୁଝାଇଦେଲେ, ”ପାଠ ପଢ଼ିବାକୁ ଏଠାକୁ ଆସୁଥିବା ଶିଶୁ କିଶୋରମାନେ ଭବିଷ୍ୟତରେ ‘ବଡ଼ ମଣିଷ’ ଭାବେ ଗଢ଼ାହେବାର ଯେତିକି ଲକ୍ଷ୍ୟ ଥାଏ, ତାହାଠୁ ଅଧିକ ଲକ୍ଷ୍ୟ ଥାଏ ‘ଭଲ ମଣିଷ’ ଭାବେ ଗଢ଼ାହେବାକୁ। ଆପଣଙ୍କ ପୁଅ ତ ରାଜା ଘରେ ଜନ୍ମ ନେଇ ମୂଳରୁ ‘ବଡ଼ ମଣିଷ’ର ସମ୍ଭାନ୍ତ ପରିଚୟ ବହନ କରୁଛନ୍ତି। କେଇବର୍ଷ ଆଗରୁ ତାଙ୍କୁ ଏଇ ଆଶ୍ରମରେ ଛାଡ଼ିଥିଲେ ମୋର ମାର୍ଗ ଦର୍ଶନରେ ଆରମ୍ଭ ହୋଇଥାନ୍ତା ‘ଭଲ ମଣିଷ’ ଭାବେ ଗଢ଼ାହେବାର ପ୍ରସ୍ତୁତି ପର୍ବ। ଏବେ କିନ୍ତୁ ବହୁ ବିଳମ୍ବ ହୋଇଯାଇଛି।“ ଗୁରୁଙ୍କଠାରୁ ନିରାଶବାଣୀ ଶୁଣି ଫେରିଯିବା ବ୍ୟତୀତ ରାଜାଙ୍କର ଗତ୍ୟନ୍ତର ନ ଥିଲା।
ଆସ୍ତେ ଆସ୍ତେ ବିସ୍ମୃତିରେ ହଜି ଆସୁଥିବା ପ୍ରାଚୀନ ଲୋକକଥାର ଏହି କାହାଣୀଟି ଅଚାନକ ସ୍ମୃତିପଟରେ ଉଦ୍‌ଭାସିତ ହେବାର ଏକ ମହତ୍ତ୍ୱପୂର୍ଣ୍ଣ କାରଣ ଅଛି। ଆମ ରାଜ୍ୟର ଉଚ୍ଚଶିକ୍ଷା ବିଭାଗର ପ୍ରବୁଦ୍ଧ ପରିଚାଳକମାନେ ଏଇ କିଛି ମାସ ପୂର୍ବରୁ ଉଚ୍ଚଶିକ୍ଷା ପାଠ୍ୟକ୍ରମରେ ‘ମୂଲ୍ୟବୋଧଭିତ୍ତିକ ନୀତିଶିକ୍ଷା’ ପ୍ରଣୟନ କରିବାର ନିଷ୍ପତ୍ତି ନେଇଛନ୍ତି। ମୋବାଇଲ ଓ କମ୍ପ୍ୟୁଟର ଆଦି ଆଧୁନିକ ଯନ୍ତ୍ର ପାଖରେ ନିଜ ଦିବ୍ୟ ଯୌବନକୁ ବନ୍ଧା ପକାଇ, ବିଦ୍ୟାର୍ଜନ ବାଟରୁ ମୁହଁ ଫେରାଇ ଅବାଟରେ ଯାଉଥିବା ସ୍ନାତକ ଶ୍ରେଣୀର ନବଯୁବକମାନଙ୍କୁ ନୀତିଶିକ୍ଷା ପ୍ରଦାନ କରିବାର ନିଷ୍ପତ୍ତି ଯୁଗାନ୍ତକାରୀ ନିଶ୍ଚୟ। ସାତବର୍ଷ ପୂର୍ବରୁ ଉଚ୍ଚଶିକ୍ଷା ବିଭାଗର ପ୍ରାଧ୍ୟାପକ ପଦରୁ ଅବସର ନେଇସାରିଥିବା ଏଇ ଲେଖକ ଆଜକୁ ପ୍ରାୟ ବାରବର୍ଷ ତଳେ ଏକ ପ୍ରମୁଖ ବିଶ୍ୱବିଦ୍ୟାଳୟର ତତ୍‌କାଳୀନ କୁଳପତିଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା କରି ସ୍ନାତକ ପାଠ୍ୟକ୍ରମରେ ମୌଳିକ ଶିକ୍ଷା ଭାବେ ‘ନୀତିଶିକ୍ଷା’କୁ ସ୍ଥାନିତ କରିବା ପାଇଁ ପ୍ରସ୍ତାବଟିଏ ପେସ୍‌ କରିଥିଲା। ସମାଜରୁ, ବିଶେଷତଃ ପ୍ରଶାସନିକ ବ୍ୟବସ୍ଥାରୁ ଦୁର୍ନୀତି ଦୂର କରିବାକୁ ମଣିଷର ଉର୍ବର ଚେତନା ସହ ଶୁଦ୍ଧ ଚରିତ୍ରର ଆବଶ୍ୟକତା ଥିବାରୁ ବିଦ୍ୟାର୍ଥୀ ଜୀବନରେ ନୀତିଶିକ୍ଷାର ଉପଯୋଗିତା ଉପରେ ସେ ଜୋର୍‌ ଦେଇଥିଲା ବେଳେ କୁଳପତି ମହୋଦୟ ଚିହିଁକି ଉଠିଥିଲେ ଓ ‘ଏକବିଂଶ ଶତାବ୍ଦୀରେ ଅଷ୍ଟାଦଶ ଶତାବ୍ଦୀର ପାଠ’ ବୋଲି ବିଦ୍ରୂପ କରି ତା’ ପ୍ରସ୍ତାବକୁ ଗୋଟିଏ ଫୁତ୍‌କାରରେ ଉଡ଼ାଇ ଦେଇଥିଲେ।
ଆଜି ବହୁବର୍ଷ ପରେ ତା’ ପ୍ରସ୍ତାବଟି ଏବେକାର ଉଚ୍ଚଶିକ୍ଷା ପ୍ରଶାସନ ଦ୍ୱାରା ଗୃହୀତ ହେବାର ଦେଖି ସେ ଖୁସି ହେବାର ଯଥେଷ୍ଟ କାରଣ ଥିଲେ ବି ଏହି ନିବନ୍ଧର ଆରମ୍ଭରେ ଉପସ୍ଥାପିତ ଉପାଖ୍ୟାନଟି ମନେପଡ଼ି ଏ ଲେଖକର ସବୁ ଆନନ୍ଦ ଅପହରଣ କରି ନେଉଥିଲା। ବିଦ୍ୟାର୍ଥୀ ଜୀବନର ବହୁବିଧ ଶିକ୍ଷା ଗ୍ରହଣ କରିବାକୁ ଭିନ୍ନ ଭିନ୍ନ ବୟସ ନିର୍ଦ୍ଧାରିତ ହୋଇଥାଏ। ତୃତୀୟ ବା ପଞ୍ଚମ ଶ୍ରେଣୀର ପାଠ ପଢ଼ିବା ବୟସରେ ମେଡିକାଲ ବା ଇଞ୍ଜିନିୟରିଂ ପାଠ ପଢ଼ିବାକୁ ଦିଆଗଲେ ଯେଉଁ ବିଭ୍ରାଟ ଉପୁଜିବ, ଠିକ୍‌ ଅନୁରୂପ ବିଡ଼ମ୍ବନା ସୃଷ୍ଟି ହେବ ଆଦ୍ୟ ଯୌବନରେ ଉପନୀତ ସ୍ନାତକ ଶ୍ରେଣୀର ଛାତ୍ରଟିକୁ ତ୍ୟାଗ, ତପସ୍ୟା ବା ବୈରାଗ୍ୟର ବାର୍ତ୍ତା ସମ୍ବଳିତ ଶିକ୍ଷା ଦିଆଗଲେ। କୋମଳ କିଶୋରଟିର ସରଳ ଅବବୋଧ ମଧ୍ୟରେ ଭଲ ଖରାପ, ନୀତି ଅନୀତିର ମୂଲ୍ୟବୋଧ ଯେତିକି ସହଜ ଭାବେ ବୋଧଗମ୍ୟ ଓ ଅନୁସୃତ ହୋଇପାରିବ, ସେତିକି ଜଟିଳ ବା ସ୍ଥଳ ବିଶେଷରେ ଅସମ୍ଭବ ହେବ ଯୌବନର ଜୟଗାନ ବୟସରେ।
ତେବେ ଉଚ୍ଚଶିକ୍ଷା ପାଠ୍ୟକ୍ରମରେ ନୀତିଶିକ୍ଷାକୁ ସନ୍ନିବେସିତ କରିବାର ଆବଶ୍ୟକତା କାହିଁକି ବିଳମ୍ବରେ ହେଲେ ମଧ୍ୟ ଅନୁଭୂତ ହେଲା, ଏହାର କାରଣ ସମ୍ପର୍କରେ ଉଚ୍ଚଶିକ୍ଷା ବିଭାଗର ଏକ ଶୀର୍ଷ ପଦବୀରେ ଅଧିଷ୍ଠିତ ଥିବା ଜଣେ ପ୍ରବୃଦ୍ଧ ଶିକ୍ଷା ପ୍ରଶାସକ କହନ୍ତି, ”ବିଦ୍ୟା ଅର୍ଜନ ଭଳି ଏକ ମହତ୍‌ ଲକ୍ଷ୍ୟର ଯାତ୍ରାପଥରେ ବାଟ ଚାଲୁଥିବା ବିଦ୍ୟାର୍ଥୀମାନଙ୍କ ମଧ୍ୟରୁ କେତେକଙ୍କୁ ମଦ, ଗଞ୍ଜେଇ ବା ଚରସ ଭଳି ମାଦକ ଦ୍ରବ୍ୟ ସେବନ କରୁଥିବା ସେହି ସବୁ ଦ୍ରବ୍ୟର ଚୋରା ବିକ୍ରିରେ ନିୟୋଜିତ ଥିବା ଏବଂ ଏଥିଯୋଗୁ ନାନା ଅସାମାଜିକ ଓ ଆପରାଧିକ କାର୍ଯ୍ୟରେ ବ୍ୟାପୃତ ରହୁଥିବା ଲକ୍ଷ୍ୟକରି ସେମାନଙ୍କ ମଧ୍ୟରେ ଶୁଦ୍ଧ ଚେତନା ଜାଗ୍ରତ କରି ସୁବାଟକୁ ଫେରାଇ ଆଣିବାକୁ ଉଚ୍ଚଶିକ୍ଷା ବିଭାଗର ଏହି ପ୍ରୟାସ।“ ଆହାଃ, କେଡ଼େ କଥା ନ କହିଲେ ମାନ୍ୟବର। ମାତ୍ର ଖରାଦିନରେ ବନ୍ଧ ନ ବାନ୍ଧି ପ୍ରବଳ ବନ୍ୟାର ପ୍ରଖର ସୁଅ ମୁହଁରେ ବନ୍ଧ ବାନ୍ଧିଲେ ତାହା କାମରେ ଆସିବ ତ? ଶୈଶବ ବା କୈଶୋରରେ ନୀତିଶିକ୍ଷା ନ ଶିଖାଇ ଉଦ୍‌ଭ୍ରାନ୍ତ ଯୌବନର ଆହ୍ବାନରେ ଅମଡ଼ା ବାଟରେ ମାଡ଼ି ଚାଲୁଥିବା ଉଦ୍ଦାମ ଯୁବକମାନଙ୍କୁ ଶିକ୍ଷା ଦେଲେ ତାହା ଫଳପ୍ରସୂ ହେବ ତ?
ଯେଉଁ ସ୍ନାତକ ବା ବି.ଏ. ଶ୍ରେଣୀରେ ନୀତିଶିକ୍ଷା ପ୍ରଣୀତ ହୋଇଛି, ତାହା ଜଣେ ବିଦ୍ୟାର୍ଥୀ ଜୀବନର ପଞ୍ଚମ ସୋପାନ। ପ୍ରତ୍ୟେକ ଛାତ୍ରୀ ବା ଛାତ୍ର ପାଇଁ ତା’ ପରିବାର ହିଁ ତା’ର ପ୍ରାଥମିକ ପାଠଶାଳା। ପରିବାରରୁ ସଂସ୍କାର ଶିକ୍ଷା ଆହରଣ କଲା ପରେ ଆନୁଷ୍ଠାନିକ ଭାବେ ସେ ବିଦ୍ୟାର୍ଥୀ ଜୀବନ ଆରମ୍ଭ କରେ। ପ୍ରଥମେ ପ୍ରାଥମିକ, ପରେ ପରେ ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ପର୍ଯ୍ୟାୟ ପରେ ସେ ପାଦ ଥାପେ ସ୍ନାତକ ଶ୍ରେଣୀରେ। ଉଚ୍ଚଶିକ୍ଷାର ଏହିସବୁ ପୂର୍ବ ପାହାଚଗୁଡ଼ିକ ଯଦି ନୀତିଶିକ୍ଷା ବହିର୍ଭୂତ ଭାବେ ଗଢ଼ା ହୋଇଥାଏ, ତେବେ ପଞ୍ଚମ ପାହାଚରେ ଏକାଥରେ ପାଦ ଥାପିଲେ ପରିଣତି ହେବ ଅତ୍ୟନ୍ତ ପ୍ରତ୍ୟାଶିତ। ଭୁଲିଗଲେ ଚଳିବ ନାହିଁ ଯେ, ଛତ୍ରପତି ଶିବାଜୀ ଜଣେ ଦେଶପ୍ରେମୀ ମାଟିମନସ୍କ ଲଢ଼ୁଆ ଯୁବକର ନାମ ନୁହେଁ। ମା’ ଜିଜାବାଈଙ୍କ ଏକନିଷ୍ଠ ନିରଳସ ସାଧନା ଓ ଗୁରୁ ସୁମର୍ଥ ରାମଦାସଙ୍କ ମହନୀୟ ଶିକ୍ଷା ମଧ୍ୟରେ ଲାଳିତ ହୋଇଥିବା ଶିଶୁ ଓ କିଶୋର ଶିବାଜୀ ହିଁ ପରବର୍ତ୍ତୀ କାଳରେ ଛତ୍ରପତିରେ ରୂପାନ୍ତରିତ ହୋଇଥିଲେ। ମାତ୍ର ଏବେ ତ ଆଧୁନିକ ଜିଜାବାଈମାନେ ନିଜ ନିଜର ଶିବାଜୀମାନଙ୍କୁ ‘ମୋବାଇଲ’ର ମତୁଆଲା ଆବେଦନ ମଧ୍ୟରେ ଲାଳିତ କରି ଚାଲିଛନ୍ତି। ସୁତରାଂ, ଏକ ସଂସ୍କାରଶୂନ୍ୟ ଶୈଶବରୁ ଗଢ଼ିଉଠି ଯୁବାକାଳକୁ ଉତ୍ତୀର୍ଣ୍ଣ ହୋଇଥିବା ଏହି ଶିବାଜୀମାନଙ୍କୁ ସ୍ନାତକ ଶ୍ରେଣୀରେ ନୀତିଶିକ୍ଷା ପଢ଼ାଇ ଛତ୍ରପତି ରୂପରେ ଦେଖିବାର ଆଶା ରଖିବା କେବଳ ଏକ ଦିବାସ୍ବପ୍ନ!
କେଇଦିନ ପୂର୍ବରୁ ସରିଥିବା ରାଜ୍ୟର ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରେକ୍ଷାପଟରେ ସଂଘଟିତ ହୋଇଥିବା ବହୁବିଧ ଦୃଶ୍ୟପଟ ମଧ୍ୟରୁ ଗୋଟିକର ଚିତ୍ର ଥିଲା ଏହିଭଳି। ଷଷ୍ଠ ଶ୍ରେଣୀରେ ପଢ଼ୁଥିବା କିଶୋରଟି ସାମ୍ନାରେ ତା’ ବାପା ହାତରେ ଦୁଇ ହଜାର ଟଙ୍କାର ନୋଟ୍‌ଟିଏ ଗୁଞ୍ଜି ଦେଉଛି ଏକ ବଡ଼ ଦଳରୁ ପ୍ରାର୍ଥୀ ହୋଇଥିବା ଜଣେ ନେତା। ସେଦିନ ରାତିରେ ସେଇ ଟଙ୍କାରେ କିଣାହୋଇ ଆସିଥିବା କୁକୁଡ଼ା ମାଂସର ତରକାରି ଖାଉଥିବା ବେଳେ ପୁଅ ଆଗରେ ମା’କୁ ବାପା ସେଇ ପ୍ରାର୍ଥୀ ଜଣଙ୍କୁ ଭୋଟ ଦେବାକୁ ତାଗିଦ୍‌ କରୁଛି। ନୀତି ଓ ଦୁର୍ନୀତି ମଧ୍ୟରେ ଥିବା ପତଳା ପ୍ରଭେଦକୁ ବହୁ ପାଖରୁ ଲକ୍ଷ୍ୟ କରୁଥିବା କିଶୋରଟି କାଲି ବଡ଼ ହୋଇ ସ୍ନାତକ ଶ୍ରେଣୀର ଛାତ୍ର ହେଲେ ତାକୁ ଯେଉଁ ନୀତିଶିକ୍ଷା ପଢ଼ିବାକୁ ଦିଆଯିବ, ତାହା ତା’ର ପ୍ରତ୍ୟକ୍ଷ ଅନୁଭୂତିକୁ ପ୍ରତିହତ କରିବା ପାଇଁ ସମର୍ଥ ହେବ ତ? ଲକ୍ଷ୍ୟ କରିବାର କଥା, ଅଜ୍ଞାନ ଅନ୍ଧକାରକୁ ଦୂରୀଭୂତ କରି ଜ୍ଞାନାଲୋକରେ ଉଦ୍‌ଭାସିତ କରିବାର ସାମର୍ଥ୍ୟ ଶିକ୍ଷାର ଥାଏ ସିନା ମାତ୍ର ସଂସ୍କାର ସୂତ୍ରରେ ଅର୍ଜିତ ହୋଇଥିବା ଅଶିକ୍ଷାର କଳାଛାୟାକୁ ଲିଭାଇ ଦେବାର ଶକ୍ତି କୌଣସି ଶିକ୍ଷାର ନ ଥାଏ।
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଆବ୍ରାହମ୍‌ ଲିଙ୍କନ ଏକଦା ତାଙ୍କ ପୁଅର ଶିକ୍ଷକ ପାଖକୁ ଏକ ଐତିହାସିକ ଚିଠି ଲେଖିଥିଲେ। ସେ ଲେଖିଥିଲେ, ”ମହାଶୟ! ଆମେରିକା ସମେତ ସମଗ୍ର ବିଶ୍ୱର ଦାୟିତ୍ୱ ମୋ ମୁଣ୍ଡ ଉପରେ ଥିବାରୁ ମୋ ପୁଅର ଦାୟିତ୍ୱ ଆପଣଙ୍କ ହାତରେ ଦେଇଛି। ଆପଣ ସେହି ଦାୟିତ୍ୱ ନିଷ୍ଠାର ସହ ନିର୍ବାହ କରୁଥିବେ ବୋଲି ମୁଁ ବିଶ୍ୱାସ କରୁଛି। ଆପଣ ତାକୁ ଯାହା ବି ଶିକ୍ଷା ଦିଅନ୍ତୁ ନା କାହିଁକି, ତାହା ସହ ଏ କଥା ବି ଶିକ୍ଷା ଦେବେ ଯେ ଅସତ୍‌ ପଥରେ ଯାଇ ସଫଳ ହେବା ଅପେକ୍ଷା ସତ୍‌ ପଥରେ ଯାଇ ବିଫଳ ହେବା ଶତଗୁଣ ଶ୍ରେୟସ୍କର।“ ସାଂପ୍ରତିକ ସମୟରେ ନିଜ ସନ୍ତାନଙ୍କ ପାଇଁ ଯେନତେନ ପ୍ରକାରେଣ ସଫଳତା ସାଉଁଟୁଥିବା ବାପାମାନଙ୍କ ଦୁନିଆରେ ଲିଙ୍କନଙ୍କ ଭଳି ବାପା ଜଣେ ମିଳିବେ କି ନାହିଁ ପ୍ରଥମେ ଖୋଜାଯାଉ। ତା’ପରେ ପ୍ରାଥମିକ ଶିକ୍ଷା ସ୍ତରରୁ ମାଧ୍ୟମିକ ଶିକ୍ଷା ଯାଏଁ ପାଠ୍ୟକ୍ରମରେ ନୀତିଶିକ୍ଷା ଅଧ୍ୟୟନକୁ ବାଧ୍ୟତାମୂଳକ କରାଯାଉ। ଏତକ ହେଲେ ଆଦ୍ୟ ଯୌବନରେ ପାଦ ଥାପିଥିବା ସ୍ନାତକ ଶ୍ରେଣୀର ବିଦ୍ୟାର୍ଥୀମାନଙ୍କୁ ନୀତିଶିକ୍ଷା ପଢ଼ାଇବାର ଆବଶ୍ୟକତା ଉପୁଯିବ ନାହିଁ। ତାହା ନ କରି ବାପାମା’ଙ୍କ ସଂସ୍କାର ଓ ପ୍ରାଥମିକ ସ୍ତରର ନୀତିଶିକ୍ଷା ପ୍ରତି ଆଖି ବୁଜିଦେଇ ନିଶଉଠା ବୟସରେ ନୀତିଶିକ୍ଷା ପଢ଼ାଇଲେ କାହାଣୀର ସେଇ ରାଜାଙ୍କ ପରି ମନସ୍ତାପରେ ରହିବା ସାର ହେବ।
ମୋ: ୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

ଚାଲ ଭୋଟର ତିଆରି କରିବା

ଯଦିଓ ଭାରତରେ ପ୍ରତ୍ୟେକ ନାଗରିକ ୧୮ ବର୍ଷ ପରେ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି, ସେମାନେ ଭୋଟ ଦେବା ପାଇଁ କେତେଦୂର ସକ୍ଷମ ଏହା…

କଳାଧନ ଓ କାଳମନ

କଳାଧନ ବିଷୟରେ କେତେ ପ୍ରକାର କଥା କୁହାଯାଇଛି, କୁହାଯାଉଛି ଓ କାମ କରାଯାଉଛି। ଭାରତ ପରିପ୍ରେକ୍ଷୀରେ ଏହାର ନକାରାମତ୍କ ଗୁରୁତ୍ୱ ଏତେ ବଢ଼ିଯାଇଛି ଯେ ଢିଙ୍କିଶାଳରୁ ଢେଙ୍କାନାଳ…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?