ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସ ୨୦୨୬ରେ ତାମିଲନାଡୁର ଆଥଲେଟ ବିଥ୍ୟା ରାମରାଜ ନିଜ ନାଁରେ କରିଛନ୍ତି ଏକ ବଡ଼ ରେକର୍ଡ। ମହିଳା ୪୦୦ ମିଟର ହର୍ଡଲ୍ସରେ ସେ ୫୪.୭୫ ସେକେଣ୍ଡରେ ରେସ ଶେଷ କରି ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହା ସହ ସେ ନିଜର ପର୍ସନାଲ ବେଷ୍ଟ ଟାଇମିଂ ହାସଲ କରିବା ସହ ପି.ଟି. ଉଷାଙ୍କ ୪୨ ବର୍ଷ ପୁରୁଣା ଜାତୀୟ ରେକର୍ଡ ଭାଙ୍ଗିଛନ୍ତି।
୧୯୮୪ ଲସ ଆଞ୍ଜେଲସ ଅଲିମ୍ପିକ୍ସରେ ପି.ଟି. ଉଷା ୫୫.୪୨ ସେକେଣ୍ଡ ସମୟ ସହ ୪୦୦ ମିଟର ହର୍ଡଲ୍ସରେ ଜାତୀୟ ରେକର୍ଡ କରିଥିଲେ। ଦୀର୍ଘ ୪୨ ବର୍ଷ ଧରି ଏହି ରେକର୍ଡ ଅତୁଟ ରହିଥିଲା। ଏବେ ୫୪.୭୫ ସେକେଣ୍ଡର ଟାଇମିଂ ସହ ବିଥ୍ୟା ଏହାକୁ ନିଜ ନାମରେ କରିଛନ୍ତି। ଏହି ଇଭେଣ୍ଟରେ ୟୁଏଇର ମରିୟମ କରିମ ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ କାଜାଖସ୍ତାନର ଆଡେଲିନା ଜେମ୍ସ ରୌପ୍ୟ ପଦକ ହାସଲ କରିଛନ୍ତି।
ବିଥ୍ୟା ରାମରାଜଙ୍କ ଏହି ସଫଳତା ପଛର କାହାଣୀ ମଧ୍ୟ ସଂଘର୍ଷପୂର୍ଣ୍ଣ। ଏକ ସାଧାରଣ ପରିବାରରୁ ଆସିଥିବା ବିଥ୍ୟାଙ୍କ ବାପା ଜଣେ ଟ୍ରକ ଡ୍ରାଇଭର। ଝିଅକୁ ଆଥଲେଟ କରିବା ପାଇଁ ତାଙ୍କ ମା’ ନେଇଥିବା ନିଷ୍ପତ୍ତିକୁ ଆରମ୍ଭରେ ଗାଁର ଅନେକ ଲୋକ ପ୍ରଶ୍ନ କରିଥିଲେ। ତଥାପି ତାଙ୍କ ମା’ ନିଷ୍ପତ୍ତିରୁ ପଛକୁ ହଟି ନ ଥିଲେ।
ପରିବାରର ଆର୍ଥିକ ସ୍ଥିତି ଏତେ ଭଲ ନଥିଲା ଯେ ଭଲ ଜୋତା କିଣିବା ମଧ୍ୟ ସମ୍ଭବ ହେଉ ନ ଥିଲା। ପ୍ରାୟ ୨୫ ହଜାର ଟଙ୍କାର ଜୋତା କିଣିବା ସମ୍ଭବ ନ ଥିବାରୁ ବିଥ୍ୟା ଫଟା ଜୋତା ପିନ୍ଧି ରେସ୍ରେ ଭାଗ ନେଉଥିଲେ। ଆରମ୍ଭ ଦିନଗୁଡ଼ିକରେ ରକ୍ତାକ୍ତ ପାଦରେ ମଧ୍ୟ ସେ ଅନେକ ରେସ ଦୌଡ଼ିଥିବା କୁହାଯାଏ।
କୋଭିଡ-୧୯ ସମୟରେ ମଧ୍ୟ ବିଥ୍ୟା ଗୁରୁତର ଭାବେ ଅସୁସ୍ଥ ହୋଇଥିଲେ। ପରେ ତାଙ୍କର ଆପେଣ୍ଡିସାଇଟିସ ଅସ୍ତ୍ରୋପଚାର ମଧ୍ୟ ହୋଇଥିଲା। ଏପରି ସମୟରେ ପରିବାର ପକ୍ଷରୁ ଖେଳ ଛାଡ଼ିଦେବାକୁ କୁହାଯାଇଥିଲେ ମଧ୍ୟ ବିଥ୍ୟା ହାର ମାନି ନ ଥିଲେ।
ବିଥ୍ୟା ରାମରାଜଙ୍କ ପାଇଁ ଏସିଆନ ଗେମ୍ସରେ ପଦକ ଜିତିବା ନୂଆ ଘଟଣା ନୁହେଁ। ୨୦୨୩ ହାଙ୍ଗଝୋ ଏସିଆନ ଗେମ୍ସରେ ସେ ୪୦୦ ମିଟର ହର୍ଡଲ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ। ସେହି ପ୍ରଦର୍ଶନ ସହ ସେ ପି.ଟି. ଉଷାଙ୍କ ଜାତୀୟ ରେକର୍ଡର ସମକକ୍ଷ ହୋଇଥିଲେ। ହାଙ୍ଗଝୋ ଏସିଆନ ଗେମ୍ସରେ ବିଥ୍ୟା ୪x୪୦୦ ମିଟର ମିକ୍ସଡ ରିଲେ ଏବଂ ମହିଳା ୪x୪୦୦ ମିଟର ରିଲେରେ ମଧ୍ୟ ରୌପ୍ୟ ପଦକ ଜିତିଥିଲେ। ଏହାପରେ ୨୦୨୫ ଏସିଆନ ଚାମ୍ପିୟନଶିପ୍ରେ ସେ ବ୍ରୋଞ୍ଜ ପଦକ ହାସଲ କରିଥିଲେ।
ଏବେ ଏସିଆନ ଗେମ୍ସ ୨୦୨୬ରେ ପୁଣିଥରେ ପଦକ ଜିତିବା ସହ ନିଜର ବ୍ୟକ୍ତିଗତ ରେକର୍ଡ ଏବଂ ପି.ଟି. ଉଷାଙ୍କ ଦୀର୍ଘଦିନର ଜାତୀୟ ରେକର୍ଡ ଭାଙ୍ଗି ବିଥ୍ୟା ରାମରାଜ ଭାରତୀୟ ଆଥଲେଟିକ୍ସରେ ନିଜର ଛାପ ଛାଡ଼ିଛନ୍ତି।
Dharitri – Odisha’s No.1 Odia Daily

