ନୂଆଦିଲ୍ଲୀ,୨୯।୯: ଭଗବାନ ରାମ ଓ ଭଗବାନ ଶିବଙ୍କୁ ନେଇ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀଙ୍କ ମନ୍ତବ୍ୟକୁ ନେଇ ରାଜନୀତି ଚର୍ଚ୍ଚା ତେଜ ହୋଇଛି । ଦିଲ୍ଲୀରେ ଏକ ମିଡିଆ ସଂସ୍ଥାର କାର୍ଯ୍ୟକ୍ରମରେ ରେଭନ୍ତ ରେଡ୍ଡୀ କହିଛନ୍ତି ଯେ, ଦକ୍ଷିଣ ଭାରତରେ କଂଗ୍ରେସର ସଫଳତା ପଛରେ ଆଞ୍ଚଳିକ ଧାର୍ମିକ ଭାବନାର ମଧ୍ୟ ଭୂମିକା ରହିଛି ।
ରେଭନ୍ତ ରେଡ୍ଡୀଙ୍କ ଦାବି ଅନୁସାରେ, ଉତ୍ତର ଭାରତରେ ଭଗବାନ ରାମ ଆସ୍ଥାର ପ୍ରତୀକ ହୋଇଥିବା ବେଳେ ଦକ୍ଷିଣ ଭାରତରେ ଭଗବାନ ଶିବଙ୍କ ପ୍ରତି ଭକ୍ତିର ଭିନ୍ନ ପରମ୍ପରା ରହିଛି । ସେ ଅଭିଯୋଗ କରିଛନ୍ତି, ଭାଜପା ରାମଙ୍କୁ ରାଜନୈତିକ ଭାବେ ନିଜ ସହ ଯୋଡ଼ି ଦେଇଛି । ତାଙ୍କ କହିବା ଅନୁସାରେ, ଭାଜପା ନେତାମାନେ ଅଧିକାଂଶ ସମୟରେ ‘ଜୟ ଶ୍ରୀରାମ’ ନାରା ଦିଅନ୍ତି, ତେବେ ‘ହର ହର ମହାଦେବ’ କାହିଁକି କୁହନ୍ତି ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ଶିବ ଗରିବଙ୍କ ଦେବତା ଏବଂ ରାମ ଧନୀଙ୍କ ଦେବତା। ସେ ଭାଜପାକୁ ଧନୀଙ୍କ ଦଳ ବୋଲି ମଧ୍ୟ କହିଛନ୍ତି।
ରେଭନ୍ତ ରେଡ୍ଡୀଙ୍କ ଏହି ମନ୍ତବ୍ୟ ଉପରେ କେନ୍ଦ୍ରମନ୍ତ୍ରୀ ବନ୍ଦୀ ସଞ୍ଜୟ କୁମାର ପ୍ରତିକ୍ରିୟା ଦେଇଛନ୍ତି । ସୋସିଆଲ ମିଡିଆ ପୋଷ୍ଟରେ ସେ କହିଛନ୍ତି ଯେ, ତେଲଙ୍ଗାନାର ମୁଖ୍ୟମନ୍ତ୍ରୀ ରାମ ଓ ଶିବଙ୍କ ମଧ୍ୟରେ ରାଜନୈତିକ ବିଭାଜନର ରେଖା ଟାଣିବାରୁ ଦୂରେଇ ରହିବା ଉଚିତ।ସେ ତେଲେଙ୍ଗାନାର ବେମୁଲାୱାଡାକୁ ‘ଦକ୍ଷିଣ କାଶୀ’ ଏବଂ ଭଦ୍ରାଚଳମକୁ ‘ଦକ୍ଷିଣ ଅଯୋଧ୍ୟା’ ବୋଲି ଉଲ୍ଲେଖ କରି ରାମ ଓ ଶିବଙ୍କୁ ଉତ୍ତର-ଦକ୍ଷିଣ ଆଧାରରେ ବାଣ୍ଟିବା ଉଚିତ ନୁହେଁ ବୋଲି କହିଛନ୍ତି ।

