କଳାଧନ ବିଷୟରେ କେତେ ପ୍ରକାର କଥା କୁହାଯାଇଛି, କୁହାଯାଉଛି ଓ କାମ କରାଯାଉଛି। ଭାରତ ପରିପ୍ରେକ୍ଷୀରେ ଏହାର ନକାରାମତ୍କ ଗୁରୁତ୍ୱ ଏତେ ବଢ଼ିଯାଇଛି ଯେ ଢିଙ୍କିଶାଳରୁ ଢେଙ୍କାନାଳ ଯାଏ କେବଳ ଏହାରି ଉପରେ ଖୁବ୍ ଜୋର୍୍ ଦିଆଯାଉଛି। ଏହା ଖୁସିର କଥା। ଆମର ଏ କଳାଧନ ବିଦେଶୀ ବ୍ୟାଙ୍କମାନଙ୍କରେ ଗଚ୍ଛିତ ଅଛି ଏବଂ ଆମ ଦେଶକୁ ଏହା ଫେରାଇ ଆଣିଲେ ଏ ଦେଶର ଭାଗ୍ୟ ହୁସ୍କରି ସ୍ବର୍ଗୀୟ ହୋଇଯିବ ବୋଲି ମଧ୍ୟ କୁହାଯାଉଛି। ଦେହରେ କାଛୁ କୁଣ୍ଡିଆ ହେଲେ ମଲମ ଲଗାଇଲେ ତାହା ଛାଡ଼ିଯାଏ, ତେଣୁ ଯନ୍ତ୍ରଣା ବି କମିଯାଏ। ହେଲେ ପ୍ରକୃତରେ କ’ଣ ତା’ର ମଞ୍ଜି ଯାଇଥାଏ କି? ସେଇଥିପାଇଁ ପିତା ଔଷଧ ଖାଇବାକୁ ପରାମର୍ଶ ଦିଆଯାଏ କାରଣ ତାହାଦ୍ୱାରା ଯେଉଁ କାରଣରୁ କାଛୁ କୁଣ୍ଡିଆ ହୁଏ, ତାହା ମରିଯାଏ। କଳାଟଙ୍କାକୁ ବିଦେଶରୁ ଫେରାଇ ଆଣି ଆମେ ଏ ଦେଶରେ କିଏ ଓ କିପରି ତାହା ବିନିଯୋଗ କରିବେ ? ଯେଉଁମାନେ କଳାଟଙ୍କା ବିଦେଶରେ ରଖିଛନ୍ତି ସେମାନେ ବି ଭାରତର ବହୁ ଉଚ୍ଚସ୍ଥାନରେ ଆସୀନ। ସେମାନଙ୍କ ଟଙ୍କା ଦେଶକୁ ଫେରି ଆସିଲେ ସେଇମାନଙ୍କ ଅବା ସେଇମାନଙ୍କ ‘କା’ ମାନେ ଏହାର ବ୍ୟୟ ଦାୟିତ୍ୱରେ ରହିବେ। ଏବେ ସ୍ବଦେଶରେ ଆମ ଟଙ୍କା ଯେପରି ବ୍ୟୟିତ ହେଉଛି ସେଇ ଫରି ଆସିଥିବା କଳାଟଙ୍କା ସେହିପରି ବ୍ୟୟିତ ହେବ। ଅର୍ଥାତ୍ ମଞ୍ଜୁର ହୋଇଥିବା ଅର୍ଥର ୮୦ ଭାଗ ଯେପରି ହଡ଼ପରେ ଯାଉଛି ଏ ଫେରସ୍ତ ହୋଇ ଆସି ଉନ୍ନତିମୂଳକ କାର୍ଯ୍ୟରେ ବିନିଯୁକ୍ତ ଏ ଅର୍ଥର ସେହି ଦୁର୍ଦ୍ଦଶା ଘଟିବ। ତେଣୁ ବିଦେଶରେ ଅନୈତିକ ଉପାୟରେ ଗଚ୍ଛିତ କଳାଟଙ୍କାର ଭାଗ୍ୟୋଦୟ ହେବ ନାହିଁ କି ଦେଶ ସେ ଟଙ୍କା ଫେରାଇ ଆଣି ସେପରି ବିଶେଷ କିଛି କରି ପକାଇବ ନାହିଁ। କାରଣ ସେହି ଗଚ୍ଛିତ କଳାଟଙ୍କା ପଛରେ ଯେଉଁ କାଳମନଟି କ୍ରିୟାଶୀଳ, ଫେରି ଆସିଲାପରେ ତାହାକୁ ଉନ୍ନୟନ ନାମରେ ଚଳୁ କରିଦେବାକୁ ଆଗେଇଥିବା ଭିତରେ ସେହି କାଳମନ ବି ହେବ ଉଦଗ୍ର। ତେଣୁ କେବଳ କଳାଟଙ୍କା ଫେରାଇ ଆଣିଲେ ଦୁର୍ନୀତି ହଟିଯିବ ନାହିଁ। ଏହା ମୂଳରେ ଥିବା କାଳମନର କିପରି ମୁକାବିଲା କରିବା ? ଅର୍ଥାତ ଏ ଅହଂ ପ୍ରସୂତ, ଅହଂ ପ୍ରମତ୍ତ ଓ ଅହଂ ପ୍ରଚୋଦିତ ଦୁଷ୍ଟାମି କିପରି ହଟିବ?
ଭାରତବର୍ଷର ମହାନ୍ ସଂସ୍କୃତି କଥା ଅନେକ ସମୟରେ ସଭାସମିତି, ଲେଖା ଇତ୍ୟାଦି ମାଧ୍ୟମରେ ଉଦ୍ଘୋଷଣା କରି ଘୋର ରଡ଼ି ଛାଡ଼ୁଥିବା ବିକଳାଙ୍ଗ ଓ ବେଇମାନ ବିଦ୍ୱାନ୍ମାନେ ଯେ ଏଇ କାଳମନର ଅକ୍ତିଆରରେ ବେଶି, ଏ କଥା ଆଜି ଜଳଜଳ କରି ଦିଶି ଯାଉଛି। ବିରାଟର ଛତ୍ରଛାୟାରେ କୀଚକ ଏବଂ କୀଚକ ବାହୁବଳେ ରାଜା ହୋଇଥିବା ବିରାଟ ମାନେ ତ ଆମ ବେଦବେଦାନ୍ତ ଦେଶରେ ସବୁଥିରେ ବିଦ୍ୟମାନ। ରଙ୍ଗମଞ୍ଚରେ ସବୁପ୍ରକାର ଅଭିନୟରେ ସେମାନେ ଓସ୍ତାତ କିଏ ରଜା ପାର୍ଟ କରୁଛି ତ କିଏ ରାଣୀ, କିଏ ଜୋକର। ଏହା ଜଣା ପଡ଼ୁ ନ ଥିଲେ ବି ସତ୍ୟ। ଭାରତ ରଙ୍ଗମଞ୍ଚରେ ଅଭିନୀତ ଗଣତନ୍ତ୍ର ନାଟକରେ ଏମାନେ ଏତେ ଫାର୍ସ୍ ଭର୍ତ୍ତିକରି ଦେଇଛନ୍ତି ଯେ ଦେଖଣାହାରୀ ଫାର୍ସର ଆପାତଃ ହାସ୍ୟରସରେ ମସଗୁଲ୍ ତେଣେ ନାଟକର ଅସଲ ବିଷୟବସ୍ତୁ ଯୁଆଡ଼େ ଯାଉଛି ଯାଉ, ଠିକ୍ ଯେପରି କିଛି ଦର୍ଶକ ଅଭିନେତାମାନଙ୍କ ଚେହେରାରେ ମୁଗ୍ଧ ହୋଇ ସେ ଯେପରି ଅଭିନୟ କଲେ ବି ସେଥିପ୍ରତି ବିଶେଷ ଧ୍ୟାନ ଦିଅନ୍ତି ନାହିଁ। ଯେଉଁଠି ଚେହେରାର ପ୍ରାଧାନ୍ୟ ସେଠି ଚେତନା ଗୌଣ ହେବା ସ୍ବାଭାବିକ। ଏ ଗଣତନ୍ତ୍ର ନାଟକର ଦୁର୍ଭାଗ୍ୟ ଯେ ଏହାର ଉଭୟ ଅଭିନେତା ଓ ଦର୍ଶକ ବଡ଼ ମଜାରେ ଏହାକୁ ଫାର୍ସସର୍ବସ୍ବ କରିବାରେ ଓ ଦେଖିବାରେ ଅଭାବେଭୋଳା। ବିଦେଶରେ କଳାଟଙ୍କା ଗଚ୍ଛିତ କରିବାରେ ଯେପରି ଆମ ବିଚିତ୍ରବୀର୍ଯ୍ୟ ଭୋଳ, ତାହା ଦେଶକୁ ଫେରି ଆସିଲେ ଦେଶର ପ୍ରଗତି ପାଇଁ ତାହା ବ୍ୟବହୃତ ହେଲାବେଳେ ‘ମୋ ଭାଗରେ କିଛି ପଡ଼ି ଯାଆନ୍ତା କି’ର ଅଥୟ ଭାବନାରେ ଆମେ ବେକୁବମାନେ ବି ତା’ଠାରୁ କମ୍ ଭୋଳ ନୋହୁ। ତେଣୁ ସେମାନେ ଯେପରି କାଳମନ ଯୋଗୁ କାଳପୁରୁଷ ଆମ୍ଭେମାନେ ବି ପ୍ରାୟ ସେହିପରି କି।
ତା’ ନ ହୋଇଥିଲେ ଏ ଦେଶର ମାଷ୍ଟର ମହାଶୟ, ଡାକ୍ତରବାବୁ, ଯନ୍ତ୍ରୀବାପୁଡ଼ା, କାନତରାଟି, ‘ଚିଜ୍ବଡିହେ ମସ୍ତମସ୍ତ’ ର ଅଧିକାରିଣୀ ମାଧୁରୀ (ଗୁପ୍ତା ଆଇ.ଏଫ.ଏସ୍. ନୀରା) ତଥା ‘ବ୍ୟବସାୟାମତ୍ିକା’ ଦାଢ଼ୁଆ, କାଢ଼ୁଆ ଓ ଭାଡ଼ୁଆ ଦୁଷ୍ଟବୁଦ୍ଧି କ’ଣ ଏପରି ଲଙ୍କା କାଣ୍ଡ କରିବାକୁ ପ୍ରମତ୍ତ ହେଉ ଥାଆନ୍ତେ? ଏମାନେ ସମସ୍ତେ କାଳମନ କବଳିତ, ତେଣୁ କୁତ୍ସିତ। ଫଳରେ ଶିକ୍ଷକ ଅଧ୍ୟୟନ, ଅଧ୍ୟାପନା ଛାଡ଼ି ଆହରଣ, ଆଟୋପର ବୀଟ ପୁରୁଷ ହେବାକୁ ଆଦୌ ଅପକର୍ମ ବୋଲି ଭାବୁନାହାନ୍ତି। ଡାକ୍ତର ରୋଗୀକୁ ଔଷଧ ନ ଦେଇ ଦବେଇ ଦୋକାନୀ ସହ ପ୍ରାଣରମଣ କରିବାକୁ କୁଣ୍ଠାବୋଧ କରୁ ନାହାନ୍ତି। ଯନ୍ତ୍ରୀ ତା’ର ସକଳ ଯନ୍ତ୍ର ବିଜ୍ଞାନର ତତ୍ତ୍ୱ ଓ ତଥ୍ୟଗୁଡ଼ାକ ମହାନଦୀରେ ବୁଡ଼େଇ ଦେଇ ପୋଲ, ରାସ୍ତା, ସିମେଣ୍ଟ, ରଡ଼, କୋଠା, କାଠ, ଗିଳି ପକାନ୍ତେ ନାହିଁ। ଆଉ ଆଧୁନିକ ସୂର୍ପଣଖା (ମାଧୁରୀ, ନୀରା ମାନେ) ଚହଟ ଚମ୍ପା ଗୋରୀ ହୋଇ ବି ଭିତରେ କଳା ପଡ଼ିବାକୁ ଭାରି ସିହାଣା ହୁଅନ୍ତେ ନାହିଁ। ଆଉ ଆମ ଭୂଇଁ ଫୋଡ଼ ବିଂଶପାଣିମାନେ ସବୁ ନଈ, ସବୁ ସମୁଦ୍ର, ସବୁ ଖାଲ, ସବୁ ଗଡ଼ିଆ, ସବୁ ପୋଖରୀର ପାଣି ନିଜ କ୍ଷେତରେ ମଡ଼େଇ ଦେବାକୁ ପାଞ୍ଚପାଞ୍ଚ ବର୍ଷରେ ସେମାନଙ୍କ ଯୋଜନାର ନବୀକରଣ କରନ୍ତେ ନାହିଁ। ଆଉ ଅନ୍ୟମାନଙ୍କ କଥା ନ କହିଲେ ଭଲ। ଏ ସମସ୍ତଙ୍କର ଗୋଟିଏ ପ୍ରକାର ବାଂଶରୀ ଯାହା ଡାକୁଥାଏ ‘ରାଧେ ରାଧେ, ତୁମର ଅଧେକୁ ମୋର ଅଧେ।’
ଆହା କି ବିକଳ, କି ବୀଭତ୍ସ ଏ କାଳମନ! ଏ ତ ସତ୍ୟାଭାସରେ ସଂତୃପ୍ତ, କାମନାରେ କମ୍ପମାନ, ଅଳ୍ପରେ ଅଚେତ, ପରପୀଡ଼ନରେ ପୁଙ୍ଗବ, ଆମତ୍ ହନନରେ ଆମତ୍ହରା ଏହା ଦୂର ଦର୍ଶନ, ଦୂର ଶ୍ରବଣ, ଦୂର କଥନରେ ଯେତିକି ଦୃପ୍ତ, ନିକଟ ନାଟକର ସ୍ବଗତୋକ୍ତି ପାଇଁ ସେତିକି ସଂକୁଚିତ। ତେଣୁ ଏହାର ଅଧିକାରିଣୀ ସମାଜ ରୂପକ ଯଦୁବଂଶର କୁଳପାଂଶୁଳ-ନିବୀର୍ଯ୍ୟ, ନେଫଡ଼ା ନପୁଂସକ ଓ ଏମାନଙ୍କୁ ହଟାଇ ଦିଆ ନ ଗଲେ ବିଦେଶରୁ କଳାଟଙ୍କା ଫେରାଇ ଆଣିଲେ ସ୍ବଦେଶରେ ଏହି କଳଙ୍କିତ କାଳକ-କାଳମନମାନେ ଏଥିରୁ ବେଶ୍ ଫାଇଦା ଉଠାଇବେ। ଫଳରେ ଦୁର୍ନୀତି ବିରୋଧରେ ଅଭିଯାନ ଅଗ୍ରଗତି କରିପାରିବ ନାହିଁ।
ତଥାପି ଏ କାଳମନ ମାନେ ହଟିବେ। ନିଶ୍ଚୟ ହଟିବେ। କାରଣ ‘ନ ଭାବେ ବିଦ୍ୟତେ ସତଃ’। ଏମାନେ ଅଭାବର ଅସୂର୍ଯ୍ୟ ଉପନିବେଶ। କିନ୍ତୁ ଏମାନେ ଆପେ ଆପେ ହଟିଯିବେ ନାହିଁ। ଏମାନଙ୍କୁ ହଟେଇ ଦେବାକୁ ହେବ। ଉପରୁ ଏବଂ ଭିତରୁ ହଟେଇ ଦେବାକୁ ହେବ ଠିକ୍ କାଛୁ କୁଣ୍ଡିଆ ଦୂର କରିବା ପାଇଁ ଯେପରି ଉପରେ ମଲମ ଲଗାଇଲେ ବି ଭିତରେ ପିତା ଔଷଧ ପ୍ରୟୋଗ କରିବାକୁ ପଡ଼େ। ଏଥି ସକାଶେ ଉପରେ ଦୃଢ଼ ଶାସନ ଦରକାର ହେବାପରି ଭିତର ପରିଷ୍କାର ପାଇଁ ଆବଶ୍ୟକ ଭିତରର ଗଠନ ଏବଂ ଉଭୟ କ୍ରିୟାପାଇଁ ପ୍ରଥମେ ଶାସନରେ କିଛି ସର୍ବସ୍ବ ତ୍ୟାଗୀ ଦରକାର ଯେଉଁମାନେ ଦଳ ନୁହଁ ଦେଶ, ଜଣ ନୁହଁ ଗଣ ଓ ମୁଁ ନୁହଁ ଆମେ ଦର୍ଶନରେ ଉଦ୍ବୁଦ୍ଧ ହୋଇଥିବେ ଏବଂ ସେମାନଙ୍କର ସେଇ କ୍ରାନ୍ତିକାରୀ ସଂକଳ୍ପଜାତ ସାଧନା ପୁଷ୍ଟ ‘ଶ୍ରେୟ’ ହିଁ ସମାଜର ଭିତର ପରିଷ୍କାର ସକାଶେ ‘କର୍ମସନ୍ନ୍ୟାସୀ ବ୍ରତଚାରୀ’ ସୃଷ୍ଟି କରିପାରିବ। ତା’ ନ ହେଲେ ସ୍ବାଧୀନତା ଲାଭ ପରେ ସ୍ବାଧୀନତାର ଅବସ୍ଥା ଯେପରି ହୋଇଛି ବିଦେଶରୁ କଳାଟଙ୍କା ଫେରାଇ ଆଣିଲା ପରେ ତାହା କାଳମନମାନଙ୍କର କଳା କ୍ଷେତ୍ରରେ ପରିଣତ ହୋଇଯିବ।
ବ୍ରଜମୋହନ ମିଶ୍ର
ଭଦ୍ରକ
ମୋ:୮୦୧୮୦୮୭୮୩୧

