ହାଜତ ହିଂସା ଗଣତନ୍ତ୍ର ପାଇଁ କଳଙ୍କ

ଗତ ଏକ ମାସ ମଧ୍ୟରେ ଆମ ରାଜ୍ୟର ବିଭିନ୍ନ ଥାନା ହାଜତରେ ପୋଲିସ ଦ୍ୱାରା ବର୍ବରୋଚିତ ଅତ୍ୟାଚାର ବା ତଥାକଥିତ ଥାର୍ଡ ଡିଗ୍ରୀ ପ୍ରୟୋଗର ଖବର ଚର୍ଚ୍ଚାର ବିଷୟ ପାଲଟିଛି। କେନ୍ଦ୍ରାପଡ଼ାର ତାଳଚୁଅଁା ସାମୁଦ୍ରିକ ଥାନାରେ ମାଆ ପୁଅକୁ ମହିଳା ଆଇଆଇସିଙ୍କ ଅମାନୁଷିକ ନିର୍ଯାତନାଠାରୁ ଆରମ୍ଭକରି କଟକର ବାରଙ୍ଗ ଥାନାରେ ଜଣେ ଯୁବକଙ୍କୁ ଭୟଙ୍କର ମାଡ଼ ମାରି ତାଙ୍କୁ ଗାଏବ କରିଦେବା ଏବଂ ଗଞ୍ଜାମର କବିସୂର୍ଯ୍ୟନଗର ଥାନାରେ ଜଣେ ଭିନ୍ନକ୍ଷମ ଯୁବକଙ୍କୁ ଅକଥନୀୟ ନିର୍ଯାତନା ଫଳରେ ତାଙ୍କର ମୃତ୍ୟୁ ହେବା ଘଟଣା ଆମ ଗଣତାନ୍ତ୍ରିକ ବ୍ୟବସ୍ଥା, ସମ୍ବିଧାନ ପ୍ରଦତ୍ତ ଅଧିକାର ଓ ଆଇନର ଶାସନକୁ ନେଇ ଏକରକମ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଦେଶରେ ଥାନା ହାଜତରେ ପୋଲିସର ନିର୍ଯାତନା ସମ୍ବିଧାନ ଓ ଆଇନକାନୁନ୍‌ ଦୃଷ୍ଟିରୁ ଏକ ବେଆଇନ ତଥା ଆପରାଧିକ କାର୍ଯ୍ୟ ହୋଇଥିଲେ ବି ତାହା ଏକ ସାଧାରଣ କଥାରେ ପରିଣତ ହୋଇଯାଇଛି। ବ୍ରିଟିଶ ଔପନିବେଶିକ ଶାସନର ଅଙ୍ଗ ଭାବେ ତିଆରି ଆମ ପୋଲିସ ବ୍ୟବସ୍ଥା ଦେଶ ସ୍ବାଧୀନ ହେବା ପରେ ମଧ୍ୟ ତାର ଆଚରଣରେ ପରିବର୍ତ୍ତନ ହୋଇପାରି ନାହିଁ। ପୋଲିସ ବ୍ୟବସ୍ଥାରେ ଅବ୍ୟାହତ ରହିଥିବା ଔପନିବେଶିକ ମାନସିକତା ଯୋଗୁ ପୋଲିସ ନିଜକୁ ଆଇନରୁ ଊର୍ଦ୍ଧ୍ୱରେ ଏବଂ ସାଧାରଣ ନାଗରିକଙ୍କୁ ଶାସିତ ଭାବେ ଦେଖୁଛି। ଗଣତାନ୍ତ୍ରିକ ବ୍ୟବସ୍ଥାରେ ପୋଲିସ ନାଗରିକଙ୍କ ବନ୍ଧୁ ହେବା କଥା କିନ୍ତୁ ଆଜି ମଧ୍ୟ ସାଧାରଣ ଲୋକ ପୋଲିସ ଥାନାକୁ ଯିବାକୁ ଭୟ କରୁଛି।
ପୋଲିସ ହାଜତରେ ଜଣେ ବ୍ୟକ୍ତିର ଅସ୍ବାଭାବିକ ମୃତ୍ୟୁ ଘଟିବା ନିଶ୍ଚିତ ଭାବେ ଏକ ସମ୍ବେଦନଶୀଳ ବିଷୟ। ଏଭଳି ମୃତ୍ୟୁ ପଛରେ ସାଧାରଣତଃ ପୋଲିସ ଅଧିକାରୀଙ୍କ ନିର୍ଯାତନା ପ୍ରମୁଖ କାରଣ ରହିଥିବା ଦେଖିବାକୁ ମିଳିଥାଏ। କୌଣସି ଆପରାଧିକ ଘଟଣାର ତଦନ୍ତ ସମୟରେ ତଥ୍ୟ ଅଥବା ଅଭିଯୁକ୍ତ ଠାରୁ ସ୍ବୀକାରୋକ୍ତି ହାସଲ କରିବାକୁ ଥାନାରେ ଅନେକ ସମୟରେ ଯେଉଁ ଶାରୀରିକ ନିର୍ଯାତନା ଦିଆଯାଇଥାଏ। ଫଳରେ ବେଳେ ବେଳେ ସମ୍ପୃକ୍ତ ବ୍ୟକ୍ତଙ୍କର ମୃତ୍ୟୁ ଘଟିିଥାଏ। ପୋଲିସ ପାଇଁ ସ୍ବାଭାବିକ ମନେ ହେଉଥିବା ଏଭଳି ହାଜତରେ ମୃତ୍ୟୁ କଦାପି ଏକ ସାଧାରଣ ମୃତ୍ୟୁ ନୁହେଁ। ଏହା ପୋଲିସ ଦ୍ୱାରା ବିଚାର ବ୍ୟବସ୍ଥା ବାହାରେ ସଂଗଠିତ ହତ୍ୟା ବୋଲି କୁହାଯିବ।
ପୋଲିସ କୌଣସି ଆପରାଧିକ ଘଟଣାର ତଦନ୍ତ ନାଁରେ ପ୍ରମାଣ ହାସଲ କରିବାକୁ ଅଥବା ଅଭିଯୁକ୍ତର ସ୍ବୀକାରୋକ୍ତି ହାସଲ କରିବା ପାଇଁ ଶାରୀରିକ ନିର୍ଯାତନା ଦେଇଥାଏ। ଥାନାରେ ବିନା ମାଡ଼ କିମ୍ବା ବିନା ଅତ୍ୟାଚାରରେ ଜେରା ହୋଇପାରିବ ନାହିଁ ବୋଲି ସେମାନଙ୍କର ଏକ ବଦ୍ଧମୂଳ ଧାରଣା ରହିଛି। ସେହି କାରଣରୁ ଥାନାଗୁଡ଼ିକରେ ପୋଲିସ ଦ୍ୱାରା ଅଭଦ୍ର ଗାଳି ଏବଂ ନିର୍ଯାତନା ଏକ ସ୍ବାଭାବିକ ଅଭ୍ୟାସରେ ପରିଣତ ହୋଇଯାଇଛି। ବିଶ୍ୱର ଅନେକ ଉନ୍ନତ ଦେଶରେ ଆଜିକାଲି କୌଣସି ଆପରାଧିକ ଘଟଣାର ତଦନ୍ତ ସମୟରେ ଜେରା ପାଇଁ ଶାରୀରିକ ନିର୍ଯାତନା ବଦଳରେ ମନସ୍ତାତ୍ତ୍ୱିକ ଜେରା, ପଲିଗ୍ରାଫି ଓ ନାର୍କୋ ପରୀକ୍ଷା ପରି ଅତ୍ୟାଧୁନିକ ଟେକ୍ନୋଲୋଜିର ସହାୟତା ନେଉଥିବା ବେଳେ ଆମ ଦେଶରେ ବ୍ରିଟିଶ ଅମଳର ଶାରୀରିକ ନିର୍ଯାତନା ଅବ୍ୟାହତ ରହିଛି। ଉଦ୍‌ବେଗର ବିଷୟ ହେଲା, ପୋଲିସ ଜଣେ ବ୍ୟକ୍ତିକୁ ଗିରଫ କରିବାର ସର୍ବାଧିକ ୨୪ ଘଣ୍ଟା ମଧ୍ୟରେ ସ୍ଥାନୀୟ କୋର୍ଟରେ ହାଜର କରିବା ବାଧ୍ୟତାମୂଳକ ରହିଥିବା ବେଳେ ତାକୁ ପ୍ରାୟତଃ ଲାଗୁ କରାଯାଉନି। ଅଧିକାଂଶ କ୍ଷେତ୍ରରେ ଦିନ ଦିନ ଧରି ଏପରିକି ସପ୍ତାହ ସପ୍ତାହ ଅଟକ ରଖି ନିର୍ଯାତନା ମାଧ୍ୟମରେ ତାକୁ ତଥ୍ୟ ପ୍ରକାଶ କରିବାକୁ ଅଥବା ସ୍ବୀକାରୋକ୍ତି ପାଇଁ ବାଧ୍ୟ କରିବା ଦେଖାଯାଉଛି।
ଦେଶରେ ହାଜତ ମୃତ୍ୟୁ ରୋକିବାକୁ ସରକାରଙ୍କ ବଡ଼ ବଡ଼ ଦାବି ସତ୍ତ୍ୱେ ଏହା ଅବ୍ୟାହତ ରହିଛି। ସ୍ବରଷ୍ଟ୍ର ବିଭାଗ ତଥ୍ୟରୁ ଜଣାପଡ଼ିଛି ଯେ, ଗତ ପାଞ୍ଚ ବର୍ଷ ମଧ୍ୟରେ ଦେଶର ଥାନାଗୁଡ଼ିକରେ ମୋଟ ୮୦୬ଟି ହାଜତ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେଥିମଧ୍ୟରୁ ୨୦୨୧-୨୦୨୨ ମସିହାରେ ୧୭୬ଟି, ୨୦୨୨-୨୩ରେ ୧୬୩ଟି, ୨୦୨୩-୨୪ରେ ୧୫୭ଟି ଏବଂ ୨୦୨୪-୨୫ରେ ୧୪୦ଟି ରହିଥିବା ବେଳେ ୨୦୨୫-୨୬ରେ ତାହା ୧୭୦କୁ ବୃଦ୍ଧି ପାଇଛି। ଅର୍ଥାତ୍‌ ଦେଶରେ ପ୍ରାୟତଃ ପ୍ରତି ୪୮ ଘଣ୍ଟାରେ ଜଣେ ଲୋକ ପୋଲିସ ହେପାଜତରେ ପ୍ରାଣ ହରାଉଛନ୍ତି। ଆମ ରାଜ୍ୟରେ ମଧ୍ୟ ପୋଲିସ ହାଜତରେ ମୃତ୍ୟୁର ଘଟଣା ଅବ୍ୟାହତ ରହିଛି। ୨୦୧୪ ରୁ ୨୦୨୩ ଦଶବର୍ଷ ମଧ୍ୟରେ ରାଜ୍ୟରେ ମୋଟ ୪୮ଟି ହାଜତ ମୃତ୍ୟୁ ଘଟଣା ଘଟିଥିବା ଗତ ୨୯ ଜୁଲାଇ ୨୦୨୪ରେ ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରୁ ଜଣାପଡ଼ିଛି। ୨୦୨୧-୨୬ ମଧ୍ୟରେ ୧୮ଟି ହାଜତ ମୃତ୍ୟୁ ହୋଇଥିବା ବେଳେ କେବଳ ୨୦୨୫-୨୬ ଦେଢ଼ ବର୍ଷ ମଧ୍ୟରେ ରାଜ୍ୟରେ ୯ଟି ହାଜତ ମୃତ୍ୟୁ ଘଟିଛି।
ହାଜତ ମୃତ୍ୟୁର ଅଧିକାଂଶ ଘଟଣାରେ ମୃତ ବ୍ୟକ୍ତି ଜଣକ ସାଧାରଣତଃ ସମାଜର ଗରିବ ଶ୍ରେଣୀ ଏବଂ ବିଶେଷ କରି ଧାର୍ମିକ ସଂଖ୍ୟାଲଘୁ, ଆଦିବାସୀ, ଦଳିତ, ମହିଳା, ନାବାଳକ ଏବଂ ତୃତୀୟ ଲିଙ୍ଗୀମାନେ ହୋଇଥାନ୍ତି। ପୋଲିସ ବ୍ୟବସ୍ଥା ସମ୍ପର୍କରେ ସେମାନଙ୍କର ବିଶେଷ ଜ୍ଞାନର ଅଭାବ ଏବଂ ଆଇନଗତ ସହାୟତା ନେବାରେ ସେମାନଙ୍କ ଅସମର୍ଥତା କାରଣରୁ ସେମାନଙ୍କ ଅଭିଯୋଗକୁ ଅନେକ ସମୟରେ କେହି ଶୁଣିନଥାନ୍ତି। ଅନ୍ତର୍ଜାତୀୟ ସନନ୍ଦ ଯେଉଁଥିରେ ଖୋଦ ଭାରତ ସରକାର ଦସ୍ତଖତ କରିଛନ୍ତି ସେଥିରେ ଥିବା ମାନବ ଓ ରାଜନୈତିକ ଅଧିକାର ମଧ୍ୟରେ ନିର୍ଯାତନା ନ ହେବା ଅଧିକାର ସାମିଲ କରାଯାଇଛି। ସମ୍ବିଧାନର ଧାରା ୨୧ ଅନ୍ତର୍ଗତ ରହିଥିବା ବଞ୍ଚିବାର ଅଧିକାରକୁ ବ୍ୟାଖ୍ୟା କରି ସୁପ୍ରିମ୍‌ କୋର୍ଟ କହିଛନ୍ତି ଯେ, ଜୀବନର ଅଧିକାରର ଅର୍ଥ ପଶୁମାନଙ୍କ ପରି ବଞ୍ଚିବା ନୁହେଁ। ରାଷ୍ଟ୍ର ଦ୍ୱାରା ନିର୍ଯାତନା ବା ଆକ୍ରମଣରୁ ମୁକ୍ତ ରହିବାର ଏକ ସ୍ବତଃସ୍ଫୂର୍ତ୍ତ ଗ୍ୟାରେଣ୍ଟି ବି ଧାରା ୨୧ରେ ରହିବା ଅତ୍ୟାବଶ୍ୟକ ବୋଲି କହିଛନ୍ତି।
ତାଳଚୁଆଁ, ବାରଙ୍ଗ ଓ କବିସୂର୍ଯ୍ୟନଗରର ଘଟଣା ଦେଶରେ ହାଜତ ନିର୍ଯାତନା ଓ ହତ୍ୟାର ପ୍ରଥମ କିମ୍ବା ଶେଷ ଘଟଣା ନୁହେଁ। ପୋଲିସ ହାଜତରେ ଘଟୁଥିବା ଏଭଳି ଶାରୀରିକ ନିର୍ଯାତନା ଓ ହତ୍ୟା ସଭ୍ୟସମାଜ ପାଇଁ କଳଙ୍କ ବୋଲି କୁହାଯାଇପାରେ। ସର୍ବୋଚ୍ଚ ନ୍ୟାୟାଳୟ ଅତୀତରେ ଏହାକୁ ମାନବ ଅଧିକାରର ନିକୃଷ୍ଟତମ ଉଲ୍ଲଂଘନ ବୋଲି କହିଛନ୍ତି।
ପୋଲିସ ବ୍ୟବସ୍ଥାରେ ଏହିଭଳି ନିର୍ଯାତନା ସଂସ୍କୃତିକୁ ବଦଳାଇବାକୁ ହେଲେ ବ୍ୟବସ୍ଥାରେ ଢାଞ୍ଚାଗତ ପରିବର୍ତ୍ତନ ଆବଶ୍ୟକ। ଦେଶରେ ହାଜତ ହତ୍ୟାକୁ ରୋକିବା ପାଇଁ ଅତୀତରେ ସର୍ବୋଚ୍ଚ ନ୍ୟାୟାଳୟ ପୋଲିସ ସଂସ୍କାର ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେବା ସହ ଡି. କେ. ବସୁଙ୍କ ମାମଲାରେ କିଛି ନିର୍ଦ୍ଦେଶାବଳୀ ଜାରି କରିଥିଲେ। କିନ୍ତୁ ପରିତାପର ବିଷୟ ଆଜିଯାଏ କୌଣସି ସରକାର ଉପରୋକ୍ତ ନିର୍ଦ୍ଦେଶାବଳୀକୁ ଲାଗୁ କରିବାକୁ ଚେଷ୍ଟା କରିନାହାନ୍ତି କି ପୋଲିସ ସଂସ୍କାରକୁ ଆରମ୍ଭ କରିପାରି ନାହାନ୍ତି। ହାଜତ ନିର୍ଯାତନା ରୋକିବାକୁ ହେଲେ ସେଥିପାଇଁ ପୋଲିସ କର୍ତ୍ତୃପକ୍ଷଙ୍କୁ ଉତ୍ତରଦାୟୀ କରିବାକୁ ହେବ। ଏଭଳି ଅଭିଯୋଗର ତତ୍‌କ୍ଷଣାତ୍‌ ତଦନ୍ତ କରି ଦୋଷୀ ଅଧିକାରୀଙ୍କ ବିରୋଧରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହେବ। ସବୁ ଥାନାରେ ସିସିଟିଭି ସଂଯୋଗ କରିବା ସହିତ ଥାନାକୁ ଆଣିବାର ୨୪ ଘଣ୍ଟା ମଧ୍ୟରେ ସମ୍ପୃକ୍ତ ବ୍ୟକ୍ତିର ଗିରଫଦାରି ଦେଖାଇ କୋର୍ଟରେ ହାଜର କରିବାକୁ ହେବ।
ପୋଲିସ ଏକ ଗଣତାନ୍ତ୍ରିକ ଦେଶର ପୋଲିସ ଭାବେ କାର୍ଯ୍ୟ କରିବା ଦରକାର। ଏଥିପାଇଁ ପ୍ରସ୍ତାବିତ ପୋଲିସ ସଂସ୍କାରକୁ ତୁରନ୍ତ ଲାଗୁ କରିବା ଆବଶ୍ୟକ। ପୋଲିସ ନିର୍ଯାତନାର ସମସ୍ତ ଘଟଣା ପାଇଁ ବ୍ୟବସ୍ଥାକୁ ସ୍ପଷ୍ଟ ଭାବେ ଉତ୍ତରଦାୟୀ କରାଯିବା ଦରକାର। ପ୍ରତ୍ୟେକ ହାଜତ ହତ୍ୟାର ବିଚାର ବିଭାଗୀୟ ତଦନ୍ତ କରିବା ସହିତ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କୁ ତୁରନ୍ତ ନିଲମ୍ବିତ ଅଥବା ଜିଲା ବାହାରକୁ ସ୍ଥାନାନ୍ତର କରିବା ଜରୁରୀ। ହାଜତ ମୃତ୍ୟୁ ହୋଇଥିବା ବ୍ୟକ୍ତିର ପରିବାରକୁ ଯଥେଷ୍ଟ ଅନୁକମ୍ପା ରାଶି ପ୍ରଦାନ କରିବା ଜରୁରୀ।
ମୋ: ୯୪୩୭୧୬୬୩୯୧

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆଶାର ଶେଷ ପତ୍ର

ପ୍ରବଳ ଶୀତଦିନେ ସହରରେ ପ୍ରାଣଘାତୀ ନିମୋନିଆ ବ୍ୟାପିଥିଲା। ଝିଅଟିଏ ଏହାର କବଳରେ ପଡ଼ିଗଲା। ରୋଗ ଏତେ ଗୁରୁତର ହେଲା ଯେ ଔଷଧର ପ୍ରଭାବ ବନ୍ଦ ହୋଇଗଲା। ଝିଅଟି…

ପରୀକ୍ଷା ସଂସ୍କାର ଚିନ୍ତା

ଦେଶରେ ବିଭିନ୍ନ ପରୀକ୍ଷାରେ ବାରମ୍ବାର ହେଉଥିବା ପ୍ରଶ୍ନପତ୍ର ପ୍ରଘଟକୁ ରୋକିବାରେ କେନ୍ଦ୍ର ସରକାରଙ୍କ ବିଫଳତା ପରିପ୍ରେକ୍ଷୀରେ ଉତ୍ତରଦାୟିତ୍ୱ ଦାବି କରି ଦିଲ୍ଲୀର ଜନ୍ତରମନ୍ତରରେ ଆରମ୍ଭ ହୋଇଥିବା ଛାତ୍ର…

ବ୍ୟବସ୍ଥାଗତ ବିଫଳତା

ଦୃଢ଼ ରାଜନୈତିକ କୌଶଳ ଆପଣାଉଥିବା ସରକାରମାନେ ସାଧାରଣତଃ କଠୋର ଆଇନ ଆଣି ସେସବୁକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀକରି ସଙ୍କଟର ମୁକାବିଲା କରିଥାନ୍ତି। ଏଭଳି ସ୍ଥିତିରେ ବେଳେବେଳେ ପ୍ରଯୁକ୍ତି…

ଏଇ ଭାରତରେ

ଶକ୍ତିର ଅଭାବକୁ ଦେଖି ଦେଶରେ ସବୁଜ ଶକ୍ତି ଉତ୍ପାଦନ ଉପରେ ଗୁରୁତ୍ୱ ଦିଆଯାଉଛି। ଏହି କ୍ରମରେ ଏବେ ସୌର ଗାଁ ସୃଷ୍ଟି କରାଯାଉଛି। ଏମିତି ଏହି ଗାଁ…

ଅର୍ଥନୈତିକ ଦକ୍ଷତାକୁ ଅଣଦେଖା

ମୁଁ ଭାରତ ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଏବଂ ପରେ ବିଶ୍ୱବ୍ୟାଙ୍କର ମୁଖ୍ୟ ଅର୍ଥନୀତିଜ୍ଞ ଭାବରେ ମୋଟ ସାତବର୍ଷ କାର୍ଯ୍ୟ କରିଛି। ଅର୍ଥନୀତି କେତେ ବିଚିତ୍ର, ତାହା…

ଆସ୍ଥାରେ ଆଘାତ

ଅଯୋଧ୍ୟା ରାମ ମନ୍ଦିରରୁ ଦାନ ଅର୍ଥ ଚୋରି ଘଟଣା ଅନେକ କୋଟି ଲୋକଙ୍କ ଧର୍ମୀୟ ଭାବନାକୁ ଆଘାତ ଦେଇଛି। ମନ୍ଦିରରୁ ଦାନ ଅର୍ଥ ଚୋରି ହେବା ମନ୍ଦିର…

ଯୁବ ଅଗ୍ରଦୂତ

ନୂଆଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଯୁବ ଆନ୍ଦୋଳନରେ ଜେନ୍‌-ଜିର ପ୍ରଭାବ ଦେଖିବାକୁ ମିଳିଲା। ପାରମ୍ପରିକ ପ୍ରତିବାଦ ଅପେକ୍ଷା ଏହି ପିଢ଼ି ସୃଜନଶୀଳତା, ପ୍ରଯୁକ୍ତିବିଦ୍ୟା ଓ ହାସ୍ୟରସକୁ ଆନ୍ଦୋଳନର ଅଂଶ…

ଜୈବ-ସ୍ବତ୍ୱ ଡକାୟତି

ଜୈବ- ସ୍ବତ୍ୱ ଡକାୟତି(Bio-piracy) ଅର୍ଥ ହେଉଛି ଅନୁମତି କିମ୍ବା ସ୍ବୀକୃତି ବିନା ବାଣିଜି୍ୟକ ଲାଭ ପାଇଁ କୌଣସି ଦେଶ କିମ୍ବା ସମ୍ପ୍ରଦାୟର ପାରମ୍ପରିକ ଜ୍ଞାନ ଏବଂ ପ୍ରାକୃତିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri