ନୂଆଦିଲ୍ଲୀ,୧୫।୯: ବଢ଼ୁଥିବା ମହଙ୍ଗା ମାଡ଼ ମଧ୍ୟରେ ଏବେ UPI ପେମେଣ୍ଟ ଉପରେ ଦେବାକୁ ପଡ଼ିବ ଚାର୍ଜ। ଅର୍ଥାତ ଆପଣଙ୍କର UPI ଆଉ ମାଗଣା ରହିଲା ନାହିଁ। ଏହି ଚାର୍ଜ ୨,୦୦୦ ଟଙ୍କାରୁ ଅଧିକ କାରବାର (ଟ୍ରାଞ୍ଜାକସନ) ଉପରେ ଲାଗୁ ହେବ। ବଡ଼ କଥା ହେଉଛି, ଯଦି ସାଧାରଣ ଲୋକ ୨୦୦୦ ଟଙ୍କାରୁ ଅଧିକ ଟଙ୍କାର ପେଟ୍ରୋଲ, ବିଦ୍ୟୁତ ବିଲ କିମ୍ୱା ଅନ୍ୟ କୌଣସି ବିଲ UPI ମାଧ୍ୟମରେ ପୈଠ କରନ୍ତି, ତେବେ ପ୍ରତ୍ୟେକ କାରବାର ପିଛା ୫ ଟଙ୍କା ଲେଖାଏଁ ଶୁଳ୍କ ଲାଗିବ।
ଏପର୍ଯ୍ୟନ୍ତ UPI ଚାର୍ଜ କେବଳ ବଡ଼ ଦୋକାନୀମାନଙ୍କ ମଧ୍ୟରେ ସୀମିତ ଥିଲା, କିନ୍ତୁ ସରକାରଙ୍କ ଏହି ନୂତନ ନିଷ୍ପତ୍ତି ଏବେ ସାଧାରଣ ଲୋକଙ୍କ ଉପରେ ମଧ୍ୟ ବୋଝ ବଢ଼ାଇ ଦେଇଛି। ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ (NPCI)ର FAQ ଅନୁସାରେ, ଏହି ନିୟମ ୧୫ ଅକ୍ଟୋବର ୨୦୨୬ରୁ ଲାଗୁ ହେବ।
କେତେକ ଜରୁରୀକାଳୀନ ସେବା କ୍ଷେତ୍ରରେ ସାଧାରଣ ୦.୪% ମର୍ଚାଣ୍ଟ ଡିସକାଉଣ୍ଟ ରେଟ (MDR) ବଦଳରେ ପ୍ରତି କାରବାର ପିଛା ୫ ଟଙ୍କାର ସ୍ଥିର (flat) ଚାର୍ଜ ଧାର୍ଯ୍ୟ କରାଯାଇଛି। ଏଥିରେ ପେଟ୍ରୋଲ ପମ୍ପ, ଟେଲିକମ, ବୀମା ଏବଂ ରେଳବାଇ ଭଳି ବର୍ଗ ସାମିଲ ରହିଛି। ଅର୍ଥାତ ଯଦି ଏହି ସେବାଗୁଡ଼ିକର ବିଲ ୨ ହଜାର ଟଙ୍କାରୁ ଅଧିକ ହୁଏ ଏବଂ ଆପଣ UPI ମାଧ୍ୟମରେ ତାହା ପୈଠ କରୁଛନ୍ତି, ତେବେ ପ୍ରତି ପେମେଣ୍ଟରେ ୫ ଟଙ୍କା ଲେଖାଏଁ ଶୁଳ୍କ ଆଦାୟ କରାଯିବ।
ବିଜୁଳି, ପାଣି ଏବଂ ପାଇପ ଗ୍ୟାସ ବିଲ ଉପରେ ମଧ୍ୟ ଏହି ୫ ଟଙ୍କିଆ ନିୟମ ଲାଗୁ ହେବ। ଅନ୍ୟପକ୍ଷରେ, ମ୍ୟୁଚୁଆଲ ଫଣ୍ଡ ଏବଂ ଶେୟାର ବଜାର ସମ୍ୱନ୍ଧୀୟ କାରବାର ପାଇଁ ୦.୦୨% ହାର ସ୍ଥିର କରାଯାଇଛି, ଯାହାର ସର୍ୱାଧିକ ସୀମା ୩୦୦ ଟଙ୍କା ହେବ। ଅବଶ୍ୟ ଅଟୋ-ଡେବିଟ (Auto-debit) ହେଉଥିବା କିଛି ପେମେଣ୍ଟ ଉପରେ କୌଣସି MDR ଲାଗିବ ନାହିଁ।
NPCI ଅନୁଯାୟୀ, UPI ନେଟୱର୍କ ପରିଚାଳନା, ସର୍ଭର ରକ୍ଷଣାବେକ୍ଷଣ ଏବଂ ଠକେଇ (Fraud) ରୋକିବା ପାଇଁ ପ୍ରତିବର୍ଷ ପ୍ରାୟ ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ। ଏପର୍ଯ୍ୟନ୍ତ UPI ପାଇଁ ସରକାରୀ ସହାୟତା ଏକ ବଡ଼ ଭୂମିକା ଗ୍ରହଣ କରିଆସୁଥିଲା। ଅଗଷ୍ଟ ୨୦୨୬ରେ UPIରେ ପ୍ରାୟ ୨,୪୫୧ କୋଟି କାରବାର ହୋଇଥିଲା, ଯାହାର ମୋଟ ମୂଲ୍ୟ ପ୍ରାୟ ୨୯.୯ ଲକ୍ଷ କୋଟି ଟଙ୍କା ଥିଲା।
ମୌସୁମୀ ଅଧିବେଶନରେ ସଂସଦରେ ’Tax and Other Laws Amendment Bill 2026’ ପାସ ହୋଇଥିଲା। ଏହା ପରେ ୧୪ ସେପ୍ଟେମ୍ୱରରେ ସରକାର ବିଜ୍ଞପ୍ତି ଜାରି କରି ୨୦୦୦ ଟଙ୍କା ପର୍ଯ୍ୟନ୍ତ UPI ପେମେଣ୍ଟ ଏବଂ RuPay ଡେବିଟ କାର୍ଡ ପେମେଣ୍ଟ ଉପରେ ଶୁଳ୍କ ଲାଗୁ ନକରିବା ପାଇଁ ଆଇନଗତ ସୁରକ୍ଷା ଦେଇଥିଲେ। ଦୁଇ ହଜାର ଟଙ୍କାରୁ ଊର୍ଦ୍ଧ୍ୱ କାରବାର ଉପରେ ଶୁଳ୍କ ର୍ନିଦ୍ଧାରଣ କରିବାର ଦାୟିତ୍ୱ UPI ସମ୍ପର୍କିତ ଷ୍ଟିଅରିଂ କମିଟି (Steering Committee)କୁ ଦିଆଯାଇଥିଲା।
ଏବେ ବି ଏହା ସ୍ପଷ୍ଟ ହୋଇନାହିଁ ଯେ MDR ଉପରେ GST ଲାଗୁ ହେବ କି ନାହିଁ। ଏହି ଶୁଳ୍କରୁ ମିଳୁଥିବା ଅର୍ଥରେ ବ୍ୟାଙ୍କ, UPI ଆପ ଏବଂ NPCIର ଭାଗ କେତେ ରହିବ ଏବଂ ଯଦି କୌଣସି ଦୋକାନୀ ଏହି ଚାର୍ଜ ଗ୍ରାହକଙ୍କ ଠାରୁ ଆଦାୟ କରନ୍ତି, ତେବେ ତାଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

