ଆୟ ବହିର୍ଭୂତ ସମ୍ପତ୍ତି ଦେଶକୁ ବିପତ୍ତି

ଅକ୍ଷୟ କୁମାର ମିଶ୍ର

 

ପ୍ରତିଦିନ ଖବରକାଗଜ ପୃଷ୍ଠାରେ, ଦୂରଦର୍ଶନ ପରଦାର ବ୍ରେକିଂ ନ୍ୟୁଜ୍‌ରେ କେହି ନା କେହି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ଖବର ପରିବେଷଣ ହେବା ଦେଖିବାକୁ ମିଳୁଛି। କେଉଁଠି ଭିଜିଲାନ୍ସ ତ କେଉଁଠି ଆୟକର ବିଭାଗ ତରଫରୁ ଚଢ଼ାଉ ଚାଲିଛି। କିନ୍ତୁ ଏହି ଆୟ ବହିର୍ଭୂତ ସମ୍ପତ୍ତି ଠୁଳକରି ଅଭିଯୋଗ ପରିସରକୁ ଆସୁଥିବା ବ୍ୟକ୍ତିମାନଙ୍କର ଯଦି ଏକ ଚିଠା ପ୍ରସ୍ତୁତ କରାଯାଏ ତେବେ ସେମାନଙ୍କ ମଧ୍ୟରୁ ଅନେଶତ ପ୍ରତିଶତ ବ୍ୟକ୍ତି ହେଉଛନ୍ତି ସରକାରୀ କର୍ମଚାରୀ। ଧରାପଡୁଥିବା ଲୋକମାନେ ଯେ ନିର୍ଦ୍ଦୋଷ ଏହା କହିବା ସତ୍ୟର ଅପଳାପ ହେବ। ଏହା ନିଶ୍ଚିତ ଯେ କେତେଜଣ ସରକାରୀ କର୍ମଚାରୀ ଅସାଧୁ ଓ ଲାଞ୍ଚ ମିଛର ଆଶ୍ରୟ ନେଇ ଅନ୍ୟାୟ ଅର୍ଥ ଉପାର୍ଜନ କରନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳକରିବା ଚରମ ଦୋଷାବହ, ଏହାକୁ ସେମାନେ ଭ୍ରୂକ୍ଷେପ କରନ୍ତି ନାହିଁ। ପ୍ରଶ୍ନ ଆସେ ଏ ଦେଶରେ କ’ଣ କେବଳ ସରକାରୀ କର୍ମଚାରୀମାନେ ଅସତ ଉପାୟରେ ଅର୍ଥ ଉପାର୍ଜନ କରି ନିଜର ସମ୍ପତ୍ତି ବଢ଼ାଇ ଚାଲିଛନ୍ତି? ଯଦି ଏମାନଙ୍କ ପରି ଆହୁରି ଅନେକେ ଆୟ ବହିର୍ଭୂତ ସମ୍ପତ୍ତି ଜମା କରିବାରେ ମାହିର, ତେବେ ସେମାନଙ୍କୁ ଧରାଯାଉ ନାହିଁ କାହିଁକି? ଆମ ଦେଶର ଯେଉଁ ସବୁ ବିଭାଗ କଳାଟଙ୍କା ମହଜୁଦକାରୀଙ୍କୁ ଚିହ୍ନଟ କରିବା ନିମନ୍ତେ ଗଢ଼ା ହୋଇଛି ସେମାନେ ସେମାନଙ୍କର ଦାୟିତ୍ୱ ନିର୍ବାହ କରୁନାହାନ୍ତି ନା କାହା ଚାପରେ ଚୁପ୍‌ ରହୁଛନ୍ତି?
ପ୍ରଥମେ ସେହିମାନଙ୍କ କଥା ହେବା ଯେଉଁମାନଙ୍କର କଳା କାରନାମା ଲୋକଲୋଚନକୁ ଆସୁଛି। ଏମାନଙ୍କ ଭିତରେ ପିଅନ ଚପରାସୀଠାରୁ ଆରମ୍ଭ କରି ବଡ଼ ଅଫିସରମାନେ ରହୁଛନ୍ତି। ଏମାନଙ୍କର ଆୟ ବହିର୍ଭୂତ ସମ୍ପତ୍ତିର ଉତ୍ସ ସମ୍ପର୍କରେ ଆଲୋଚନା କଲେ ପ୍ରଥମେ ଆଖି ଆଗକୁ ଲାଞ୍ଚ କଥାଟି ଆସେ। ଯେଉଁସବୁ କାର୍ଯ୍ୟାଳୟରେ ଏମାନେ କାମ କରୁଛନ୍ତି ସେଠାରେ ସାଧାରଣ ଲୋକଙ୍କୁ ଗୋଟିଏ କାମ ପାଇଁ ବାରମ୍ବାର ଧାଇଁବାକୁ ପଡୁଛି। ବିଭିନ୍ନ ଆଳ ଦେଖାଇ ଲୋକଙ୍କୁ ଏମାନେ ହଇରାଣ ହରକତ କରନ୍ତି। ଫଳରେ ଲୋକମାନେ ଅନନ୍ୟୋପାୟ ହୋଇ କାମ ହାସଲ ନିମନ୍ତେ ହାତଗୁଞ୍ଜା ଦେଉଛନ୍ତି। ଇଏ ଗୋଟିଏ ପ୍ରକାର ଅନୈତିକ ଅଘୋଷିତ ଅଲିଖିତ ଅର୍ଥ ଉପାର୍ଜନ ଯାହା ଏହି ବାବୁଙ୍କର ଜମା ରାଶିକୁ ପୃଥଳ କରେ।
ଦ୍ୱିତୀୟ କଥାଟି ହେଲା ସରକାରୀ ଅର୍ଥର ଆତ୍ମସାତ୍‌। ଆମ ଦେଶରେ ଯେଉଁ ବିକାଶମୂଳକ କାର୍ଯ୍ୟ ଚାଲିଛି ବିଶେଷକରି ନୂତନ ଓ ପୁନଃ ନିର୍ମାଣ କ୍ଷେତ୍ରରେ ମଞ୍ଜୁର ହୋଇଥିବା ଅର୍ଥ ରାଶିର ଗୋଟିଏ ଅଂଶ ବାବୁମାନଙ୍କ ପକେଟକୁ ଯାଏ। ଏହାକୁ ପିସି ବୋଲି କୁହାଯାଏ। ଏହି ଅସ୍ବଚ୍ଛ ଆୟ ପରବର୍ତ୍ତୀ ସମୟରେ ଆୟ ବହିର୍ଭୂତ ସମ୍ପତ୍ତି ଭାବରେ ସେମାନଙ୍କ ପାଖରେ ଦେଖିବାକୁ ମିଳେ ଯେଉଁମାନେ ଧରା ପଡ଼ି ଗିରଫ ହୁଅନ୍ତି। କିନ୍ତୁ ଏଥିପ୍ରତି ଏମାନଙ୍କର ଖାତିର ନ ଥାଏ। ଏହା ମଧ୍ୟ ସତ, ଧରା ପଡ଼ୁଥିବା ଲୋକ କେତେଜଣ? ଶହେରେ ପାଞ୍ଚ ହେବେ କି ନାହିଁ ସନ୍ଦେହ। ଆଉ ଯେଉଁମାନେ ଧରାପଡ଼ନ୍ତି ସେମାନେ କିଛିଦିନ ପରେ ନିର୍ଦ୍ଦୋଷରେ ମୁକ୍ତ ହୋଇ ପୁନର୍ବାର ଚାକିରିରେ ଯୋଗ ଦିଅନ୍ତି। ଧରା ପଡ଼ିବା ବେଳେ କେତେ ହଇଚଇ ହୁଏ। ଜନ ଅସନ୍ତୋଷକୁ ପ୍ରଶମିତ କରିବା ନିମନ୍ତେ ଗିରଫ କରାଯାଏ। ଲୋକେ ତୁନି ପଡ଼ିଯାଆନ୍ତି। ବିଚାରାଳୟରେ କିଛିଦିନ ବିଚାର ଚାଲେ। ପ୍ରମାଣ ଅଭାବରୁ ଦୋଷୀକୁ ଦଣ୍ଡ ଦିଆଯାଇ ପାରେନା। ଆଲୋଚନା ଚାଲେ ‘ଚୋରି ବିଦ୍ୟା ଭଲ ଯଦି ନ ପଡ଼ ଧରା ’।
ଏବେ ଆଲୋଚନା କରିବା ଯେଉଁମାନେ ଆଇନ ଆଖିରେ ଅନ୍ଧପୁଟୁଳି ବାନ୍ଧି ହେଉ ଅବା ନିଜର କ୍ଷମତା ଓ ପତିଆରାକୁ ଉପଯୋଗକରି ଆଇନକୁ ନିସ୍ତେଜ କରାଇ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରୁଛନ୍ତି। ଏମାନଙ୍କ ଭିତରେ ଅଛନ୍ତି ସେହିମାନେ ଯେଉଁମାନଙ୍କ ହାତରେ ଆମର ଓ ଆମ ଦେଶର ଭାଗ୍ୟ ଭବିଷ୍ୟତକୁ ଆମେ ସମର୍ପି ଦେଇଛୁ। ଏହାବାଦ ବଡ଼ ବଡ଼ ବ୍ୟବସାୟୀ,କଳା ବଜାରକାରୀ,ନିଶା କାରବାରୀଙ୍କ ସମ୍ପତ୍ତି ବାବଦରେ ଯଦି ହିସାବ ନିଆଯିବ ତେବେ କୋଟି କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଥିବାର ପ୍ରମାଣ ହାତକୁ ଆସିବ। ଅଥଚ ଏହା ହେଉନାହିଁ। ତାଜା ପ୍ରମାଣ ଥାଇ ମଧ୍ୟ ତଦନ୍ତକାରୀ ସଂସ୍ଥା ହାତ ବାନ୍ଧି ବସୁଛି। ଆମ ଦେଶରେ ବ୍ୟବସ୍ଥା ଅଛି ନିର୍ବାଚିତ ପ୍ରତିନିଧିମାନେ ସେମାନଙ୍କର ସମ୍ପତ୍ତିର ହିସାବ ପ୍ରତିବର୍ଷ ଦାଖଲ କରିବେ। ସଭିଏଁ ଜାଣନ୍ତି ଏହା ଧର୍ମକୁ ଆଖିଠାର ଭଳି କଥା। ଏହା କେତେ ସତ କେତେ ମିଛ କାହାକୁ ଅଛପା ନାହିଁ। ଧରିନିଆଯାଉ ଏହା ସତ। ଏହି କୃତ୍ରିମ ସତ୍ୟ ଭିତରେ ମଧ୍ୟ ଜଣାପଡ଼େ କାହାର ଆୟ କେତେଗୁଣ ବଢ଼ିଛି। ଅଧିକାଂଶ ପ୍ରତିନିଧିଙ୍କର ଏହି ବୃଦ୍ଧିର ଲେଖଚିତ୍ର ଅସ୍ବାଭାବିକ ଏବଂ ଅପ୍ରତ୍ୟାଶିତ। ଏମିତିକି କିଛି ବାବୁଙ୍କର ଆୟ ଶହେ ଗୁଣରୁ ଅଧିକ ବୃଦ୍ଧି ପାଇଥିବା ଜଣାପଡ଼େ। ଏଭଳି ଅବିଶ୍ୱସନୀୟ ବୃଦ୍ଧିର ଉତ୍ସ କ’ଣ କେବେ ଖୋଳତାଡ଼ ହୁଏ କି? ନା। ଅବଶ୍ୟ କିଛି ଲୋକଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଉଠିଛି। ଏମାନଙ୍କ ଭିତରୁ କିଛି ଗିରଫ ହୋଇ ଜେଲକୁ ଯାଇଛନ୍ତି। ପୁଣି ନିର୍ଦ୍ଦୋଷରେ ଖଲାସ ହୋଇ ବାହାରକୁ ଆସିବା ଦିନ ମୋଟା ଫୁଲମାଳ ବେକରେ ପକାଇ ସଗର୍ବେ ଚାଲିବା ଦୃଶ୍ୟ ଆମ ଆଇନ ପ୍ରତି ଉପହାସ କହିଲେ ଭୁଲ୍‌ ହେବନାହିଁ। ଏବେ କିଛି ବର୍ଷ ହେଲା ଦେଖୁଛୁ ହଜାର ହଜାର କୋଟି ଟଙ୍କା ଠକେଇ କରି କେମିତି ବିଦେଶକୁ ପଳାୟନ କରୁଛନ୍ତି ଜଣେ ପରେ ଜଣେ ତଥାକଥିତ ସରକାରଙ୍କର ପୋଷା ପୁଅମାନେ। ଏହା ପରେ ଆମେ କହିପାରିବା କି ଆଇନ ସମସ୍ତଙ୍କ ପାଇଁ ସମାନ?
ଦେଶରେ ଏକମାତ୍ର ରାଜ୍ୟ ଓଡ଼ିଶା ଯେଉଁଠି ସରକାର ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀ ଓ ଅଫିସରଙ୍କ ନିମନ୍ତେ ଶୂନ୍ୟ ସହନଶୀଳତା ପଦକ୍ଷେପ ଗ୍ରହଣ କରିଛନ୍ତି ଏବଂ ବହୁ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର ମଧ୍ୟ କରିସାରିଲେଣି। ଏହା ସ୍ବାଗତଯୋଗ୍ୟ। କିନ୍ତୁ ସରକାରରେ ଥିବା ମନ୍ତ୍ରୀ, ବିଧାୟକଙ୍କ ବିରୋଧରେ ଯେତେବେଳେ ସଙ୍ଗିନ ଅଭିଯୋଗ ଆସୁଛି ସେତେବେଳେ ଦୀପତଳ ଅନ୍ଧକାର ଭଳି ଏମାନଙ୍କ କ୍ଷେତ୍ରରେ ଶୂନ୍ୟ ସହନଶୀଳତା ଅବଲମ୍ବନ କରିବା ଦେଖାଯାଉ ନାହିଁ। ଏମିତି ହେଲେ ଦୁର୍ନୀତି ରୋକିବା ସମ୍ଭବ ନୁହେଁ। କେବଳ ଆମ ରାଜ୍ୟରେ ନୁହେଁ, ସମଗ୍ର ଦେଶରେ ଆୟ ବହିର୍ଭୂତ ସମ୍ପତ୍ତି ଜମା କରିଥିବା ଅଭିଯୋଗରେ ସରକାରୀ କର୍ମଚାରୀଙ୍କ ବ୍ୟତୀତ ଆଉ କାହା ଉପରେ ଆୟକର ବିଭାଗ କିମ୍ବା ଭିଜିଲାନ୍ସ ବିଭାଗ ତରଫରୁ ଚଢ଼ାଉ କରାଯାଇଥିବା ଉଦାହରଣ ଖୋଜିଲେ ଖୁବ୍‌ କମ୍‌ ମିଳିବ। ଯେ ପର୍ଯ୍ୟନ୍ତ ଆୟ ବହିର୍ଭୂତ ସମ୍ପତ୍ତି ଜମା କରିବା ଏକ ଜାତୀୟ ବିପତ୍ତି ଭାବରେ ବିବେଚନା କରାଯାଇ ନାହିଁ ଏବଂ ଚାକିରିଆ, ବ୍ୟବସାୟୀ,କଳା ବେପାରୀ,ରାଜନେତା ସମସ୍ତଙ୍କର ସ୍ଥାବର ଅସ୍ଥାବର ସମ୍ପତ୍ତିର ହିସାବ ରଖିବା ସହିତ ଅସ୍ବାଭାବିକ ଆୟ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ସେ ପର୍ଯ୍ୟନ୍ତ ଦେଶରେ କଳାଟଙ୍କାର ସାମ୍ରାଜ୍ୟରେ ଆଞ୍ଚୁଡ଼ା ଦାଗ ବି ଲାଗିବ ନାହିଁ।
ପ୍ରାକ୍ତନ ଯୁଗ୍ମ ସାଧାରଣ ସମ୍ପାଦକ, ଓଷ୍ଟା
ମୋ- ୭୦୦୮୦୭୩୫୯୯


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?