ଆୟ ବହିର୍ଭୂତ ସମ୍ପତ୍ତି ଦେଶକୁ ବିପତ୍ତି

ଅକ୍ଷୟ କୁମାର ମିଶ୍ର

 

ପ୍ରତିଦିନ ଖବରକାଗଜ ପୃଷ୍ଠାରେ, ଦୂରଦର୍ଶନ ପରଦାର ବ୍ରେକିଂ ନ୍ୟୁଜ୍‌ରେ କେହି ନା କେହି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ଖବର ପରିବେଷଣ ହେବା ଦେଖିବାକୁ ମିଳୁଛି। କେଉଁଠି ଭିଜିଲାନ୍ସ ତ କେଉଁଠି ଆୟକର ବିଭାଗ ତରଫରୁ ଚଢ଼ାଉ ଚାଲିଛି। କିନ୍ତୁ ଏହି ଆୟ ବହିର୍ଭୂତ ସମ୍ପତ୍ତି ଠୁଳକରି ଅଭିଯୋଗ ପରିସରକୁ ଆସୁଥିବା ବ୍ୟକ୍ତିମାନଙ୍କର ଯଦି ଏକ ଚିଠା ପ୍ରସ୍ତୁତ କରାଯାଏ ତେବେ ସେମାନଙ୍କ ମଧ୍ୟରୁ ଅନେଶତ ପ୍ରତିଶତ ବ୍ୟକ୍ତି ହେଉଛନ୍ତି ସରକାରୀ କର୍ମଚାରୀ। ଧରାପଡୁଥିବା ଲୋକମାନେ ଯେ ନିର୍ଦ୍ଦୋଷ ଏହା କହିବା ସତ୍ୟର ଅପଳାପ ହେବ। ଏହା ନିଶ୍ଚିତ ଯେ କେତେଜଣ ସରକାରୀ କର୍ମଚାରୀ ଅସାଧୁ ଓ ଲାଞ୍ଚ ମିଛର ଆଶ୍ରୟ ନେଇ ଅନ୍ୟାୟ ଅର୍ଥ ଉପାର୍ଜନ କରନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳକରିବା ଚରମ ଦୋଷାବହ, ଏହାକୁ ସେମାନେ ଭ୍ରୂକ୍ଷେପ କରନ୍ତି ନାହିଁ। ପ୍ରଶ୍ନ ଆସେ ଏ ଦେଶରେ କ’ଣ କେବଳ ସରକାରୀ କର୍ମଚାରୀମାନେ ଅସତ ଉପାୟରେ ଅର୍ଥ ଉପାର୍ଜନ କରି ନିଜର ସମ୍ପତ୍ତି ବଢ଼ାଇ ଚାଲିଛନ୍ତି? ଯଦି ଏମାନଙ୍କ ପରି ଆହୁରି ଅନେକେ ଆୟ ବହିର୍ଭୂତ ସମ୍ପତ୍ତି ଜମା କରିବାରେ ମାହିର, ତେବେ ସେମାନଙ୍କୁ ଧରାଯାଉ ନାହିଁ କାହିଁକି? ଆମ ଦେଶର ଯେଉଁ ସବୁ ବିଭାଗ କଳାଟଙ୍କା ମହଜୁଦକାରୀଙ୍କୁ ଚିହ୍ନଟ କରିବା ନିମନ୍ତେ ଗଢ଼ା ହୋଇଛି ସେମାନେ ସେମାନଙ୍କର ଦାୟିତ୍ୱ ନିର୍ବାହ କରୁନାହାନ୍ତି ନା କାହା ଚାପରେ ଚୁପ୍‌ ରହୁଛନ୍ତି?
ପ୍ରଥମେ ସେହିମାନଙ୍କ କଥା ହେବା ଯେଉଁମାନଙ୍କର କଳା କାରନାମା ଲୋକଲୋଚନକୁ ଆସୁଛି। ଏମାନଙ୍କ ଭିତରେ ପିଅନ ଚପରାସୀଠାରୁ ଆରମ୍ଭ କରି ବଡ଼ ଅଫିସରମାନେ ରହୁଛନ୍ତି। ଏମାନଙ୍କର ଆୟ ବହିର୍ଭୂତ ସମ୍ପତ୍ତିର ଉତ୍ସ ସମ୍ପର୍କରେ ଆଲୋଚନା କଲେ ପ୍ରଥମେ ଆଖି ଆଗକୁ ଲାଞ୍ଚ କଥାଟି ଆସେ। ଯେଉଁସବୁ କାର୍ଯ୍ୟାଳୟରେ ଏମାନେ କାମ କରୁଛନ୍ତି ସେଠାରେ ସାଧାରଣ ଲୋକଙ୍କୁ ଗୋଟିଏ କାମ ପାଇଁ ବାରମ୍ବାର ଧାଇଁବାକୁ ପଡୁଛି। ବିଭିନ୍ନ ଆଳ ଦେଖାଇ ଲୋକଙ୍କୁ ଏମାନେ ହଇରାଣ ହରକତ କରନ୍ତି। ଫଳରେ ଲୋକମାନେ ଅନନ୍ୟୋପାୟ ହୋଇ କାମ ହାସଲ ନିମନ୍ତେ ହାତଗୁଞ୍ଜା ଦେଉଛନ୍ତି। ଇଏ ଗୋଟିଏ ପ୍ରକାର ଅନୈତିକ ଅଘୋଷିତ ଅଲିଖିତ ଅର୍ଥ ଉପାର୍ଜନ ଯାହା ଏହି ବାବୁଙ୍କର ଜମା ରାଶିକୁ ପୃଥଳ କରେ।
ଦ୍ୱିତୀୟ କଥାଟି ହେଲା ସରକାରୀ ଅର୍ଥର ଆତ୍ମସାତ୍‌। ଆମ ଦେଶରେ ଯେଉଁ ବିକାଶମୂଳକ କାର୍ଯ୍ୟ ଚାଲିଛି ବିଶେଷକରି ନୂତନ ଓ ପୁନଃ ନିର୍ମାଣ କ୍ଷେତ୍ରରେ ମଞ୍ଜୁର ହୋଇଥିବା ଅର୍ଥ ରାଶିର ଗୋଟିଏ ଅଂଶ ବାବୁମାନଙ୍କ ପକେଟକୁ ଯାଏ। ଏହାକୁ ପିସି ବୋଲି କୁହାଯାଏ। ଏହି ଅସ୍ବଚ୍ଛ ଆୟ ପରବର୍ତ୍ତୀ ସମୟରେ ଆୟ ବହିର୍ଭୂତ ସମ୍ପତ୍ତି ଭାବରେ ସେମାନଙ୍କ ପାଖରେ ଦେଖିବାକୁ ମିଳେ ଯେଉଁମାନେ ଧରା ପଡ଼ି ଗିରଫ ହୁଅନ୍ତି। କିନ୍ତୁ ଏଥିପ୍ରତି ଏମାନଙ୍କର ଖାତିର ନ ଥାଏ। ଏହା ମଧ୍ୟ ସତ, ଧରା ପଡ଼ୁଥିବା ଲୋକ କେତେଜଣ? ଶହେରେ ପାଞ୍ଚ ହେବେ କି ନାହିଁ ସନ୍ଦେହ। ଆଉ ଯେଉଁମାନେ ଧରାପଡ଼ନ୍ତି ସେମାନେ କିଛିଦିନ ପରେ ନିର୍ଦ୍ଦୋଷରେ ମୁକ୍ତ ହୋଇ ପୁନର୍ବାର ଚାକିରିରେ ଯୋଗ ଦିଅନ୍ତି। ଧରା ପଡ଼ିବା ବେଳେ କେତେ ହଇଚଇ ହୁଏ। ଜନ ଅସନ୍ତୋଷକୁ ପ୍ରଶମିତ କରିବା ନିମନ୍ତେ ଗିରଫ କରାଯାଏ। ଲୋକେ ତୁନି ପଡ଼ିଯାଆନ୍ତି। ବିଚାରାଳୟରେ କିଛିଦିନ ବିଚାର ଚାଲେ। ପ୍ରମାଣ ଅଭାବରୁ ଦୋଷୀକୁ ଦଣ୍ଡ ଦିଆଯାଇ ପାରେନା। ଆଲୋଚନା ଚାଲେ ‘ଚୋରି ବିଦ୍ୟା ଭଲ ଯଦି ନ ପଡ଼ ଧରା ’।
ଏବେ ଆଲୋଚନା କରିବା ଯେଉଁମାନେ ଆଇନ ଆଖିରେ ଅନ୍ଧପୁଟୁଳି ବାନ୍ଧି ହେଉ ଅବା ନିଜର କ୍ଷମତା ଓ ପତିଆରାକୁ ଉପଯୋଗକରି ଆଇନକୁ ନିସ୍ତେଜ କରାଇ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରୁଛନ୍ତି। ଏମାନଙ୍କ ଭିତରେ ଅଛନ୍ତି ସେହିମାନେ ଯେଉଁମାନଙ୍କ ହାତରେ ଆମର ଓ ଆମ ଦେଶର ଭାଗ୍ୟ ଭବିଷ୍ୟତକୁ ଆମେ ସମର୍ପି ଦେଇଛୁ। ଏହାବାଦ ବଡ଼ ବଡ଼ ବ୍ୟବସାୟୀ,କଳା ବଜାରକାରୀ,ନିଶା କାରବାରୀଙ୍କ ସମ୍ପତ୍ତି ବାବଦରେ ଯଦି ହିସାବ ନିଆଯିବ ତେବେ କୋଟି କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଥିବାର ପ୍ରମାଣ ହାତକୁ ଆସିବ। ଅଥଚ ଏହା ହେଉନାହିଁ। ତାଜା ପ୍ରମାଣ ଥାଇ ମଧ୍ୟ ତଦନ୍ତକାରୀ ସଂସ୍ଥା ହାତ ବାନ୍ଧି ବସୁଛି। ଆମ ଦେଶରେ ବ୍ୟବସ୍ଥା ଅଛି ନିର୍ବାଚିତ ପ୍ରତିନିଧିମାନେ ସେମାନଙ୍କର ସମ୍ପତ୍ତିର ହିସାବ ପ୍ରତିବର୍ଷ ଦାଖଲ କରିବେ। ସଭିଏଁ ଜାଣନ୍ତି ଏହା ଧର୍ମକୁ ଆଖିଠାର ଭଳି କଥା। ଏହା କେତେ ସତ କେତେ ମିଛ କାହାକୁ ଅଛପା ନାହିଁ। ଧରିନିଆଯାଉ ଏହା ସତ। ଏହି କୃତ୍ରିମ ସତ୍ୟ ଭିତରେ ମଧ୍ୟ ଜଣାପଡ଼େ କାହାର ଆୟ କେତେଗୁଣ ବଢ଼ିଛି। ଅଧିକାଂଶ ପ୍ରତିନିଧିଙ୍କର ଏହି ବୃଦ୍ଧିର ଲେଖଚିତ୍ର ଅସ୍ବାଭାବିକ ଏବଂ ଅପ୍ରତ୍ୟାଶିତ। ଏମିତିକି କିଛି ବାବୁଙ୍କର ଆୟ ଶହେ ଗୁଣରୁ ଅଧିକ ବୃଦ୍ଧି ପାଇଥିବା ଜଣାପଡ଼େ। ଏଭଳି ଅବିଶ୍ୱସନୀୟ ବୃଦ୍ଧିର ଉତ୍ସ କ’ଣ କେବେ ଖୋଳତାଡ଼ ହୁଏ କି? ନା। ଅବଶ୍ୟ କିଛି ଲୋକଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଉଠିଛି। ଏମାନଙ୍କ ଭିତରୁ କିଛି ଗିରଫ ହୋଇ ଜେଲକୁ ଯାଇଛନ୍ତି। ପୁଣି ନିର୍ଦ୍ଦୋଷରେ ଖଲାସ ହୋଇ ବାହାରକୁ ଆସିବା ଦିନ ମୋଟା ଫୁଲମାଳ ବେକରେ ପକାଇ ସଗର୍ବେ ଚାଲିବା ଦୃଶ୍ୟ ଆମ ଆଇନ ପ୍ରତି ଉପହାସ କହିଲେ ଭୁଲ୍‌ ହେବନାହିଁ। ଏବେ କିଛି ବର୍ଷ ହେଲା ଦେଖୁଛୁ ହଜାର ହଜାର କୋଟି ଟଙ୍କା ଠକେଇ କରି କେମିତି ବିଦେଶକୁ ପଳାୟନ କରୁଛନ୍ତି ଜଣେ ପରେ ଜଣେ ତଥାକଥିତ ସରକାରଙ୍କର ପୋଷା ପୁଅମାନେ। ଏହା ପରେ ଆମେ କହିପାରିବା କି ଆଇନ ସମସ୍ତଙ୍କ ପାଇଁ ସମାନ?
ଦେଶରେ ଏକମାତ୍ର ରାଜ୍ୟ ଓଡ଼ିଶା ଯେଉଁଠି ସରକାର ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀ ଓ ଅଫିସରଙ୍କ ନିମନ୍ତେ ଶୂନ୍ୟ ସହନଶୀଳତା ପଦକ୍ଷେପ ଗ୍ରହଣ କରିଛନ୍ତି ଏବଂ ବହୁ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର ମଧ୍ୟ କରିସାରିଲେଣି। ଏହା ସ୍ବାଗତଯୋଗ୍ୟ। କିନ୍ତୁ ସରକାରରେ ଥିବା ମନ୍ତ୍ରୀ, ବିଧାୟକଙ୍କ ବିରୋଧରେ ଯେତେବେଳେ ସଙ୍ଗିନ ଅଭିଯୋଗ ଆସୁଛି ସେତେବେଳେ ଦୀପତଳ ଅନ୍ଧକାର ଭଳି ଏମାନଙ୍କ କ୍ଷେତ୍ରରେ ଶୂନ୍ୟ ସହନଶୀଳତା ଅବଲମ୍ବନ କରିବା ଦେଖାଯାଉ ନାହିଁ। ଏମିତି ହେଲେ ଦୁର୍ନୀତି ରୋକିବା ସମ୍ଭବ ନୁହେଁ। କେବଳ ଆମ ରାଜ୍ୟରେ ନୁହେଁ, ସମଗ୍ର ଦେଶରେ ଆୟ ବହିର୍ଭୂତ ସମ୍ପତ୍ତି ଜମା କରିଥିବା ଅଭିଯୋଗରେ ସରକାରୀ କର୍ମଚାରୀଙ୍କ ବ୍ୟତୀତ ଆଉ କାହା ଉପରେ ଆୟକର ବିଭାଗ କିମ୍ବା ଭିଜିଲାନ୍ସ ବିଭାଗ ତରଫରୁ ଚଢ଼ାଉ କରାଯାଇଥିବା ଉଦାହରଣ ଖୋଜିଲେ ଖୁବ୍‌ କମ୍‌ ମିଳିବ। ଯେ ପର୍ଯ୍ୟନ୍ତ ଆୟ ବହିର୍ଭୂତ ସମ୍ପତ୍ତି ଜମା କରିବା ଏକ ଜାତୀୟ ବିପତ୍ତି ଭାବରେ ବିବେଚନା କରାଯାଇ ନାହିଁ ଏବଂ ଚାକିରିଆ, ବ୍ୟବସାୟୀ,କଳା ବେପାରୀ,ରାଜନେତା ସମସ୍ତଙ୍କର ସ୍ଥାବର ଅସ୍ଥାବର ସମ୍ପତ୍ତିର ହିସାବ ରଖିବା ସହିତ ଅସ୍ବାଭାବିକ ଆୟ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ସେ ପର୍ଯ୍ୟନ୍ତ ଦେଶରେ କଳାଟଙ୍କାର ସାମ୍ରାଜ୍ୟରେ ଆଞ୍ଚୁଡ଼ା ଦାଗ ବି ଲାଗିବ ନାହିଁ।
ପ୍ରାକ୍ତନ ଯୁଗ୍ମ ସାଧାରଣ ସମ୍ପାଦକ, ଓଷ୍ଟା
ମୋ- ୭୦୦୮୦୭୩୫୯୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଖରାଦିନ ଆରମ୍ଭରୁ ବେଙ୍ଗାଲୁରୁ ଜଳ ସଙ୍କଟ ଏବେ ଚିନ୍ତାର ବିଷୟ ହୋଇଛି। ପରିସ୍ଥିତି ଏମିତି ଯେ ସେଠାରେ ଲୋକେ ସହର ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ଏହି...

ଅଦୃଶ୍ୟ ଶତ୍ରୁ

ମାୟାଧର ନାୟକ   ସତ୍ୟ, ତ୍ରେତୟା, ଦ୍ୱାପର, କଳିକାଳରେ ଯେତେ ଯୁଦ୍ଧ ହୋଇଯାଇଛି- ଶତ୍ରୁକୁ ଜାଣି ହେଉଥିଲା- କିନ୍ତୁ ଏ ମହାକଳିକାଳରେ ଅଜଣା ରୋଗ ଓ...

ଚୋରକୁ ବୁଦ୍ଧି

ଅଲେଖ ଚନ୍ଦ୍ର ମିଶ୍ର   ‘ଚୋରକୁ ବୁଦ୍ଧି ଶିଖେଇବା’ ଆପ୍ତବାଣୀଟି ଯେଉଁ ପୃଷ୍ଠଭୂମି ଉପରେ ଆଧାରିତ ତାହା ଥିଲା ଏକ ବାସ୍ତବଧର୍ମୀ କାହାଣୀ, ଯାହାର ମର୍ମ...

ଅପ୍ରକାଶ୍ୟ ଋଣ ସମସ୍ୟା

ଗତ କିଛି ବର୍ଷ ମଧ୍ୟରେ କୋଭିଡ୍‌-୧୯ ମହାମାରୀଠାରୁ ଆରମ୍ଭକରି ଉନ୍ନତ-ଅର୍ଥ ବ୍ୟବସ୍ଥାର ସୁଧ ହାର ବୃଦ୍ଧି ଭଳି ଘଟଣା ଭିନ୍ନ ସ୍ଥିତି ସୃଷ୍ଟି କରିଛି। ଏଥିରେ...

ଏଇ ଭାରତରେ

ଦେଶ ଗଠନରେ ଯୁବ ପ୍ରଶାସକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଅନୁଭବ କରିଛନ୍ତି ୨୦୧୧ ବ୍ୟାଚ୍‌ ଭାରତୀୟ ରାଜସ୍ବ ସେବା(ଆଇଆର୍‌ଏସ୍‌) ଅଧିକାରୀ ରବି କପୁର। ସେ...

ରାମ ରାଜ୍ୟ ସମ୍ଭବ କି

ବୈକୁଣ୍ଠନାଥ ମିଶ୍ର   ଆଜିକାଲି ‘ଜୟ ଶ୍ରୀରାମ’ ଉଚ୍ଚାରଣ କରି ବନ୍ଧୁଙ୍କୁ ପ୍ରଥମ ସାକ୍ଷାତରେ ସମ୍ଭାଷିତ କରିବାର ଅଭିନବ ପରମ୍ପରା ସର୍ବତ୍ର ପରିଦୃଷ୍ଟ। ବନ୍ଧୁଙ୍କୁ ସମ୍ଭାଷଣ...

ମତଦାତାଙ୍କ ବୁଦ୍ଧି ବିମୂଢ଼ତା

ଡ.ଛାୟାକାନ୍ତ ଷଡ଼ଙ୍ଗୀ   ସମ୍ପ୍ରତି ଭାରତ ତଥା ବିଭିନ୍ନ ପ୍ରଦେଶରେ ରାଜନୀତିର ବିଚିତ୍ର ଗତି ଦେଖି ମତଦାତାମାନେ ଉଇଲିଅମ ଜେମ୍‌ସଙ୍କ ଭଳି ସମସ୍ୟାର ସମ୍ମୁଖୀନ ହେଲେଣି।...

ବୁଝିହେଉଛି

ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍‌ କେଜ୍‌ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରି ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri