ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର ପରିବେଶରେ ପ୍ରଦୂଷିତ ଜଳ ବ୍ୟବହାର କରି ପ୍ରସ୍ତୁତ କରାଯାଉଥିବାରୁ ଗ୍ରାହକମାନେ ସ୍ବାସ୍ଥ୍ୟସମସ୍ୟାରେ ପଡ଼ନ୍ତି। ସ୍ବାସ୍ଥ୍ୟ ବିଭାଗ କର୍ମକର୍ତ୍ତା ବିଭିନ୍ନ ଜାଗାରେ ଏପରି ନିମ୍ନମାନର ଖାଦ୍ୟ ଜବତ କରି ମାମଲା ରୁଜୁ କରିଥାନ୍ତି l ମହାରାଷ୍ଟ୍ରର ଖାଦ୍ୟ ଓ ଔଷଧ ପ୍ରଶାସକ ତୁକରାମ ମୁଣ୍ଡେ ପ୍ରାୟ ୧୨୦୦୦ କ୍ୟାଣ୍ଟିନ ଓ ରେଷ୍ଟୁରାଣ୍ଟ ପରିଦର୍ଶନ କରି ଅସୁରକ୍ଷିତ ରେଷ୍ଟୁରାଣ୍ଟକୁ ବନ୍ଦ କରିବା ସହିତ ରୋଷେୟାମାନେ ଭଲଭାବେ ନଖ କାଟିବା ଉପରେ ଗୁରୁତ୍ୱ ଦେଇଛନ୍ତି। କାରଣ ଏହାଦ୍ୱାରା ପ୍ରଦୂଷିତ ଖାଦ୍ୟ ବାହିତ ରୋଗ ହ୍ରାସ ପାଇବ।
ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ଆକଳନ ଅନୁସାରେ, ଦୂଷିତ ଖାଦ୍ୟ ଯୋଗୁ ପ୍ରତିବର୍ଷ ପୃଥିବୀରେ ପ୍ରାୟ ୬୦ କୋଟି ଲୋକ ଅସୁସ୍ଥ ହୁଅନ୍ତି ଏବଂ ୪.୨ ଲକ୍ଷ ଲୋକଙ୍କ ମୃତ୍ୟୁ ହୁଏ। ପାଞ୍ଚ ବର୍ଷରୁ କମ୍‌ ବୟସର ଶିଶୁମାନେ ଏହି ରୋଗ ଭାରର ପ୍ରାୟ ୪୦ ପ୍ରତିଶତ ବହନ କରନ୍ତି। ଦକ୍ଷିଣ-ପୂର୍ବ ଏସିଆରେ ଖାଦ୍ୟଜନିତ ରୋଗର ଭାର ଅଧିକ, କାରଣ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ଆକଳନ ଅନୁସାରେ ପ୍ରତିବର୍ଷ ଏହି ଅଞ୍ଚଳରେ ପ୍ରାୟ ୧୫ କୋଟି ଲୋକ ଅସୁସ୍ଥ ହୁଅନ୍ତି ଓ ୧.୭୫ ଲକ୍ଷ ମୃତ୍ୟୁମୁଖରେ ପଡ଼ନ୍ତି। ଏହି ପରିସଂଖ୍ୟାନ କେବଳ ରାସ୍ତାକଡ଼ ଖାଦ୍ୟକୁ ଦୋଷୀ କରେ ନାହିଁ; ବରଂ ଖାଦ୍ୟ ପ୍ରସ୍ତୁତି ଓ ପରିବେଷଣରେ ସୁରକ୍ଷା କେତେ ଜରୁରୀ, ତାହା ମନେପକାଇ ଦିଏ। ଖୋଲା ଆକାଶ ତଳେ ଖାଦ୍ୟ ରଖିବା, ଅସ୍ବଚ୍ଛ ପାଣି ବ୍ୟବହାର କରିବା, ଅପରିଷ୍କାର ପାତ୍ର, ଖାଦ୍ୟକୁ ଠିକ୍‌ ତାପମାତ୍ରାରେ ନ ରଖିବା କାରଣରୁ ଜୀବାଣୁ ସଂକ୍ରମଣ ଆଶଙ୍କା ବଢ଼ିପାରେ। ଖାଦ୍ୟକୁ ଅଧିକ ଆକର୍ଷଣୀୟ କରିବାକୁ ବ୍ୟବସାୟୀ ଏରିଥ୍ରୋସାଇନ ରେଡ୍‌ ୩, କାରାମୋସିନ ଓ ପନସିଆ ରେଡ୍‌ ୪, ମେଟାନିଲ ହଳଦିଆ, ଟାଟ୍ରାଜିନ ଆଲୁରା ରେଡ୍‌, ଶିଳ୍ପରେ ବ୍ୟବହୃତ ରଙ୍ଗ ଇତ୍ୟାଦି ବ୍ୟବହାର କରନ୍ତି. ଯାହାକି ସ୍ବାସ୍ଥ୍ୟ ପ୍ରତି ବିପଦ। ଏପରିକି କେତେକ ନିଷେଧାତ୍ମକ ରଙ୍ଗ କ୍ୟାନ୍‌ସର ରୋଗ ସୃଷ୍ଟିକରେ। ଫୁଡ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ସ ଅଥରିଟି ଅଫ ଇଣ୍ଡିଆ ବା ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ( ଏଫ୍‌ଏସ୍‌ଏସ୍‌ଏଆଇ) ମଧ୍ୟ ରାସ୍ତାକଡ଼ ଖାଦ୍ୟ କ୍ଷେତ୍ରରେ ପରିଷ୍କାର ପରିବେଶ, ସୁରକ୍ଷିତ ଖାଦ୍ୟ ବ୍ୟବହାର ଓ ବ୍ୟବସାୟୀମାନଙ୍କ ପ୍ରଶିକ୍ଷଣର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଛି। ଯେହେତୁ ରାସ୍ତାକଡ଼ ଖାଦ୍ୟ ଅନେକ ଲକ୍ଷ ଲୋକଙ୍କୁ କର୍ମନିଯୁକ୍ତି ଯୋଗାଉଛି, ଏପରି ଖାଦ୍ୟକୁ ବନ୍ଦ କରିବା ବଦଳରେ ଏହାକୁ ଅଧିକ ସ୍ବଚ୍ଛ, ସୁରକ୍ଷିତ ଓ ମାନସମ୍ମତ କରିବା ସମୟର ଆବଶ୍ୟକତା।
୨୦୨୦ାରେ କୋଲକାତାରେ ଏକ ମେଡିକାଲ କଲେଜ ଚାରିପାଖରେ ଥିବା ୭୫ଟି ରାସ୍ତାକଡ ଜଳଖିଆ ଦୋକାନରେ ସର୍ବେକ୍ଷଣ କରାଯାଇଥିଲା। ଏଥିରୁ ଜଣାପଡ଼ିଥିଲା ଯେ, ପ୍ରାୟ ୯୦% ପୁରୁଷ ଓ ୧୦% ମହିଳା ଖାଦ୍ୟ ପ୍ରସ୍ତୁତ କରୁଥିଲେ ଏବଂ କେହି ବି ମୁଣ୍ଡରେ ଟୋପି ଓ ହାତରେ ଗ୍ଲୋଭସ୍‌ ବ୍ୟବହାର କରୁ ନ ଥିଲେ। ସମସ୍ତେ ଟ୍ୟାପ ପାଣକୁ ରୋଷେଇ, ପିଇବା ଓ ବାସନ ସଫା ପାଇଁ ବ୍ୟବହାର କରୁଥିଲେ। ମାତ୍ର ୨୫% ଭେଣ୍ଡର ଖାଦ୍ୟକୁ ଘୋଡ଼ାଇ ରଖୁଥିଲେ। ପ୍ରାୟ ୪୨% ବାସୀ ଖାଦ୍ୟକୁ ପରଦିନ ପାଇଁ ରଖାଯାଉଥିଲା। ସମସ୍ତ ଭେଣ୍ଡର ସବୁ ପ୍ରକାର ବାସନ ଡ୍ରମ଼ରେ ଥିବା ସ୍ଥିର ପାଣିରେ ସଫା କରୁଥିଲେ। ଏହି କାରଣରୁ ଖାଦ୍ୟଗୁଡ଼ିକ ବ୍ୟାକ୍ଟେରିଆ ଦ୍ୱାରା ସଂକ୍ରମିତ ହେଉଥିଲା।
ଏଫ୍‌ଏସ୍‌ଏସ୍‌ଏଆଇ ପୋର୍ଟାଲରେ ୨୦୨୬ ମସିହାର ତଥ୍ୟ ଅନୁସାରେ ୩.୫ ଲକ୍ଷରୁ ଅଧିକ ହକର୍‌/ଷ୍ଟ୍ରିଟ ଫୁଡ୍‌ ସମ୍ବନ୍ଧୀୟ ରେଜିଷ୍ଟ୍ରେଶନ ହୋଇଥିବା ଦର୍ଶାଯାଇଛି। ଏହା ସୂଚାଉଛି ଯେ, ରାସ୍ତାକଡ଼ ଖାଦ୍ୟ ବ୍ୟବସାୟ ଏକ ବଡ଼ ଅନୌପଚାରିକ ଅର୍ଥନୈତିକ କ୍ଷେତ୍ର। ତେଣୁ କେବଳ ଜରିମାନା କିମ୍ବା ଉଚ୍ଛେଦ ନୁହେଁ; ବରଂ ବ୍ୟବସାୟୀଙ୍କୁ ପ୍ରଶିକ୍ଷଣ, ପରିଷ୍କାର ପାଣି ଯୋଗାଣ, ଆବର୍ଜନା ପରିଚାଳନା, ଡ୍ରେନେଜ ଓ ସ୍ବଚ୍ଛ ବିକ୍ରୟ ସ୍ଥାନ ଯୋଗାଇବା ଆବଶ୍ୟକ।
ରାସ୍ତାକଡ଼ ଖାଦ୍ୟ ବିକ୍ରେତାମାନେ ମଧ୍ୟ ନିଜ ଦାୟିତ୍ୱ ବୁଝିବା ଦରକାର। ଖାଦ୍ୟ ପ୍ରସ୍ତୁତ ପୂର୍ବରୁ ହାତ ଓ ପାତ୍ର ପରିଷ୍କାର କରିବା, ସୁରକ୍ଷିତ ପାଣି ବ୍ୟବହାର କରିବା, ଖାଦ୍ୟକୁ ଢାଙ୍କି ରଖିବା, କଞ୍ଚା ଓ ରନ୍ଧା ଖାଦ୍ୟକୁ ଅଲଗା ରଖିବା ଏବଂ ଅବଶିଷ୍ଟ ଖାଦ୍ୟର ସୁରକ୍ଷିତ ପରିଚାଳନା ଭଳି ସରଳ ପଦକ୍ଷେପ ଅନେକ ବିପଦ କମାଇପାରେ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ମଧ୍ୟ ଖାଦ୍ୟ ନିରାପତ୍ତା ପାଇଁ ଉତ୍ତମ ସ୍ବଚ୍ଛତା ଓ ଉପଯୁକ୍ତ ସଂରକ୍ଷଣକୁ ଗୁରୁତ୍ୱ ଦେଇଛି। ଗ୍ରାହକମାନେ ଖାଦ୍ୟ ବିକ୍ରୟ ସ୍ଥାନର ପରିଷ୍କାରତା, ବିକ୍ରେତାଙ୍କ ସ୍ବଚ୍ଛତା, ଖାଦ୍ୟ ଢାଙ୍କି ରଖାଯାଇଛି କି ନାହିଁ, ପାଣିର ଉତ୍ସ ଓ ପାତ୍ରର ପରିଷ୍କାରତା ଦେଖି ଖାଦ୍ୟ ବାଛିବା ଉଚିତ।
ସହର ଯୋଜନାରେ ନିର୍ଦ୍ଦିଷ୍ଟ ସୁରକ୍ଷିତ ଷ୍ଟ୍ରିଟ୍‌ ଫୁଡ୍‌ ଜୋନ୍‌ ଗଠନ କରାଯାଇପାରେ, ଯେଉଁଠାରେ ପରିଷ୍କାର ପାଣି, ଆବର୍ଜନା ପାତ୍ର, ନିୟମିତ ସଫେଇ, ଆଲୋକ, ଡ୍ରେନେଜ ଓ ଖାଦ୍ୟ ନିରାପତ୍ତା ନିରୀକ୍ଷଣର ବ୍ୟବସ୍ଥା ରହିବ। ଖାଦ୍ୟ ପ୍ରସ୍ତୁତକର୍ତ୍ତା ମୁଣ୍ଡରେ ଟୋପି, ହାତରେ ଗ୍ଲୋଭସ୍‌ ଓ ଆପ୍ରନ ପିନ୍ଧିବା ଏବଂ ନିୟମିତ ନଖ କାଟିବା ବାଧ୍ୟତାମୂଳକ ହେବା ଦରକାର।
ଏହା ଜନସ୍ବାସ୍ଥ୍ୟକୁ ସୁରକ୍ଷା କରିବା ସହ କ୍ଷୁଦ୍ର ବ୍ୟବସାୟୀଙ୍କ ଜୀବିକାକୁ ମଧ୍ୟ ସୁରକ୍ଷିତ ରଖିବ।
ରାସ୍ତାକଡ଼ ଖାଦ୍ୟ ଆମ ସହରୀୟ ଜୀବନର ଏକ ସଜୀବ ଅଂଶ। ତେଣୁ ସୁରକ୍ଷା ନିୟମକୁ ଅଣଦେଖା କରିବା ବିପଜ୍ଜନକ। ଆବଶ୍ୟକ ହେଉଛି ବିକ୍ରେତାଙ୍କ ପ୍ରଶିକ୍ଷଣ, ପ୍ରଶାସନର ସହଯୋଗ, ନିୟମିତ ନିରୀକ୍ଷଣ ଓ ଗ୍ରାହକଙ୍କ ସଚେତନତାର ସମନ୍ବୟ। ସ୍ବାଦ ଓ ସୁରକ୍ଷା ମଧ୍ୟରେ ବାଛିବାର ଆବଶ୍ୟକତା ନାହିଁ। ଠିକ୍‌ ବ୍ୟବସ୍ଥା ଓ ସଚେତନତା ରହିଲେ ରାସ୍ତାକଡ଼ ଖାଦ୍ୟ ହୋଇପାରିବ ସ୍ବାଦିଷ୍ଟ, ସୁଲଭ ଓ ସୁରକ୍ଷିତ। ଏହା କେବଳ ଖାଦ୍ୟ ବିକ୍ରେତାଙ୍କ ଦାୟିତ୍ୱ ନୁହେଁ, ଏହା ସରକାର, ବ୍ୟବସାୟୀ ଓ ଗ୍ରାହକ, ସମସ୍ତଙ୍କର ସାମୂହିକ ଦାୟିତ୍ୱ।
କଳିଙ୍ଗନଗର, ଭୁବନେଶ୍ବର,
ମୋ: ୯୪୩୭୦୭୧୧୯୦

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?