ନୂଆଦିଲ୍ଲୀ,୧୭।୧୧: IPL ୨୦୨୭ର ରିଟେନ୍ସନ ତାଲିକା ପ୍ରକାଶ ପାଇବା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଏକ ବଡ଼ ଘୋଷଣା କରିଛି। ମହେନ୍ଦ୍ର ସିଂହ ଧୋନୀ IPLରୁ ଅବସର ନେଇଥିବା ନେଇ ଫ୍ରାଞ୍ଚାଇଜି ପକ୍ଷରୁ ଆଧିକାରିକ ସୂଚନା ଦିଆଯାଇଛି। ଏଥିସହ ଧୋନୀଙ୍କୁ CSK ଦଳର ମେଣ୍ଟର ଭାବେ ନିଯୁକ୍ତ କରାଯାଇଛି। ଧୋନୀଙ୍କ ଅବସରକୁ ନେଇ ପୂର୍ବରୁ ଚର୍ଚ୍ଚା ହେଉଥିଲା। ଗତ ସିଜିନରେ ସେ ଗୋଟିଏ ବି ମ୍ୟାଚ ଖେଳିନଥିଲେ।
IPLର ପ୍ରଥମ ସିଜିନରେ ହିଁ CSK ଧୋନୀଙ୍କୁ କିଣିଥିଲା। ତେବେ ପ୍ରଥମ ସିଜିନଠାରୁ ଆରମ୍ଭ କରି ଏପର୍ଯ୍ୟନ୍ତ ପ୍ରତି ସିଜିନରେ ତାଙ୍କର ଦରମା କେତେ ଥିଲା? IPLରୁ ମୋଟ କେତେ ଟଙ୍କା ରୋଜଗାର କରିଛନ୍ତି ମାହି? ଏବଂ CSK ପାଇଁ ଖେଳି କେତେ ଟଙ୍କା ଆୟ କରିଛନ୍ତି? ଆସନ୍ତୁ ଜାଣିବା।
IPLର ପ୍ରଥମ ସଂସ୍କରଣ ୨୦୦୮ରେ ଆୟୋଜିତ ହୋଇଥିଲା। ଏହା ପୂର୍ବରୁ ଧୋନୀଙ୍କ ଅଧିନାୟକତ୍ୱରେ ଭାରତ ଟି-୨୦ ବିଶ୍ୱକପ ଜିତିସାରିଥିଲା। ଧୋନୀଙ୍କ ରାଜ୍ୟ ଝାଡ଼ଖଣ୍ଡର କୌଣସି ଦଳ IPLରେ ନଥିଲା। ସେହି ସମୟରେ ଚେନ୍ନାଇ ଦଳରେ ମଧ୍ୟ ସେଭଳି କୌଣସି ବଡ଼ ଷ୍ଟାର୍ ଖେଳାଳି ନଥିଲେ। ଏଭଳି ସ୍ଥିତିରେ CSK ଧୋନିଙ୍କୁ ନିଜ ଦଳର ଚେହେରା କରିଥିଲା।
ସୂଚନାଯୋଗ୍ୟ, IPLର ପ୍ରଥମ ସିଜିନରେ ପ୍ରତ୍ୟେକ ଫ୍ରାଞ୍ଚାଇଜି ନିଜ ନିଜ ରାଜ୍ୟର ପ୍ରମୁଖ ଖେଳାଳିଙ୍କୁ ଅଧିନାୟକ କରିବାକୁ ଚାହୁଁଥିଲେ। ଯେପରିକି ସଚିନ ତେନ୍ଦୁଲକରଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ, ସୌରଭ ଗାଙ୍ଗୁଲିଙ୍କୁ କୋଲକାତା ନାଇଟ ରାଇଡର୍ସ, ଯୁବରାଜ ସିଂହଙ୍କୁ ପଞ୍ଜାବ କିଙ୍ଗ୍ସ ଏବଂ ବୀରେନ୍ଦ୍ର ସେହୱାଗଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଭାବେ ନିଯୁକ୍ତ କରିଥିଲେ।
ସେହି ସମୟରେ ଏମଏସ ଧୋନି ଭାରତୀୟ ଟି-୨୦ ଦଳର ଅଧିନାୟକ ଥିଲେ ଏବଂ ବିଶ୍ୱକପ ଜିତିସାରିଥିଲେ। ଏହାର ପ୍ରଭାବ ତାଙ୍କ ଦାମ ଉପରେ ମଧ୍ୟ ପଡ଼ିଥିଲା। ସେ ୨୦୦୮ ଅର୍ଥାତ୍ IPLର ପ୍ରଥମ ସଂସ୍କରଣର ସବୁଠୁ ମହଙ୍ଗା ଖେଳାଳି ହୋଇଥିଲେ। ଚେନ୍ନାଇ ସୁପର କିଙ୍ଗ୍ସ ତାଙ୍କୁ ୬ କୋଟି ଟଙ୍କାରେ ନିଜ ଦଳରେ ସାମିଲ କରିବା ସହ ଅଧିନାୟକ ଦାୟିତ୍ୱ ଦେଇଥିଲା।
୨୦୧୦ରେ ଚେନ୍ନାଇ ପ୍ରଥମ ଥର ପାଇଁ IPL ଟାଇଟଲ ଜିତିଥିଲା। ସେହି ସିଜିନ ପର୍ଯ୍ୟନ୍ତ ଧୋନୀଙ୍କ ଦାମ ୬ କୋଟି ଟଙ୍କା ହିଁ ରହିଥିଲା। ୨୦୧୧ରେ ତାଙ୍କ ଦାମ ବୃଦ୍ଧି ପାଇଥିଲା।
IPLରେ ଧୋନିଙ୍କ ଦାମକୁ ହିସାବ କଲେ, ୧୯ଟି ସିଜିନରୁ ସେ ମୋଟ ୧୯୬.୮୪ କୋଟି ଟଙ୍କା ରୋଜଗାର କରିଛନ୍ତି। ଏଥିରେ ରାଇଜିଂ ପୁଣେ ସୁପରଜାଏଣ୍ଟ ପକ୍ଷରୁ ଖେଳିଥିବା ୨ଟି ସିଜିନର ଆୟ ମଧ୍ୟ ସାମିଲ ରହିଛି।
IPLରେ ଖେଳିବା ପାଇଁ ଧୋନୀଙ୍କୁ ମିଳିଥିବା ଦାମକୁ ହିସାବ କଲେ, ସେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ୧୭ଟି ସିଜିନ ଖେଳି ମୋଟ ୧୭୧.୮୪ କୋଟି ଟଙ୍କା ରୋଜଗାର କରିଛନ୍ତି।

