ପଶ୍ଚିମବଙ୍ଗର ବୀରଭୂମ ଜିଲାରେ ୧୫ ନଭେମ୍ବରରେ ପୋଲିସ ଗୁଳିରେ ରତନ ଶେଖ୍ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏହି ହତ୍ୟାକୁ ଏନ୍କାଉଣ୍ଟର ଆଖ୍ୟା ଦିଆଯାଇଛି। ପୋଲିସ ଘଟଣା ସମ୍ପର୍କରେ କହିଛି ଯେ, ରତନଙ୍କ ବିରୋଧରେ ୩୬ ମାମଲା ରହିଛି। ତାଙ୍କୁ ଦୁଇ ଦିନ ପୂର୍ବରୁ ଗିରଫ କରାଯାଇଥିଲା। ପୋଲିସ ଯେତେବେଳେ ତାଙ୍କୁ ଧରିବାକୁ ଯାଇଥିଲା ସେହି ସମୟରେ ରତନ ଗୁଳି ଚଳାଇବାରୁ ଜଣେ କନ୍ଷ୍ଟେବଲ ଆହତ ହୋଇଥିଲେ। ତେବେ ନାନୁରର ଚର୍କୋଲ ଗ୍ରାମର ଏକ ଇଟାଭାଟିରେ ସେ ଅସ୍ତ୍ର ଲୁଚାଇ ରଖିଥିବା ଜଣାପଡ଼ିବା ପରେ ତାଙ୍କୁ ସେଠାକୁ ନିଆଯାଇଥିଲା। ସେଠାରେ ପହଞ୍ଚତ୍ବା ପରେ ସେ ପୋଲିସ ଉପରକୁ ପୁଣି ଗୁଳି ଚଳାଇବାରୁ ଏହି ଏନ୍କାଉଣ୍ଟର କରାଯାଇଥିଲା ବୋଲି ସଫେଇ ଦିଆଯାଇଛି। ପୋଲିସ ବଳ ମହଜୁଦ ଥିବା ବେଳେ ରତନ ଗୁଳି ଚଳାଇଥିବେ ବୋଲି ସାଧାରଣରେ ବିଶ୍ୱାସଯୋଗ୍ୟ ହେଉନାହିଁ। ଗିରଫ ହେବାର ୪୮ ଘଣ୍ଟା ପରେ ତାଙ୍କ ହାତକୁ ଅସ୍ତ୍ର କେମିତି ଆସିଲା ତାହା ମୃତ ରତନ କହିପାରିବେ ନାହିଁ। ଉଲ୍ଲେଖଯୋଗ୍ୟ ଯେ, ପଶ୍ଚିମବଙ୍ଗରେ ଭାଜପା କ୍ଷମତାକୁ ଆସିବାର ୬ ମାସ ମଧ୍ୟରେ ଏହା ହେଉଛି ୫ମ ଏନ୍କାଉଣ୍ଟର। ପୂର୍ବରୁ ବାରୁଇପୁର, ଗାଇଘାଟା, ସମ୍ସେରଗଞ୍ଜ ଓ ରାଇଗଞ୍ଜରେ ଘଟିଥିବା ପୋଲିସ ଏନ୍କାଉଣ୍ଟରରେ ୪ ଜଣଙ୍କ ମୃତ୍ୟୁ ଘଟିଥିଲା।
ପୋଲିସ ଏନ୍କାଉଣ୍ଟରକୁ ନେଇ ସର୍ବଦା ବିତର୍କ ରହିଆସିଛି। ଜଣେ ଅଭିଯୁକ୍ତ ଯେତେ ଦୁର୍ଦ୍ଦାନ୍ତ ବା ତାଙ୍କ ଅପରାଧ ଅତ୍ୟନ୍ତ ଗୁରୁତର ହୋଇଥିଲେ ମଧ୍ୟ ତାଙ୍କୁ ଦୋଷୀ ବୋଲି ଅଭିହିତ କରିବାର ଅଧିକାର କେବଳ ନ୍ୟାୟାଳୟର ରହିଛି। କିନ୍ତୁ ଅନେକ ସମୟରେ ଦେଖାଯାଉଛି ଆତ୍ମରକ୍ଷା ବାହାନା ଦେଖାଇ ଟାର୍ଗେଟ କରିଥିବା ବ୍ୟକ୍ତିଙ୍କୁ ମାରିଦେଇ ପୋଲିସ ତାହାକୁ ଏନ୍କାଉଣ୍ଟର ରୂପ ଦେଇଦେଉଛି। ଅପରାଧୀଙ୍କୁ ଧରିବା ପୋଲିସର ମୁଖ୍ୟ କାର୍ଯ୍ୟ। ଗିରଫ କରିବା ପରେ ତାଙ୍କ ବିରୋଧରେ ତଥ୍ୟଭିତ୍ତିକ ପ୍ରମାଣ ଦେଇ ଦଣ୍ଡ ଦର୍ଶାଇବା ପୋଲିସର ଦାୟିତ୍ୱ। ଏନ୍କାଉଣ୍ଟର କରି ମାରିଦେବା ହେଉଛି ପୋଲିସର ଦାୟିତ୍ୱହୀନତା ଓ ଖସିବାର ବାଟ। ଅଧିକାଂଶ ସମୟରେ ପୋଲିସ ତା’ କାର୍ଯ୍ୟ କରିବାରେ ଅବହେଳା କରୁଛି। ଏଥିସହିତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଯେତେବେଳେ ପ୍ରଶ୍ନ ଉଠେ, ସେତେବେଳେ ଏହି ସୁରକ୍ଷା ବଳ ‘ଏନ୍କାଉଣ୍ଟର’କୁ ନିଜର ଆତ୍ମରକ୍ଷା ପାଇଁ ବ୍ୟବହାର କରିବାକୁ ସହଜ ମଣିଥାଏ। ଏଠାରେ ମନେପଡ଼େ ୨୦୧୯ ଡିସେମ୍ବର ହାଇଦ୍ରାବାଦ ପୋଲିସ ଏନ୍କାଉଣ୍ଟର । ତେଲଙ୍ଗାନାର ମହିଳା ପ୍ରାଣୀ ଚିକିତ୍ସକଙ୍କୁ ଗଣବଳାତ୍କାର ଓ ହତ୍ୟା ଘଟଣାରେ ୨୦୧୯ ଡିସେମ୍ବର ୬ରେ ୪ ଅଭିଯୁକ୍ତ ମହମ୍ମଦ ଆରିଫ୍, ଚିନ୍ତାକୁଣ୍ଟା ଛେନାକେଶାଭୁଲୁ, ଜୋଲୁ ଶିବା ଓ ଜୋଲୁ ନବୀନଙ୍କୁ ପୋଲିସ ଏନ୍କାଉଣ୍ଟର କରି ମାରିଦେବା ବିଷୟ ପ୍ରଘଟ ହେବା ପରେ ସେତେବେଳେ ଦେଶବ୍ୟାପୀ ଆନନ୍ଦ ପ୍ରକାଶ ପାଇଥିଲା। ଲୋକେ କୁହାକୁହି ହୋଇଥିଲେ ଯାହା ହେଉ ଅପରାଧୀଙ୍କୁ ଉଚିତ ଶାସ୍ତି ମିଳିଛି। ପୋଲିସକୁ କାନ୍ଧରେ ବସାଇ ଫୁଲମାଳ ପିନ୍ଧାଇଥିଲେ। ହେଲେ ଯେଉଁମାନଙ୍କୁ ପୋଲିସ ହତ୍ୟାକଲା ସେମାନେ ବାସ୍ତବରେ ଦୋଷୀ ଥିଲେ କି ନାହିଁ ତାହା ଏବେ ମଧ୍ୟ ଜଣାନାହିଁ। ସମ୍ଭବତଃ ଅସମ୍ପୃକ୍ତଙ୍କୁ ମାରି ପୋଲିସ ନୀରବରେ ବସିଛି। ଏଭଳି ଭାବେ ତତ୍କ୍ଷଣାତ୍ ଦଣ୍ଡ ଦେବା ଶୈଳୀ ପୋଲିସର ଅପାରଗତାକୁ ଲୁଚାଇ ଦେବାରେ ସକ୍ଷମ ହୋଇଥାଏ। ପୋଲିସର ମୂଳ କାମ ହେଉଛି ଅପରାଧକୁ ତଦନ୍ତ କରିବା ସହ ସନ୍ଦିଗ୍ଧ ଅଭିଯୁକ୍ତଙ୍କୁ କୋର୍ଟ ନିକଟରେ ପହଞ୍ଚାଇବା। ସେମାନେ କଦାପି ବିଚାରପତି ଭାବେ ନିଷ୍ପତ୍ତି ନେଇପାରିବେ ନାହିଁ। ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ସମସ୍ତେ ଚାହାନ୍ତି। କିନ୍ତୁ ତାହା ଆଇନ ଅନୁଯାୟୀ ହେବା ଦରକାର। ଏନ୍କାଉଣ୍ଟରକୁ ତତ୍କ୍ଷଣାତ୍ ଶାସ୍ତି ଭାବି ଗ୍ରହଣ କରାଯିବା ବ୍ୟବସ୍ଥା ପ୍ରତି ବିପଦ। ଯଦି ଏନ୍କାଉଣ୍ଟରକୁ ଦେଖାଯାଏ ତେବେ ଉତ୍ତରପ୍ରଦେଶ, ପଞ୍ଜାବରେ ମଧ୍ୟ ଅତ୍ୟଧିକ ମାତ୍ରାରେ ତାହା ଘଟିଚାଲିଛି। ଏହା କୌଣସି ନିର୍ଦ୍ଦିଷ୍ଟ ସୀମା ଭିତରେ ରହୁନାହିଁ। ଭାରତର ପୋଲିସ ବ୍ୟବସ୍ଥା ଶୃଙ୍ଖଳିତ ଭାବେ କାର୍ଯ୍ୟ ସମ୍ପାଦନ କରୁ ନ ଥିବାରୁ ନିଜ ବଳର ନକାରାତ୍ମକ କରାମତି ଦେଖାଇବାକୁ ଯାଇ ଏଭଳି ପଦକ୍ଷେପ ନେଉଛି। କାଲି ଆପଣଙ୍କ ଅଞ୍ଚଳର ଆଇଆଇସି ଚାହିଁଲେ ଆପଣଙ୍କ ପିତା, ପୁତ୍ର କିମ୍ବା ଭାଇକୁ ଅପରାଧୀ କହି ଏନ୍କାଉଣ୍ଟର କରିଦେଲେ ତାହାକୁ ବିରୋଧ କରିବାକୁ କେହି ନ ଥିବେ। ଅର୍ଥାତ୍ ଏଭଳି ପୋଲିସ ଅପାରଗତାକୁ ପ୍ରୋତ୍ସାହନ ଦେଲେ ବିପଦ ବ୍ୟକ୍ତିଗତ ହୋଇଯିବ।
୨୦୧୨ରେ ମିଥ୍ୟା ଏନ୍କାଉଣ୍ଟରକୁ ସୁପ୍ରିମକୋର୍ଟ ଷ୍ଟେଟ୍ ସ୍ପୋନ୍ସର୍ଡ ଟେରୋରିଜମ୍ ବା ସରକାରୀ ପ୍ରାୟୋଜିତ ଆତଙ୍କବାଦ ବୋଲି ଅଭିହିତ କରିଥିଲେ। ଅନେକ ଏନ୍କାଉଣ୍ଟରକୁ ଠିକ୍ ଭାବେ ପ୍ରମାଣିତ କରାଯାଉ ନ ଥିବାରୁ ପୋଲିସର କାର୍ଯ୍ୟକଳାପ ସନ୍ଦେହ ପରିସରକୁ ଆସିଥାଏ। ଭାରତରେ ଜରୁରିକାଳୀନ ପରିସ୍ଥିତି ବେଳେ ବିରୋଧୀ ରାଜନେତା ଓ ଶାସନ ବିରୋଧରେ ସ୍ବର ଉତ୍ତୋଳନ କରୁଥିବା ବ୍ୟକ୍ତିଙ୍କୁ ପୋଲିସ ଲଗାଇ ଦମନ କରାଯାଉଥିଲା। ସେତେବେଳେ ଦେଖାଯାଇଥିଲା ଯେ, ଶାସକ ଦଳର ଟାର୍ଗେଟରେ ନ ଥିଲେ ମଧ୍ୟ ପୋଲିସ ନିଜ ସ୍ତରରେ ଥିବା ଶତ୍ରୁଙ୍କୁ ଦମନ କରିବାକୁ ଯାଇ ଜରୁରିକାଳୀନ ପରିସ୍ଥିତିର ଚାପକୁ ପ୍ରୟୋଗ କରିଦେଇଥିଲା। ଭାରତରେ ଗତ କିଛି ବର୍ଷ ହେବ ରାଜନୈତିକ ବିରୋଧୀ ବ୍ୟକ୍ତିଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବାରମ୍ବାର ବ୍ୟବହାର କରାଯାଉଥିଲା। ଏ ବିଷୟ ଗଣମାଧ୍ୟମରେ ବିଶେଷ ଚର୍ଚ୍ଚା ହେବା ପରେ ଶାସକ ବର୍ଗ ନିନ୍ଦିତ ହେଉଛନ୍ତି ବୋଲି ଗୋଟେ ବାର୍ତ୍ତା ଉପରସ୍ତରକୁ ଯାଇଥିଲା। ସରକାରଙ୍କ ନାମରେ ବ୍ୟକ୍ତିଗତ କ୍ରୋଧକୁ ଶୁଝାଇବା ପାଇଁ କେତେକ ଇଡି ଅଧିକାରୀ କାମ କରୁଥିଲେ। ସମ୍ଭବତଃ ଏ ଦିଗ ପ୍ରତି ଦୃଷ୍ଟି ଦିଆଯିବା ପରେ ଇଡି ଚଢ଼ାଉ ସଂଖ୍ୟା କମିଯାଇଥିବା ଲକ୍ଷ୍ୟ କରାଯାଉଛି।
ଏନ୍କାଉଣ୍ଟର ଭଳି ଏକ୍ସଟ୍ରା ଜୁଡିସିଆଲ କିଲିଂ ବା ଆଇନଗତ ବିଚାର ବାହାରେ ହେଉଥିବା ହତ୍ୟାକୁ ଭଲ ଭାବେ ତର୍ଜମା କରାଯିବା ଦରକାର। ସଙ୍ଗେ ସଙ୍ଗେ ନ୍ୟାୟ ମିଳିଯାଉଛି ଭାବି ଯେଉଁମାନେ ପୋଲିସ କାର୍ଯ୍ୟକୁ ବାହାବା ଦେଉଛନ୍ତି, ସେମାନେ ସମାଜ ଓ ନିଜ ପ୍ରତି ବିପଦ ସୃଷ୍ଟି କରିଥାଇପାରନ୍ତି। ଏଭଳି ମାନସିକତାକୁ ବିରୋଧ କରା ନ ଗଲେ ସୁରକ୍ଷା ବଳର ଦୌରାତ୍ମ୍ୟ ବଢ଼ିଯିବ। ମନେରଖିବାକୁ ହେବ ଯେ, ଭାରତର ପୋଲିସ ସର୍ବଦା ଧନୀ ଓ ଶକ୍ତିଶାଳୀ ଲୋକଙ୍କ ସହିତ ରହିଥାଏ। ପୋଲିସ କେବେ ହେଲେ ଅସହାୟ ଓ ଗରିବଙ୍କୁ ସାହାଯ୍ୟ କରେ ନାହିଁ। ଏହା ହେଉଛି ପୋଲିସର ପୁରୁଣା ସାମନ୍ତବାଦୀ ଆଭିମୁଖ୍ୟ।

