ନୂଆଦିଲ୍ଲୀ,୧୬।୧୧: ଭାରତୀୟ କ୍ରିକେଟ୍ର ଉଦୀୟମାନ ତାରକା ବୈଭବ ସୂର୍ଯ୍ୟବଂଶୀ ଏବେ ନିଜ ବିସ୍ଫୋରକ ବ୍ୟାଟିଂ ପାଇଁ ଚର୍ଚ୍ଚାରେ ଅଛନ୍ତି। ମାତ୍ର ୧୫ ବର୍ଷ ବୟସରେ ତାଙ୍କ ବ୍ୟାଟିଂର ଯାଦୁ ସମସ୍ତଙ୍କୁ ପ୍ରଭାବିତ କରିଛି। ଏବେ ଭାରତର ବିଶ୍ୱକପ ବିଜୟୀ ପୂର୍ବତନ ଅଧିନାୟକ କପିଳ ଦେବ ମଧ୍ୟ ତାଙ୍କ ପ୍ରତିଭାର ପ୍ରଶଂସା କରିଛନ୍ତି। ତେବେ ଏହା ସହ ବୈଭବଙ୍କୁ ଏକ ବଡ଼ ପରାମର୍ଶ ଦେଇଛନ୍ତି ସେ। ବୈଭବ ଭବିଷ୍ୟତରେ ସଚିନ ତେନ୍ଦୁଲକର ହେବେ ନା ବିନୋଦ କାମ୍ବଲିଙ୍କ ଭଳି କ୍ୟାରିୟର ହେବ, ତାହା ଏବେଠାରୁ କହିବା କଷ୍ଟକର ବୋଲି ସେ କହିଛନ୍ତି।
କପିଳ ଦେବ କହିଛନ୍ତି, ବୈଭବ ଜଣେ ଅତ୍ୟନ୍ତ ପ୍ରତିଭାଶାଳୀ ଖେଳାଳି। କିନ୍ତୁ ନିଜ ପ୍ରତିଭା ଦେଖାଇବା ପାଇଁ ତାଙ୍କୁ ଏପର୍ଯ୍ୟନ୍ତ ଯଥେଷ୍ଟ ସୁଯୋଗ ମିଳିନାହିଁ। ବୈଭବଙ୍କୁ ଏବେ ବହୁତ ଲମ୍ବା ରାସ୍ତା ଅତିକ୍ରମ କରିବାକୁ ପଡ଼ିବ। ସେ ଭାରତୀୟ ଦଳର ଅଂଶ ହୋଇଥିଲେ ମଧ୍ୟ ତାଙ୍କୁ ପର୍ଯ୍ୟାପ୍ତ ସୁଯୋଗ ମିଳୁନାହିଁ। ଆଜିକାଲି ଆକ୍ରମଣାତ୍ମକ କ୍ରିକେଟକୁ ସମସ୍ତେ ପସନ୍ଦ କରୁଛନ୍ତି। ଏତେ କମ ବୟସରେ ବୈଭବଙ୍କ ଚୌକା ଓ ଛକା ଦର୍ଶକଙ୍କୁ ଆକର୍ଷିତ କରୁଛି। ତାଙ୍କୁ ଆହୁରି ସମୟ ଦେବା ଆବଶ୍ୟକ। ବୈଭବଙ୍କୁ ଏବେ କେବଳ କ୍ରିକେଟ ହିଁ ଦେଖାଯାଉଛି। କିନ୍ତୁ ବୟସ ବଢ଼ିବା ସହ ତାଙ୍କ ସାମ୍ନାକୁ ଟଙ୍କା, ଖ୍ୟାତି, ପାର୍ଟି ଓ ଅନ୍ୟାନ୍ୟ ଆକର୍ଷଣ ଆସିବ। ଏଭଳି ସମୟରେ ନିଜ ଲକ୍ଷ୍ୟରୁ ବିଚ୍ୟୁତ ନହେବା ହିଁ ତାଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ହେବ।
ନିଜ ମତ ରଖିବା ବେଳେ କପିଳ ଦେବ କ୍ରିକେଟ ଜଗତର ଦୁଇ ଚର୍ଚ୍ଚିତ ଖେଳାଳି ସଚିନ ତେନ୍ଦୁଲକର ଓ ବିନୋଦ କାମ୍ବଲିଙ୍କ ଉଦାହରଣ ଦେଇଥିଲେ। ଉଭୟେ ଅତ୍ୟନ୍ତ ପ୍ରତିଭାଶାଳୀ ଥିଲେ। କିନ୍ତୁ ସଚିନ ନିଜର ଶୃଙ୍ଖଳା, କଠିନ ପରିଶ୍ରମ ଓ ଏକାଗ୍ରତା ବଳରେ ଦୀର୍ଘ ଏବଂ ସଫଳ କ୍ୟାରିୟର ଗଢ଼ିଥିଲେ। ଅନ୍ୟପଟେ କାମ୍ବଲିଙ୍କ କ୍ରିକେଟ କ୍ୟାରିୟର ସେତେ ଦୀର୍ଘ ହୋଇପାରି ନ ଥିଲା। ତେଣୁ ବୈଭବ ଭବିଷ୍ୟତରେ କେଉଁ ଦିଗକୁ ଯିବେ, ତାହା ଏବେ କହିବା ମୁସ୍କିଲ ବୋଲି କପିଳ କହିଛନ୍ତି।
କପିଳ ଦେବଙ୍କ ପରାମର୍ଶ ହେଉଛି, ବୈଭବଙ୍କୁ ଏବେ କେବଳ କ୍ରିକେଟ ଉପରେ ଧ୍ୟାନ ଦେବା ଉଚିତ। ଟଙ୍କା ଓ ଖ୍ୟାତି ପଛରେ ନପଡ଼ି ନିଜ ଖେଳକୁ ଆହୁରି ଉନ୍ନତ କରିବା ଆବଶ୍ୟକ। ତାଙ୍କ ଭିତରେ ଅଦ୍ଭୁତ ପ୍ରତିଭା ରହିଛି, କିନ୍ତୁ ସଫଳତାର ଶିଖରରେ ପହଞ୍ଚିବା ପାଇଁ ତାଙ୍କୁ ଆହୁରି ଅନେକ ବାଟ ଯିବାକୁ ପଡ଼ିବ।
Dharitri – Odisha’s No.1 Odia Daily

