ନୂଆଦିଲ୍ଲୀ,୧୭।୧୧: ଭାରତ ବିପକ୍ଷ ଟେଷ୍ଟ ସିରିଜ ଆରମ୍ଭ ହେବା ପୂର୍ବରୁ ନ୍ୟୁଜିଲାଣ୍ଡକୁ ଶକ୍ତ ଧକ୍କା ଲାଗିଛି। ନଭେମ୍ବର ୧୫ରେ ଖେଳାଯାଇଥିବା ପଞ୍ଚମ ଦିନିକିଆ ମ୍ୟାଚ୍ରେ ଆହତ ହୋଇଥିବା ମିଚେଲ ସାଣ୍ଟନର ଆସନ୍ତା ଟେଷ୍ଟ ସିରିଜ୍ରେ ଖେଳିପାରିବେ ନାହିଁ। ନଭେମ୍ବର ୧୭ ତାରିଖ ମଙ୍ଗଳବାର ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ପକ୍ଷରୁ ଏନେଇ ଅଧିକାରିକ ସୂଚନା ଦିଆଯାଇଛି।
ପଞ୍ଚମ ଦିନିକିଆ ମ୍ୟାଚ୍ରେ ଭାରତୀୟ ବୋଲର ଅର୍ଶଦୀପ ସିଂହଙ୍କ ଏକ ବାଉନ୍ସର ସାଣ୍ଟନରଙ୍କ ଡାହାଣ ହାତରେ ବାଜିଥିଲା। ଏହାପରେ ତାଙ୍କର ସ୍କାନ କରାଯାଇଥିବା ବେଳେ ହାତରେ ଫ୍ରାକ୍ଚର ହୋଇଥିବା ଜଣାପଡ଼ିଛି। ଆହତ ସମସ୍ୟାରୁ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିବାରୁ ଭାରତ ବିପକ୍ଷ ଟେଷ୍ଟ ସିରିଜ୍ରୁ ତାଙ୍କୁ ବାଦ ଦିଆଯାଇଛି। ଡିସେମ୍ବର ୯ରୁ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍ରେ ସେ ଖେଳିବେ କି ନାହିଁ, ତାହା ତାଙ୍କ ଫିଟନେସ ଉପରେ ନିର୍ଭର କରିବ।
ସାଣ୍ଟନରଙ୍କ ବଦଳରେ ଡିନ ଫକ୍ସକ୍ରଫ୍ଟଙ୍କୁ ନ୍ୟୁଜିଲାଣ୍ଡ ଟେଷ୍ଟ ଦଳରେ ସାମିଲ କରାଯାଇଛି। ଫକ୍ସକ୍ରଫ୍ଟ ଚଳିତ ବର୍ଷ ଆୟରଲାଣ୍ଡ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ। ଏହି ମ୍ୟାଚ୍ର ଗୋଟିଏ ପାଳିରେ ସେ ୯୮ ରନ୍ର ଦମଦାର ଇନିଂସ ଖେଳିଥିଲେ।
ଭାରତ ବିପକ୍ଷ ଦିନିକିଆ ସିରିଜ୍ରେ ମଧ୍ୟ ଫକ୍ସକ୍ରଫ୍ଟ ଦୁଇଟି ମ୍ୟାଚ ଖେଳିଥିଲେ। ତେବେ ସେଠାରେ ତାଙ୍କ ବ୍ୟାଟ୍ରେ ମାତ୍ର ୩୯ ରନ ବାହାରିଥିଲା। ଜଣେ ଡାହାଣହାତୀ ବ୍ୟାଟର ଏବଂ ଅଲରାଉଣ୍ଡର ଭାବେ ସେ ଦଳ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇପାରନ୍ତି।
ନିକଟରେ ଭାରତ ଏ’ ଓ ନ୍ୟୁଜିଲାଣ୍ଡ ଏ’ ମଧ୍ୟରେ ଖେଳାଯାଇଥିବା ଅନଅଫିସିଆଲ ଟେଷ୍ଟ ସିରିଜ୍ରେ ମଧ୍ୟ ଫକ୍ସକ୍ରଫ୍ଟ ଭଲ ପ୍ରଦର୍ଶନ କରିଥିଲେ। ପାଞ୍ଚଟି ପାଳିରେ ସେ ମୋଟ ୧୯୬ ରନ ସଂଗ୍ରହ କରିଥିବା ବେଳେ ଦୁଇଟି ଅର୍ଦ୍ଧଶତକ ହାସଲ କରିଥିଲେ। ବୋଲିଂରେ କିନ୍ତୁ ତାଙ୍କୁ ମାତ୍ର ଗୋଟିଏ ଉଇକେଟ ମିଳିଥିଲା। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦୁଇଟି ଟେଷ୍ଟ ମ୍ୟାଚ୍ର ସିରିଜ ନଭେମ୍ବର ୧୯ରୁ ଆରମ୍ଭ ହେବ। ପ୍ରଥମ ଟେଷ୍ଟ ୱେଲିଂଟନରେ ଖେଳାଯିବାକୁ ଥିବା ବେଳେ ଦ୍ୱିତୀୟ ଟେଷ୍ଟ ନଭେମ୍ବର ୨୭ରୁ ଖ୍ରୀଷ୍ଟଚର୍ଚ୍ଚରେ ଖେଳାଯିବ।
ଟେଷ୍ଟ ସିରିଜ୍ର କାର୍ଯ୍ୟସୂଚୀ
ପ୍ରଥମ ଟେଷ୍ଟ: ଭାରତ ବନାମ ନ୍ୟୁଜିଲାଣ୍ଡ ନଭେମ୍ବର ୧୯ରୁ ୨୩।
ଦ୍ୱିତୀୟ ଟେଷ୍ଟ: ଭାରତ ବନାମ ନ୍ୟୁଜିଲାଣ୍ଡ ନଭେମ୍ବର ୨୭ରୁ ଡିସେମ୍ବର ୧
ଭାରତ ବିପକ୍ଷ ଟେଷ୍ଟ ସିରିଜ ପାଇଁ ନ୍ୟୁଜିଲାଣ୍ଡର ଅପଡେଟ ସ୍କ୍ବାଡ
ଟମ ଲାଥମ (ଅଧିନାୟକ), ଟମ ବ୍ଲଣ୍ଡେଲ (ଉଇକେଟ୍କିପର), ଡେଭନ କନୱେ, ଜାକବ ଡଫି, ମ୍ୟାଟ ହେନରୀ, କାଇଲ ଜେମିସନ, ଡାରିଲ ମିଚେଲ, ହେନରୀ ନିକୋଲ୍ସ, ଗ୍ଲେନ ଫିଲିପ୍ସ, ରଚିନ ରବୀନ୍ଦ୍ର, ଡିନ ଫକ୍ସକ୍ରଫ୍ଟ, ନାଥନ ସ୍ମିଥ, ବ୍ଲେୟାର ଟିକନର ଓ ୱିଲ ୟଙ୍ଗ।
Dharitri – Odisha’s No.1 Odia Daily

