ଶିକୁଳିରେ ଗଣମାଧ୍ୟମ

ଭାରତରେ ମୁକ୍ତ ଏବଂ ଉତ୍ତରଦାୟିତ୍ୱସମ୍ପନ୍ନ ଗଣମାଧ୍ୟମର ଭୂମିକା ଅବସରରେ ପ୍ରତିବର୍ଷ ନଭେମ୍ବର ୧୬ ତାରିଖରେ ଜାତୀୟ ପ୍ରେସ୍‌ ଦିବସ ପାଳନ କରାଯାଏ । ଏହି ଦିନଟି ପ୍ରେସ୍‌ କାଉନସିଲ୍‌ ଅଫ୍‌ ଇଣ୍ଡିଆ ବା ଭାରତୀୟ ପ୍ରେସ୍‌ ପରିଷଦ ପ୍ରତିଷ୍ଠାର ସ୍ମୃତି ବହନ କରେ, ଯାହା ୧୯୬୬ ମସିହା ଆଜିର ଦିନରେ ଏହାର କାର୍ଯ୍ୟ ଆରମ୍ଭ କରିଥିଲା। ଏହି ଦିବସ ପରିପ୍ରେକ୍ଷୀରେ ଗଣମାଧ୍ୟମର ସ୍ବାଧୀନତା ଉପରେ ଦୃଷ୍ଟି ପକାଇବା। ସ୍ବାଧୀନ ଗଣମାଧ୍ୟମ ସବୁବେଳେ ଗଣତନ୍ତ୍ରର ସ୍ବର ହୋଇଥାଏ। କିନ୍ତୁ ଏହା ଉପରେ ଆକ୍ରମଣ କିମ୍ବା ଏହାର କଣ୍ଠେରୋଧ ଗଣତାନ୍ତ୍ରିକ ବ୍ୟବସ୍ଥାର ଅଧୋପତନର କାରଣ ପାଲଟିଯାଏ।
ବିଶ୍ୱର ପ୍ରାୟ ସବୁ ଅଞ୍ଚଳରେ ବହୁ ବର୍ଷ ଧରି ଗଣମାଧ୍ୟମର ସ୍ବାଧୀନତା ଉପରେ ଆକ୍ରମଣ ହୋଇଆସୁଛି। ହେଲେ ଏବେ ସ୍ଥିତି ଯେଭଳି ଗମ୍ଭୀର ହୋଇଛି, ତାହା ପୂର୍ବରୁ କେବେ ବି ଦେଖାଯାଇ ନ ଥିଲା। ‘ରିପୋର୍ଟର୍ସ ୱିଦାଉଟ୍‌ ବର୍ଡର୍ସ’ (ଆର୍‌ଏସ୍‌ଏଫ୍‌) ୧୮୦ଟି ଦେଶ ମଧ୍ୟରୁ ଅଧାରୁ ଅଧିକରେ ସାମ୍ବାଦିକଙ୍କ ସ୍ଥିତି ଉପରେ ସର୍ଭେ କରିଥିଲା। ଏହି ସର୍ଭେର ଏବେକାର ରିପୋର୍ଟରୁ ଜଣାପଡ଼ିଛି ଯେ, ଚଳିତ ବର୍ଷ ସାମ୍ବାଦିକଙ୍କ ପାଇଁ ସ୍ଥିତି କଠିନ କିମ୍ବା ଅତ୍ୟନ୍ତ ଗମ୍ଭୀର ରହିଛି। ଅନ୍ୟପଟେ ବିଶ୍ୱରେ ଯୁଦ୍ଧର ବ୍ୟାପକତା ଏବଂ ଅନେକ ଦେଶର ଏକଚ୍ଛତ୍ରବାଦୀ ନେତାମାନେ ଶାସନ କ୍ଷମତା ହାସଲ କରିବା ଯୋଗୁ ଗଣମାଧ୍ୟମ ଉପରେ ଚାପ ବଢିବା ସହ ସାମ୍ବାଦିକଙ୍କ ପ୍ରତି ବିପଦ ଗମ୍ଭୀର ହୋଇଛି। ଏହି ରିର୍ପୋଟର ଏକ ଗୁରୁତ୍ୱପୂର୍ଣ୍ଣ ତଥା ଚିନ୍ତାଜନକ ତଥ୍ୟ ହେଉଛି, ଚଳିତ ବର୍ଷ ଏପର୍ଯ୍ୟନ୍ତ ବିଭିନ୍ନ ଦେଶରେ ୧୨୯ ଜଣ ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି, ଯାହା ସବୁଠୁ ଅଧିକ। ୟୁନାଇଟେଡ୍‌ ନେସନ୍ସ ଏଜୁକେଶନାଲ ସାଇଣ୍ଟିଫିକ ଆଣ୍ଡ କଲ୍‌ଚରାଲ ଅର୍ଗାନାଇଜେଶନ (ୟୁନେସ୍କୋ) ଅନୁଯାୟୀ, ସାମ୍ବାଦିକଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ଅଣଦେଖା ଏବଂ ମୁକ୍ତ ଅଭିବ୍ୟକ୍ତିର ସ୍ବାଧୀନତାକୁ ଶିକୁଳିରେ ବାନ୍ଧି ରଖାଯାଉଛି। ଏହାର ସବୁଠାରୁ ଖରାପ ଦିଗ ହେଉଛି, ସାମ୍ବାଦିକଙ୍କ ହତ୍ୟା ଘଟଣାରେ ପ୍ରାୟ ୯୦ ପ୍ରତିଶତ ଅର୍ଥାତ୍‌ ୧୦ଟିରୁ ୯ଟି ମାମଲାରେ ଦୋଷୀମାନେ କୌଣସି ଦଣ୍ଡ ପାଉନାହାନ୍ତି।
ବୃହତ୍‌ ଗଣମାଧ୍ୟମ ସଂସ୍ଥାଗୁଡ଼ିକୁ ନିଜର ଅର୍ଥବଳ ଦ୍ୱାରା ନିୟନ୍ତ୍ରଣ କରି ସେଗୁଡ଼ିକୁ ଶାସକ ଗୋଷ୍ଠୀର ସ୍ବାର୍ଥରେ ବ୍ୟବହାର କରୁଥିବା ଦେଶଗୁଡ଼ିକ ମଧ୍ୟରେ ଭାରତର ନାମ ରହିଛି ଏବଂ ଏହା ଦେଶ ପାଇଁ ଏକ ଅପ୍ରୀତିକର ପରିଚୟ। ରିପୋର୍ଟରେ କୁହାଯାଇଛି ଯେ, ଭାରତରେ ଆଦାନୀଙ୍କୁ ଯେଉଁଭଳି ଭାବେ ସରକାରୀ ସହଯୋଗ ମାଧ୍ୟମରେ ବିଭିନ୍ନ ଗଣମାଧ୍ୟମକୁ କିଣି ନେବାର ସୁଯୋଗ ମିଳୁଛି ସେହିଭଳି କାଜାଖସ୍ତାନର ରାଷ୍ଟ୍ରପତି କାସିମ-ଜୋମାର୍ଟ ଟୋକାୟେଭ ଏବଂ ତୁର୍କୀର ରାଷ୍ଟ୍ରପତି ରିସେପ ତାଇପ ଏର୍ଦୋଗାନଙ୍କ ସରକାର ସହଯୋଗ କରି ନିଜର ପ୍ରିୟ ଶିଳ୍ପପତିମାନଙ୍କ ଦ୍ୱରା ବିଭିନ୍ନ ଗଣମାଧ୍ୟମକୁ କିଣି ନେଉଛି। ଏହାଫଳରେ ବାସ୍ତବ ଖବର ଲୋକଙ୍କ ପାଖରେ ପହଞ୍ଚିପାରୁନାହିଁ। ଏହି ନେତାମାନେ ସାମ୍ବାଦିକମାନଙ୍କ ବିରୋଧରେ ଆଇନର ଅପବ୍ୟବହାର କରି ଗଣମାଧ୍ୟମକୁ ଦୁର୍ବଳ କରିଦେବାକୁ ଉଦ୍ୟମ କରୁଛନ୍ତି। ଭାରତ ସମେତ ଅନେକ ଦେଶରେ ଗଣମାଧ୍ୟମର ସ୍ବାଧୀନତାକୁ କିପରି ଗୁରୁତର ଭାବେ ଦମନ କରାଯାଉଛି, ତାହା ଆମେ ଦେଖୁଛୁ। କ୍ଷମତାରେ ଥିବା ଲୋକମାନେ ପ୍ରତିଦିନ ଗଣମାଧ୍ୟମର ବିଶ୍ୱସନୀୟତାକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛନ୍ତି। ଏମିତିକି କର୍ତ୍ତୃପକ୍ଷଙ୍କ କୁକର୍ମକୁ ପର୍ଦ୍ଦାଫାଶ କଲେ ଗଣମାଧ୍ୟମ ଆର୍ଥିକ ପତନର ସମ୍ମୁଖୀନ ହୁଏ। ରିପୋର୍ଟରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ, ଭାରତ ସମେତ ଅନ୍ୟାନ୍ୟ ଦେଶରେ ସ୍ବଧୀନ ସାମ୍ବାଦିକତା ବିରୋଧରେ ଡିଜିଟାଲ୍‌ ମାଧ୍ୟମରେ ଆକ୍ରମଣ କରି ସାଧାରଣ ଲୋକଙ୍କ ମନରେ ଘୃଣା ସୃଷ୍ଟି କରାଯାଉଛି। ଏହି ଆକ୍ରମଣଗୁଡ଼ିକ କ୍ଷମତାରେ ଥିବା ଲୋକଙ୍କ ଦ୍ୱାରା ସଂଗଠିତ କିମ୍ବା ସମର୍ଥିତ ହେଉଛି। ଆର୍ଜେଣ୍ଟିନା ରାଷ୍ଟ୍ରପତି ଜାଭିଏର୍‌ ମିଲେଇ ଏକ ସ୍ଲୋଗାନ୍‌ ଦେଇଥିଲେ ଯେ, ଆମେ ସାମ୍ବାଦିକମାନଙ୍କୁ ଯେତିକି ଘୃଣା କରିବା ଉଚିତ, ସେତିକି କରୁନାହୁଁ। ସେ ରାଷ୍ଟ୍ରର ସର୍ବୋଚ୍ଚ ସ୍ତରରୁ ଏହି କୌଶଳକୁ ବ୍ୟବହାର କରୁଛନ୍ତି। ଆର୍‌ଏସ୍‌ଏଫ୍‌ ଅନୁସନ୍ଧାନ ଅନୁଯାୟୀ, ସେ ୨୦୨୬ ମସିହା ଏପ୍ରିଲ୍‌ ଓ ମେ ମାସ ମଧ୍ୟରେ ମାତ୍ର ୪୭ ଦିନରେ ନିଜ ଏକ୍ସ (X) ଆକାଉଣ୍ଟରେ ଗଣମାଧ୍ୟମ ବିରୋଧୀ ୧,୬୦୦ରୁ ଅଧିକ ପୋଷ୍ଟ କରିଥିଲେ।
ଏହି ପରିସ୍ଥିତିରେ, ବର୍ତ୍ତମାନ ଉଚ୍ଚମାନ ତଥା ମୂଲ୍ୟବୋଧଭିତ୍ତିକ ସାମ୍ବାଦିକତାର ଆବଶ୍ୟକତା ପୂର୍ବାପେକ୍ଷା ଅଧିକ ରହିଛି। କାରଣ ବିଶ୍ୱରେ ଅଶାନ୍ତି ଓ ସଂଘର୍ଷ ବଢ଼ିଚାଲିଛି। ବଡ଼ ବଡ଼ ଟେକ୍ନୋଲୋଜି କମ୍ପାନୀଗୁଡ଼ିକ ଦ୍ୱାରା ପରିଚାଳିତ ଡିଜିଟାଲ୍‌ ପ୍ଲାଟଫର୍ମରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ)ବା କୃତ୍ରିମ ବୁଦ୍ଧିମତ୍ତା ଦ୍ୱାରା ସୃଷ୍ଟି କରାଯାଉଥିବା ନିମ୍ନମାନର ବିଷୟବସ୍ତୁ ଏବଂ ଉଦ୍ଦେଶ୍ୟମୂଳକ ମିଥ୍ୟା ତଥ୍ୟର ପ୍ରସାର ଗଣତନ୍ତ୍ର, ବାକ୍‌ ସ୍ବାଧୀନତା ପ୍ରତି ଗୁରୁତର ବିପଦ ସୃଷ୍ଟି କରୁଛି। ଯାହାଫଳରେ ସତ୍ୟତା ପ୍ରକାଶ ପାଇପାରୁନାହିଁ। ପୂର୍ବରୁ ବିଦେଶରେ ବିପଦରେ ଥିବା ସାମ୍ବାଦିକମାନଙ୍କୁ ସହାୟତା କରିବା ଏବଂ ସେମାନଙ୍କ ପରିସ୍ଥିତିରେ ଉନ୍ନତି ଆଣିବାରେ ଆମେରିକା ଏକ ରକ୍ଷାକର୍ତ୍ତା ଭାବେ ଭୂମିକା ନିଭାଉଥିଲା। କିନ୍ତୁ ଏବେ ସେହି ଦେଶର ନେତୃତ୍ୱ ଏପରି ଜଣେ ବ୍ୟକ୍ତିଙ୍କ ହାତରେ ରହିଛି, ଯିଏ ଗଣମାଧ୍ୟମକୁ ଆମେରିକୀୟ ଜନସାଧାରଣଙ୍କ ଶତ୍ରୁ ବୋଲି ଦର୍ଶାଉଛନ୍ତି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବର୍ତ୍ତମାନ ବିବିସି ବିରୋଧରେ ୧୦ ବିଲିୟନ ଡଲାରର ଏକ ମକଦ୍ଦମା ଲଢ଼ୁଛନ୍ତି। ଏହା ସହିତ ସେ ଆମେରିକା ସରକାରଙ୍କ ଆର୍ଥିକ ସହାୟତାରେ ଚାଲୁଥିବା କିଛି ସଂସ୍ଥାକୁ ଭାଙ୍ଗିଦେବାକୁ ମଧ୍ୟ ଉଦ୍ୟମ କରିଛନ୍ତି। ଏହି ସଂସ୍ଥାଗୁଡ଼ିକ ଅନେକ ଦମନକାରୀ ଦେଶରେ ସ୍ବାଧୀନ ସାମ୍ବାଦିକତା ଓ ଖବର ପ୍ରସାରଣର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ ଥିଲେ।
ଏବେ ବି ସବୁକିଛି ଶେଷ ହୋଇଯାଇ ନାହିଁ। ଏହି ନିରାଶାଜନକ ପରିସ୍ଥିତି ମଧ୍ୟରେ ଆଶାର କିରଣ ଦେଖାଯାଉଛି। ନିକଟରେ ଆମେରିକାର ଏକ ଅପିଲ କୋର୍ଟ ପ୍ୟାନେଲ ରାୟ ଦେଇଛନ୍ତି ଯେ ‘ଭଏସ୍‌ ଅଫ୍‌ ଆମେରିକା’ର ମୁଖ୍ୟଙ୍କୁ ତାଙ୍କ ପଦରୁ ବରଖାସ୍ତ କରିବା ପ୍ରଶାସନର ପଦକ୍ଷେପ ବେଆଇନ ଥିଲା। ଏହି ଅନ୍ଧକାରମୟ ସମୟରେ ଭାରତ ସମେତ ସମଗ୍ର ବିଶ୍ୱର ଯୁବପିଢ଼ି ଏବଂ ଗଣତନ୍ତ୍ରପ୍ରେମୀମାନେ ଆଗକୁ ଆସୁଛନ୍ତି। ଏହା ଏକଚ୍ଛତ୍ରବାଦୀ ଏବଂ ସ୍ବେଚ୍ଛାଚାରୀ ଶାସକଙ୍କ ଅଗ୍ରଗତିରେ ବାଧା ଉପୁଜାଇ ପାରେ। ସର୍ବିଆ, ବ୍ରାଜିଲ ଏବଂ ଆମେରିକାରେ ହୋଇଥିବା ସାମ୍ପ୍ରତିକ ନିର୍ବାଚନ ଏବଂ ଭାରତରେ ଅତି ସ୍ବଳ୍ପ ବଜେଟରେ କାମ କରୁଥିବା ବ୍ଲଗର୍‌ ଓ ଗଣମାଧ୍ୟମ ପ୍ଲାଟଫର୍ମଗୁଡ଼ିକର ଅଭ୍ୟୁଦୟ ଏହାର ପ୍ରମାଣ। ଏହା ସ୍ପଷ୍ଟ କରୁଛି ଯେ ଗଣମାଧ୍ୟମ ଓ ସାମାଜିକ ସକ୍ରିୟତା ଏକାଠି ହୋଇ ପ୍ରେସ୍‌ ସ୍ବାଧୀନତା ଏବଂ ଗଣତନ୍ତ୍ର ଉପରେ ହେଉଥିବା ଆକ୍ରମଣ ବିରୋଧରେ ଏକ ସୁଦୃଢ଼ ପ୍ରାଚୀର ଭାବେ ଠିଆ ହୋଇପାରିବ।
ଶିବ ପ୍ରସାଦ ପୁହାଣ

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

Posted inHome, Home Left View All

ଏଇ ଭାରତରେ

ରାଜସ୍ଥାନ ଥର୍‌ ମରୁଭୂମିରେ ଓଟମାନେ ଖାଦ୍ୟ ପାଇଁ ଚାରଣ ଭୂମି ଉପରେ ନିର୍ଭର କରିଥାନ୍ତି। ଏହା ହ୍ରାସ ପାଇଲେ ଓଟ ପାଳନ କରିବା କଷ୍ଟକର ହୋଇଯିବ। ଏଣୁ…

ଡିଜିଟାଲ ମୃଗତୃଷ୍ଣା ନା ପ୍ରଗତିର ଦ୍ବାର

ଭୁବନେଶ୍ୱର ଜଟଣୀଠାରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ରିଜର୍ଭ ବ୍ୟାଙ୍କର ୧୬୯ କୋଟି ଟଙ୍କାର ଟାୟାର-୪ ଡାଟା ସେଣ୍ଟର ଓ ସାଇବର ପ୍ରଶିକ୍ଷଣ ଅନୁଷ୍ଠାନ ଏବଂ କଟକ ନରାଜର…

ନ୍ୟୁଜିଲ୍ୟାଣ୍ଡରେ ଶେଷଥର ପାଇଁ ନ ଚାହୁଁଥିବା ରେକର୍ଡ କଲେ ରୋହିତ ଶର୍ମା ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୧୬।୧୧: ଭାରତ ପାଞ୍ଚ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜକୁ ୩-୧ରେ ଜିତି ନେଇଛି। ସମ୍ଭବତଃ ଏହା ଥିଲା ଶେଷ ଥର ପାଇଁ, ଯେତେବେଳେ ରୋହିତ ଶର୍ମା ଏବଂ…

ଗାଡ଼ି ଜବତ କରିବାକୁ ଗୁଣ୍ଡା ବ୍ୟବହାର କରିପାରିବେନି ଫାଇନାନ୍ସ କମ୍ପାନୀ: ହାଇକୋର୍ଟ

ପ୍ରୟାଗରାଜ,୧୬ା୧୧(ପି.ଟି.): ଋଣ ପରିଶୋଧ କରୁ ନ ଥିବା କାରଣରୁ ଗାଡ଼ି ଜବତ କରିବା ପାଇଁ ଫାଇନାନ୍ସ କମ୍ପାନୀ ଗୁଣ୍ଡାଙ୍କୁ ବ୍ୟବହାର କରିପାରିବେ ନାହିଁ ଏବଂ ଚାପ ପକାଇବାକୁ…

ଭାଜପାର ପଞ୍ଜାବ ନିର୍ବାଚନ ଇସ୍ତାହାର କମିଟିରେ ରାଘବ, ହରଭଜନ

ଚଣ୍ଡିଗଡ଼,୧୬ା୧୧: ଆସନ୍ତା ବର୍ଷ ପଞ୍ଜାବ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଭାଜପା ଏହାର ଇସ୍ତାହାର କମିଟିରେ ରାଜ୍ୟ ସଭା ସଦସ୍ୟ ରାଘବ ଚଢ଼ା ଏବଂ ହରଭଜନ…

ଆଜି ମୁମ୍ବାଇ ଆସିବେ ବ୍ରିଟିଶ ଯୁବରାଜ ଓ୍ବିଲିୟମ୍‌

ଲଣ୍ଡନ,୧୬ା୧୧(ପି.ଟି.): ବ୍ରିଟିଶ ଯୁବରାଜ ଓ୍ବିଲିୟମ ୨୦୨୬ ଆର୍ଥଶଟ୍‌ ପ୍ରାଇଜ୍‌ ପାଇଁ ଯୁବରାଣୀ କେଟ୍‌ ମିଡିଲଟନ୍‌ଙ୍କ ସହ ସୋମବାର ମୁମ୍ବାଇ ଆସିବେ। ମଙ୍ଗଳବାର ସେମାନେ ନୂଆଦିଲ୍ଲୀ ଯାଇ ବୁଧବାର…

ପାକ୍‌ ଲିଙ୍କ୍‌ ଥିବା ୨ ଅଭିଯୁକ୍ତ ପଞ୍ଜାବରୁ ଗିରଫ

ଚଣ୍ଡିଗଡ଼,୧୬ା୧୧: ରାଜସ୍ଥାନର ଶ୍ରୀଗଙ୍ଗାନଗର ରେଳଲାଇନରେ ବିସ୍ଫୋରଣ ସହ ସମ୍ପୃକ୍ତି ନେଇ ଜଣେ ମହିଳାଙ୍କ ସହ ୨ ଜଣଙ୍କୁ ପଞ୍ଜାବରୁ ଗିରଫ କରାଯାଇଛି। ରାଜସ୍ଥାନ ଆତଙ୍କବାଦ ନିରୋଧୀ ସ୍କ୍ବାଡ୍‌…

ଦିଲ୍ଲୀରେ ଚାଞ୍ଚଲ୍ୟ: ଟ୍ରାଏଲ୍‌ ରୁମ୍‌ରେ ମହିଳା କର୍ମଚାରୀଙ୍କୁ ଗଳାକାଟି ହତ୍ୟା

ନୂଆଦିଲ୍ଲୀ,୧୫ା୧୧: ଦିଲ୍ଲୀର ଏକ ପୋଷାକ ଶୋ’ରୁମ୍‌ରେ କାମ କରୁଥିବା ଜଣେ ୧୮ ବର୍ଷୀୟା କର୍ମଚାରୀଙ୍କୁ ଟ୍ରାଏଲ୍‌ ରୁମ୍‌ରେ ଗଳାକାଟି ହତ୍ୟା କରାଯାଇଛି। ବ୍ୟକ୍ତିଗତ ସମ୍ପର୍କରେ ଫାଟ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?