ନୂଆଦିଲ୍ଲୀ,୧୬।୧୧:ଟେଷ୍ଟ କ୍ରିକେଟ୍ରେ ନିଜ ବ୍ୟାଟିଂ ଦକ୍ଷତାରେ ଇତିହାସ ରଚିଛନ୍ତି ଜିମ୍ବାୱେର ଦ୍ରୁତ ବୋଲର ବ୍ଲେସିଂ ମୁଜାରାବାନି। ନମ୍ବର-୧୦ରେ ବ୍ୟାଟିଂ କରି ଟେଷ୍ଟରେ ଅର୍ଦ୍ଧଶତକ ହାସଲ କରିବାରେ ସେ ଜିମ୍ବାୱେର ପ୍ରଥମ ବ୍ୟାଟର ହୋଇଛନ୍ତି। ଆଫଗାନିସ୍ତାନ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ତାଙ୍କର ଏହି ଲଢ଼ୁଆ ଇନିଂସ ଜିମ୍ବାୱେର ସ୍ଥିତିକୁ ମଜଭୁତ କରିଛି।
ନଭେମ୍ବର ୧୬ ତାରିଖରେ ଶାରଜା କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟର ଚତୁର୍ଥ ଦିନରେ ମୁଜାରାବାନି ଏହି କୀର୍ତ୍ତିମାନ ହାସଲ କରିଥିଲେ। ଦ୍ୱିତୀୟ ଇନିଂସରେ ନମ୍ବର-୧୦ରେ ବ୍ୟାଟିଂ କରିବାକୁ ଆସି ସେ ମାତ୍ର ୬୩ଟି ବଲ୍ରୁ ନିଜର ପ୍ରଥମ ଟେଷ୍ଟ ଅର୍ଦ୍ଧଶତକ ପୂରଣ କରିଥିଲେ। ହସମତୁଲ୍ଲା ଶାହିଦିଙ୍କ ବଲରେ ଚୌକା ମାରି ଇନିଂସର ୮୦ତମ ଓଭରର ଶେଷ ବଲରେ ସେ ଏହି ମାଇଲଖୁଣ୍ଟ ଛୁଇଁଥିଲେ।
ଏହା ପୂର୍ବରୁ ଜିମ୍ବାୱେ ପକ୍ଷରୁ ଟେଷ୍ଟରେ ନମ୍ବର-୧୦ରେ ବ୍ୟାଟିଂ କରି ସର୍ବାଧିକ ରନ କରିବାର ରେକର୍ଡ ଡୋନାଲ୍ଡ ତିରିପାନୋଙ୍କ ନାମରେ ଥିଲା। ୨୦୧୬ ଜୁଲାଇରେ ହରାରେଠାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ସେ ୧୬୨ଟି ବଲ୍ରୁ ଅପରାଜିତ ୪୯ ରନ କରିଥିଲେ। କିନ୍ତୁ ମୁଜାରାବାନି ଅପରାଜିତ ୫୫ ରନ କରି ଏହି ରେକର୍ଡକୁ ପଛରେ ପକାଇଛନ୍ତି।
ଜିମ୍ବାୱେ ପାଇଁ ନମ୍ବର-୧୦ରେ ସର୍ବାଧିକ ଟେଷ୍ଟ ସ୍କୋର
– ବ୍ଲେସିଂ ମୁଜାରାବାନି ୫୫* ବନାମ ଆଫଗାନିସ୍ତାନ (୨୦୨୬)
– ଡୋନାଲ୍ଡ ତିରିପାନୋ ୪୯* ବନାମ ନ୍ୟୁଜିଲାଣ୍ଡ (୨୦୧୬)
-ବ୍ଲେସିଂ ମୁଜାରାବାନି ୪୭ ବନାମ ଆୟର୍ଲାଣ୍ଡ (୨୦୨୫)
କେବଳ ବ୍ୟକ୍ତିଗତ ରେକର୍ଡ ନୁହେଁ, ଦଳର ସ୍କୋରକୁ ଆଗକୁ ବଢ଼ାଇବାରେ ମଧ୍ୟ ମୁଜାରାବାନିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ସେ ଗ୍ରେମ କ୍ରିମରଙ୍କ ସହ ମିଶି ନବମ ଉଇକେଟ ପାଇଁ ୧୪୫ଟି ବଲ୍ରୁ ୮୦ ରନ ଯୋଡ଼ିଥିଲେ। କ୍ରିମର ୭୭ଟି ବଲ୍ରୁ ୨୫ ରନ କରିଥିଲେ।
ଚତୁର୍ଥ ଦିନର ପ୍ରଥମ ସେସନ୍ରେ ଏହି ଭାଗୀଦାରି ଜିମ୍ବାୱେକୁ ୧୭୭/୮ରୁ ଲଞ୍ଚ ସୁଦ୍ଧା ୨୫୭/୮ରେ ପହଞ୍ଚାଇଥିଲା। ପରେ ଜିମ୍ବାୱେ ୨୯୫/୯ ସ୍କୋରରେ ଦ୍ୱିତୀୟ ଇନିଂସ ଘୋଷଣା କରିଥିଲା। ଫଳରେ ଆଫଗାନିସ୍ତାନ ସମ୍ମୁଖରେ ବିଜୟ ପାଇଁ ୪୧୮ ରନ୍ର ବଡ଼ ଲକ୍ଷ୍ୟ ରହିଥିଲା।
ମୁଜାରାବାନି ଏହି ଇନିଂସରେ ୯୩ଟି ବଲ୍ରେ ସାମ୍ନା କରି ୫୯ ରନ କରିଥିଲେ। ତାଙ୍କ ବ୍ୟାଟ୍ରୁ ୧୦ଟି ଚୌକା ଓ ଗୋଟିଏ ଛକା ଆସିଥିଲା। ଜଣେ ଦ୍ରୁତ ବୋଲର ହୋଇ ମଧ୍ୟ ଚାପପୂର୍ଣ୍ଣ ପରିସ୍ଥିତିରେ ଏଭଳି ବ୍ୟାଟିଂ କରି ସେ ଜିମ୍ବାୱେ କ୍ରିକେଟ ପାଇଁ ଏକ ସ୍ମରଣୀୟ ରେକର୍ଡ ସୃଷ୍ଟି କରିଛନ୍ତି।
Dharitri – Odisha’s No.1 Odia Daily

