ଜଣେ ବ୍ୟକ୍ତିର ଦୈନନ୍ଦିନ ଚଳଣି ଓ ପରିବାର ପରିଚାଳନା ମୁଖ୍ୟତଃ ତା’ର ଆର୍ଥିକ ସ୍ବାସ୍ଥ୍ୟ ଉପରେ ନିର୍ଭର କରେ। ସେ କରୁଥିବା ରୋଜଗାରର ମୁଖ୍ୟ ଭାଗ ଯଦି ତା’ର ଖାଦ୍ୟସାମଗ୍ରୀ, ପୋଷାକ ପରିଚ୍ଛଦ ଓ ପରିବହନ ବ୍ୟୟରେ ଚାଲିଯାଏ, ତାହା ହେଲେ ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟଠାରୁ ଆରମ୍ଭ କରି ପିଲାଛୁଆଙ୍କ ପଢ଼ା ଓ ଭବିଷ୍ୟତ ଯୋଜନା ନଷ୍ଟ ହେବା ନିଶ୍ଚିତ। ଏହି କଥା ଏଠାରେ ଅବତାରଣା କରିବା ଆବଶ୍ୟକ ହୋଇଛି କାରଣ ଭାରତରେ ଏବେ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଲାଣି। ଅତ୍ୟାବଶ୍ୟକ ସାମଗ୍ରୀ ଦର ବହୁ ମାତ୍ରାରେ ବଢ଼ିଯାଇଥିବାରୁ ଅକ୍ଟୋବରରେ ଖାଦ୍ୟ ମୁଦ୍ରାସ୍ଫୀତି ୮.୯୪ ପ୍ରତିଶତରେ ପହଞ୍ଚତ୍ୟାଇଛି। ଏହା ସେପ୍ଟେମ୍ବରରେ ଥିଲା ୭.୭୪ ପ୍ରତିଶତ। ଧନୀ ଲୋକଙ୍କୁ ଏହା କେବଳ ସଂଖ୍ୟା ଭାବେ ଦିଶିପାରେ। କିନ୍ତୁ ଖଟିଖିଆ କିମ୍ବା ସାଧାରଣ ପରିବାରର ମୁରବି ବୁଝିପାରୁଥିବେ ଯେ ଏହି ସଂଖ୍ୟା କେତେ କଷ୍ଟ ଦେଉଛି। ଭାରତର ଖୁଚୁରା ମୁଦ୍ରାସ୍ଫୀତି ଗତ ଦୁଇ ବର୍ଷ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିବା ଲୋକଙ୍କ କ୍ରୟ ଶକ୍ତି ହ୍ରାସ ଏବଂ ଘରର ବଜେଟ ଉପରେ ଚାପ ପଡୁଥିବା ସୂଚାଉଛି। ଗତ ମାସରେ ଖାଉଟି ମୂଲ୍ୟ ସୂଚକାଙ୍କ (ସିପିଆଇ) ଅନୁଯାୟୀ ମୁଦ୍ରାସ୍ଫୀତି ୬.୦୯% ରେକର୍ଡ କରାଯାଇଛି, ଯାହା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ର ସର୍ବୋଚ୍ଚ ସହନଶୀଳ ସୀମା ୬% କୁ ଅତିକ୍ରମ କରିଛି। ଅକ୍ଟୋବରରେ ରେପୋ ହାର ୫.୫%କୁ ବୃଦ୍ଧି କରାଯିବା ପରେ ଆସନ୍ତା ମାସ ପ୍ରାରମ୍ଭରେ ହେବାକୁ ଥିବା ମୁଦ୍ରାନୀତି କମିଟି (ଏମ୍ପିସି) ବୈଠକରେ ଏହା ପୁଣିଥରେ ବୃଦ୍ଧି ପାଇବାର ଆଶଙ୍କା ସୃଷ୍ଟି ହେଲାଣି ବୋଲି ବିଶେଷଜ୍ଞମାନେ ମତ ଦେଲେଣି। ଖାଦ୍ୟସାମଗ୍ରୀ ଉଚ୍ଚ ଦରରେ କିଣୁଥିବା ଉପଭୋକ୍ତା ଋଣ କରିଥିଲେ ମାସିକ କିସ୍ତି ବା ଇଏମ୍ଆଇ ବଢ଼ିଯାଇଥିବାରୁ ଆହୁରି ହନ୍ତସନ୍ତ ହେଉଛି। କହିବାକୁ ଗଲେ ସାଧାରଣ ନାଗରିକ ଏବେ ଆର୍ଥିକ କଷ୍ଟ ଦେଇ ଗତି କରୁଛି।
ଭାରତରେ ଏବେ କୌଣସି ଆର୍ଥିକ ନୀତି ନ ଥିବାରୁ ଲୋକେ ସାମଗ୍ରୀ କିଣିଲା ବେଳେ ଅତ୍ୟଧିକ ଦରଦାମର ସମ୍ମୁଖୀନ ହେଉଛନ୍ତି। ଅତୀତକୁ ଗଲେ ଜଣାପଡ଼େ ଯେ କେନ୍ଦ୍ରରେ ଶାସନ କରୁଥିବା ଭାରତୀୟ ଜନତା ପାର୍ଟି (ଭାଜପା)ର ମୂଳ ସଙ୍ଗଠନ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍ଏସ୍ଏସ୍)ର କୌଣସି ଆର୍ଥିକ ଦୂରଦୃଷ୍ଟି ନ ଥିଲା। ଏହା ଏକ ସାମାଜିକ ସଙ୍ଗଠନ ଭାବେ ଉଦ୍ଭବ ହୋଇଥିଲା। ତାହାର ଚିନ୍ତାଧାରାକୁ କେହି ପସନ୍ଦ ବା ନାପସନ୍ଦ କରିପାରନ୍ତି। କିନ୍ତୁ ଏହା ଜଣାଶୁଣା ଯେ, ଆର୍ଏସ୍ଏସ୍ର କୌଣସି ରାଜନୈତିକ ଉଦ୍ଦେଶ୍ୟ ନ ଥିଲା। ସଙ୍ଗଠନର ଅନ୍ୟତମ ପ୍ରଭାବୀ ବ୍ୟକ୍ତି ଥିବା ଏମ୍.ଏସ୍. ଗୋଲଓ୍ବାଲକରଙ୍କ ‘ବଞ୍ଚ୍ ଅଫ୍ ଥଟ୍ସ’ରେ ଅର୍ଥନୈତିକ ଦିଗକୁ ଗୁରୁତ୍ୱ ଦିଆଯାଇ ନ ଥିବା ଦେଖାଯାଇଛି। ଆର୍ଏସ୍ଏସ୍ର ଚିନ୍ତାଧାରା ଉପରେ ଆଧାରିତ ଭାଜପା ଯେତେବେଳେ କ୍ଷମତାକୁ ଆସିଲା, ତାହା ମଧ୍ୟ ବୈଦେଶିକ ଓ ଅର୍ଥନୈତିକ ଦିଗକୁ ଗୁରୁତ୍ୱ ଦେବାରେ ସକ୍ଷମ ହେଲା ନାହିଁ। କାହାର ବ୍ୟକ୍ତିଗତ ସମ୍ପର୍କକୁ ନେଇ ଯେଭଳି ବୈଦେଶିକ ନୀତି ଗଢ଼ାଯାଇ ନ ଥାଏ, ସେହିପରି ଦୁଇ ତିନି ଜଣ ଶିଳ୍ପପତିଙ୍କ ଉନ୍ନତିରେ ସମଗ୍ର ଦେଶବାସୀଙ୍କ ଉନ୍ନତି ହୋଇ ନ ଥାଏ।
ଏହାର ଜ୍ୱଳନ୍ତ ଉଦାହରଣ ହେଲା ଓଡ଼ିଶା। ୨୦୨୫-୨୬ ରାଜ୍ୟ ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁଯାୟୀ, ଓଡ଼ିଶାର ପର୍ କାପିଟା ଇନ୍କମ୍ ବା ମୁଣ୍ଡପିଛା ଆୟ ରହିଛି ୧, ୮୬, ୭୬୧ ଟଙ୍କା। ହେଲେ ଏହି ଆୟର ପରିମାଣ ପ୍ରତ୍ୟେକ ନାଗରିକ ରୋଜଗାର କରୁ ନାହିଁ। ଓଡ଼ିଶାରେ କାର୍ଯ୍ୟ କରୁଥିବା ବଡ଼ ଖଣି ମାଲିକ ଓ ଜାତୀୟ ସ୍ତରର ଶିଳ୍ପପତିମାନଙ୍କ ଦ୍ୱାରା ଦିଆଯାଉଥିବା ଜିଏସ୍ଟି ଭଳି ଟିକସ ଆମ ରାଜ୍ୟର ମୁଣ୍ଡ ପିଛା ଆୟକୁ ଏହି ସ୍ତରରେ ଆଣି ପହଞ୍ଚାଇଛି। ଏଭଳି ତଥ୍ୟ ରାଜ୍ୟର ଗ୍ରାମବାସୀଙ୍କ ପାଖରେ ଭ୍ରାନ୍ତ ଧାରଣା ସୃଷ୍ଟି କରିବ।
ଏ ଦେଶରେ ଯେଉଁ କିଛି ଅର୍ଥନୈତିକ ପ୍ରଗତି ଘଟିଛି ତାହା କଂଗ୍ରେସ କିମ୍ବା ଭାଜପା କରିନାହାନ୍ତି। ପୂର୍ବ ଭଳି ଆଜିର ପ୍ରତ୍ୟେକ ନାଗରିକଙ୍କ ଝାଳବୁହା ପରିଶ୍ରମରେ ଏ ଦେଶର ଅର୍ଥନୀତି ଗଢ଼ିଉଠିଛି। ଆଜିର ସରକାର ପୂର୍ବର ସବୁ ପ୍ରୟାସକୁ ନାକଚ ବା ସ୍ବୀକାର କରୁ ନ ଥିବା ଦେଖାଯାଉଛି। ଏହି ମାନସିକତା ପୂର୍ବ ରାଜନୈତିକ ନେତୃତ୍ୱର ପ୍ରୟାସକୁ ଅସ୍ବୀକାର କରିବା ସହ ଭାରତର ସବୁ ପରିବାର ଉଦ୍ୟମକୁ ଅଣଦେଖା କରୁଛି। ଏବର ସରକାରଙ୍କ ଏଭଳି ଭାବନା ବଦ୍ଧମୂଳ ହୋଇଯାଇଥିବାରୁ ଭାରତର କେହି ପଡ଼ୋଶୀ ନ ଥିବା ବେଳେ ବନ୍ଧୁ ରାଷ୍ଟ୍ର ସୃଷ୍ଟି ହୋଇପାରୁ ନାହାନ୍ତି। ତାହାର ପ୍ରମାଣ ‘ଅପରେଶନ ସିନ୍ଦୂର’ ବେଳେ ସମସ୍ତେ ପାଇଲେ। ଅର୍ଥନୈତିକ ଦିଗକୁ ଦେଖିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଭାରତ ଉପରେ ୧୦୦ ପ୍ରତିଶତ ଟାରିଫ୍ ଭୟ ଦେଖାଇ କିଲିବିଲା ସ୍ଥିତି ସୃଷ୍ଟି କରିଦେଉଛନ୍ତି। ପଡ଼ୋଶୀ ଚାଇନା ସହ ଭାରତର ବାଣିଜି୍ୟକ ନିଅଣ୍ଟରେ ବଡ଼ ତଫାତ୍ ରହିଛି। ୨୦୨୫-୨୬ ଆର୍ଥିକ ବର୍ଷରେ ଚାଇନା ସହ ଭାରତର ବାଣିଜି୍ୟକ ନିଅଣ୍ଟ ବୃଦ୍ଧି ପାଇ ୧୧୨.୧୬ ବିଲିୟନ ଡଲାରରେ ପହଞ୍ଚିଛି, ଯାହା ୨୦୨୪-୨୫ରେ ୯୯.୨୧ ବିଲିୟନ ଡଲାର ଥିଲା।
ଆଜିର ଭୂରାଜନୈତିକ ସ୍ଥିତିରେ ଉପରଲିଖିତ ପ୍ରତ୍ୟେକଟି ବିଷୟକୁ ତର୍ଜମା କଲେ ଭାରତର ପଲା ତଳକୁ ଚାଲିଯାଉଛି। ତେଣୁ ଭାରତରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବା ପାଇଁ ମୁଦ୍ରାନୀତିର କଠୋରତା, ବିତ୍ତୀୟ ଶୃଙ୍ଖଳା ଏବଂ ଯୋଗାଣଭିତ୍ତିକ ସଂସ୍କାରର ଏକ ସନ୍ତୁଳିତ ମିଶ୍ରଣ ଆବଶ୍ୟକ। କାରଣ ଅତ୍ୟଧିକ ଚାହିଦା ଭଳି ଖାଦ୍ୟ ଏବଂ ଇନ୍ଧନ ଜନିତ ଅଭାବ ମଧ୍ୟ ସାମଗ୍ରିକ ଦରଦାମକୁ ପ୍ରଭାବିତ କରିଥାଏ।
ରଣନୀତିକ ବୈଦେଶିକ ମୁଦ୍ରା ବଜାର ହସ୍ତକ୍ଷେପ ମାଧ୍ୟମରେ ଟଙ୍କାର ଅବମୂଲ୍ୟାୟନକୁ ରୋକାଯାଇପାରନ୍ତା। ସେଥିପାଇଁ ଭାରତ ଆମଦାନୀ ଅପେକ୍ଷା ରପ୍ତାନି ଉପରେ ଗୁରୁତ୍ୱ ଦେବା ଦରକାର। କୁହାଯାଇପାରେ ଯେ, ଭାରତରେ ବିରାଟ ଉପଭୋକ୍ତା ବଜାର ରହିଛି। କିନ୍ତୁ ତାହାକୁ ଚାଇନା ଗିଳି ଦେଉଛି। ସେଥିପାଇଁ ସୁଚିନ୍ତିତ ନୀତି ପ୍ରସ୍ତୁତ କରାଯିବା ଉଚିତ। ଚାଇନା ସାମଗ୍ରୀ ବର୍ଜନ ସ୍ଲୋଗାନ କେବଳ ଲୋକଦେଖାଣିଆ ରହିଛି। ସରକାର ଚାଇନା ସାମଗ୍ରୀ ବିରୋଧୀ ନୀତି ଆପଣାଇବାକୁ ଭୟ କରୁଛନ୍ତି। ଭାରତରେ ଲୋକେ ଆବଶ୍ୟକ କରୁଥିବା ଦ୍ରବ୍ୟ ନ ପାଇଲେ ଚାଇନା ସାମଗ୍ରୀ କିଣି ନିଜ ଦରକାର ମେଣ୍ଟାଉଛନ୍ତି। ତେଣୁ ଏଠାକାର ସାମଗ୍ରୀ ବିଶ୍ୱ ପ୍ରତିଦ୍ୱନ୍ଦ୍ୱିତା କରିବାରେ କେତେ ସକ୍ଷମ ହୋଇଛି ତାହା ମଧ୍ୟ ଦେଖାଯିବା ଦରକାର। ମୁହଁରେ ‘ମେକ୍ ଇନ୍ ଇଣ୍ଡିଆ’ କହିଦେଲେ ଭାରତ ବଜାରରେ ସାମଗ୍ରୀ ଉଚିତ ମୂଲ୍ୟରେ ମିଳିଯିବ ନାହିଁ। କ୍ଷୁଦ୍ର ଓ ମଧ୍ୟମ ଶିଳ୍ପକୁ ବିମୁଦ୍ରୀକରଣ ବେଳେ ସମ୍ପୂର୍ଣ୍ଣ ଭାବେ ମାରିଦିଆଗଲା। ତା’ପରେ ଯେଉଁଭଳି ଭାବେ ଭାରତର ମୁଦ୍ରା ସହିତ ସରକାର ଖେଳିଲେ, ତାହା ଆଜି ଦେଶକୁ ଭୋଗିବାକୁ ପଡୁଛି। ସେଥିପାଇଁ ସରକାରଙ୍କ ତରଫରୁ ଏକ ନୂଆ ଅର୍ଥନୈତିକ ଚିନ୍ତାଧାରା ଲୋଡ଼ା।

