ନୂଆଦିଲ୍ଲୀଠାରେ ମିଳିତ ଜାତିସଂଘ ତରଫରୁ ୨୦୨୪ ନଭେମ୍ବରରେ ଯେଉଁ ଅନ୍ତର୍ଜାତୀୟ ସମବାୟ ସମ୍ମିଳନୀ କରାଯାଇଥିଲା ତାହାର ନିଷ୍କର୍ଷକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସମବାୟ ମନ୍ତ୍ରଣାଳୟ ଯୋଜନାମାନ ଆରମ୍ଭ କରିଛି। ଯୋଜନାଗୁଡ଼ିକ ମଧ୍ୟରୁ ନିକଟରେ ସମବାୟରେ ମଡେଲ୍ ମାନବ ସମ୍ବଳ ନୀତି ପ୍ରଣୟନ କରାଯାଇଛି। ପ୍ରାଥମିକ କୃଷି ସମବାୟ ସମିତିର କର୍ମଚାରୀଙ୍କ ସଂଖ୍ୟା ମାନଦଣ୍ଡ ବ୍ୟବସାୟ ପରିମାଣ ସହିତ ଯୋଡ଼ାଯାଇଛି। ମଡେଲ୍ ମାନବ ସମ୍ବଳ ନୀତିରେ ଷ୍ଟାଫ୍ ନିଯୁକ୍ତି, ପାରିତୋଷିକ, ବୃତ୍ତକରେ ଅଗ୍ରଗତି, କାର୍ଯ୍ୟଦକ୍ଷତା ମୂଲ୍ୟାଙ୍କନ ଏବଂ କର୍ମଚାରୀ କଲ୍ୟାଣ ପାଇଁ ଏକ ସୁସଂଗଠିତ ଢାଞ୍ଚା ପ୍ରଦାନ କରାଯାଇଛି। ଏହି ଖସଡ଼ା ନୀତିର ଏକ ବିଶେଷତା ହେଉଛି ବାର୍ଷିକ ବ୍ୟବସାୟ ଆଧାରରେ ପ୍ରାଥମିକ କୃଷିଋଣ ସମବାୟ ସମିତି ଓ ଲ୍ୟାମ୍ପ୍ସଗୁଡ଼ିକର ଶ୍ରେଣୀବିଭାଗ ସ୍ଥିର କରିବା। ସମଗ୍ର ଦେଶରେ ଏକ ନୀତି ନିର୍ଦ୍ଧାରଣକୁ ବିଚାରକୁ ନେଇ ଗତ ତିନିବର୍ଷର ମୋଟ ଋଣ ଓ ଅଣଋଣ ବ୍ୟବସାୟର ହାରାହାରି ଆଧାରରେ ସମିତିଗୁଡ଼ିକୁ ଏ+ରୁ ଏଫ୍ ପର୍ଯ୍ୟନ୍ତ ସାତଟି ବର୍ଗରେ ବିଭକ୍ତ କରାଯାଇ ପ୍ରତ୍ୟେକ ବର୍ଗପାଇଁ ସର୍ବନିମ୍ନ କର୍ମଚାରୀଙ୍କ ସଂଖ୍ୟା ନିର୍ଦ୍ଧାରଣ କରାଯାଇଛି।
(୧) ୧୦ କୋଟି ଟଙ୍କାରୁ ଅଧିକ ବ୍ୟବସାୟ କରୁଥିବା ଏ+ ପାକ୍ସରେ ସର୍ବନିମ୍ନ ସାତଜଣ କର୍ମଚାରୀ ଯଥା ସମ୍ପାଦକ, ପରିଚାଳକ, ଆକାଉଣ୍ଟାଣ୍ଟ ବା ଆସିଷ୍ଟାଣ୍ଟ ଏକ୍ଜିକ୍ୟୁଟିଭ୍, ଦୁଇଜଣ ସମିତି ବିଶେଷଜ୍ଞ ଏବଂ ଦୁଇଜଣ କିରାଣି କିମ୍ବା ଡାଟା ଏଣ୍ଟ୍ରି ଅପରେଟର ଏହିପରି ମୋଟ ସାତଜଣ କର୍ମଚାରୀ ନିଯୁକ୍ତି ପାଇପାରିବେ। (୨) ୫ କୋଟି ଟଙ୍କାରୁ ୧୦ କୋଟି ଟଙ୍କା ବ୍ୟବସାୟ କରୁଥିବା ବିଭିନ୍ନ ବର୍ଗରୁ ୬ ଜଣ କର୍ମଚାରୀ, (୩) ୩ କୋଟି ଟଙ୍କାରୁ ୫ କୋଟି ଟଙ୍କା ବ୍ୟବସାୟ କରୁଥିବା ସମିତିରେ ୫ଜଣ, (୪) ୧ କୋଟି ଟଙ୍କାରୁ ୩ କୋଟି ଟଙ୍କା ବ୍ୟବସାୟ କରୁଥିବା ସମିତିରେ ୪ଜଣ, (୫) ୫୦ ଲକ୍ଷ ଟଙ୍କାରୁ ୧ କୋଟି ଟଙ୍କା ବ୍ୟବସାୟ କରୁଥିବା ସମିତିରେ ୩ ଜଣ, (୬) ୨୫ ଲକ୍ଷ ଟଙ୍କାରୁ କମ୍ ବ୍ୟବସାୟ ଓ (୭) ୨୫ ଲକ୍ଷ ଟଙ୍କାରୁ ୫୦ ଲକ୍ଷ ଟଙ୍କା ବ୍ୟବସାୟ କରୁଥିବା ସମିତିଗୁଡ଼ିକରେ ଅତି କମ୍ରେ ୨ ଜଣ କର୍ମଚାରୀ ନିଯୁକ୍ତି କରିବା ପାଇଁ ବ୍ୟବସ୍ଥା ଅଛି। ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟବସାୟ କରୁଥିବା ପାକ୍ସ ଓ ଲ୍ୟାମ୍ପ୍ସରେ ନିର୍ଦ୍ଦିଷ୍ଟ ସର୍ତ୍ତ ଅଧୀନରେ ଏକ ସାମୂହିକ ଅଂଶ ଭାଜନ ସମ୍ପାଦକ ରଖାଯିବା ପାଇଁ ବ୍ୟବସ୍ଥା ଥିଲେ ମଧ୍ୟ ମେକର-ଚେକର ନୀତି ଅନୁସାରେ ମୋଟ୍ କର୍ମଚାରୀଙ୍କ ସଂଖ୍ୟା ୨ ଜଣରୁ କମ୍ ହୋଇପାରିବ ନାହିଁ। ଏହି ମଡେଲ୍ ନୀତିରେ ବ୍ୟବସାୟ ବୃଦ୍ଧି ସହିତ ମାନବ ଶକ୍ତି ବିସ୍ତାରକୁ ମଧ୍ୟ ଯୋଡ଼ାଯାଇଛି। ନିର୍ଦ୍ଦିଷ୍ଟ ବ୍ୟବସାୟ ସୀମା ଅତିକ୍ରମ କଲେ ଅତିରିକ୍ତ କିରାଣି ବା ଡାଟା ଏଣ୍ଟ୍ରି ଅପରେଟର, ସମିତି ବିଶେଷଜ୍ଞ କିମ୍ବା ପ୍ରବନ୍ଧନ ବା ଆକାଉଣ୍ଟିଂ ଷ୍ଟାଫ୍ ନିଯୁକ୍ତ କରାଯାଇପାରିବ। ତଥାପି ଏଥିପାଇଁ ଏକ ଆର୍ଥିକ ରୋଡମ୍ୟାପ୍ ଆବଶ୍ୟକ, ଯେଉଁଥିରେ ଦର୍ଶାଯିବ ଯେ ୩ ବର୍ଷ ମଧ୍ୟରେ ସମିତିର ନିଜସ୍ବ ରାଜସ୍ବରୁ ଦରମା ଓ ପ୍ରଶାସନିକ ଖର୍ଚ୍ଚ ଭରଣା କରାଯିବ। ନିର୍ଦ୍ଧାରିତ ମାନଦଣ୍ଡରୁ ଅଧିକ ନିଯୁକ୍ତି ଆବଶ୍ୟକ ହେଲେ ଜିଲାସ୍ତରୀୟ ପାକ୍ସ କମିଟିର ଅନୁମୋଦନ ଆବଶ୍ୟକ।
ନିଯୁକ୍ତି ପ୍ରକ୍ରିୟାକୁ ଯୋଗ୍ୟତା ଆଧାରିତ କରାଯାଇଛି। ଲିଖିତ ପରୀକ୍ଷା ଓ ସାକ୍ଷାତ୍କାର ମାଧ୍ୟମରେ ନିଯୁକ୍ତି ଦିଆଯିବ ଏବଂ ସ୍ବୀକୃତି ସହକାରୀ କ୍ଷେତ୍ରର ଯୋଗ୍ୟତାକୁ ଅତିରିକ୍ତ ଗୁରୁତ୍ୱ ଦିଆଯିବ। ସ୍ବାଧୀନ ଏଜେନ୍ସି କିମ୍ବା ରାଜ୍ୟ ସରକାରଙ୍କ ନିଯୁକ୍ତି ସଂସ୍ଥା ମାଧ୍ୟମରେ କର୍ମଚାରୀ ନିଯୁକ୍ତି କରାଯିିବ। ପାରିତୋଷିକ ପାଇଁ ତିନୋଟି ମଡେଲ୍ କରାଯାଇଛି। (୧) ସଂରଚିତ, (୨) ଦରମା ସ୍କେଲ୍ (ନିର୍ଦ୍ଦିଷ୍ଟ ପାରିତୋଷିକ) ଏବଂ (୩) କାର୍ଯ୍ୟଦକ୍ଷତା ଆଧାରିତ ପରିବର୍ତ୍ତନଶୀଳ ଦରମା। ରାଜ୍ୟଗୁଡ଼ିକ ନିଜ ସୁବିଧା ଅନୁସାରେ ଉପଯୁକ୍ତ ମଡେଲ୍ ଗ୍ରହଣ କରିପାରିବେ। ଜିଲାସ୍ତରୀୟ ପାକ୍ସ କମିିଟି ଷ୍ଟାପିଂ, ନିଯୁକ୍ତି, ପ୍ରଶିକ୍ଷଣ କାର୍ଯ୍ୟଦକ୍ଷତାର ମୂଲ୍ୟାଙ୍କନ, ସେବା ରେକର୍ଡ, ବଦଳି, ଶୃଙ୍ଖଳାଗତ ବିଷୟ, ସମୀକ୍ଷା ଅନୁପାଳନ ଓ ବ୍ୟବସାୟ ବିକାଶ ଯୋଜନା ଉପରେ ନଜର ରଖିବେ। ରାଜ୍ୟସ୍ତରୀୟ ପାକ୍ସ କମିଟି (ଏସ୍ଏଲ୍ପିସି) ରାଜ୍ୟସ୍ତରରେ ତଦାରଖ ଓ ଅନୁପାଳନ ନିଶ୍ଚିତ କରିବ। ଆର୍ଥିକ ସଙ୍କଟରେ ଥାଇ ବ୍ୟବହାର ଯୋଗ୍ୟ ସମିତିଗୁଡ଼ିକ ପାଇଁ ଏକ ଜିଲାସ୍ତରୀୟ ପାକ୍ସ ସହାୟତା ପାଣ୍ଠି ଗଠନର ପ୍ରସ୍ତାବ ରଖାଯାଇଛି।ଏହି ପାଣ୍ଠିରୁ ବ୍ୟବସାୟ ବିକାଶ ଯୋଜନା ଓ ଆର୍ଥିକ ସ୍ଥିରତା ଲକ୍ଷ୍ୟ ସହିତ ସୁଧମୁକ୍ତ ଋଣ କିମ୍ବା ସଫ୍ଟ ଋଣ ପ୍ରଦାନ କରାଯିବ।
ମଡେଲ୍ ମାନବସମ୍ବଳ ନୀତିରେ କାର୍ଯ୍ୟଦକ୍ଷତା ମୂଲ୍ୟାଙ୍କନ, ପ୍ରୋତ୍ସାହନ, କ୍ୟାରିୟର ଅଗ୍ରଗତି, କର୍ମଚାରୀ କଲ୍ୟାଣ, ଅବସର ସୁବିଧା, ପ୍ରଶିକ୍ଷଣ ଏବଂ ଇ-ପାକ୍ସ ପ୍ଲାଟ୍ଫର୍ମ ମାଧ୍ୟମରେ ସେବା ରେକର୍ଡର ଡିଜିଟାଲ୍ ରକ୍ଷଣାବେକ୍ଷଣ ବ୍ୟବସ୍ଥା କରାଯାଇଛି। ରାଜ୍ୟ ଅନିୟମିତ ଷ୍ଟାଫ୍ କମାଇବା ସହ ଦକ୍ଷତା ଅଭାବ ପୂରଣ କରିବା ଏବଂ ଜବାବ ଦେହିତା ବଢ଼ାଇବା ଲକ୍ଷ୍ୟରେ କାର୍ଯ୍ୟ କରିବେ। ଏହା ମାଧ୍ୟମରେ ତୃଣମୂଳ ସ୍ତରର ସମବାୟ ଅନୁଷ୍ଠାନଗୁଡ଼ିକରେ ଏକ ବୃତ୍ତିଗତ, ଡିଜିଟାଲ୍ ସକ୍ଷମ ଏବଂ ଆର୍ଥିକ ଭାବେ ସ୍ଥାୟୀ କର୍ମଶକ୍ତି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି।
ସମବାୟ ମନ୍ତ୍ରଣାଳୟ ଜିଲା କେନ୍ଦ୍ର ସମବାୟ ବ୍ୟାଙ୍କଗୁଡ଼ିକ ପାଇଁ ପ୍ରସ୍ତାବିତ ଏକ ଶ୍ରେଣୀ ଫ୍ରେମ ୱାର୍କ ସମୀକ୍ଷା ମନ୍ତ୍ରଣାଳୟର ସଚିବ ଡ. ଆଶିଷ କୁମାର ଭୁଟାନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଦେଶର ସମସ୍ତ ଜିଲା କେନ୍ଦ୍ର ସମବାୟ ବ୍ୟାଙ୍କଗୁଡ଼ିକର କାର୍ଯ୍ୟଦକ୍ଷତା ମୂଲ୍ୟାଙ୍କନ ପାଇଁ ଏକ ବସ୍ତୁନିଷ୍ଠ ଓ ସ୍ପଷ୍ଟ ବ୍ୟବସ୍ଥା ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଢାଞ୍ଚା ସମବାୟ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ସ୍ବଚ୍ଛତା ବଢ଼ାଇବା, ସୁସ୍ଥ ପ୍ରତିଯୋଗିତା ସୃଷ୍ଟି କରିବା ଏବଂ ସାମଗ୍ରିକ କାର୍ଯ୍ୟଦକ୍ଷତା ଉନ୍ନତି କରିବା ଲକ୍ଷ୍ୟରେ ପ୍ରସ୍ତାବ ରଖାଯାଇଛି। ପ୍ରସ୍ତାବିତ ଫ୍ରେମ୍ ୱାର୍କ ଅନୁସାରେ ବ୍ୟାଙ୍କ୍ଗୁଡ଼ିକୁ ୫ଟି ମୁଖ୍ୟ ପାରାମିଟର ଯଥା- (୧) ଆର୍ଥିକ କାର୍ଯ୍ୟଦକ୍ଷତା, (୨) କାର୍ଯ୍ୟକଳାପ ଓ ସେବା ପ୍ରଦାନ, (୩) ଅବସ୍ଥାପନା ଓ ସମ୍ପତ୍ତି, (୪) ସମୀକ୍ଷା ସ୍ଥିତି, (୫) ପ୍ରୋଫାଇଲ୍ ମାଧ୍ୟମରେ ଜିଲା କେନ୍ଦ୍ର ସମବାୟ ବ୍ୟାଙ୍କଗୁଡ଼ିକ ନିଜର ଦୁର୍ବଳ କ୍ଷେତ୍ରଗୁଡ଼ିକୁ ଚିହ୍ନଟ କରି ଉନ୍ନତି ଆଣିପାରିବେ। ରାଜ୍ୟଗୁଡ଼ିକ ଏସବୁ ନୀତିିକୁ ଠିକ୍ ଭାବରେ ଅନୁପାଳନ କଲେ ଏହି ପଦକ୍ଷେପ ସମବାୟ ବ୍ୟାଙ୍କିଙ୍ଗ୍ କ୍ଷେତ୍ରକୁ ଅଧିକ ଉତ୍ତରଦାୟୀ ଓ କାର୍ଯ୍ୟକ୍ଷମ କରିବାରେ ସାହାଯ୍ୟ କରିବ। ମାତ୍ର ଓଡ଼ିଶାରେ କେନ୍ଦ୍ର ସମବାୟ ମାନବସମ୍ବଳ ନୀତିର ବିପରୀତ ଦିଗରେ ସମବାୟ ବିଭାଗ କାର୍ଯ୍ୟ କରିବାର ନଜିର ରହିଛି। ମୂଳସ୍ତରରେ କାର୍ଯ୍ୟ କରୁଥିବା ସମବାୟ ନିରୀକ୍ଷକଙ୍କ ସଂଖ୍ୟା କମ୍ କରାଯାଇ ସହକାରୀ, ଉପ, ଯୁଗ୍ମ, ଅତିରିକ୍ତ ନିବନ୍ଧକଙ୍କ ସହିତ ସ୍ବତନ୍ତ୍ର ସଚିବ ସମବାୟ ସଂଖ୍ୟା ଆବଶ୍ୟକ ନ ଥାଇ ଯଥେଷ୍ଟ ମାତ୍ରାରେ ବୃଦ୍ଧି କରାଯାଇଛି। ମୂଳସ୍ତରରେ କାର୍ଯ୍ୟ କରୁଥିବା ପ୍ରାଥମିକ ସମିତିଗୁଡ଼ିକର ଦେଖାରଖା ବା ତଦାରଖ କାର୍ଯ୍ୟ ନ ହେବା ଫଳରେ ସମିତିର ସମ୍ପାଦକମାନେ ଦୁର୍ନୀତିରେ ଲିପ୍ତ ରହୁଛନ୍ତି। କେତେକ ସମିତି ସମ୍ପାଦକ ଋଣ ଲଗାଣ ଉପରେ ଗୁରୁତ୍ୱ ନ ଦେଇ ଧାନକିଣା ବ୍ୟବସାୟରେ ସମୟ ଦେଉଛନ୍ତି ଓ ପେପର୍ ଟ୍ରାଞ୍ଜାକ୍ଶନ ମାଧ୍ୟମରେ ଋଣ ଅସୁଲ ଏବଂ ଋଣ ଲଗାଣ କାର୍ଯ୍ୟ ସମାପ୍ତ କରି ରାଜ୍ୟ ସରକାରଙ୍କଠାରୁ ସୁଧମୁକ୍ତି ଯୋଜନାରେ ଅର୍ଥ ପାଉଛନ୍ତି। କେତେକ ପଞ୍ଚାୟତରେ ଗୋଟିଏ ସମବାୟ ସମିତିର ଯଥେଷ୍ଟ ମାତ୍ରାରେ ସଭ୍ୟ ନ ଥିଲେ ମଧ୍ୟ ସହକାରୀ ନିବନ୍ଧକ ଗୋଟିଏ ପଞ୍ଚାୟତରେ ଦୁଇଟି ସମିତି ପଞ୍ଜୀକରଣ କରିଛନ୍ତି। ଫଳରେ ଦୁଇଟିଯାକ ସମିତି ରୁଗ୍ଣ ଅବସ୍ଥାରେ କାର୍ଯ୍ୟ କରୁଛି। କେନ୍ଦ୍ର ନୀତିକୁ କାର୍ଯ୍ୟକାରୀ କରାଗଲେ ରୁଗ୍ଣ ସମବାୟ ସମିତିଗୁଡ଼ିର ପୁନରୁଦ୍ଧାର ହୋଇପାରିବ। ଓଡ଼ିଶା ରାଜ୍ୟ କେନ୍ଦ୍ର ସମବାୟ ମନ୍ତ୍ରଣାଳୟର ମାନବସମ୍ବଳ ନୀତିକୁ କଠୋର ଭାବେ ପାଳନ କଲେ ଓଡ଼ିଶା ଆଗାମୀ ୨୦୩୬ ସୁଦ୍ଧା ସମବାୟରେ ବିକଶିତ ସହିତ ଆତ୍ମନିର୍ଭର ହୋଇପାରିବ।
ପ୍ରତାପ ଚନ୍ଦ୍ର ସାମଲ
ମୋ:୯୦୯୦୬୬୧୫୮୬

