ପ୍ରଳୟ କାଳର ନାଉରିଆ

ସତ୍ୟବ୍ରତ ପାଣିଗ୍ରାହୀ

 

କୈବର୍ତ୍ତ ବା କେଉଟଙ୍କ ମୁଖ୍ୟ କାମ ମାଛ ଧରିବା ଏବଂ ନାଉରିଆ ସାଜି ନୌକାରେ ଲୋକଙ୍କୁ ନଦୀ ସାଗର ପାର କରାଇବା। କୈବର୍ତ୍ତ ଜାତିର କିମ୍ବଦନ୍ତୀକୁ ନେଇ ପଞ୍ଚସଖା ଯୁଗର କବି ଅଚ୍ୟୁତାନନ୍ଦ ଦାସ ରଚନା କରିଥିବା କୈବର୍ତ୍ତ ଗୀତା ଅନୁସାରେ ପ୍ରଳୟ କାଳରେ ଶୟନରତ ବିଷ୍ଣୁଙ୍କ କର୍ଣ୍ଣମଳିରୁ ଏକ ପୁରୁଷ ଜନ୍ମ ହେଲା, ଯାହାର ନାମ ଦାସରାଜ କୈବର୍ତ୍ତ। ନାଉରିଆ ଜାତିର ଏଭଳି ଅନେକ କିମ୍ବଦନ୍ତୀ ସହ ଯୋଡ଼ି ହୋଇରହିଛି ଦର୍ଶନ ଓ ବିଜ୍ଞାନ। କେଉଟ ଜାଲରେ ମାଛ ଫସିଲା ଭଳି ମଣିଷ ମଧ୍ୟ ଅତ୍ୟଧିକ ଲୋଭର ବଶବର୍ତ୍ତୀ ହୋଇ ପ୍ରକୃତିକୁ ଶୋଷଣ କରିବାର କୁପରିଣାମ ଏବେ ଭୋଗୁଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ତାପମାତ୍ରା ବୃଦ୍ଧି ଘଟି ବନ୍ୟା,ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ଆଶଙ୍କା ବଢୁଛି ଏବଂ ସମୁଦ୍ର ଜଳପତ୍ତନ ବୃଦ୍ଧିପାଉଛି। ତେବେ ଏହି ସମସ୍ୟା ନୂଆ ନୁହେଁ, ବରଂ ପ୍ରାଚୀନ ସାହିତ୍ୟରେ ମଧ୍ୟ ଏଭଳି ଜଳ ବିପର୍ଯ୍ୟୟ ବର୍ଣ୍ଣନା ରହିଛି। ଆଉ ସେହି ବନ୍ୟା ବିପର୍ଯ୍ୟୟ ସମୟରେ ନାଉରିଆର ନୌକା ହିଁ ଜୀବଜଗତର ରକ୍ଷା କରିବାରେ ସହାୟକ ହୋଇଛି। ଏଭଳି ଅନେକ କିମ୍ବଦନ୍ତୀ ରହିଛି, ଯେଉଁଥିରେ ପ୍ରଳୟ କାଳରେ ପୃଥିବୀରେ ସ୍ଥଳଭାଗକୁ ସମୁଦ୍ର ମାଡିଆସି ବିନାଶ ତାଣ୍ଡବ ରଚିଛି। ଏହି ସମୟରେ ନାଉରିଆ ଓ ନୌକା ହିଁ ଜୀବଜଗତ ଉଦ୍ଧାର କରିବାରେ ସାହାରା ହୋଇଛନ୍ତି। ହିନ୍ଦୁ, ଗ୍ରୀକ୍‌, ମେସୋପଟାମିଆ, ସୁମେରିଆନ, ବାଇବେଲ ଆଦିର ଜଳପ୍ଳାବନ କିମ୍ବଦନ୍ତୀ ବା ଫ୍ଲଡ୍‌ ମିଥ୍‌ରେ କେହି ଜଣେ ମହାନ୍‌ ନାୟକ ଈଶ୍ବରଙ୍କ ଆଦେଶରେ ନାଉରିଆ ସାଜି ଜୀବଜଗତର ରକ୍ଷା କରିଛନ୍ତି ଏବଂ ନୂତନ ସୃଷ୍ଟିର ଆରମ୍ଭ କରିଛନ୍ତି।
ଭାରତରେ ଷଷ୍ଠ ଶତାବ୍ଦୀର ଶତପଥ ବ୍ରାହ୍ମଣ ଏବଂ ପୁରାଣ ସାହିତ୍ୟରେ ବିନାଶକାରୀ ବନ୍ୟାପ୍ଳାବନର କାହାଣୀ ଉଲ୍ଲେଖ ଅଛି। ପ୍ରଳୟ ପୂର୍ବରୁ ଭଗବାନ ବିଷ୍ଣୁ ମତ୍ସ୍ୟ ଅବତାର ଧାରଣ କରି ବୈବସ୍ବତ ମନୁଙ୍କୁ ବନ୍ୟାପ୍ଳାବନ ସମ୍ପର୍କରେ ଚେତାବନୀ ଦେଇଥିଲେ। ବିଷ୍ଣୁଙ୍କ ପରାମର୍ଶ ଅନୁଯାୟୀ ମନୁ ଏକ ନୌକା ନିର୍ମାଣ କଲେ। ସେହି ନୌକାରେ ତାଙ୍କ ପରିବାର ସହ ସପ୍ତଋଷି, କିଛି ପଶୁପକ୍ଷୀ ଏବଂ ନଅ ପ୍ରକାରର ଶସ୍ୟ ବୀଜ ସାଙ୍ଗରେ ଧରି ହିମାବତ ପର୍ବତ ଉପରେ ଆଶ୍ରୟ ନେଇଥିଲେ। ବନ୍ୟା ପ୍ଲାବନ ଶେଷ ହେବା ପରେ ବଳକା ରହିଯାଇଥିବା ଭୂଭାଗରେ ପୁନଃ ଜୀବଜଗତ ବିସ୍ତାର କରିବାର ଉଦ୍ଦେଶ୍ୟ ନେଇ ମନୁ ସ୍ବୟଂ ନାଉରିଆ ସାଜିଥିଲେ ବୋଲି କିମ୍ବଦନ୍ତୀ ଅଛି। ଠିକ୍‌ ସମାନ କାହାଣୀ ବିଭିନ୍ନ ସଭ୍ୟତା ଓ ସାହିତ୍ୟରେ ଶୁଣିବାକୁ ମିଳେ। ଖ୍ରୀଷ୍ଟପୂର୍ବ ୨୦୦୦ ମସିହାର ସୁମେରିଆନ ଗ୍ରନ୍ଥ ଗିଲଗାମେସ କିମ୍ବଦନ୍ତୀରେ ବନ୍ୟାପ୍ଳାବନ କାହାଣୀ ଉଲ୍ଲେଖ ଅଛି। ଗ୍ରୀକ୍‌ ଈଶ୍ୱର ଇଆଙ୍କ ପରାମର୍ଶରେ ରାଜା ଉତନାପିସ୍ତିମ ନୌକା ନିର୍ମାଣ କରି ମଣିଷ ଜାତିକୁ ବନ୍ୟାପ୍ରଳୟରୁ ରକ୍ଷା କରିଥିଲେ। ବାଇବେଲର ବୁକ୍‌ ଅଫ ଜେନେସିସରେ ‘ନୋହାଙ୍କ ନୌକା’ କଥା ବର୍ଣ୍ଣିତ ଅଛି। ଈଶ୍ୱର ନୋହାଙ୍କୁ ବନ୍ୟାପ୍ଳାବନ ଯୋଗୁ ଜୀବଜଗତର ବିନାଶ ସମ୍ପର୍କରେ ସତର୍କ କରାଇଥିଲେ। ମଣିଷ ଜାତିର କୁକର୍ମ ଯୋଗୁ ଏଭଳି ବନ୍ୟା ପ୍ରଳୟ ଘଟିଥିଲା। ତେଣୁ ନୋହା କିଛି ଜୀବଙ୍କୁ ନିଜ ନୌକାରେ ବଞ୍ଚାଇ ରଖିଥିଲେ। ବନ୍ୟା ଶାନ୍ତ ହେବା ପରେ ପୁଣି ଏକ ନୂତନ ସୃଷ୍ଟିର ଆରମ୍ଭ ହୋଇଥିଲା, ଯାହାର ହିରୋ ଥିଲେ ନୋହା। ମେସୋପଟାମିଆ କିମୱଦନ୍ତୀରେ ମଧ୍ୟ ଏଭଳି କାହାଣୀ ଅଛି। ବୈବସ୍ବତ ମନୁ, ଗ୍ରୀକ୍‌ ରାଜା ଉତନାପିସ୍ତିମ, ନୋହା ହେଉଛନ୍ତି ଏହି କାହାଣୀଗୁଡ଼ିକର ଜଣେ ଜଣେ ନାୟକ। ସେହି ନାୟକମାନେ ହିଁ ନାଉରିଆ ସାଜି ପ୍ରଳୟ କାଳରେ ପୃଥିବୀରେ ମଣିଷ ଜାତିର ରକ୍ଷକ ଭାବେ ଉଭା ହୋଇଛନ୍ତି। ପ୍ରତ୍ୟେକ କିମ୍ବଦନ୍ତୀରେ ବନ୍ୟା ପ୍ରଳୟର କାରଣ ହେଉଛି ମଣିଷର କୁକର୍ମ ବ୍ୟତୀତ ଆଉ କିଛି ନୁହେଁ। ବର୍ତ୍ତମାନ ସମୟରେ ପ୍ରକୃତି ଉପରେ ମଣିଷର ଅକଥନୀୟ ଅତ୍ୟାଚାର ଯୋଗୁ ଜଳବାୟୁ ପରିବର୍ତ୍ତନ ଘଟୁଛି। ଏହାର କୁପରିଣାମ ଧୀରେ ଧୀରେ ସାମ୍ନାକୁ ଆସିବା ପରେ ମଣିଷ ମୁଣ୍ଡରେ ଚେତା ପଶିଛି। ତାପମାତ୍ରା ବୃଦ୍ଧି ଯୋଗୁ ବରଫ ତରଳି ସମୁଦ୍ର ଜଳପତ୍ତନ ବୃଦ୍ଧି ପାଉଛି। ସମୁଦ୍ର ଏବେ ସହରମୁହାଁ। ମୁମ୍ବାଇ ଭଳି ଅନେକ ସହର ସମୁଦ୍ରରେ ବୁଡ଼ିଯିବ ବୋଲି ୨୦୨୨ର ଆଇପିସିସି ରିପୋର୍ଟରେ ଦର୍ଶାଯାଇଛି। ଏଭଳି ଅସୁବିଧାରୁ ବର୍ତ୍ତିବା ପାଇଁ ଇଣ୍ଡୋନେସିଆ ନିଜର ରାଜଧାନୀ ପରିବର୍ତ୍ତନ କରୁଛି। ବର୍ତ୍ତମାନ ରାଜଧାନୀ ଜାକର୍ତ୍ତା ଭବିଷ୍ୟତରେ ଜଳମଗ୍ନ ହେବାର ଆଶଙ୍କା ଥିବାରୁ ବୋର୍ଣ୍ଣିଓକୁ ନୂଆ ରାଜଧାନୀ ସ୍ଥାନାନ୍ତର କରିବା ପାଇଁ ଯୋଜନା କରୁଛି ଇଣ୍ଡୋନେସିଆ। ଜଳ ବହୁଳେ ସୃଷ୍ଟି ନାଶର ସମସ୍ୟା ଉପୁଜିଛି। ପଞ୍ଚସଖା ଯୁଗର କବି ଅଚ୍ୟୁତାନନ୍ଦ ଦାସଙ୍କ ରଚିତ ମାଳିକା ବଚନରେ ଲେଖାଯାଇଥିବା ‘ବାଇଶି ପାହାଚେ ଖେଳିବ ମୀନ’ ଭବିଷ୍ୟବାଣୀ ସତ ହେବାର ଆଶଙ୍କା ଦେଖାଦେଇଛି। ଓଡ଼ିଶାର ଭଦ୍ରକ ଉପକୂଳରେ ଥିବା ୪ଟି ଦୀପ ଏବେ ସମୁଦ୍ର ଆଁ ଭିତରେ। ଗଞ୍ଜାମର ପୋଡ଼ମପେଟା ଗାଁ ମଧ୍ୟ ସମୁଦ୍ର ଭିତରେ ବୁଡ଼ିଯାଇଛି। କେନ୍ଦ୍ରାପଡ଼ାର ସାତଭାୟା ଗାଁରେ ସମୁଦ୍ର ମାଡ଼ିଆସିବା ଯୋଗୁ ସେଠାରେ ଜୀବନ ଜୀବିକାର ଚିହ୍ନବର୍ଣ୍ଣ ନାହିଁ। ଜଳବାୟୁ ପରିବର୍ତ୍ତନ ଏବଂ ସାତଭାୟା ବାସିନ୍ଦାଙ୍କ ସଂଘର୍ଷର କାହାଣୀକୁ ନିର୍ଦ୍ଦେଶକ ହିମାଂଶୁ ଖଟୁଆ ‘ଦ ସି ଆଣ୍ଡ ସେଭେନ ଭିଲେଜ’ ପ୍ରାମାଣିକ ଚଳଚ୍ଚିତ୍ରରେ ଦର୍ଶାଇଛନ୍ତି।
ଚଳିତ ବର୍ଷ ଲିବିୟାରେ ଡ୍ୟାମ୍‌ ଭାଙ୍ଗିଯାଇ ଭୟଙ୍କର ବନ୍ୟାରେ ମୃତ୍ୟୁସଂଖ୍ୟା ୨୦ ହଜାର ଟପିଥିବା ବେଳେ ୧୦ ହଜାରରୁ ଅଧିକ ଲୋକ ନିଖୋଜ ଅଛନ୍ତି। ବିଶ୍ୱ ଜଳବାୟୁ ସଂଗଠନର ମତ ଅନୁସାରେ ଜଳବାୟୁ ପରିବର୍ତ୍ତନ ଯୋଗୁ ଭୂମଧ୍ୟସାଗରରେ ‘ଡାନିଏଲ’ ନାମକ ଝଡ଼ ସୃଷ୍ଟି ହୋଇଥିଲା, ଯାହାର ପ୍ରଭାବରେ ଅତି ପ୍ରବଳ ବର୍ଷା ହୋଇ ଲିବିୟାରେ ବନ୍ୟା ପରିସ୍ଥିତି ଉପୁଜିଛି। ସମୟ ଚକ୍ରରେ ପଛକୁ ଫେରିଯାଇ ଦେଖିଲେ ଜଣାଯାଏ ଯେ, ପ୍ରାଚୀନ କିମ୍ବଦନ୍ତୀଗୁଡିକରେ ବନ୍ୟା ପ୍ଳାବନ ସମୟରେ ଜଣେ ଜଣେ ନାୟକ ନାଉରିଆ ସାଜି ଜୀବଜଗତର ରକ୍ଷା କରିଛନ୍ତି। କିନ୍ତୁ ବର୍ତ୍ତମାନ ଯୁଗରେ ମନୁଷ୍ୟକୃତ ଜଳବାୟୁ ପରିବର୍ତ୍ତନ ଯୋଗୁ ଭବିଷ୍ୟତରେ ହେବାକୁ ଥିବା ବନ୍ୟାରେ କେଉଁ ମହାନାୟକ ନାଉରିଆ ସାଜି ମାନବ ଜାତିର ଉଦ୍ଧାର କରିବେ, ତାହା ସମୟ ଆସିଲେ ହିଁ ଜଣାପଡ଼ିବ।
ଗୁଣପୁର, ରାୟଗଡ଼ା
ମୋ- ୬୩୭୧୬୮୪୬୯୯


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?