ପରିବେଶର ଇଞ୍ଜିନିୟର

ମାନେକା ଗାନ୍ଧୀ

କେରଳ ସରକାର ପାଥାନାମ୍‌ଥିତ୍ତା (Pathanamthitta)ରେ ଏକ ବାଘକୁ ମାରିବା ପାଇଁ ଶାର୍ପସୁଟର ମଗାଇଛନ୍ତି। ବାଘ ମାନବ ବସତି ନିକଟରେ ବନ୍ଧା ହୋଇଥିବା ଗୋରୁଙ୍କୁ ମାରିବାକୁ ଚେଷ୍ଟା କଲାବେଳେ ଜଣେ ଲୋକ ବାଧା ଦେବାରୁ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଲେଖା ପ୍ରକାଶ ପାଇବା ବେଳକୁ ବାଘଟି ବୋଧହୁଏ ବିନା ଦୋଷରେ ଗୁଳିମାଡ଼ରେ ମରିସାରିଥିବ।
କର୍ତ୍ତୃପକ୍ଷ ଏବଂ ଜଙ୍ଗଲ ବିଭାଗ ପାଥାନାମ୍‌ଥିତ୍ତାରେ ଚାଷୀମାନଙ୍କ ଅନୁରୋଧରେ ଛଅମାସ ଧରି ବନ୍ୟ ଘୁଷୁରିମାନଙ୍କୁ ହତ୍ୟା କଲେ। ବାଘର ଖାଇବା ପାଇଁ ଆଉ କିଛି ବାକି ରହିଲା ନାହିଁ। ତେଣୁ ସେ ବର୍ତ୍ତମାନ ଗୋରୁ ଉପରେ ଆକ୍ରମଣ କରୁଛି। ପ୍ରତ୍ୟେକ ଜାଗାରେ ଯେଉଁଠି ବାଘମାନେ ମଣିଷଖିଆ ବାଘରେ ପରିଣତ ହୋଇଛନ୍ତି, ଯେମିତି ଚନ୍ଦ୍ରପୁର, ୟାୱତମଲ ବା ପିଲିଭିତ୍‌- ସେଠି ଏହାର କାରଣ ହେଉଛି ଏହା ପୂର୍ବରୁ ମାସ ମାସ ଧରି ବନ୍ୟ ଘୁଷୁରିମାନଙ୍କୁ ବିଧିବଦ୍ଧ ଭାବେ ହତ୍ୟା କରାଯାଇଛି।
ବନ୍ୟ ଘୁଷୁରିମାନଙ୍କୁ ମାରିବା ହେଉଛି ସରକାରଙ୍କର ସବୁଠାରୁ ବଡ଼ ମୂର୍ଖତାପୂର୍ଣ୍ଣ କାର୍ଯ୍ୟ। ସେମାନେ ହେଉଛନ୍ତି ଭାରତର ମୁଖ୍ୟ ଇକୋସିଷ୍ଟମ୍‌ ଇଞ୍ଜିନିୟର। ସେମାନେ କେବଳ ବାଘମାନଙ୍କର ଖାଦ୍ୟ ନୁହନ୍ତି, ସେମାନଙ୍କର ବଡ଼ ଆକାର ଏବଂ ଖାଦ୍ୟ ପାଇଁ ବାରମ୍ବାର ମୂଳୋତ୍ପାଟନ ହେତୁ ଜଙ୍ଗଲ ଚଟାଣ ଉପରେ ଏହାର ପ୍ରଭାବ ପଡିଥାଏ। ମାଟିକୁ ତାଡ଼ି ଉପରତଳ କରି ବୀଜବପନ ପାଇଁ ସେମାନେ ଅନୁକୂଳ ପରିବେଶ ସୃଷ୍ଟି କରନ୍ତି। ସେମାନେ ବୀଜବିକ୍ଷେପରେ ମଧ୍ୟ ସାହାଯ୍ୟ କରନ୍ତି। କାରଣ ସେମାନେ ଖାଉଥିବା ଫଳର ମଞ୍ଜିଗୁଡ଼ିକ ପ୍ରାୟତଃ ସେମାନଙ୍କ ପେଟରେ ହଜମ ନ ହୋଇ ଅକ୍ଷୁଣ୍ଣ ଅବସ୍ଥାରେ ମଳବାଟେ ବାହାରିଯାଇଥାଏ ଏବଂ ଏଣେତେଣେ ପଡ଼ି ଗଛ ଉଠିଥାଏ। ସେମାନଙ୍କର ଅନ୍ୟତମ ତଥା ସବୁଠାରୁ ଉପଯୋଗୀ କାର୍ଯ୍ୟ ହେଉଛି ବ୍ରାକେନ୍‌ ବା ବଡ଼ ଫର୍ନକୁ ଖାଇବା, ଯାହାକୁ ଅନ୍ୟ କୌଣସି ପ୍ରଜାତି ଖାଇ ହଜମ କରିପାରନ୍ତି ନାହିଁ। ସେମାନେ ମଧ୍ୟ ଶଯ୍ୟା ତିଆରି କରିବା ପାଇଁ ଏହାକୁ ଖୋଳିପକାନ୍ତି। ଫଳରେ ଏହି ଫର୍ନଗୁଡ଼ିକ ଜଙ୍ଗଲ ଚଟାଣରେ ବିସ୍ତାର ଲାଭ କରି ଅନ୍ୟ ଗଛର ବଂଶବୃଦ୍ଧିକୁ ରୋକିପାରେ ନାହିଁ। କୀଟପତଙ୍ଗଙ୍କ ଶୂକ, ଜିଆ, ଶାମୁକା ଓ ଗେଣ୍ଡା ପ୍ରଭୃତି ବି ବନ୍ୟ ଘୁଷୁରିମାନଙ୍କର ଅନ୍ୟତମ ମୁଖ୍ୟ ଖାଦ୍ୟ।
କିନ୍ତୁ ବନ୍ୟ ଘୁଷୁରିଙ୍କ ବଂଶବୃଦ୍ଧି ନେଇ କୃଷକମାନେ ଅଭିଯୋଗ ଜାରି ରଖିଛନ୍ତି। ଏହାର କାରଣ ହେଉଛି ସରକାରଗୁଡ଼ିକ ବିଧିବଦ୍ଧ ଭାବେ ସମସ୍ତ ଗଧିଆକୁ ହତ୍ୟା କରିଛନ୍ତି। ୧୯୯୦ ଦଶକରେ ଜଣେ ମୂର୍ଖ ମୁଖ୍ୟ ବନ୍ୟପ୍ରାଣୀ ୱାର୍ଡେନ (ଅବସର ପରେ ସେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ହତ୍ୟା କରିଥିବା ହାତୀ ଓ ବାଘ ସଂଖ୍ୟାକୁ ନେଇ ଗର୍ବ କରିଥିଲେ) ଉତ୍ତରପ୍ରଦେଶରେ ଅବଶିଷ୍ଟ ଗଧିଆଙ୍କୁ ହତ୍ୟା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେଣୁ ବନ୍ୟ ଘୁଷୁରିମାନଙ୍କୁ ମାରି ଖାଉଥିବା ଶିକାରୀ ପ୍ରାଣୀଙ୍କ ସଂଖ୍ୟା କମିଯିବାରୁ ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇଲା।
ପ୍ରକୃତି ଏପରି ନିୟମରେ ବନ୍ଧା ଯେ ପ୍ରତ୍ୟେକ ଜିନିଷ ସହିତ ଅନ୍ୟ ଜିନିଷ ଜଡିତ। ଆପଣ ଗୋଟିଏ ପ୍ରାଣୀର କ୍ଷତି କଲେ ଏହାର ପ୍ରଭାବ ଅନ୍ୟତ୍ର ଅନୁଭୂତ ହୁଏ। ଯେପରି ଚାଇନାର ବନ୍ୟଜନ୍ତୁ ବଜାର ଏବଂ ଗୋଟିଏ ସହରରେ ଚାଇନାର ଘୃଣ୍ୟ ଖାଦ୍ୟ ଅଭ୍ୟାସ ଯୋଗୁ ବିଶ୍ୱବ୍ୟାପୀ ମହାମାରୀ ଭୂତାଣୁଙ୍କ ପ୍ରାଦୁର୍ଭାବ ଦେଖା ଦେଇଛି।
ବାହାମା ଏକ ଦ୍ୱୀପପୁଞ୍ଜ ଏବଂ ସମୁଦ୍ର ପତ୍ତନ ବୃଦ୍ଧି ପାଇଲେ ସମସ୍ତ ଦ୍ୱୀପ ପରି ସେଗୁଡ଼ିକ ବି ବୁଡ଼ିଯିବେ। ଅନେକ ଦ୍ୱୀପ ପୂର୍ବରୁ ଦ୍ୱାରକା ପରି ସମୁଦ୍ର ଭିତରେ ବୁଡ଼ିଯାଇଛନ୍ତି। ଗତ ଦଶବର୍ଷ ମଧ୍ୟରେ ସୁନ୍ଦରବନର ଦୁଇଟି ଦ୍ୱୀପ ବୁଡ଼ିଯାଇଛି। ସେହିସବୁ ଦ୍ୱୀପଗୁଡ଼ିକୁ ଉଚ୍ଚ ଜୁଆରରୁ ଏବଂ ପାର୍ଶ୍ୱଦେଶର କ୍ଷୟରୁ ରକ୍ଷା କରାଯିବା ଆବଶ୍ୟକ। ଏହି ଦ୍ୱୀପପୁଞ୍ଜଗୁଡ଼ିକ ମଧ୍ୟରୁ ଅଧିକାଂଶ ହେନ୍ତାଳବନ ଦ୍ୱାରା ସୁରକ୍ଷିତ ରହିଥାଏ। ଏହି ଯାଦୁକରୀ ଗଛର ମୂଳ ସମୁଦ୍ର ଜୁଆରରୁ ଉପକୂଳ ମୃତ୍ତିକାକୁ ସୁରକ୍ଷିତ ରଖିଥାଏ। ଏହା ସାମୁଦ୍ରିକ ବାତ୍ୟାରୁ ମଧ୍ୟ ଭୂଭାଗକୁ ରକ୍ଷା କରିଥାଏ। ଆପଣ ସେଗୁଡ଼ିକୁ ଗୋଆରେ ଦେଖିବାକୁ ପାଉଛନ୍ତି। ଏହି ହେନ୍ତାଳବନ ଗୁଜରାଟରେ ବି ଥିଲା କିନ୍ତୁ ୮୭% ବୃକ୍ଷ କାଟି ଦିଆଯାଇଛି କାରଣ ଗୋଟିଏ କମ୍ପାନୀ ବନ୍ଦର ତିଆରି କରି ଟଙ୍କା ରୋଜଗାର କରିବା ପାଇଁ ଏଗୁଡ଼ିକୁ କାଟିବା ଦରକାର ପଡ଼ିଲା। ତାମିଲନାଡୁ ଏବଂ କେରଳରେ ସେଗୁଡ଼ିକୁ କଟାଯାଉଛି। ଏବେ ଯେତେବେଳେ ଅଧିକାଂଶ ଦେଶ ସେଗୁଡିକୁ ପୁନଃ ପ୍ରତିରୋପଣ କରୁଛନ୍ତି, ଆମେ ଗୋଟିଏ ବି ଗଛ ରୋପଣ କରୁନାହୁଁ। ସାରା ବିଶ୍ୱ ପର୍ଯ୍ୟାବରଣକୁ ସୁସ୍ଥ ରଖିବାରେ ଏହା ସାହାଯ୍ୟ କରେ ବୋଲି ଆମେ ଏପର୍ଯ୍ୟନ୍ତ ବୁଝିପାରିଲୁ ନାହିଁ। ହେନ୍ତାଳବନ ମଧ୍ୟ ଅଧିକାଂଶ ମାଛ ପାଇଁ ନର୍ସରିର କାମ କରେ। ତେଣୁ ହେନ୍ତାଳବନ ନ ରହିଲେ ମାଛ ବା ସାମୁଦ୍ରିକ ପ୍ରାଣୀ ରହିବେ ନାହିଁ। ଯଦି ରାଜନେତାମାନେ ମତ୍ସ୍ୟଜୀବୀ ସମ୍ପ୍ରଦାୟକୁ ଉପକୃତ କରିବାକୁ ଚାହାନ୍ତି, ତେବେ ସେମାନେ ପ୍ରଥମେ ହେନ୍ତାଳଗଛର ପୁନଃ ପ୍ରତିରୋପଣ ଓ ସୁରକ୍ଷା କରିବା ଦରକାର।
ବଞ୍ଚିବା ପାଇଁ ହେନ୍ତାଳଗଛ ମାଛମାନଙ୍କ ପରିସ୍ରା ଆବଶ୍ୟକ କରେ। ସାଇନ୍ସ ଆଡଭାନ୍ସ ପତ୍ରିକାରେ ପ୍ରକାଶିତ ମିଶିଗାନ୍‌ ୟୁନିଭରସିଟି ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ, ବାହାମା ଦ୍ୱୀପପୁଞ୍ଜରେ ଥିବା ହେନ୍ତାଳବନରେ ସ୍ନାପର୍‌ ପରି ବଡ଼ ମାଛ ଖାଦ୍ୟ ଖୋଜି ବୁଲନ୍ତି। ସେମାନେ ତାଙ୍କର ଗାଲିସି ବାଟଦେଇ ପରିସ୍ରା କରନ୍ତି ଏବଂ ସେହି ପରିସ୍ରାରେ ନାଇଟ୍ରୋଜେନ୍‌ ଥାଏ। ଏହି ନାଇଟ୍ରୋଜେନ ହେନ୍ତାଳଗଛ ଏବଂ ତା’ ମୂଳରେ ଥିତ୍ବା ଶୈବାଳଗୁଡ଼ିକ ବଢ଼ିବା ପାଇଁ ସାରର କାମ କରେ। ଫଳରେ ସେଗୁଡ଼ିକ ପ୍ରଚୁର ମାଛ, କଙ୍କଡା ଏବଂ ଅନ୍ୟାନ୍ୟ ପ୍ରାଣୀଙ୍କୁ ଖାଦ୍ୟ ଯୋଗାଇ ପାରନ୍ତି। ଲୋକମାନେ ଏହି ସାମୁଦ୍ରିକ ପ୍ରାଣୀମାନଙ୍କୁ ଧରି ଖାଇଥାନ୍ତି।
କିନ୍ତୁ ସ୍ନାପର୍‌ ମାଛ ସମଗ୍ର କାରିବିଆନ୍‌ ସାଗରରେ ବନିଶୀ ଓ ତେଣ୍ଟାରେ ମାଛମରାଳିଙ୍କ ଦ୍ୱାରା ସବୁଠାରୁ ବେଶି ଶିକାର ହେଉଛନ୍ତି। ଏହା ସବୁଠାରୁ ବଡ ମାଛ ଯିଏ କି ହେନ୍ତାଳଗଛ ପାଇଁ ଅତ୍ୟନ୍ତ ଉପକାରୀ। କିନ୍ତୁ ମଣିଷଙ୍କ ଡିନର ଟେବୁଲ ପାଇଁ ଏମାନଙ୍କୁ ବହୁସଂଖ୍ୟାରେ ମରାଯାଉଛି। ଅଧ୍ୟୟନରୁ ଜଣାପଡିଛି ଯେ, ଯଦି ୫୦ ପ୍ରତିଶତ ସ୍ନାପର୍‌ ମତ୍ସ୍ୟଜୀବୀଙ୍କ ଦ୍ୱାରା ଧରାଯାନ୍ତି ତେବେ ହେନ୍ତାଳବନରେ ନାଇଟ୍ରୋଜେନର ପରିମାଣ ୬୯ ପ୍ରତିଶତ ହ୍ରାସ ପାଇବ। ଫଳରେ ହେନ୍ତାଳବନ ହ୍ରାସ ପାଇବ ଏବଂ ଦ୍ୱୀପଗୁଡ଼ିକ କ୍ରମଶଃ ଜଳମଗ୍ନ ହୋଇଯିବ। ଏହା ମଧ୍ୟରେ ସମୁଦ୍ରରୁ ମାଛଗୁଡ଼ିକ ବି ଅଦୃଶ୍ୟ ହୋଇଯିବେ।
ଏମିତି ସହସ୍ର ଉଦାହରଣ ରହିଛି ଯେଉଁଠି ଗୋଟିଏ ଗୋଟିଏ ପ୍ରଜାତିର ପ୍ରାଣୀ ପରିପାର୍ଶ୍ୱ ଇକୋସିଷ୍ଟମ୍‌କୁ ରୂପ ଦେଇଥାନ୍ତି। ଏହି ପ୍ରଜାତିଗୁଡ଼ିକୁ ଇକୋସିଷ୍ଟମ୍‌ ଇଞ୍ଜିନିୟର କୁହାଯାଏ। ଇକୋସିଷ୍ଟମ୍‌ ଇଞ୍ଜିନିୟରମାନେ ଭୌତିକ ପରିବେଶରେ ଅନୁକୂଳ ପରିବର୍ତ୍ତନ କରି ଅନ୍ୟ ଜୀବମାନଙ୍କ ପାଇଁ ବଞ୍ଚିବାର ଉତ୍ସଗୁଡିକର ଉପଲବ୍ଧତାକୁ ନିୟନ୍ତ୍ରଣ କରନ୍ତି। ଉଦାହରଣ ସ୍ବରୂପ, ବିଭର (ଓଧ) ଛୋଟ ନଦୀରେ ବନ୍ଧ ନିର୍ମାଣ କରେ। ଥରେ ବନ୍ଧଗୁଡ଼ିକ ନିର୍ମାଣ ହୋଇ ଜଳାଶୟଗୁଡ଼ିକ ସୃଷ୍ଟି ହେବା ପରେ ଦୃଶ୍ୟପଟ୍ଟ ବଦଳିଯାଏ ଏବଂ ବିଭିନ୍ନ ଉଭୟଚର, ମାଛ ଏବଂ ପକ୍ଷୀମାନଙ୍କ ସହିତ ଏକ ନୂତନ ଇକୋସିଷ୍ଟମ୍‌ ଜନ୍ମ ନିଏ।
ଆଫ୍ରିକୀୟ ସାଭାନ୍ନା ହାତୀ ଗଛ-ଝିଟିପିଟି ପାଇଁ ସବୁଠାରୁ ବଡ ବରଦାନ ସଦୃଶ। ଯେତେବେଳେ ହାତୀମାନେ ଗଛର ଡାଳ ଭାଙ୍ଗନ୍ତି, ସେତେବେଳେ ଗଛରେ ଏକ ଗର୍ତ୍ତ ସୃଷ୍ଟି ହୋଇଯାଏ। ଏହି ଗର୍ତ୍ତଗୁଡ଼ିକ ଝିଟିପିଟି ପାଇଁ ରହିବା ଘର ଏବଂ ପ୍ରଜନନ ସ୍ଥାନ ପାଲଟିଯାଏ। ଗଛ-ଝିଟିପିଟି ଉଇ ଓ ବୁଢ଼ିଆଣୀ ପରି କୀଟପତଙ୍ଗ ଖାଏ ଏବଂ ନିଜେ ଅନ୍ୟ ବଡ଼ ଝିଟିପିଟି ଓ ସାପମାନଙ୍କ ଦ୍ୱାରା ଖିଆଯାଏ।
ଏସୀୟ ହାତୀଙ୍କ ଗୋବରଗଦା କେବଳ ଉଦ୍ଭିଦ ଓ କବକ ପାଇଁ ପୋଷକ ତତ୍ତ୍ୱ ଭାବରେ କାମ କରେ ନାହିଁ ବରଂ ଏହା ଭିତରେ ଅନେକ ଡଜନ ବିଭିନ୍ନ ପ୍ରଜାତିର ବେଙ୍ଗ ବି ଦେଖିବାକୁ ମିଳନ୍ତି। ସେମାନଙ୍କ ସହ ଥାନ୍ତି ଗୋବରପୋକ, ପିମ୍ପୁଡ଼ି, ବୁଢ଼ିଆଣୀ, ଶତପଦୀ, ଝିଙ୍କାରୀ ଆଦି ଅନେକ ପ୍ରାଣୀ। ବାୟୋଟ୍ରୋପିକା ନାମକ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି।
ପ୍ରାଣୀ ଇଞ୍ଜିନିୟରମାନଙ୍କ ଭିତରେ ସବୁଠାରୁ ପ୍ରସିଦ୍ଧ ହେଉଛି ୟେଲୋଷ୍ଟୋନ ପାର୍କର ଗଧିଆ। ୧୯୩୦ ଦଶକରେ ପାର୍କର ସମସ୍ତ ଗଧିଆଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହାର ପରିଣାମ କ’ଣ ହେଲା? ଜାତୀୟ ଉଦ୍ୟାନରେ ଥିବା ଏଲ୍‌କ (ବୃହତ୍‌କାୟ ହରିଣ ବିଶେଷ)ଙ୍କ ସଂଖ୍ୟା ବୃଦ୍ଧି ପାଇଲା ଏବଂ ସେମାନେ ଉକ୍ତ ଅଞ୍ଚଳର ସମସ୍ତ ଗଛବୃଚ୍ଛ ଖାଇଦେଲେ। ନଦୀଶଯ୍ୟାଗୁଡିକରେ ଥିବା ସମସ୍ତ ରସୁଆଳ ଘାସ ଓ ଛୋଟ ଗଛଗୁଡ଼ିକ ଅଦୃଶ୍ୟ ହୋଇଗଲା। ଏଭଳି ମରୁତୁଲ୍ୟ ସ୍ଥାନରେ ପକ୍ଷୀମାନଙ୍କ ପାଇଁ ବି ପର୍ଯ୍ୟାପ୍ତ ଖାଦ୍ୟ ମିଳିଲା ନାହିଁ। ତେଣୁ ସେମାନେ ଚାଲିଗଲେ। ନଦୀ କୂଳରେ ଥିବା ଛୋଟ ଗଛ ଉପରେ ନିର୍ଭର କରୁଥିବା ବିଭର (ଓଧ)ମାନେ ବି ଅଦୃଶ୍ୟ ହୋଇଗଲେ। ଏଲ୍‌କମାନେ ସମସ୍ତ ରସୁଆଳ କୋଳି ଖାଇଦେଲେ। ତେଣୁ ସେହି ଅଞ୍ଚଳର ଟ୍ରେଡ୍‌ମାର୍କ ଭାବେ ବିବେଚିତ ଭାଲୁମାନଙ୍କ ସଂଖ୍ୟା ବହୁତ କମିଗଲା। ନଦୀକୂଳର ମୃତ୍ତିକାକୁ ଧରିରଖୁଥିବା ଗଛଗୁଡ଼ିକ ନ ରହିବାରୁ ନଦୀ ବନ୍ଧ ଭାଙ୍ଗି କୂଳ ଲଂଘନ କରି ବନ୍ୟା ପରିସ୍ଥିତି ସୃଷ୍ଟି କଲା। ପାର୍କଟିରେ ବହୁତ କମ୍‌ ପ୍ରଜାତିର ପ୍ରାଣୀ ରହିଲେ।
୧୯୯୫ରେ କାନାଡାରୁ ଧରାଯାଇଥିବା ଗଧିଆମାନଙ୍କୁ ଆଣି ୟେଲୋଷ୍ଟୋନ ପାର୍କରେ ଛଡ଼ାଗଲା। ତା’ ଫଳରେ ଏଲ୍‌କମାନଙ୍କ ସଂଖ୍ୟା ହ୍ରାସ ପାଇଲା ଏବଂ ସେମାନେ ଗଧିଆମାନଙ୍କୁ ଭୟ କରୁଥିବାରୁ ନଦୀକୂଳକୁ ମୁକ୍ତ ଭାବରେ ଆସିବା ବନ୍ଦ କଲେ। ତା’ପରେ ଧୀରେ ଧୀରେ ବିଭିନ୍ନ ପ୍ରକାର ଛୋଟବଡ଼ ଗଛ ଜନ୍ମିଲେ। କିଛି ବର୍ଷ ମଧ୍ୟରେ ନଦୀକୂଳ ପୁଣି ଉଛୁଳିବା ବନ୍ଦ କଲା। ଓଧମାନେ ଫେରି ନିଜ ଡ୍ୟାମ୍‌ ସହିତ ଛୋଟ ଜଳାଶୟ ତିଆରି କଲେ। ବେଙ୍ଗମାନେ ପୁଣି ଫେରିଲେ ଏବଂ ପକ୍ଷୀମାନେ ମଧ୍ୟ ଫେରି ଆସିଲେ। ଭାଲୁମାନଙ୍କର ସ୍ବାସ୍ଥ୍ୟ ଅବସ୍ଥା ଭଲ ହେଲା।
ଦୁର୍ଭାଗ୍ୟବଶତଃ ୟେଲୋଷ୍ଟୋନ ପାର୍କ ନିକଟରେ ଗୋରୁ ଚରାଉଥିବା ଲୋକମାନେ ପୁଣି ଗଧିଆମାନଙ୍କୁ ବେଆଇନ ଭାବେ ଶିକାର କରୁଛନ୍ତି। ସେମାନେ ଚାହୁଁଛନ୍ତି ପାର୍କ ନଷ୍ଟ ହୋଇଗଲେ ସେମାନଙ୍କର ଗୋରୁମାନେ ଚରିବାକୁ ଅଧିକ ସ୍ଥାନ ପାଇପାରିବେ। ୧୪୭ଟି ଗଧିଆଙ୍କ ମଧ୍ୟରୁ ବର୍ତ୍ତମାନ ମାତ୍ର ୧୦୦ଟି ବଞ୍ଚିଛନ୍ତି। ସେମାନଙ୍କ ସଂଖ୍ୟା ହ୍ରାସ ପାଇଲେ ପୁଣି ପୂର୍ବପରି ବିଶୃଙ୍ଖଳିତ ଅବସ୍ଥା ସୃଷ୍ଟି ହେବ।

ଇମେଲ: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?