ମାଟି ଓ ମଣିଷର ଶିଳ୍ପୀ

ଇଂ. ପ୍ରଭାକର ସ୍ବାଇଁ

‘କବିତା ଗଢ଼େ ଏକ ବିରାଟ ସମାଜର,/ ସବୁରି ପାଇଁ ଯହିଁ ବଖୁରେ ହେଲେ ଘର।’ (ଆଗାମୀ) ପରି କବିତାରେ ବିଶ୍ୱବାସୀଙ୍କ ମଙ୍ଗଳକାମନା ପାଇଁ ଇସ୍ତାହାର ବାଢ଼ିଥିବା କବି ହେଉଛନ୍ତି ପଦ୍ମଭୂଷଣ ଡ. କାଳିନ୍ଦୀଚରଣ ପାଣିଗ୍ରାହୀ। ଜଣେ ଯଶସ୍ବୀ କବି, ସଫଳ କଥାଶିଳ୍ପୀ, ଚିନ୍ତାଶୀଳ ପ୍ରାବନ୍ଧିକ, ସୁସମାଲୋଚକ, ବିଶିଷ୍ଟ ନାଟ୍ୟକାର, ସୁଯୋଗ୍ୟ ଶିଶୁ ସାହିତି୍ୟକ ଏବଂ ଆତ୍ମଜୀବନୀକାର ଭାବରେ ସେ ଆମ ସାହିତ୍ୟରେ ସୁପରିଚିତ। ୧୯୦୧ ଜୁଲାଇ ୨ ତାରିଖରେ ଅବିଭକ୍ତ ପୁରୀ ଜିଲାର ବିଶ୍ୱନାଥପୁର ଗ୍ରାମରେ ଜନ୍ମଗ୍ରହଣ କରିଥିବା ସ୍ରଷ୍ଟାଙ୍କର ଯଥାର୍ଥ ସାହିତି୍ୟକ ଜୀବନ ଆରମ୍ଭ ହୋଇଥିଲା ୧୯୨୧ ମସିହାରେ ରେଭେନ୍‌ଶା କଲେଜରେ ଅଧ୍ୟୟନ କାଳରେ, ସତୀର୍ଥ ଓ ସହଯୋଗୀଙ୍କ ସହିତ ନନ୍‌ସେନ୍ସ କ୍ଲବ ଗଠନ ମାଧ୍ୟମରେ।
କବି ଜୀବନର ଆଦ୍ୟପାଦରେ ସବୁଜ ସାହିତ୍ୟ ସହିତ ରବୀନ୍ଦ୍ରନାଥଙ୍କ କବିତାର ପ୍ରଭାବରେ ପ୍ରଭାବିତ ହୋଇଥିଲେ କାଳିନ୍ଦୀଚରଣ। ଜୀବନର ପରବର୍ତ୍ତୀ କାଳରେ ଭାରତୀୟ ମୁକ୍ତିସଂଗ୍ରାମ ସହିତ ଗାନ୍ଧୀ ଆଦର୍ଶ, ଭାରତୀୟ ଗ୍ରାମ୍ୟ ଜୀବନ, ଦୁଃଖୀ ମଣିଷର ଦୁଃଖ ତାଙ୍କ ସ୍ରଷ୍ଟା ପ୍ରାଣକୁ ବ୍ୟଥିତ କରିଥିଲା ଏବଂ ଜୀବନର ଶେଷଯାଏ ବ୍ୟଥିତ ମଣିଷର ଦୁଃଖସୁଖ ଥିଲା ତାଙ୍କ ସ୍ରଷ୍ଟା ମାନସର ଭିତ୍ତି। ‘ମନେ ନାହିଁ’, ‘ଛୁରିଟିଏ ଲୋଡ଼ା’ ପରି କବିତାଗ୍ରନ୍ଥ ମଧ୍ୟରେ କବି ଭାରତୀୟ ପଲ୍ଲୀ ପ୍ରକୃତି ସହିତ ନିବିଡ଼ତା ସ୍ଥାପନ କରିଛନ୍ତି। ନିଜ ଜନ୍ମମାଟିର ଚାଳଘର ତାଙ୍କ ଜୀବନରେ ଅପାସୋରା ହୋଇଛି। ତେଣୁ ସେ ‘ଚାଳର ଘର’ କବିତାରେ ପ୍ରକାଶ କରିଛନ୍ତି, ”ଚାଳର ଘରେ ଜନ୍ମ ମୋର/ଚାଳର ଘରେ ଥାଏଁ।/ଚାଳର ଘରେ ପିଅଇ ପାଣି/ଚାଳର ଘରେ ଖାଏଁ।“ କବି ଜୀବନର ପରବର୍ତ୍ତୀ କାଳରେ ‘ଜୟ ଭଗବାନ’, ‘ଭକ୍ତି ଓ ଚାବୁକ’, ‘ବାଜି ରାଉତ’, ‘ଯାଦୁଘର’, ‘ଆଗାମୀ’, ‘ମନେ ନାହିଁ’, ‘ମୋ ବାଣୀ’ ପ୍ରଭୃତି କବିତା ମଧ୍ୟରେ ସାମ୍ୟବାଦର ମନ୍ତ୍ରରେ ପାଠକଙ୍କୁ ମୁଗ୍‌ଧ କରି ନିଜ କବିତାର କାନ୍‌ଭାସକୁ ବିଶ୍ୱମୁଖୀ କରାଇଛନ୍ତି। ଏତିକିବେଳେ ସ୍ରଷ୍ଟା ‘ମୋ ବାଣୀ’ ପରି କବିତା ମଧ୍ୟରେ ପ୍ରକାଶ କରିଛନ୍ତି- ”ଯେ ବାଣୀ ଛୁଇଁନି, ଗୋଟିଏ ଜାତିର କୋଟିଏ ବୁକେ/ସେ ବାଣୀ ମୋହର, ନ ହେଉ ଗୋଚର ନ ଆସୁ ମୁଖେ।“
ଜଣେ କଥାଶିଳ୍ପୀ ଭାବେ କାଳିନ୍ଦୀଚରଣ ଆମ ସାହିତ୍ୟରେ କାହିଁକି, ସମଗ୍ର ଭାରତୀୟ ସାହିତ୍ୟରେ ଖୁବ୍‌ ଲୋକପ୍ରିୟ ଓ ଆଦରଣୀୟ। ‘ମାଟିର ମଣିଷ’ଠାରୁ ଆରମ୍ଭକରି ‘ମୁକ୍ତାଗଡ଼ର କ୍ଷୁଧା’, ‘ଅମର ଚିତା’, ‘ଲୁହାର ମଣିଷ’, ‘ଆଜିର ମଣିଷ’ ପରି ଉପନ୍ୟାସ ଏବଂ ‘ଦ୍ୱାଦଶୀ’, ‘ସାଗରିକା’, ‘ଶେଷରଶ୍ମି’, ‘ରାଶିଫଳ’, ‘ମୋ କଥାଟିି ସରିନାହିଁ’ ପରି ଗଳ୍ପ ସଂକଳନ ମଧ୍ୟରେ ସ୍ରଷ୍ଟା ଏହି ମାଟି ଓ ମଣିଷର କଥାକୁ ଯେପରି ଚମତ୍କାର ରୀତିରେ ଉପସ୍ଥାପିତ କରିଛନ୍ତି, ଭାରତୀୟ ସାହିତ୍ୟରେ ତାହା ଅନୁପମ ଓ ଅତୁଳନୀୟ। ଭାରତବର୍ଷର ଏକାନ୍ନବର୍ତ୍ତୀ ଯୌଥ ପରିବାରର ଏକ ଜୀବନ୍ତ ଆଲେଖ୍ୟ ହେଉଛି ସ୍ରଷ୍ଟାଙ୍କର ‘ମାଟିର ମଣିଷ’ ଉପନ୍ୟାସ। ଗାନ୍ଧୀ ଆଦର୍ଶରେ ଅନୁପ୍ରାଣିତ ଉପନ୍ୟାସର ନାୟକ ବରଜୁ ଓ ପତ୍ନୀ ହାରାବୋଉ ସମାଜରେ ସତ୍ୟ, ପ୍ରେମ ଓ ତ୍ୟାଗ ପ୍ରତିଷ୍ଠା ପାଇଁ ଜୀବନରେ ଦୁଃଖକଷ୍ଟକୁ ଯେପରି ସହ୍ୟ କରିଛନ୍ତି- ତାହା ଭାରତୀୟ ମୂଲ୍ୟବୋଧକୁ ଯଥାର୍ଥଭାବେ ପ୍ରକଟିତ କରିଛି। ଏହି ମୂଲ୍ୟବୋଧ ଓ ମଣିଷପଣିଆ ହିଁ ପାଠକର ହୃଦୟ ଓ ତା’ର ବିବେକକୁ ଥରାଇ ଦେଇଛି। ସ୍ରଷ୍ଟାଙ୍କର ପ୍ରାୟ ସମସ୍ତ ଗଳ୍ପ ମାଟିି ମନସ୍କ, ମାନବକେନ୍ଦ୍ରିକ ଏବଂ ସାମାଜିକ ବାସ୍ତବତାକୁ ନେଇ ପରିକଳ୍ପିତ। ‘ମାଂସର ବିଳାପ’ ଗଳ୍ପରେ ଜଲି ଓ ଡୋରା ପରି ଦୁଇଟି ମାନବେତର ଚରିତ୍ର ମାଧ୍ୟମରେ ସ୍ରଷ୍ଟା ନିବିଡ଼ ବନ୍ଧୁତ୍ୱ ପ୍ରକଟିତ କରିବା ସହିତ ତହିଁରେ ମାନବିକତାର ସ୍ବରୂପକୁ ପ୍ରତିବିମ୍ବିତ କରିଛନ୍ତି। ‘ଜୟହିନ୍ଦ୍‌’ ଗଳ୍ପରେ ନାରୀ ଜୀବନର ଦୁଃଖ, ‘ଚକ ବୁଲୁଥାଏ’ ଗଳ୍ପରେ ପରିବର୍ତ୍ତିତ ସାମାଜିକ ବିବର୍ତ୍ତନ, ‘ରେଙ୍ଗୁନ ଯାତ୍ରୀ’ ଗଳ୍ପରେ ପ୍ରବାସୀ ମଣିଷର ବିପର୍ଯ୍ୟସ୍ତ ଜୀବନ, ‘ପୁନଶ୍ଚ’ ଗଳ୍ପରେ ସାମ୍ପ୍ରଦାୟିକ ଦଙ୍ଗା, ‘ଓଡ଼ିଶାରେ ମହାଯୁଦ୍ଧ’ ଗଳ୍ପରେ ମହାସମରର ସ୍ବରୂପ ଲକ୍ଷ୍ୟ କରାଯାଏ।
ଗଳ୍ପ ଓ ଉପନ୍ୟାସ ସହିତ ସ୍ରଷ୍ଟାଙ୍କର ଅଶୋକଙ୍କ ଜୀବନୀ ଭିତ୍ତିରେ ଏକ ସଫଳ ଐତିହାସିକ ନାଟକ ହେଉଛି ‘ପ୍ରିୟଦର୍ଶୀ’। ପୁଣି ‘ସୌମ୍ୟା’ ଓ ‘ପଦ୍ମିନୀ’ ହେଉଛି ସ୍ରଷ୍ଟାଙ୍କର ଦୁଇଟି କାବ୍ୟନାଟିକା। ଜଣେ ସଫଳ ସମାଲୋଚକ ଭାବରେ ତାଙ୍କର ଏକାଧିକ ସମାଲୋଚନା ଗ୍ରନ୍ଥ ରହିଛି। ତାଙ୍କର ପ୍ରବନ୍ଧ ଓ ଆଲୋଚନା ମଧ୍ୟରେ ରହିଛି ‘ସତ୍ୟ ଶିବ ସୁନ୍ଦର’, ‘ତ୍ୟାଗ ଓ ପ୍ରେମ’, ‘ପୁରାଣର ବିଦୁଷୀ’, ‘ରବୀନ୍ଦ୍ର ସାହିତ୍ୟରେ ବିଶ୍ୱମୈତ୍ରୀ’, ‘ସାହିତ୍ୟରେ ବ୍ୟବସାୟ’, ‘ଓଡ଼ିଆ ସାହିତ୍ୟର ପରମ୍ପରା’ ପ୍ରଭୃତି। ‘ଅଙ୍ଗେ ଯାହା ନିଭାଇଛି’ ସ୍ରଷ୍ଟାଙ୍କର ସଫଳ ଆତ୍ମଜୀବନୀ।
ଆମ ସାହିତ୍ୟର ଏହି ମହାନ୍‌ ସାରସ୍ବତ ସାଧକ ଷ୍ଟେଟ୍‌ସମ୍ୟାନ୍‌ ଓ ଆସୋସିଏଟେଡ୍‌ ପ୍ରେସ୍‌ରେ କିଛିକାଳ ପ୍ରତିନିଧି ଭାବରେ ଏବଂ ପରେ ଓଡ଼ିଶା ସରକାରୀ ଛାପାଖାନା, ଆକାଶବାଣୀ କଟକ କେନ୍ଦ୍ରର ସାହିତ୍ୟ ବିଭାଗ ସମେତ ଭାରତୀୟ ପି.ଇ.ଏନ୍‌.ରେ ମଧ୍ୟ ଦକ୍ଷତାର ସହିତ କାର୍ଯ୍ୟ କରିଛନ୍ତି। ପ୍ରଖ୍ୟାତ ଲେଖକ ପ୍ରେମ୍‌ଚନ୍ଦଙ୍କ ‘ହଂସ’ ପତ୍ରିକାର ଉପଦେଷ୍ଟା ଭାବରେ ସେ ସଫଳତାର ସହିତ କାର୍ଯ୍ୟ କରିଛନ୍ତି। ୧୯୭୧ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀର ଫେଲୋ ସମ୍ମାନ ସହିତ ବହୁ ପୁରସ୍କାର ଓ ସମ୍ମାନର ଅଧିକାରୀ ହୋଇଛନ୍ତି। ଭାରତ ସରକାରଙ୍କ ପକ୍ଷରୁ ସେ ୧୯୭୬ ମସିହାରେ ପଦ୍ମଭୂଷଣ ଉପାଧି ଓ ସେହିବର୍ଷ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ସମ୍ମାନସୂଚକ ଡି.ଲିଟ୍‌ ଉପାଧି ଲାଭ କରିଛନ୍ତି। କାଳିନ୍ଦୀଚରଣ ୧୯୮୧ ଡିସେମ୍ବରରେ ଓଡ଼ିଶାର ପ୍ରଖ୍ୟାତ ସାରସ୍ବତ ଅନୁଷ୍ଠାନ ‘ସାରଳା ସାହିତ୍ୟ ସଂସଦ’ର ପ୍ରଥମ ସଭାପତି ପଦ ମଣ୍ଡନ କରିଥିଲେ।

ସଭାପତି, ସାରଳା ସାହିତ୍ୟ ସଂସଦ, ସାରଳାଭବନ, କଟକ, ମୋ: ୯୪୩୭୦୬୬୯୭୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri