ମାଟି ଓ ମଣିଷର ଶିଳ୍ପୀ

ଇଂ. ପ୍ରଭାକର ସ୍ବାଇଁ

‘କବିତା ଗଢ଼େ ଏକ ବିରାଟ ସମାଜର,/ ସବୁରି ପାଇଁ ଯହିଁ ବଖୁରେ ହେଲେ ଘର।’ (ଆଗାମୀ) ପରି କବିତାରେ ବିଶ୍ୱବାସୀଙ୍କ ମଙ୍ଗଳକାମନା ପାଇଁ ଇସ୍ତାହାର ବାଢ଼ିଥିବା କବି ହେଉଛନ୍ତି ପଦ୍ମଭୂଷଣ ଡ. କାଳିନ୍ଦୀଚରଣ ପାଣିଗ୍ରାହୀ। ଜଣେ ଯଶସ୍ବୀ କବି, ସଫଳ କଥାଶିଳ୍ପୀ, ଚିନ୍ତାଶୀଳ ପ୍ରାବନ୍ଧିକ, ସୁସମାଲୋଚକ, ବିଶିଷ୍ଟ ନାଟ୍ୟକାର, ସୁଯୋଗ୍ୟ ଶିଶୁ ସାହିତି୍ୟକ ଏବଂ ଆତ୍ମଜୀବନୀକାର ଭାବରେ ସେ ଆମ ସାହିତ୍ୟରେ ସୁପରିଚିତ। ୧୯୦୧ ଜୁଲାଇ ୨ ତାରିଖରେ ଅବିଭକ୍ତ ପୁରୀ ଜିଲାର ବିଶ୍ୱନାଥପୁର ଗ୍ରାମରେ ଜନ୍ମଗ୍ରହଣ କରିଥିବା ସ୍ରଷ୍ଟାଙ୍କର ଯଥାର୍ଥ ସାହିତି୍ୟକ ଜୀବନ ଆରମ୍ଭ ହୋଇଥିଲା ୧୯୨୧ ମସିହାରେ ରେଭେନ୍‌ଶା କଲେଜରେ ଅଧ୍ୟୟନ କାଳରେ, ସତୀର୍ଥ ଓ ସହଯୋଗୀଙ୍କ ସହିତ ନନ୍‌ସେନ୍ସ କ୍ଲବ ଗଠନ ମାଧ୍ୟମରେ।
କବି ଜୀବନର ଆଦ୍ୟପାଦରେ ସବୁଜ ସାହିତ୍ୟ ସହିତ ରବୀନ୍ଦ୍ରନାଥଙ୍କ କବିତାର ପ୍ରଭାବରେ ପ୍ରଭାବିତ ହୋଇଥିଲେ କାଳିନ୍ଦୀଚରଣ। ଜୀବନର ପରବର୍ତ୍ତୀ କାଳରେ ଭାରତୀୟ ମୁକ୍ତିସଂଗ୍ରାମ ସହିତ ଗାନ୍ଧୀ ଆଦର୍ଶ, ଭାରତୀୟ ଗ୍ରାମ୍ୟ ଜୀବନ, ଦୁଃଖୀ ମଣିଷର ଦୁଃଖ ତାଙ୍କ ସ୍ରଷ୍ଟା ପ୍ରାଣକୁ ବ୍ୟଥିତ କରିଥିଲା ଏବଂ ଜୀବନର ଶେଷଯାଏ ବ୍ୟଥିତ ମଣିଷର ଦୁଃଖସୁଖ ଥିଲା ତାଙ୍କ ସ୍ରଷ୍ଟା ମାନସର ଭିତ୍ତି। ‘ମନେ ନାହିଁ’, ‘ଛୁରିଟିଏ ଲୋଡ଼ା’ ପରି କବିତାଗ୍ରନ୍ଥ ମଧ୍ୟରେ କବି ଭାରତୀୟ ପଲ୍ଲୀ ପ୍ରକୃତି ସହିତ ନିବିଡ଼ତା ସ୍ଥାପନ କରିଛନ୍ତି। ନିଜ ଜନ୍ମମାଟିର ଚାଳଘର ତାଙ୍କ ଜୀବନରେ ଅପାସୋରା ହୋଇଛି। ତେଣୁ ସେ ‘ଚାଳର ଘର’ କବିତାରେ ପ୍ରକାଶ କରିଛନ୍ତି, ”ଚାଳର ଘରେ ଜନ୍ମ ମୋର/ଚାଳର ଘରେ ଥାଏଁ।/ଚାଳର ଘରେ ପିଅଇ ପାଣି/ଚାଳର ଘରେ ଖାଏଁ।“ କବି ଜୀବନର ପରବର୍ତ୍ତୀ କାଳରେ ‘ଜୟ ଭଗବାନ’, ‘ଭକ୍ତି ଓ ଚାବୁକ’, ‘ବାଜି ରାଉତ’, ‘ଯାଦୁଘର’, ‘ଆଗାମୀ’, ‘ମନେ ନାହିଁ’, ‘ମୋ ବାଣୀ’ ପ୍ରଭୃତି କବିତା ମଧ୍ୟରେ ସାମ୍ୟବାଦର ମନ୍ତ୍ରରେ ପାଠକଙ୍କୁ ମୁଗ୍‌ଧ କରି ନିଜ କବିତାର କାନ୍‌ଭାସକୁ ବିଶ୍ୱମୁଖୀ କରାଇଛନ୍ତି। ଏତିକିବେଳେ ସ୍ରଷ୍ଟା ‘ମୋ ବାଣୀ’ ପରି କବିତା ମଧ୍ୟରେ ପ୍ରକାଶ କରିଛନ୍ତି- ”ଯେ ବାଣୀ ଛୁଇଁନି, ଗୋଟିଏ ଜାତିର କୋଟିଏ ବୁକେ/ସେ ବାଣୀ ମୋହର, ନ ହେଉ ଗୋଚର ନ ଆସୁ ମୁଖେ।“
ଜଣେ କଥାଶିଳ୍ପୀ ଭାବେ କାଳିନ୍ଦୀଚରଣ ଆମ ସାହିତ୍ୟରେ କାହିଁକି, ସମଗ୍ର ଭାରତୀୟ ସାହିତ୍ୟରେ ଖୁବ୍‌ ଲୋକପ୍ରିୟ ଓ ଆଦରଣୀୟ। ‘ମାଟିର ମଣିଷ’ଠାରୁ ଆରମ୍ଭକରି ‘ମୁକ୍ତାଗଡ଼ର କ୍ଷୁଧା’, ‘ଅମର ଚିତା’, ‘ଲୁହାର ମଣିଷ’, ‘ଆଜିର ମଣିଷ’ ପରି ଉପନ୍ୟାସ ଏବଂ ‘ଦ୍ୱାଦଶୀ’, ‘ସାଗରିକା’, ‘ଶେଷରଶ୍ମି’, ‘ରାଶିଫଳ’, ‘ମୋ କଥାଟିି ସରିନାହିଁ’ ପରି ଗଳ୍ପ ସଂକଳନ ମଧ୍ୟରେ ସ୍ରଷ୍ଟା ଏହି ମାଟି ଓ ମଣିଷର କଥାକୁ ଯେପରି ଚମତ୍କାର ରୀତିରେ ଉପସ୍ଥାପିତ କରିଛନ୍ତି, ଭାରତୀୟ ସାହିତ୍ୟରେ ତାହା ଅନୁପମ ଓ ଅତୁଳନୀୟ। ଭାରତବର୍ଷର ଏକାନ୍ନବର୍ତ୍ତୀ ଯୌଥ ପରିବାରର ଏକ ଜୀବନ୍ତ ଆଲେଖ୍ୟ ହେଉଛି ସ୍ରଷ୍ଟାଙ୍କର ‘ମାଟିର ମଣିଷ’ ଉପନ୍ୟାସ। ଗାନ୍ଧୀ ଆଦର୍ଶରେ ଅନୁପ୍ରାଣିତ ଉପନ୍ୟାସର ନାୟକ ବରଜୁ ଓ ପତ୍ନୀ ହାରାବୋଉ ସମାଜରେ ସତ୍ୟ, ପ୍ରେମ ଓ ତ୍ୟାଗ ପ୍ରତିଷ୍ଠା ପାଇଁ ଜୀବନରେ ଦୁଃଖକଷ୍ଟକୁ ଯେପରି ସହ୍ୟ କରିଛନ୍ତି- ତାହା ଭାରତୀୟ ମୂଲ୍ୟବୋଧକୁ ଯଥାର୍ଥଭାବେ ପ୍ରକଟିତ କରିଛି। ଏହି ମୂଲ୍ୟବୋଧ ଓ ମଣିଷପଣିଆ ହିଁ ପାଠକର ହୃଦୟ ଓ ତା’ର ବିବେକକୁ ଥରାଇ ଦେଇଛି। ସ୍ରଷ୍ଟାଙ୍କର ପ୍ରାୟ ସମସ୍ତ ଗଳ୍ପ ମାଟିି ମନସ୍କ, ମାନବକେନ୍ଦ୍ରିକ ଏବଂ ସାମାଜିକ ବାସ୍ତବତାକୁ ନେଇ ପରିକଳ୍ପିତ। ‘ମାଂସର ବିଳାପ’ ଗଳ୍ପରେ ଜଲି ଓ ଡୋରା ପରି ଦୁଇଟି ମାନବେତର ଚରିତ୍ର ମାଧ୍ୟମରେ ସ୍ରଷ୍ଟା ନିବିଡ଼ ବନ୍ଧୁତ୍ୱ ପ୍ରକଟିତ କରିବା ସହିତ ତହିଁରେ ମାନବିକତାର ସ୍ବରୂପକୁ ପ୍ରତିବିମ୍ବିତ କରିଛନ୍ତି। ‘ଜୟହିନ୍ଦ୍‌’ ଗଳ୍ପରେ ନାରୀ ଜୀବନର ଦୁଃଖ, ‘ଚକ ବୁଲୁଥାଏ’ ଗଳ୍ପରେ ପରିବର୍ତ୍ତିତ ସାମାଜିକ ବିବର୍ତ୍ତନ, ‘ରେଙ୍ଗୁନ ଯାତ୍ରୀ’ ଗଳ୍ପରେ ପ୍ରବାସୀ ମଣିଷର ବିପର୍ଯ୍ୟସ୍ତ ଜୀବନ, ‘ପୁନଶ୍ଚ’ ଗଳ୍ପରେ ସାମ୍ପ୍ରଦାୟିକ ଦଙ୍ଗା, ‘ଓଡ଼ିଶାରେ ମହାଯୁଦ୍ଧ’ ଗଳ୍ପରେ ମହାସମରର ସ୍ବରୂପ ଲକ୍ଷ୍ୟ କରାଯାଏ।
ଗଳ୍ପ ଓ ଉପନ୍ୟାସ ସହିତ ସ୍ରଷ୍ଟାଙ୍କର ଅଶୋକଙ୍କ ଜୀବନୀ ଭିତ୍ତିରେ ଏକ ସଫଳ ଐତିହାସିକ ନାଟକ ହେଉଛି ‘ପ୍ରିୟଦର୍ଶୀ’। ପୁଣି ‘ସୌମ୍ୟା’ ଓ ‘ପଦ୍ମିନୀ’ ହେଉଛି ସ୍ରଷ୍ଟାଙ୍କର ଦୁଇଟି କାବ୍ୟନାଟିକା। ଜଣେ ସଫଳ ସମାଲୋଚକ ଭାବରେ ତାଙ୍କର ଏକାଧିକ ସମାଲୋଚନା ଗ୍ରନ୍ଥ ରହିଛି। ତାଙ୍କର ପ୍ରବନ୍ଧ ଓ ଆଲୋଚନା ମଧ୍ୟରେ ରହିଛି ‘ସତ୍ୟ ଶିବ ସୁନ୍ଦର’, ‘ତ୍ୟାଗ ଓ ପ୍ରେମ’, ‘ପୁରାଣର ବିଦୁଷୀ’, ‘ରବୀନ୍ଦ୍ର ସାହିତ୍ୟରେ ବିଶ୍ୱମୈତ୍ରୀ’, ‘ସାହିତ୍ୟରେ ବ୍ୟବସାୟ’, ‘ଓଡ଼ିଆ ସାହିତ୍ୟର ପରମ୍ପରା’ ପ୍ରଭୃତି। ‘ଅଙ୍ଗେ ଯାହା ନିଭାଇଛି’ ସ୍ରଷ୍ଟାଙ୍କର ସଫଳ ଆତ୍ମଜୀବନୀ।
ଆମ ସାହିତ୍ୟର ଏହି ମହାନ୍‌ ସାରସ୍ବତ ସାଧକ ଷ୍ଟେଟ୍‌ସମ୍ୟାନ୍‌ ଓ ଆସୋସିଏଟେଡ୍‌ ପ୍ରେସ୍‌ରେ କିଛିକାଳ ପ୍ରତିନିଧି ଭାବରେ ଏବଂ ପରେ ଓଡ଼ିଶା ସରକାରୀ ଛାପାଖାନା, ଆକାଶବାଣୀ କଟକ କେନ୍ଦ୍ରର ସାହିତ୍ୟ ବିଭାଗ ସମେତ ଭାରତୀୟ ପି.ଇ.ଏନ୍‌.ରେ ମଧ୍ୟ ଦକ୍ଷତାର ସହିତ କାର୍ଯ୍ୟ କରିଛନ୍ତି। ପ୍ରଖ୍ୟାତ ଲେଖକ ପ୍ରେମ୍‌ଚନ୍ଦଙ୍କ ‘ହଂସ’ ପତ୍ରିକାର ଉପଦେଷ୍ଟା ଭାବରେ ସେ ସଫଳତାର ସହିତ କାର୍ଯ୍ୟ କରିଛନ୍ତି। ୧୯୭୧ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀର ଫେଲୋ ସମ୍ମାନ ସହିତ ବହୁ ପୁରସ୍କାର ଓ ସମ୍ମାନର ଅଧିକାରୀ ହୋଇଛନ୍ତି। ଭାରତ ସରକାରଙ୍କ ପକ୍ଷରୁ ସେ ୧୯୭୬ ମସିହାରେ ପଦ୍ମଭୂଷଣ ଉପାଧି ଓ ସେହିବର୍ଷ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ସମ୍ମାନସୂଚକ ଡି.ଲିଟ୍‌ ଉପାଧି ଲାଭ କରିଛନ୍ତି। କାଳିନ୍ଦୀଚରଣ ୧୯୮୧ ଡିସେମ୍ବରରେ ଓଡ଼ିଶାର ପ୍ରଖ୍ୟାତ ସାରସ୍ବତ ଅନୁଷ୍ଠାନ ‘ସାରଳା ସାହିତ୍ୟ ସଂସଦ’ର ପ୍ରଥମ ସଭାପତି ପଦ ମଣ୍ଡନ କରିଥିଲେ।

ସଭାପତି, ସାରଳା ସାହିତ୍ୟ ସଂସଦ, ସାରଳାଭବନ, କଟକ, ମୋ: ୯୪୩୭୦୬୬୯୭୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?