କରୁଣାମୟୀ

ଡା. ଜୀବନ କୃଷ୍ଣ ମିଶ୍ର

ପୁଣ୍ୟଭୂମି ଭାରତବର୍ଷରେ ମହାଶକ୍ତିରୂପିଣୀ ଦୁର୍ଗାଦେବୀଙ୍କର ସ୍ଥାନ ବହୁ ଉଚ୍ଚରେ। ସେ ଯେତେବେଳେ ପାପାତ୍ମା ରାକ୍ଷସମାନଙ୍କର ଧ୍ୱଂସ ସାଧନରେ ପ୍ରବୃତ୍ତ, ସେ କାଳୀ, କରାଳୀ, ବିକରାଳୀ, ଚତୁର୍ଭୁଜା, ଷଡ଼ଭୁଜା, ଅଷ୍ଟଭୁଜା, ଦଶଭୁଜା ଓ ବିଂଶଭୁଜା; ଅନ୍ୟଥା, ସେ ସର୍ବମଙ୍ଗଳା, ଗୌରୀ, ଅମ୍ବିକା ଓ ବାରଭୁଜା; ଯେତେବେଳେ ସେ ତାଙ୍କର ପ୍ରତ୍ୟାହତ ମୂର୍ତ୍ତି ଧାରଣ କରନ୍ତି ସେ ନୀଳୋତ୍ପଳ ଧାରିଣୀ ଚତୁର୍ଭୁଜା; ଯେତେବେଳେ ସେ ଚଣ୍ଡୀ, ଜ୍ୱାଳାମୁଖୀ ଓ ଭୟଙ୍କରୀ, ସେତେବେଳେ ସେ ଅଷ୍ଟଭୁଜା, ଯେତେବେଳେ ସେ ଭୈରବୀ, ସେ ଦଶଭୁଜା ଯାହା ଦଶ ମହାବିଦ୍ୟାର ପ୍ରତୀକ।
ଆଶ୍ୱିନ ମାସରେ ଦୁର୍ଗାପୂଜା ଦେବଭୂମି ଭାରତବର୍ଷର ଏକ ମହାନ୍‌ ଉତ୍ସବ ଓ ପରମ୍ପରା। ବହୁ ଭକ୍ତ ଦେବୀମାତେଙ୍କୁ ଦୁର୍ଗତିନାଶିନୀ ଦୁର୍ଗା ନାମରେ ଅଭିହିତ କରି ତାଙ୍କର ଯଥୋଚିତ ଉପାସନା କରିଥାନ୍ତି। ସାରଳା ଦାସଙ୍କ ଚଣ୍ଡୀ ପୁରାଣରେ ବର୍ଣ୍ଣିତ ଅଛି ଯେ, ଦୁର୍ଭୟ ମହିଷାସୁରର ଭାର ସହି ନ ପାରି ସକଳ ଦେବତା ସମବେତ କଣ୍ଠରେ ପବିତ୍ର ଅଗ୍ନିକୁଣ୍ଡରେ ଆହୁତି ଦେଇ ମହାପ୍ରଭୁ ଭଗବାନ ବିଷ୍ଣୁଙ୍କୁ ବିନମ୍ର ପ୍ରାର୍ଥନା ଜଣାଇଲେ। ଦେବଗଣଙ୍କ ଦୁର୍ଗତି କାଳରେ ଦେବୀ ଅନଳ ଗର୍ଭରୁ ଆବିର୍ଭୂତା ହୋଇଥିବା ହେତୁ ସ୍ବୟଂ ସୃଷ୍ଟିକର୍ତ୍ତା ବ୍ରହ୍ମା ତାଙ୍କୁ ଦୁର୍ଗା ନାମରେ ସୁବିଦିତ କରାଇଥିଲେ। ଆଶ୍ୱିନମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିଠାରୁ ଦେବୀଙ୍କର ଷୋଡ଼ଶ ପୂଜାର ଅୟମାରମ୍ଭ ହୋଇଥାଏ। ଏତାଦୃଶ ଏକ ସୁନ୍ଦର ତିଥିକୁ ମୂଳାଷ୍ଟମୀ ବୋଲି କୁହାଯାଏ। ମୂର୍ତ୍ତିତତ୍ତ୍ୱର ଦୃଷ୍ଟିକୋଣରୁ ଦେବୀ ଦ୍ୱିଭୁଜା, ଚତୁର୍ଭୁଜା, ଷଡ଼ଭୁଜା, ଅଷ୍ଟଭୁଜା, ଦଶଭୁଜା ଓ ଦ୍ୱାଦଶ ଭୁଜା ମୂର୍ତ୍ତି ରୂପେ ଯୁଗାନୁକ୍ରମେ ପୂଜା ପାଇବାକୁ ଲାଗିଲେ। ଦ୍ୱିଭୁଜା ଦୁର୍ଗାଦେବୀଙ୍କର ମୂର୍ତ୍ତି ଅତି ପ୍ରାଚୀନ; ଏହି ମୂର୍ତ୍ତିରେ ମହିଷାସୁର ମହିଷ ରୂପେ ପ୍ରଦର୍ଶିତ ହୋଇଥାଏ। ଦେବୀ ତାଙ୍କ ଦକ୍ଷିଣ ହସ୍ତରେ ତ୍ରିଶୂଳ ଧାରଣ କରି ମହିଷରୂପୀ ମହିଷାସୁରର ବକ୍ଷ ବିଦାରଣ କରି ମହିଷ ମଧ୍ୟରୁ ବହିର୍ଗତ ହୋଇଥିବା ମହିଷାସୁରର କେଶଗୁଚ୍ଛକୁ ବାମ ହସ୍ତରେ ଧାରଣ କରି ଥାଆନ୍ତି। ଓଡ଼ିଶାରେ କେବଳ ଶକ୍ତିପୀଠ ଯାଜପୁରରେ ମହିଷମର୍ଦ୍ଦିନୀ ଦୁର୍ଗାଦେବୀ ଅଦ୍ୟାବଧି ପୀଠଦେବୀ ରୂପେ ପୂଜିତା। କେତେକ ଦେବୀ ଓ ଶିବ ମନ୍ଦିରଗୁଡ଼ିକରେ ଚତୁର୍ଭୁଜା ଦୁର୍ଗାଦେବୀ ପାର୍ଶ୍ୱମୂର୍ତ୍ତି ରୂପେ ବିଦ୍ୟମାନ। ତତୁଲ୍ୟ ଭାବରେ ଷଡ଼ଭୁଜା ଦୁର୍ଗାଦେବୀଙ୍କର ଉପାସନା କ୍ୱଚିତ ପରିଦୃଶ୍ୟ ହୋଇଥାଏ; ମାତ୍ର ଭୁବନେଶ୍ୱରସ୍ଥ ଦ୍ୱାରବାସିନୀ ମନ୍ଦିରରେ ଷଡ଼ଭୁଜା ଦୁର୍ଗାଦେବୀ ଏଯାବତ୍‌ ପୂଜିତା। ଖ୍ରୀଷ୍ଟୀୟ ୮ମ ଶତାବ୍ଦୀ ଶେଷ ଆଡ଼କୁ ଅଷ୍ଟଭୁଜା ଦୁର୍ଗାଦେବୀ ବହୁ ମାତ୍ରାରେ, ବିଭିନ୍ନ ସ୍ଥାନରେ ପୂଜା ପାଇବାକୁ ଲାଗିଲେ। ଭୌମମାନଙ୍କ ରାଜତ୍ୱ ସମୟରେ ଏତାଦୃଶ କାରୁକାର୍ଯ୍ୟଭରା ମୂର୍ତ୍ତିମାନ ଗଢ଼ିଉଠିଥିଲା। ଏହି ସମୟରେ ଦେବୀଙ୍କ ପୂଜାରେ ତାନ୍ତ୍ରିକ ଭାବ ପ୍ରକାଶ ପାଇଲା ଓ ଦେବୀଙ୍କ ନିକଟରେ ବଳିପ୍ରଥା ମଧ୍ୟ ପ୍ରଚଳିତ ହେଲା। ଖ୍ରୀଷ୍ଟୀୟ ୮ମ ଶତାବ୍ଦୀଠାରୁ ୧୦ମ ଶତାବ୍ଦୀ ମଧ୍ୟରେ ଅଷ୍ଟଭୁଜା ଦୁର୍ଗାଦେବୀଙ୍କର ଶାରଦୀୟ ଉତ୍ସବ ତନ୍ତ୍ରଶାସ୍ତ୍ର ଅନୁସାରେ ପ୍ରକଟିତ ହେଲା। କାଳକ୍ରମେ ଓ ସମୟାନୁସାରେ ଦେବୀ ଅଷ୍ଟଭୁଜାରୁ ଦଶଭୁଜାରେ ରୂପାନ୍ତରିତ ହେଲେ।
ସୋମବଂଶୀ ରାଜତ୍ୱର ଶେଷଭାଗରେ ଓ ଗଙ୍ଗବଂଶ ରାଜତ୍ୱର ପ୍ରାରମ୍ଭରେ ଦଶଭୁଜା ମହିଷମର୍ଦ୍ଦିନୀ ଦୁର୍ଗାଦେବୀ ବିଭିନ୍ନ ସ୍ଥାନରେ ପୀଠଦେବୀ ରୂପେ ପୂଜା ପାଇବାକୁ ଲାଗିଲେ। ତତ୍କାଳୀନ ଗଙ୍ଗବଂଶର ଶାସକ ବୃନ୍ଦ ଦଶଭୁଜା ଦୁର୍ଗାଦେବୀଙ୍କର ଉପାସନା ଅତି ନିଷ୍ଠାର ସହ ସମ୍ପାଦନା କରୁଥିଲେ। ସେ ସମୟରେ ଉତ୍କଳୀୟ ଗୌରବ ଓ ଗରିମା ସୁଦୂର ଗଙ୍ଗାମାତାଙ୍କଠାରୁ ଆରମ୍ଭ କରି କଳକଳନାଦିନୀ ଗୋଦାବରୀ ନଦୀ ପର୍ଯ୍ୟନ୍ତ ସୁବିସ୍ତୃତ ଥିଲା। ଖ୍ରୀଷ୍ଟୀୟ ତ୍ରୟୋଦଶ ଶତାବ୍ଦୀ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ସ୍ଥାନରେ ଦଶଭୁଜା ଦୁର୍ଗାଦେବୀ ଏବଂ ଏପରି କି ଦ୍ୱାଦଶଭୁଜା ଦୁର୍ଗାଦେବୀ ସସମ୍ମାନେ ପୂଜିତ ହେବାକୁ ଲାଗିଲେ। ଦ୍ୱାଦଶଭୁଜା ମହିଷମର୍ଦ୍ଦିନୀ ଦୁର୍ଗାଦେବୀ ନିଆଳି ନିକଟସ୍ଥ ପ୍ରାଚୀନଦୀ କୂଳରେ, ଅମଣାକୁଦ ଗ୍ରାମରେ ଏକ ମନ୍ଦିରରେ ଅଦ୍ୟାବଧି ଏକ ଗ୍ରାମଦେବତୀ ରୂପେ ପୂଜିତ। ଦେବୀ ତାଙ୍କର ବାରଟି ହସ୍ତରେ ଯଥାକ୍ରମେ ତ୍ରିଶୂଳ, ଶଙ୍ଖ, ଚକ୍ର, ଧନୁ, ଶର, ଫେଟକ, ଚାପ, ସର୍ପ, ଦର୍ପଣ, ଖଡ୍‌ଗ, ଡମ୍ବରୁ ଓ ମହିଷାସୁରର କେଶକୁ ଧାରଣ କରି ମନ୍ଦିରରେ ବିଦ୍ୟମାନପୂର୍ବକ ଆବାଳବୃଦ୍ଧବନିତାଙ୍କୁ ଆଶୀର୍ବାଦର ସୌରଭ ପ୍ରଦାନ କରିଥାଆନ୍ତି। ଏତାଦୃଶ ଜାଜ୍ୱଲ୍ୟମାନ ଓ ଆକର୍ଷଣୀୟ ପ୍ରତିମା ସାରା ବ୍ରହ୍ମାଣ୍ଡରେ ବିରଳ କହିଲେ କଦାଚିତ୍‌ ଅତିରଞ୍ଜିତ ହେବ ନାହିଁ। ଯା’ ଦେବୀ ସର୍ବଭୂତେଷୁ ଦେବୀ ରୂପେଣ ସଂସ୍ଥିତା, ନମସ୍ତସୈ, ନମସ୍ତସୈ, ନମସ୍ତସୈ ନମୋ ନମଃ; ଶ୍ରଦ୍ଧାଳୁ ଓ ନିଷ୍କଳଙ୍କ ଭକ୍ତମାନେ ଏହି ଅନ୍ତର୍ମୁଖୀ ସ୍ତୋତ୍ରର ମନ୍ତ୍ରୋଚାରଣ କରି ପରିବେଶକୁ ମହିମାମଣ୍ଡିତ କରିଥାଆନ୍ତି। ଜଗଦମ୍ବେ ମାତେଙ୍କର କଲ୍ୟାଣପ୍ରାପ୍ତ କରି; ଜନତା ପଶୁ ପ୍ରବୃତ୍ତିରୁ ନିବୃତ୍ତ ହୋଇ ତଥା ଆସୁରିକ ଆଚରଣକୁ ବଳିଦେଇ, ଈର୍ଷା, ଅସୂୟା ଓ ଅହଂକାରଠାରୁ ଦୂରେଇ ରହି, ପରସ୍ପର ଭିତରେ ଶାନ୍ତି, ମୈତ୍ରୀ ଓ ସଦ୍‌ଭାବନାର ଫଗୁଣ ମଳୟକୁ ବିତରଣ କରିବାର ପ୍ରଚେଷ୍ଟା ଅବଶ୍ୟ କରିଥାଆନ୍ତି। କହିବାକୁ ଗଲେ, ଏହା ତ୍ରିବାର ସତ୍ୟ ଓ ଧ୍ରୁବସତ୍ୟ ମଧ୍ୟ। ପୁଣ୍ୟଭୂମି ତଥା ଦେବଭୂମି ଭାରତବର୍ଷର ଏହା ବାସ୍ତବରେ ଏକ ସ୍ବତନ୍ତ୍ରତା।
ଯେତେବେଳେ ଅନ୍ୟାୟ, ଅନୀତି ଓ ଅତ୍ୟାଚାରରେ ମେଦିନୀ ପ୍ରକମ୍ପିତ ହୁଏ, ଯେତେବେଳେ ବିଚ୍ଛିନ୍ନତାବାଦ, ସନ୍ତ୍ରାସବାଦ ଓ ଜାତିଆଣ ମନୋଭାବ ଶିରୋତ୍ତଳନ କରେ, ଯେତେବେଳେ ହତ୍ୟା, ଲୁଣ୍ଠନ ଓ ବଳାତ୍କାର ମାତ୍ରାଧିକ ଅବସ୍ଥାରେ ବସୁନ୍ଧରା ମାତେଙ୍କର ଅବୟବରେ କରୁଣ କମ୍ପନ ସୃଷ୍ଟି କରେ, ସେତେବେଳେ ଶକ୍ତି, କଲ୍ୟାଣ ଓ ଆନନ୍ଦର ପ୍ରତୀକ ସଙ୍କଟମୋଚନୀ, ଦୁର୍ଗତିନାଶିନୀ ଓ ପାପବିନାଶିନୀ ଦୁର୍ଗାଦେବୀଙ୍କର ଧରାବତରଣ ହୋଇଥାଏ। କଲ୍ୟାଣମୟୀ, କରୁଣାମୟୀ ମାତେଙ୍କର ସମୟୋଚିତ ଆବିର୍ଭାବରେ ସମାଜ, ସଭ୍ୟତା ଓ ଜନତା ଶାନ୍ତ ହୋଇ ଯାଆନ୍ତି। ଶାନ୍ତି, ନ୍ୟାୟ ଓ ପ୍ରଗତିର ପଥ ସ୍ବଚ୍ଛଳ ହୋଇଯାଏ। ଯା ଦେବୀ ସର୍ବଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା, ନମତସୈ, ନମତସୈ, ନମତସୈ ନମୋ ନମଃ।
ଆଜି ସମଗ୍ର ପୃଥିବୀ କରୋନା ଭୂତାଣୁର ସଂକ୍ରମଣରେ ସଂକ୍ରମିତ, ଜଗତବାସୀ ହାହାକାର ଡାକଦେଇ କରୁଣ ଆର୍ତ୍ତନାଦ କରୁଛନ୍ତି, ଦୁର୍ମୂଲ୍ୟ ଜୀବନ ନଷ୍ଟ ହେଉଛି, ମେଦିନୀ ପ୍ରକମ୍ପିତ ହେଉଛି, ନବଜାତ ଶିଶୁଠାରୁ ଆରମ୍ଭ କରି ବୟସାଧିକ ମଣିଷ ଏହି ରୋଗରେ ଆକ୍ରାନ୍ତ ହୋଇ ଅକାଳରେ ଝଡ଼ି ପଡୁଛନ୍ତି। ଅର୍ଥନୀତି ସଙ୍କୁଚିତ ହେଲାଣି, ମାତ୍ରାଧିକ ବେକାରି ବଢ଼ିବାରେ ଲାଗିଛି। ଖାଦ୍ୟ ଓ ପାନୀୟ ମଧ୍ୟ ସମତୁଲ୍ୟ ଭାବରେ ଦୁର୍ବଳ ହୋଇପଡିଲାଣି। ଗମନାଗମନ ଓ ଯାତାୟାତ ଯୋଜନା ଏକବାରକେ ଭୂଲୁଣ୍ଠିତ। ମଣିଷ ସମାଜ ଆଜି ପୂରାପୂରି ଦିଗହରା ଓ ବେସାହାରା। ଆଜିର ଏହି ଦୁର୍ବିଷହ ଯନ୍ତ୍ରଣା ମଧ୍ୟରେ ଆମେ କେବଳ ମା’ଙ୍କୁ ପ୍ରାର୍ଥନା କରିବା ଚଣ୍ଡମୁଣ୍ଡ ବିନାଶିନୀ, ଶୁଭ ନିଶୁମ୍ଭ ସଂହାରିଣୀ, ମଙ୍ଗଳକାରିଣୀ ମାତେ ହିଁ କେବଳ ଆମର ଦୁଃଖମୋଚନ କରିବା ସହିତ ଭୟଙ୍କର ଭୂତାଣୁର ବିନାଶ କରିବେ। ଜନନୀ ମାତେ ହିଁ କେବଳ ଆମକୁ ସୁରକ୍ଷାର କବଚ ପରିଧାନ କରାଇବେ। ଯା ଦେବୀ ସର୍ବଭୂତେଷୁ ମାତୃରୂପେଣ ସଂସ୍ଥିତା, ନମତସୈ ନମତସୈ ନମତସୈ ନମୋ ନମଃ।
ଭୁବନେଶ୍ୱର-୦୨
ମୋ: ୭୩୨୮୮୭୨୦୨୭


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?