ଢାକା,୯।୧୧: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ସ୍ୱଦେଶ ଫେରିବା ନେଇ ଚାଲିଥିବା ଚର୍ଚ୍ଚା ଉପରେ ପ୍ରଶ୍ନ ଉଠାଇଛନ୍ତି ସରକାର । ହସିନାଙ୍କ ସାମ୍ପ୍ରତିକ କାର୍ଯ୍ୟକଳାପ କେବଳ ରାଜନୈତିକ ଦେଖାଣିଆ ବୋଲି କହିଛନ୍ତି । ଏବେ ତାଙ୍କର ବାଂଲାଦେଶ ଫେରିବାର କୌଣସି ଉଦ୍ଦେଶ୍ୟ ନଥିବା ସରକାର ମତ ଦେଇଛନ୍ତି ।ହସିନା ଭାରତରୁ ବାଂଲାଦେଶ ଫେରିବା ପାଇଁ ନୂଆ ପାସପୋର୍ଟ ଏବଂ ଜାତୀୟ ପରିଚୟପତ୍ର (ଏନ୍ଆଇଡି) ମାଗିଥିବା ଖବର ମଧ୍ୟରେ ସରକାରଙ୍କ ଏହି ବୟାନ ସାମ୍ନାକୁ ଆସିଛି ।
ବାଂଲାଦେଶର ମୁଖ୍ୟ ଅଭିଯୋଜକ ମହମ୍ମଦ ଅମିନୁଲ ଇସଲାମ ସୋମବାର ସାମ୍ବାଦିକଙ୍କୁ କହିଛନ୍ତି, ହସିନାଙ୍କ ଫେରିବାକୁ ନେଇ ଗଣମାଧ୍ୟମରେ ପ୍ରକାଶ ପାଉଥିବା ଖବର କେବଳ ରାଜନୈତିକ ଦେଖାଣିଆ। ଯଦି ସେ ପ୍ରକୃତରେ ଦେଶକୁ ଫେରିବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ଆବଶ୍ୟକ ଆଇନଗତ ପ୍ରକ୍ରିୟା ଅନୁସରଣ କରିବା ଉଚିତ। କିନ୍ତୁ ସେ ଏପରି କରୁନାହାନ୍ତି। ନୂଆ ପାସପୋର୍ଟ ମାଗିବା ଖବର ଉପରେ ମଧ୍ୟ ଅମିନୁଲ କହିଛନ୍ତି, ହସିନା ଏବେ ଦେଶକୁ ଫେରିବେ ବୋଲି ସରକାର ଭାବୁନାହାନ୍ତି । ଏହା ସହିତ ହସିନାଙ୍କ ଆଇନଗତ ସ୍ଥିତି ଏବଂ ପାସପୋର୍ଟ ସମ୍ପର୍କିତ ପ୍ରସଙ୍ଗରେ ମଙ୍ଗଳବାର ଅପରାହ୍ନରେ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
ହସିନା ନିକଟରେ ଡିସେମ୍ବର ମାସରେ ବାଂଲାଦେଶ ଫେରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ୨୦୨୪ ଅଗଷ୍ଟରେ ଛାତ୍ର ଆନ୍ଦୋଳନ ପରେ କ୍ଷମତା ଛାଡ଼ି ସେ ଭାରତ ଚାଲିଆସିଥିଲେ । ସେହି ବର୍ଷ ଆନ୍ଦୋଳନକାରୀଙ୍କ ବିରୋଧରେ ହୋଇଥିବା ହିଂସାତ୍ମକ କାର୍ଯ୍ୟାନୁଷ୍ଠାନ ମାମଲାରେ ଏକ ସ୍ୱତନ୍ତ୍ର ଟ୍ରିବ୍ୟୁନାଲ ତାଙ୍କ ଅନୁପସ୍ଥିତିରେ ମୃତ୍ୟୁଦଣ୍ଡ ଶୁଣାଇଥିଲେ। ତେବେ ହସିନା ତାଙ୍କ ବିରୋଧରେ ଲାଗିଥିବା ଅଭିଯୋଗକୁ ଖଣ୍ଡନ କରିବା ସହ ମାମଲାର ଶୁଣାଣି ପ୍ରକ୍ରିୟା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।

