ନୂଆଦିଲ୍ଲୀ,୯।୧୧: ଭାରତ ବିପକ୍ଷ ଦିନିକିଆ ସିରିଜ ମଧ୍ୟରେ ନ୍ୟୁଜିଲାଣ୍ଡ ଦଳକୁ ଲାଗିଛି ବଡ଼ ଝଟକା। ଆହତ ସମସ୍ୟା ଯୋଗୁ ଦଳର ଦ୍ରୁତ ବୋଲର ଲକି ଫର୍ଗୁସନ ଚତୁର୍ଥ ଓ ପଞ୍ଚମ ଦିନିକିଆରୁ ବାଦ ପଡ଼ିଛନ୍ତି। ଏହା ସହିତ ଦଳରେ ଆଉ କିଛି ପରିବର୍ତ୍ତନ କରିଛି ନ୍ୟୁଜିଲାଣ୍ଡ କ୍ରିକେଟ। ଭାରତ ବିପକ୍ଷ ତୃତୀୟ ଦିନିକିଆ ପୂର୍ବରୁ ଦ୍ରୁତ ବୋଲର ବ୍ଲେୟାର ଟିକନରଙ୍କ କଭର ଭାବେ ଖ୍ରୀଷ୍ଟିଆନ କ୍ଲାର୍କଙ୍କୁ ଦଳରେ ସାମିଲ କରାଯାଇଛି। ନ୍ୟୁଜିଲାଣ୍ଡ ଦଳ ଏବେ ଆହତ ସମସ୍ୟା ଦେଇ ଗତି କରୁଛି।
ନ୍ୟୁଜିଲାଣ୍ଡ କ୍ରିକେଟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଟି-୨୦ ସିରିଜ ସମୟରେ ଲକି ଫର୍ଗୁସନଙ୍କ ଡାହାଣ ଗୋଡ଼ର ପିଣ୍ଡିରେ ସାମାନ୍ୟ ଆଘାତ ଲାଗିଥିଲା। ସେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନ ଥିବାରୁ ଚତୁର୍ଥ ଓ ପଞ୍ଚମ ଦିନିକିଆରେ ଖେଳିପାରିବେ ନାହିଁ। ଦ୍ୱିତୀୟ ଦିନିକିଆ ମ୍ୟାଚ୍ରେ ବ୍ୟାଟିଂ କରୁଥିବା ସମୟରେ ବ୍ଲେୟାର ଟିକନରଙ୍କୁ ବଲ ବାଜିଥିଲା। ଅନ୍ୟପଟେ ମ୍ୟାଟ ହେନରୀ ଓ କାଇଲ ଜେମିସନଙ୍କୁ ତୃତୀୟ ଦିନିକିଆ ପରେ ୱେଲିଂଟନରେ ଟେଷ୍ଟ ଟ୍ରେନିଂ କ୍ୟାମ୍ପରେ ଯୋଗଦେବାର ଯୋଜନା ଥିଲା। କିନ୍ତୁ ଏବେ ସେମାନେ ଚତୁର୍ଥ ଦିନିକିଆ ପାଇଁ ମଧ୍ୟ ଦଳ ସହ ରହିବେ। ଚତୁର୍ଥ ଓ ପଞ୍ଚମ ଦିନିକିଆ ପାଇଁ ଆଉ ଦୁଇ ଜଣ ଖେଳାଳିଙ୍କୁ ଦଳରେ ସାମିଲ କରାଯିବ।
ସେହିପରି ଟମ ଲାଥମ, ଡାରିଲ ମିଚେଲ, ହେନରୀ ନିକୋଲ୍ସ, ଗ୍ଲେନ ଫିଲିପ୍ସ ଓ ନାଥନ ସ୍ମିଥ ନଭେମ୍ବର ୧୧ରେ ୱେଲିଂଟନ ଯାତ୍ରା କରିବେ। ସେଠାରେ ସେମାନେ ଭାରତ ବିପକ୍ଷ ଟେଷ୍ଟ ସିରିଜ ପାଇଁ ପ୍ରସ୍ତୁତି ଆରମ୍ଭ କରିବେ। ଭାରତ ବିପକ୍ଷ ଟେଷ୍ଟ ସିରିଜ ପାଇଁ ନ୍ୟୁଜିଲାଣ୍ଡ ଦଳ ଆସନ୍ତା କିଛି ଦିନ ମଧ୍ୟରେ ଘୋଷଣା ହେବ। ଲଗାତାର ଆହତ ସମସ୍ୟା ଯୋଗୁ ଦଳର ଚୟନ ଓ ରଣନୀତି ଉପରେ ଏହାର ପ୍ରଭାବ ପଡ଼ିବା ସମ୍ଭାବନା ରହିଛି।
Dharitri – Odisha’s No.1 Odia Daily

