ଅମରପାଲି, ୯।୧୧ (ପୀତାମ୍ବର ସାହୁ): ଜବରଦଖଲ ଉଚ୍ଛେଦ କରି ବିଦ୍ୟାଳୟ ପାଇଁ ଆବଶ୍ୟକ ଜମି ଯୋଗାଇଦେବା ଦାବିରେ ତହସିଲ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଗ୍ରାମବାସୀ। ଏଭଳି ଘଟଣା ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ତହସିଲ ଅନ୍ତର୍ଗତ ଜଟେସିଂହା ଗ୍ରାମରେ ଦେଖିବାକୁ ମିଳିଛି।
ସୂଚନା ଅନୁଯାୟୀ, ଜଟେସିଂହା ବିଦ୍ୟାଳୟକୁ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଭାବେ ରୂପାନ୍ତରିତ କରିବାକୁ ସରକାରୀ ଅନୁମୋଦନ ମିଳିଛି। ତେବେ ଏଥିପାଇଁ ଆବଶ୍ୟକ ପରିମାଣର ଜମି ବର୍ତ୍ତମାନ ବିଦ୍ୟାଳୟ ନିକଟରେ ନଥିବାରୁ ଏହାକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ପ୍ରସ୍ତାବ ରହିଥିବା ଜାଣିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ବିଦ୍ୟାଳୟକୁ ଗାଁରୁ ସ୍ଥାନାନ୍ତର ନକରି ବର୍ତ୍ତମାନର ସ୍ଥାନରେ ହିଁ ଆଦର୍ଶ ବିଦ୍ୟାଳୟ ଭାବେ ବିକଶିତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଗ୍ରାମରେ ବ୍ୟାପକ ପରିମାଣର ଗୋଚର ଜମି ଥିବା ସତ୍ତ୍ୱେ ଏହା ଜବରଦଖଲରେ ରହିଛି। ତେଣୁ ଉକ୍ତ ଜମିକୁ ତୁରନ୍ତ ଜବରଦଖଲମୁକ୍ତ କରି ବିଦ୍ୟାଳୟ ନାମରେ ଯୋଗାଇଦେବାକୁ ସେମାନେ ଦାବି କରିଛନ୍ତି।
ଏନେଇ ଗ୍ରାମବାସୀ ତହସିଲଦାରଙ୍କୁ ଭେଟି ନିଜର ଦାବି ଜଣାଇବା ସହ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗ୍ରାମବାସୀଙ୍କ ଦାବି ପ୍ରତି ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବା ସହ ଜବରଦଖଲ ଉଚ୍ଛେଦ କରି ବିଦ୍ୟାଳୟ ପାଇଁ ଆବଶ୍ୟକ ଜମି ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଛି।

