ନୂଆଦିଲ୍ଲୀ,୯।୧୧: କ୍ରିକେଟ ଇତିହାସର ଅନ୍ୟତମ ମହାନ ବ୍ୟାଟର୍ ଭିଭି ରିଚାର୍ଡସ ନିଜ କ୍ୟାରିୟରରେ ଯେଉଁ ୫ ଜଣ ବୋଲରଙ୍କୁ ସାମ୍ନା କରିବା ସବୁଠୁ କଷ୍ଟକର ମନେ କରୁଥିଲେ, ସେମାନଙ୍କ ନାମ ପ୍ରକାଶ କରିଛନ୍ତି। ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି ଭାରତର ମହାନ ଲେଗ ସ୍ପିନର୍ ବିଏସ ଚନ୍ଦ୍ରଶେଖର। ଭାରତୀୟ ବୋଲରଙ୍କୁ ଏଭଳି ସମ୍ମାନଜନକ ସ୍ଥାନ ଦେଇ ରିଚାର୍ଡସ ଭାରତୀୟ କ୍ରିକେଟ ପ୍ରଶଂସକଙ୍କ ମନ ଜିଣିଛନ୍ତି।
ନମ୍ବର-୧: ବିଏସ ଚନ୍ଦ୍ରଶେଖର
ରିଚାର୍ଡସଙ୍କ ମତରେ, ଚନ୍ଦ୍ରଶେଖରଙ୍କ ବଲ ଯେଉଁ ଦ୍ରୁତ ଗତିରେ ଭିତରକୁ ଘୂରୁଥିଲା, ସେଭଳି ବୋଲିଂ ଅନ୍ୟ କାହାଠାରେ ଦେଖିବାକୁ ମିଳୁ ନ ଥିଲା। ତାଙ୍କ ବଲର ଗତି ଓ ଟର୍ନ ବ୍ୟାଟରଙ୍କୁ ଅନେକ ସମୟରେ ଅସହାୟ କରିଦେଉଥିଲା।
ନମ୍ବର-୨: ଇମ୍ରାନ ଖାନ
ରିଚାର୍ଡସଙ୍କ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ପାକିସ୍ତାନର ମହାନ ଅଲରାଉଣ୍ଡର୍ ଇମ୍ରାନ ଖାନ। ତାଙ୍କୁ ରିଚାର୍ଡସ ବିଶ୍ୱର ଶ୍ରେଷ୍ଠ ଅଲରାଉଣ୍ଡରଙ୍କ ମଧ୍ୟରୁ ଜଣେ ବୋଲି କହିଛନ୍ତି। ଇଆନ ବୋଥାମ ଓ କପିଳ ଦେବଙ୍କ ଭଳି ମହାନ କ୍ରିକେଟରଙ୍କ ବିପକ୍ଷରେ ମଧ୍ୟ ରିଚାର୍ଡସ ଖେଳିଥିଲେ। ତଥାପି ଇମ୍ରାନଙ୍କୁ ସେ ନିଜ ସମୟର ଅନ୍ୟତମ ଶ୍ରେଷ୍ଠ ଅଲରାଉଣ୍ଡର୍ ଭାବେ ମାନ୍ୟତା ଦେଇଛନ୍ତି। ତାଙ୍କ ବିପକ୍ଷରେ ବ୍ୟାଟିଂ କରିବା ସହଜ ନ ଥିଲା ବୋଲି ରିଚାର୍ଡସ କହିଛନ୍ତି।
ନମ୍ବର-୩: ୱାସିମ ଆକ୍ରମ
ତୃତୀୟ ସ୍ଥାନରେ ରହିଛନ୍ତି ପାକିସ୍ତାନର କିମ୍ବଦନ୍ତୀ ଦ୍ରୁତ ବୋଲର୍ ୱାସିମ ଆକ୍ରମ। ରିଚାର୍ଡସ ତାଙ୍କୁ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଫାଷ୍ଟ ବୋଲର୍ ବୋଲି କହିଛନ୍ତି। ରିଚାର୍ଡସଙ୍କ କହିବା ଅନୁସାରେ, ୱାସିମଙ୍କ ବିପକ୍ଷରେ ତାଙ୍କୁ ଅଧିକ ଖେଳିବାର ସୁଯୋଗ ମିଳି ନ ଥିଲା। କିନ୍ତୁ ତାଙ୍କର ଏକ ବଲ ଆଜି ମଧ୍ୟ ମନେ ଅଛି। ୱାସିମଙ୍କ ବୋଲିଂର ସବୁଠୁ ବଡ଼ ବିଶେଷତ୍ୱ ଥିଲା ତାଙ୍କର ଅନିଶ୍ଚିତତା। ବାମହାତରୁ ଆସୁଥିବା ବଲ ଶେଷ ମୁହୂର୍ତ୍ତରେ ସୁଇଙ୍ଗ୍ ହେଉଥିଲା, ହଠାତ୍ ଅଧିକ ବାଉନ୍ସ ନେଉଥିଲା କିମ୍ବା ଏଭଳି କୋଣରୁ ଆସୁଥିଲା, ଯାହାକୁ ବ୍ୟାଟର୍ ଅନୁମାନ କରିବା କଷ୍ଟକର ଥିଲା।
ନମ୍ବର-୪: ଡେନିସ ଲିଲି
ଚତୁର୍ଥ ସ୍ଥାନରେ ରହିଛନ୍ତି ଅଷ୍ଟ୍ରେଲିଆର ମହାନ ଦ୍ରୁତ ବୋଲର୍ ଡେନିସ ଲିଲି। ରିଚାର୍ଡସଙ୍କ କ୍ୟାରିୟରରେ ସେ ଆଉ ଜଣେ ଏଭଳି ବୋଲର୍ ଥିଲେ, ଯାହାଙ୍କ ବିପକ୍ଷରେ ବ୍ୟାଟିଂ କରିବା ସବୁବେଳେ ଏକ ବଡ଼ ଚ୍ୟାଲେଞ୍ଜ ଥିଲା।
ନମ୍ବର-୫: ଜେଫ ଥମ୍ପସନ
ରିଚାର୍ଡସଙ୍କ ତାଲିକାର ପଞ୍ଚମ ସ୍ଥାନରେ ଅଛନ୍ତି ଅଷ୍ଟ୍ରେଲିଆର ଦ୍ରୁତ ବୋଲର୍ ଜେଫ ଥମ୍ପସନ। ତାଙ୍କର ଅନନ୍ୟ ବୋଲିଂ ଆକ୍ସନ ରିଚାର୍ଡସଙ୍କ ମନରେ ସବୁବେଳେ ରହିଥିଲା। ରିଚାର୍ଡସଙ୍କ ମତରେ, ଥମ୍ପସନଙ୍କ ‘ସ୍ଲିଙ୍ଗିଂ’ ବୋଲିଂ ଆକ୍ସନ ଯୋଗୁ ସେ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ବଲ୍କୁ ନିଜ ଶରୀର ପଛରେ ଲୁଚାଇ ରଖୁଥିଲେ। ବ୍ୟାଟର୍ ବଲର ଦିଗ ବୁଝିବା ବେଳକୁ ପ୍ରତିକ୍ରିୟା ଦେବା ପାଇଁ ବହୁତ କମ ସମୟ ରହୁଥିଲା। ତାଙ୍କର ଅସାଧାରଣ ଗତି ସହ ଏହି ବୋଲିଂ ଆକ୍ସନ ମଧ୍ୟ ବ୍ୟାଟରଙ୍କ ପାଇଁ ଭୟର କାରଣ ଥିଲା।
Dharitri – Odisha’s No.1 Odia Daily

