କେସିଙ୍ଗା,୨୮।୧୧ (ତୁମେଶ୍ୱର ସାହୁ): ୬୪ ବର୍ଷ ପୁରୁଣା ବିଦ୍ୟାଳୟ, ହେଲେ ଆଜି ବି ନାହିଁ ଆବଶ୍ୟକ ଭିତ୍ତିଭୂମି। କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଶିରୋଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡୁମେରମୁଣ୍ଡା ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୬ଟି ଶ୍ରେଣୀଗୃହ ଜରାଜୀର୍ଣ୍ଣ ଓ ବିପଦସଙ୍କୁଳ ଅବସ୍ଥାରେ ରହିଛି। ବିଦ୍ୟାଳୟର ବାଡ଼, ରୋଷେଇ ଘର ଓ ଶୌଚାଳୟ ନିର୍ମାଣ ପାଇଁ ଏବେ ୬ ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର ହୋଇଥିବା ବିଡିଓ ସୂଚନା ଦେଇଛନ୍ତି।
୧୯୬୨ ମସିହା ଫେବ୍ରୁଆରୀ ୩ ତାରିଖରେ ସ୍ଥାପିତ ଏହି ବିଦ୍ୟାଳୟରେ ବର୍ତ୍ତମାନ ମୋଟ ୧୨୯ ଜଣ ଛାତ୍ରୀଛାତ୍ର ପାଠ ପଢୁଛନ୍ତି। ଏଥିମଧ୍ୟରୁ ୧୬ ଜଣ ଶିଶୁ ବାଟିକାରେ ଅଧ୍ୟୟନ କରୁଛନ୍ତି। ଶିଶୁ ବାଟିକାଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମାତ୍ର ୬ଟି ଶ୍ରେଣୀଗୃହ ରହିଛି। ଦୀର୍ଘ ୬୪ ବର୍ଷ ଧରି ବ୍ୟବହାର ହୋଇଆସୁଥିବା ଏହି କୋଠରୀଗୁଡ଼ିକର କାନ୍ଥ ଓ ଛାତ ଭାଙ୍ଗି ଯାଇଥିବାରୁ ଛାତ୍ରୀଛାତ୍ରଙ୍କ ସୁରକ୍ଷା ନେଇ ଚିନ୍ତା ବଢ଼ିଛି।
ବିଦ୍ୟାଳୟରେ ଗୋଟିଏ କାର୍ଯ୍ୟାଳୟ କକ୍ଷ ଥିବାବେଳେ ୩ଟି ଶ୍ରେଣୀଗୃହରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଏବଂ ଅନ୍ୟ ୩ଟି କୋଠରୀରେ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀର ପିଲାମାନେ ପାଠ ପଢୁଛନ୍ତି। ଆବଶ୍ୟକତା ଅନୁସାରେ ଅତିରିକ୍ତ ଶ୍ରେଣୀଗୃହର ମଧ୍ୟ ଅଭାବ ରହିଛି। ଅନ୍ୟପଟେ ବିଦ୍ୟାଳୟ ନିକଟବର୍ତ୍ତୀ ଅଞ୍ଚଳରେ ହାତୀପଲ ଓ ବାରାହାଙ୍କ ଚଳପ୍ରଚଳ ରହିଛି। କିଛି ବର୍ଷ ପୂର୍ବେ ବାରାହା ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାରୁ ପିଲାଙ୍କ ସୁରକ୍ଷା ପାଇଁ ବିଦ୍ୟାଳୟ ଚାରିପଟେ ସୁରକ୍ଷା ବାଡ଼ ନିର୍ମାଣ ଜରୁରୀ ହୋଇପଡ଼ିଛି।
ବିଦ୍ୟାଳୟର ପୁରୁଣା ରୋଷେଇ ଘର, ଶୌଚାଳୟ ଓ ବାଡ଼ ମାଟିରେ ଯୋଡ଼ାଯାଇ ନିର୍ମାଣ ହୋଇଥିବାରୁ ବର୍ଷାରେ ଦୁର୍ବଳ ହୋଇ ଭାଙ୍ଗି ପଡ଼ିଛି। ଏଥିସହ ବିଦ୍ୟାଳୟରେ ନୂତନ ନଳକୂଅର ମଧ୍ୟ ଆବଶ୍ୟକତା ରହିଛି। ପୁରୁଣା ନଳକୂଅରୁ ଅଳ୍ପ ପାଣି ବାହାରୁଥିବାରୁ ୧୨୯ ଜଣ ପିଲାଙ୍କ ପାଇଁ ପାନୀୟ ଜଳ ଓ ମଧ୍ୟାହ୍ନ ଭୋଜନ ରୋଷେଇରେ ସମସ୍ୟା ଦେଖାଦେଉଛି। ସେହିପରି ଛାତ୍ରୀଛାତ୍ରଙ୍କ ପାଇଁ ଥିବା ଶୌଚାଳୟ ଜରାଜୀର୍ଣ୍ଣ ହୋଇ ବ୍ୟବହାର ଅନୁପଯୋଗୀ ହୋଇପଡ଼ିଥିବାରୁ ପିଲାମାନେ ବାହାରକୁ ଯିବାକୁ ବାଧ୍ୟ ହେଉଛନ୍ତି।
ଏହି ସମସ୍ୟା ନେଇ ପ୍ରଧାନଶିକ୍ଷକ ସୁରେନ୍ଦ୍ର କୁମାର ଦୋରା ଓ ଶିକ୍ଷା କମିଟି ସଭାପତି ଜାମୁର୍ଲାଜୁନ ସାହୁ କେସିଙ୍ଗା ବିଡିଓ ଏବଂ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିଲେ। ଏ ସମ୍ପର୍କରେ କେସିଙ୍ଗା ବିଡିଓ ଜନ୍ମେଜୟ ସ୍ବାଇଁଙ୍କୁ ପଚାରିବାରୁ ବିଦ୍ୟାଳୟର ବାଡ଼, ଶୌଚାଳୟ ଓ ରୋଷେଇ ଘର ନିର୍ମାଣ ପାଇଁ ୬ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ସେ କହିଥିଲେ। ବିଡିଓଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଏକଜିକ୍ୟୁଟିଭ ଇଞ୍ଜିନିୟର ସୁବାଷ ନାୟକ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ବାଡ଼, ରୋଷେଇ ଘର ଓ ଶୌଚାଳୟ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଆବଶ୍ୟକ ଶ୍ରେଣୀଗୃହ ପର୍ଯ୍ୟାୟକ୍ରମେ ନିର୍ମାଣ କରାଯିବ ବୋଲି ସେ କହିଥିବା ଜଣାପଡ଼ିଛି।
ଦୀର୍ଘ ୬୪ ବର୍ଷ ପରେ ବିଦ୍ୟାଳୟର ମୌଳିକ ସୁବିଧା ପାଇଁ ଅନୁଦାନ ମିଳିଥିବାରୁ ଶିକ୍ଷା କମିଟି ଓ ଗ୍ରାମବାସୀ ବିଡିଓ ଜନ୍ମେଜୟ ସ୍ବାଇଁ ଏବଂ ଅତିରିକ୍ତ ଇଞ୍ଜିନିୟର ସୁବାଷ ନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି।
Dharitri – Odisha’s No.1 Odia Daily

