ନୂଆଦିଲ୍ଲୀ,୨୮।୧୧: ଆଇପିଏଲ ୨୦୨୭ ପାଇଁ ପୁଣିଥରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହେବେ ରୋହିତ ଶର୍ମା। ଏହି ନିଷ୍ପତ୍ତିକୁ ନେଇ ଦଳର ମାଲିକାଣୀ ନୀତା ଅମ୍ବାନୀ ବେଶ ଖୁସି ପ୍ରକାଶ କରିଛନ୍ତି। ଫ୍ରାଞ୍ଚାଇଜିର ଐତିହାସିକ ୨୦ତମ ସିଜନ ପୂର୍ବରୁ ରୋହିତଙ୍କ ପୁନର୍ବାର ଅଧିନାୟକ ଦାୟିତ୍ୱକୁ ଫେରିବା ଦଳ ଓ ଏହାର ପ୍ରଶଂସକଙ୍କ ମଧ୍ୟରେ ନୂଆ ଉତ୍ସାହ ଭରିଦେଇଛି।
୨୦୧୧ରେ ମୁମ୍ବାଇ ଇଣ୍ଡିଆନ୍ସ ସହ ଯୋଡି ହେବା ପରଠାରୁ ରୋହିତ ଦଳ ପାଇଁ ଅନେକ ସଫଳତା ଆଣିଛନ୍ତି। ତାଙ୍କ ନେତୃତ୍ୱରେ ମୁମ୍ବାଇ ୫ ଥର ଆଇପିଏଲ ଟ୍ରଫି ଜିତିଛି। ଦଳରେ ବିଜୟର ଏକ ସଂସ୍କୃତି ଗଢିବାରେ ମଧ୍ୟ ରୋହିତଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି।
ରୋହିତଙ୍କ ସହ ଦୀର୍ଘଦିନର ସମ୍ପର୍କ ଏବଂ ତାଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ନୀତା ଅମ୍ବାନୀ କହିଛନ୍ତି, ୨୦୧୧ରେ ଆମେ ରୋହିତଙ୍କ ପାଇଁ ନିଲାମରେ ବିଡ କରିଥିଲୁ। ସେହି ମୁହୂର୍ତ୍ତରୁ ସେ ଆମ ମୁମ୍ବାଇ ଇଣ୍ଡିଆନ୍ସ ପରିବାରର ଅଂଶ ହୋଇଗଲେ। ଆଜି ବି ମୋର ସେହି ଯୁବ ରୋହିତଙ୍କ କଥା ମନେ ଅଛି। ବର୍ଷ ପରେ ବର୍ଷ ତାଙ୍କୁ ଜଣେ କ୍ରିକେଟର୍, ଚାମ୍ପିୟନ, ନେତା ଏବଂ ଜଣେ ଉତ୍ତମ ପାରିବାରିକ ବ୍ୟକ୍ତି ଭାବେ ବିକଶିତ ହେଉଥିବା ଦେଖିବା ମୋ ପାଇଁ ଆନନ୍ଦ ଓ ସୌଭାଗ୍ୟର ବିଷୟ।
ମୁମ୍ବାଇ ଇଣ୍ଡିଆନ୍ସର ୨୦ତମ ସିଜନକୁ ନେଇ ନୀତା ଅମ୍ବାନୀ ଆହୁରି କହିଛନ୍ତି, ଦଳର ୨୦ତମ ସିଜନ ପାଳନ କରିବାକୁ ଆମେ ପ୍ରସ୍ତୁତ ହେଉଥିବା ବେଳେ ରୋହିତ ପୁଣିଥରେ ଦଳର ନେତୃତ୍ୱ ନେବା ଆମ ସମସ୍ତଙ୍କ ପାଇଁ ଏକ ବିଶେଷ ମୁହୂର୍ତ୍ତ। ସେ ଆମକୁ ଅନେକ ସ୍ମରଣୀୟ ମୁହୂର୍ତ୍ତ ଦେଇଛନ୍ତି। ଆମ ଦଳ ପାଇଁ ସେ କେତେ ମହତ୍ତ୍ୱ ରଖନ୍ତି, ତାହା ମୁଁ ଭଲଭାବେ ଜାଣିଛି। ଏହି ନୂଆ ଅଧ୍ୟାୟ ରୋହିତ, ଆମ ଦଳ ଏବଂ ମୁମ୍ବାଇ ଇଣ୍ଡିଆନ୍ସକୁ ଭଲ ପାଉଥିବା ଲକ୍ଷ ଲକ୍ଷ ପ୍ରଶଂସକଙ୍କ ପାଇଁ ଆହୁରି ଅନେକ ଗର୍ବର ମୁହୂର୍ତ୍ତ ଆଣିବ ବୋଲି ଆଶା କରୁଛି। ରୋହିତ, ଆମେ ସମସ୍ତେ ତୁମକୁ ସମର୍ଥନ କରୁଛୁ।
ଏହି ଅବସରରେ ଆକାଶ ଅମ୍ବାନୀ ମଧ୍ୟ ରୋହିତଙ୍କ ଅଭିଜ୍ଞତା ଓ ଦଳର ପ୍ରସ୍ତୁତି ଉପରେ ଭରସା ପ୍ରକାଶ କରିଛନ୍ତି। ୨୦ତମ ସିଜନରେ ରୋହିତଙ୍କ ନେତୃତ୍ୱରେ ଦଳ ଏକାଠି ହୋଇ ଏପରି କ୍ରିକେଟ ଖେଳିବାକୁ ଚାହୁଁଛି, ଯାହା ମୁମ୍ବାଇ ଦଳକୁ ଗର୍ବିତ କରିବ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ପୁଣିଥରେ ଅଧିନାୟକ ଦାୟିତ୍ୱ ମିଳିବା ପରେ ରୋହିତ ଶର୍ମା କହିଛନ୍ତି, ମୁମ୍ବାଇ ଇଣ୍ଡିଆନ୍ସ ମୋ ଜୀବନର ଏକ ବଡ଼ ଅଂଶ। ଏହି ଦଳର ନେତୃତ୍ୱ ନେବା ସବୁବେଳେ ମୋ ପାଇଁ ଗର୍ବର ବିଷୟ ହୋଇ ରହିଛି।

