ନୂଆଦିଲ୍ଲୀ,୨୮।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ପାଳିରେ ବଡ଼ ସ୍କୋର କରିପାରି ନ ଥିଲେ ମଧ୍ୟ ଭାରତୀୟ ଉଇକେଟ୍କିପର ବ୍ୟାଟର ରିଷଭ ପନ୍ତ ଏକ ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (WTC) ଇତିହାସରେ ସର୍ବାଧିକ ଛକା ମାରିବାରେ ସେ ଏବେ ଏକ ନମ୍ବର ସ୍ଥାନକୁ ଉଠିଛନ୍ତି। ଏହି ରେକର୍ଡ ସହ ସେ ଇଂଲଣ୍ଡର ବେନ ଷ୍ଟୋକ୍ସଙ୍କୁ ପଛରେ ପକାଇଛନ୍ତି।
ପନ୍ତ ଭାରତର ପ୍ରଥମ ପାଳିରେ ୩୯ଟି ବଲ୍ରୁ ସମ୍ମୁଖୀନ ହୋଇ ୨୧ ରନ କରିଥିଲେ। ଏଥିରେ ଗୋଟିଏ ଚୌକା ଓ ଗୋଟିଏ ଛକା ସାମିଲ ଥିଲା। ଏହି ଛକା ସହ WTCରେ ତାଙ୍କ ମୋଟ ଛକା ସଂଖ୍ୟା ୮୯ରେ ପହଞ୍ଚିଛି। ଅନ୍ୟପକ୍ଷରେ ବେନ ଷ୍ଟୋକ୍ସଙ୍କ ନାମରେ ୮୮ଟି ଛକା ରହିଛି। WTC ଇତିହାସରେ ସର୍ବାଧିକ ଛକା ମାରିବା ତାଲିକାରେ ରୋହିତ ଶର୍ମା ୫୬ଟି ଛକା ସହ ତୃତୀୟ ସ୍ଥାନରେ ଅଛନ୍ତି। ଭାରତୀୟ ଅଧିନାୟକ ଶୁବମନ ଗିଲ ୪୮ଟି ଛକା ସହ ଚତୁର୍ଥ ଏବଂ ଯଶସ୍ବୀ ଜୟସ୍ବାଲ ୪୫ଟି ଛକା ସହ ପଞ୍ଚମ ସ୍ଥାନରେ ରହିଛନ୍ତି।
ତେବେ ଟେଷ୍ଟ କ୍ରିକେଟର୍ ସାମଗ୍ରିକ ରେକର୍ଡରେ ସର୍ବାଧିକ ଛକା ମାରିବାରେ ବେନ ଷ୍ଟୋକ୍ସ ଶୀର୍ଷରେ ଅଛନ୍ତି। ତାଙ୍କ ନାମରେ ୧୩୮ଟି ଛକା ରହିଥିବାବେଳେ ଋଷଭ ପନ୍ତ ୧୦୯ଟି ଛକା ସହ ଦ୍ୱିତୀୟ ଏବଂ ବ୍ରେଣ୍ଡନ ମ୍ୟାକକୁଲମ ୧୦୭ଟି ଛକା ସହ ତୃତୀୟ ସ୍ଥାନରେ ଅଛନ୍ତି।
ଅନ୍ୟପଟେ ନ୍ୟୁଜିଲାଣ୍ଡ ଦଳ ପ୍ରଥମ ପାଳିରେ ୩୪୮ ରନ କରିଛି। ଭାରତ ପକ୍ଷରୁ ଆକାଶ ଦୀପ ଚମତ୍କାର ବୋଲିଂ କରି ୫ଟି ଉଇକେଟ ଅକ୍ତିଆର କରିଛନ୍ତି। ଜବାବରେ ଭାରତୀୟ ଦଳର ପ୍ରଥମ ପାଳି ଆରମ୍ଭରୁ ଚାପରେ ପଡ଼ିଛି। ଯଶସ୍ବୀ ଜୟସ୍ବାଲ ଖାତା ଖୋଲି ନ ପାରି ଆଉଟ ହୋଇଥିବାବେଳେ ଶୁବମନ ଗିଲ ୧୭ ଓ ଦେବଦତ୍ତ ପଡିକ୍କଲ ୨୧ ରନ କରି ପ୍ୟାଭିଲିୟନ ଫେରିଛନ୍ତି।
Dharitri – Odisha’s No.1 Odia Daily

