ବାରିପଦା,୨୮ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ):ଶିକ୍ଷାର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ବିଦ୍ୟାଳୟଗୁଡ଼ିକରେ ସ୍ମାର୍ଟ କ୍ଲାସ୍, ଡିଜିଟାଲ ଶିକ୍ଷା ଓ ଆଧୁନିକ ଭିତ୍ତିଭୂମିର ସ୍ବପ୍ନ ଦେଖାଯାଉଛି। ମାତ୍ର ଏହି ସବୁ ଯୋଜନାର ବାସ୍ତବ ଚିତ୍ର କିନ୍ତୁ ବଡ଼ସାହି ଉଚ୍ଚ ବିଦ୍ୟାଳୟରେ ସମ୍ପୂର୍ଣ୍ଣ ଭିନ୍ନ। ୧୯୫୫ରେ ପ୍ରତିଷ୍ଠିତ ଅଞ୍ଚଳର ଏହି ପୁରାତନ ଶିକ୍ଷାନୁଷ୍ଠାନ ଇତିମଧ୍ୟରେ ୭୧ ବର୍ଷ ଅତିକ୍ରମ କରିଥିଲେ ମଧ୍ୟ ଆବଶ୍ୟକ ଭିତ୍ତିଭୂମି ଅଭାବରୁ ଏବେ ବି ଅବହେଳାର ଶିକାର ହୋଇଛି।
ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀରେ ୩ଟି ଲେଖାଏ ସେକ୍ସନ ରହିଥିବା ବେଳେ ମୋଟ ୩୩୯ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଏଠାରେ ୯ଜଣ ଶିକ୍ଷୟିତ୍ରୀ ଓ ୮ ଜଣ ଶିକ୍ଷକ ରହିଛନ୍ତି। ଶିକ୍ଷୟିତ୍ରୀ ଓ ଶିକ୍ଷକଙ୍କ ସଂଖ୍ୟା ଆବଶ୍ୟକତା ଅନୁଯାୟୀ ଥିଲେ ମଧ୍ୟ ଶ୍ରେଣୀଗୃହ ଅଭାବ ଶିକ୍ଷାଦାନରେ ବାଧକ ସାଜିଛି। ବିଦ୍ୟାଳୟ ପରିସରରେ ମାତ୍ର ୪ଟି ଛାତଘର ଓ ୨ଟି ଆଜବେଷ୍ଟସ୍ ଘର ରହିଛି। ୨୦୨୫-୨୬ ଆର୍ଥତ୍କ ବର୍ଷରେ ବିକଶିତ ଗଁା ବିକଶିତ ଓଡ଼ିଶା ଯୋଜନାରେ ୯ଲକ୍ଷ ୬୦ ହଜାର ଟଙ୍କାରେ ଗୋଟିଏ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ହୋଇଛି। ତେବେ ଆବଶ୍ୟକ ସଂଖ୍ୟକ ଶ୍ରେଣୀଗୃହ ନ ଥିବାରୁ ବାଧ୍ୟ ହୋଇ ବାତ୍ୟା ଆଶ୍ରୟସ୍ଥଳୀରେ ପିଲାଙ୍କୁ ପାଠ ପଢ଼ାଯାଉଛି। କେବଳ ଶ୍ରେଣୀଗୃହ ନୁହେଁ, ଛାତ୍ରୀଛାତ୍ରଙ୍କ ମୌଳିକ ସୁବିଧା ମଧ୍ୟ ଏଠାରେ ଅପହଞ୍ଚ। ବିଦ୍ୟାଳୟରେ ପାନୀୟ ଜଳ ସମସ୍ୟ୍ୟା ନ ଥିଲେ ହେଁ ଆବଶ୍ୟକ ଶୌଚାଳୟ, ଗାଧୁଆଘର, ରୋଷେଇଘର, ଡାଇନିଂ ହଲ୍ ଓ ପ୍ରାର୍ଥନା ସଭା ପାଇଁ ସ୍ବତନ୍ତ୍ର କକ୍ଷ ନାହିଁ। ଅନ୍ୟପକ୍ଷରେ ଏଠାରେ ଥିବା ହଷ୍ଟେଲ ଗୃହ ଭାଙ୍ଗିରୁଜି ଯାଇଥିବାରୁ ତାହା ଆଉ ବ୍ୟବହାର ଉପଯୋଗୀ ହୋଇ ରହିନାହିଁ। ବିଦ୍ୟାଳୟର ଡିଜିଟାଲ ବୋର୍ଡ ଅଚଳ ହୋଇ ପଡ଼ିଥିବା ବେଳେ ୫-ଟି ଯୋଜନାରେ ଯୋଗାଇ ଦିଆଯାଇଥିବା କମ୍ପ୍ୟୁଟରଗୁଡ଼ିକ ମଧ୍ୟ ଖରାପ ହୋଇପଡ଼ିଛି। ଆଧୁନିକ ଶିକ୍ଷାଦାନ ପାଇଁ ଯୋଗାଇ ଦିଆଯାଇଥିବା ଏହି ସାମଗ୍ରୀଗୁଡ଼ିକ ମରାମତି ଅଭାବରୁ ଅଦରକାରୀ ହୋଇରହିଛି। ଫଳରେ ଡିଜିଟାଲ ଶିକ୍ଷାର ସୁଯୋଗରୁ ଛାତ୍ରୀଛାତ୍ର ବଞ୍ଚିତ ହେଉଛନ୍ତି।
ଏହି ବିଦ୍ୟାଳୟରେ କେବଳ ନିୟମିତ ପାଠପଢ଼ା ହେଉନାହିଁ, ବରଂ ବିଭିନ୍ନ ସମୟରେ ସ୍କଲାରଶିପ୍ ପରୀକ୍ଷା, ପଠାଣି ସାମନ୍ତ ମେଧାବୃତ୍ତି ପରୀକ୍ଷା, ନବୋଦୟ ପ୍ରବେଶିକା ପରୀକ୍ଷା, କ୍ଲଷ୍ଟର ମିଟିଂ ସହ ବିଭିନ୍ନ ସରକାରୀ ପ୍ରଶିକ୍ଷଣ ଶିବିର ମଧ୍ୟ ଆୟୋଜିତ ହେଉଛି। ଅଞ୍ଚଳର ଏକ ପ୍ରମୁଖ ଶିକ୍ଷା ଓ ପ୍ରଶିକ୍ଷଣ କେନ୍ଦ୍ର ଭାବେ ଏହାର ଗୁରୁତ୍ୱ ରହିଥିଲେ ମଧ୍ୟ ନିଜସ୍ବ ଭିତ୍ତିଭୂମିର ଦୁରବସ୍ଥା ଦୁଃଖଦାୟକ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲକ୍ଷ୍ମୀନାରାୟଣ ମହାନ୍ତ ଓ ପରିଚାଳନା ସମିତି ସଭାପତି ମନୋରଞ୍ଜନ ବେହେରାଙ୍କ ତତ୍ତ୍ୱାବଧାନରେ ଶିକ୍ଷାଦାନ ଜାରି ରହିଛି। ତେବେ ଦୀର୍ଘ ବର୍ଷ ଧରି ଏହି ସମସ୍ୟାଗୁଡ଼ିକ ଲାଗି ରହିଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀ କିମ୍ବା ଜନପ୍ରତିନିଧିଙ୍କ ଦୃଷ୍ଟି ଏହା ଉପରେ କାହିଁକି ପଡ଼ୁନାହିଁ, ତାହା ଏବେ ବଡ଼ ପ୍ରଶ୍ନ ହୋଇଛି। ଏ ସମ୍ପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲକ୍ଷ୍ମୀ ନାରାୟଣ ମହାନ୍ତ କହନ୍ତି, ଶିକ୍ଷାଦାନ ଠିକ୍ ଠାକ ଚାଲିଛି। ବିଦ୍ୟାଳୟର ଭିତ୍ତିଭୂମି ସମସ୍ୟାକୁ ନେଇ ଶିକ୍ଷା ବିଭାଗକୁ ଅବଗତ କରାଯାଇଛି। ଖୁବ୍ଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି ପ୍ରତିଶ୍ରୁତି ମିଳିଛି। ଏନେଇ ଜିଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ କହନ୍ତି, ଓଏମ୍ବିଏଡିସି ଯୋଜନାରେ ଡାଇନିଂ ହଲ, କ୍ଲାସ୍ ରୁମ୍, ରୋଷେଇ ଘର ଆଦି ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଛି। ଖୁବ୍ଶୀଘ୍ର ଅନୁମୋଦନ ହୋଇ କାର୍ଯ୍ୟ କରାଯିବ ବୋଲି ସେ କହିଛନ୍ତି। ପରିଚାଳନା ସମିତିର ସଭାପତି ବେହେରା କୁହନ୍ତି, ବିଦ୍ୟାଳୟର ଅନେକ ସମସ୍ୟାକୁ ନେଇ ବିଭିନ୍ନ ସ୍ଥାନରେ ଆୟୋଜିତ ଜନଶୁଣାଣି ଶିବିରରେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଅଦ୍ୟାବଧି ସମସ୍ୟାର ସମାଧାନ ହୋଇପାରି ନାହିଁ। ସରକାର ଜାତୀୟ ଶିକ୍ଷା ନୀତି ଆରମ୍ଭ କରିଥିଲେ ହେଁ ବଡ଼ସାହି ସରକାରୀ ଉଚ୍ଚ ବିଦ୍ୟାଳୟ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ପଡ଼ିରହିଛି।
Dharitri – Odisha’s No.1 Odia Daily

