ସଂକଳ୍ପ ଓ ସମୀକ୍ଷାର ଦିବସ

ଭାଷାଭିତ୍ତିରେ ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଜନ୍ମଲାଭ କରିଥିଲା। ଓଡ଼ିଶାର ଅତୀତ ଗୌରବ ସମୃଦ୍ଧମୟ। ୧୫୬୮ ମସିହା ପର୍ଯ୍ୟନ୍ତ ଓଡ଼ିଶା ସ୍ବତନ୍ତ୍ର ରାଷ୍ଟ୍ର ମର୍ଯ୍ୟାଦା ପାଇଥିଲା। ୧୫୬୮ ମସିହାରେ ଶେଷ ସ୍ବାଧୀନ ନରପତି ମୁକୁନ୍ଦ ଦେବଙ୍କର ଯାଜପୁର ସନ୍ନିକଟ ଗୋହିରାଟିକିରି ରଣକ୍ଷେତ୍ରରେ ପରାଜୟ ଓ ନିଧନ ପରେ ଓଡ଼ିଶାର ଭାଗ୍ୟଲିପି ଅସ୍ତମିତ ହୋଇଗଲା ବୋଲି କହିଲେ ଭୁଲ ହେବନାହିଁ। ପରବର୍ତ୍ତୀ ପର୍ଯ୍ୟାୟରେ ଆଫଗାନ୍‌, ମୋଗଲ, ମରହଟ୍ଟା ଏବଂ ପରିଶେଷରେ ବ୍ରିଟିଶମାନଙ୍କ ଦ୍ୱାରା ଶାସିତ ହେଲା ପରେ ସେହି ବ୍ରିଟିଶ ଶାସନ ସମୟରେ ବହୁ ଆନ୍ଦୋଳନ, ପ୍ରତୀକ୍ଷା ଓ ନିବେଦନ ପରେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶର ମାନ୍ୟତା ଲାଭ କରିଛି।
ହଁ ! ଆମେ ଓଡ଼ିଆ, ଏବେ ମଧ୍ୟ ପୃଥିବୀର ଯେକୌଣସି ସ୍ଥାନରେ ଠିଆହୋଇ ସଗର୍ବେ କହିପାରୁ ଆମେ ଓଡ଼ିଆ। ପୃଥିବୀର କୋଡ଼ିଏଟି ସମୃଦ୍ଧ ସଭ୍ୟ ଓ ସୃଜନଶୀଳ ଭାଷା ମଧ୍ୟରୁ ଓଡ଼ିଆ ଭାଷା ଗୋଟିଏ। ସ୍ବତନ୍ତ୍ର କଳାର ସୃଜନ (ଉତ୍କଳ ହେତୁ) ପଥର ନିହାଣରେ ଏହାର ଶିଳ୍ପୀ କୋଣାର୍କ, ଲିଙ୍ଗରାଜ ଏବଂ ଜଗନ୍ନାଥ ଆଦି ବିରାଟ ମନ୍ଦିର ନିର୍ମାଣ କରିପାରିଛି। କୋଣାର୍କକୁ ଦେଖି ରବୀନ୍ଦ୍ରନାଥ ଟାଗୋର କହିଥିଲେ, ଏଠାରେ ପ୍ରସ୍ତରର ଭାଷା ଆଗରେ ମନୁଷ୍ୟର ଭାଷା ପରାଜୟ ବରଣ କରିଛି। ପ୍ରେମ, ସଦ୍‌ଭାବ ଓ ସୃଜନଶୀଳ ବୀରତ୍ୱର ପରିବେଶ ମଧ୍ୟରେ କିପରି ଏକ ଜାତି ବଞ୍ଚତ୍ରହେ ତା’ର ଜ୍ୱଳନ୍ତ ନିଦର୍ଶନ ହେଉଛି କୋଣାର୍କ ମନ୍ଦିର।
ସାତ ସମୁଦ୍ର ତେର ନଈ ପାରି ହୋଇ ଦେଶବିଦେଶରେ ଓଡ଼ିଆମାନେ ବିଜୟ ବୈଜୟନ୍ତୀ ଉଡ଼ାଇଥିଲେ। ଏହି ଜାତି ଗଢ଼ିଛି ଅଧାଗଢ଼ା ତିନି ଠାକୁର। ଆମେ ତ ମଣିଷ; କିପରି ଗଢ଼ିପାରିବୁ ପୂର୍ଣ୍ଣ ଈଶ୍ୱର। ଆମର ଏଇ ସରଳ ଠାକୁର ମଧ୍ୟରେ ସବୁ ଧର୍ମ, ସବୁ ମତ, ସବୁ ପଥ ନିଜ ଅସ୍ତିତ୍ୱ ହରେଇ ଦେଇଛନ୍ତି। ସେଥିପାଇଁ ସେଦିନ ଭକ୍ତକବି ଜଗନ୍ନାଥ ଦାସ କହିଥିଲେ-
“ଦେଖ ଏ ଯେତେ ନଦନଦୀ।
ପ୍ରବାହେ ମିଳନ୍ତି ଜଳଧି।।
ଲବଣ ଜଳେ ସେ ମିଶନ୍ତି।
ନିଜ ସ୍ବଗୁଣ ପାସୋରନ୍ତି।।”
ବାସ୍ତବରେ ସମୁଦ୍ରର ଲବଣାକ୍ତ ଜଳ ଭିତରେ ନଦୀ ତା’ର ସତ୍ତା ହରାଇଲା ଭଳି ଭାରତର ସକଳ ପ୍ରାନ୍ତର ଧର୍ମୀୟ ଚେତନା ଶ୍ରୀଜଗନ୍ନାଥଙ୍କ ଚେତନାରେ ନିଜ ସତ୍ତା ହରାଇଛି। ସେ ହୁଅନ୍ତୁ ବୌଦ୍ଧ, ଜୈନ, ଶିଖ୍‌ ଅବା ଖ୍ରୀଷ୍ଟିଆନ୍‌। ଐତିହାସିକମାନେ ମଧ୍ୟ ସ୍ବୀକାର କରନ୍ତି ଯେ, ପ୍ରଭୁ ଯିଶୁ କିଛିଦିନ ପାଇଁ ପୁରୀରେ ଅବସ୍ଥାନ କରିଥିଲେ। ଏଠାକୁ ନାନକ ଆସିଛନ୍ତି, ଚୈତନ୍ୟ ଆସିଛନ୍ତି, ଶଙ୍କର ଆସିଛନ୍ତି, ରାମାନୁଜ ଏବଂ ତୁଳସୀ ଦାସ ମଧ୍ୟ ଆସିଛନ୍ତି। ସମସ୍ତେ ଶ୍ରୀଜଗନ୍ନାଥଙ୍କ ମହିମାରେ ମହିମାନ୍ବିତ।
ସେଦିନ ଏ ପବିତ୍ର ମାଟିକୁ ଛୁଇଁ ଚଣ୍ଡାଶୋକ ଧର୍ମାଶୋକ ହୋଇଥିଲେ। ପୁରାଣ କହେ ଦ୍ୱାରକାର ଶାପଗ୍ରସ୍ତ ଶାମ୍ବ ଋଷି ଆଦେଶ ଘେନି ଆସିଥିଲେ ଶାପ ମୁକ୍ତିପାଇଁ ଅର୍କଭୂମି କୋଣାର୍କର କଦର୍ମକୁ ଦେହରେ ବୋଳିହୋଇ ଆରୋହଣ କରି ହୋଇଥିଲେ ଶାପମୁକ୍ତ। ମହାଭାରତ ଯୁଦ୍ଧ ପରେ ପାଣ୍ଡବ ପାଞ୍ଚ ଭାଇ ଭ୍ରାତୃହତ୍ୟା, ପିତୃହତ୍ୟା, ଗୁରୁହତ୍ୟା ଓ ବ୍ରହ୍ମହତ୍ୟା ମହାପାପରୁ ମୁକ୍ତି ପାଇଁ ଲୋମଷ ମୁନିଙ୍କ ଆଦର୍ଶରେ ଆସିଥିଲେ ଏ ମାଟିକୁ; ମହାମାୟଙ୍କ ନାଭିପୀଠ ମା’ ବିରଜାଙ୍କ ପାଖକୁ। ଏ ମାଟି ରାମାୟଣର ରାମଙ୍କୁ ମଧ୍ୟ କରିଛି ରମଣୀୟ। ରାବଣକୁ ହତ୍ୟା କରିଥିବା ଧନୁକୁ ରଘୁବୀର ଏକାମ୍ର କ୍ଷେତ୍ରରେ ଲିଙ୍ଗରାଜଙ୍କ ପୀଠରେ ମହାଦେବଙ୍କୁ ଅର୍ପଣ କରି ତାଙ୍କର ଶରଣ ପଶିଥିଲେ। ସେଥିପାଇଁ ଏକମାତ୍ର ଶୈବପୀଠ ଲିଙ୍ଗରାଜ ଚୂଡ଼ାରେ ଧନୁ ବିରାଜିତ। ଏ ପବିତ୍ର ଭୂମିର ଦାୟାଦ ଭାବେ ଆମେ କ’ଣ ଗର୍ବ ଅନୁଭବ କରୁନାହୁଁ?
ଏଇ ମାଟିର ପୁଅ ଭୀମଭୋଇଙ୍କର କବିତା ସ୍ବର୍ଣ୍ଣିମ ଅକ୍ଷରରେ ଜାତିସଂଘରେ ଖୋଦିତ ହୋଇଛି, ‘ମୋ ଜୀବନ ପଛେ ନର୍କେ…’। ସାରଳା ଦାସ ବିଶାଳ ଗ୍ରନ୍ଥ ମହାଭାରତ ରଚନାକରି ବେଦବ୍ୟାସ ପାଲଟିଯାଇଛନ୍ତି। ପୁଣି ଜଗନ୍ନାଥ ଦାସଙ୍କ ଭାଗବତ ଓଡ଼ିଶାର ଘରେ ଘରେ ଲୋକପ୍ରିୟ। ଜୟଦେବଙ୍କ କବିତାର ପଂକ୍ତି ପୂରଣ କରିଛନ୍ତି ସ୍ବୟଂ ଜଗନ୍ନାଥ। ସମ୍ବଲପୁରର ମହାନ୍‌ କବି ଗଙ୍ଗାଧରଙ୍କ ‘ତପସ୍ବିନୀ’, ସୂର୍ଯ୍ୟ ଭଳି ବିଶ୍ୱ ଆଧୁନିକ ସାହିତ୍ୟରେ ଗାଥା ପ୍ରଚାର କରୁଛି। ଆହୁରି ଅନେକ ସୁଯୋଗ୍ୟ ସନ୍ତାନସନ୍ତତି ଯଥା- ଫକୀରମୋହନ, ରାଧାନାଥ, ଗୋପବନ୍ଧୁ, ମଧୁସୂଦନ ଦାସ, ମଧୁସୂଦନ ରାଓ, ବିଦ୍ୟୁତପ୍ରଭା ଦେବୀ, କୁନ୍ତଳା କୁମାରୀ, ମନୋଜ ଦାସ, ମାୟାଧର ମାନସିଂ, ଗୋପୀନାଥ ମହାନ୍ତି, ସୁରେନ୍ଦ୍ର ମହାନ୍ତି ପ୍ରମୁଖ ସାରସ୍ବତ ସାଧିକା/ସାଧକଙ୍କର ସୃଷ୍ଟି ସମ୍ଭାରରେ ପଲ୍ଲବିତ ହୋଇଛି ଓଡ଼ିଆ ଭାଷା ସାହିତ୍ୟ। ଆଜି ସରକାର ମହିଳା ସଶକ୍ତୀକରଣ ବିଷୟରେ କହୁଛନ୍ତି। ଏହାର ପାଞ୍ଚଶହ ବର୍ଷ ପୂର୍ବରୁ ବଳରାମ ଦାସ, ମହିଳା ସଶକ୍ତୀକରଣ ବିଷୟରେ ଲକ୍ଷ୍ମୀପୁରାଣ ମାଧ୍ୟମରେ ଯେଉଁ ଗଣଆନ୍ଦୋଳନ ସୃଷ୍ଟି କରିଛନ୍ତି ତାହା କ’ଣ ଉଲ୍ଲେଖଯୋଗ୍ୟ ନୁହେଁ କି?
ସିପାହୀ ବିଦ୍ରୋହର ଯଥେଷ୍ଟ ପୂର୍ବରୁ ଇଂରେଜ ଶାସକ ବିରୋଧରେ ଓଡ଼ିଆ ତେଜିଥିଲା ପାଇକ ବିଦ୍ରୋହ। ଏ ଭୂମି ଭବ୍ୟଭାରତ ଆତ୍ମା ବୋଲି ଶ୍ରୀରାମକୃଷ୍ଣ ବିବେକାନନ୍ଦଙ୍କୁ ଓଡ଼ିଶାକୁ (ଜଗନ୍ନାଥଧାମକୁ) ନ ଯିବାକୁ ନିର୍ଦ୍ଦେଶ ଦେଇଥିଲେ। ତେଣୁ ବିବେକାନନ୍ଦ ପଦବ୍ରଜରେ ସମଗ୍ର ଭାରତ ବୁଲିଥିଲେ ଓ ପ୍ରତିନିଧି ହୋଇ ବିଶ୍ୱରେ ଭାରତ ମହିମାର ଗାଥା ବର୍ଣ୍ଣନା କରିଥିଲେ ମଧ୍ୟ ଓଡ଼ିଶା ମାଟିକୁ ଆସି ନ ଥିଲେ। ଗୁରୁ କହିଥିଲେ, ”ମୁଁ ଯାଇନି; ତୁ ବି ଯିବୁ ନାହିଁ। ସେଠାକୁ ଥରେ ଗଲେ ଅଟକିଯିବୁ। ଯେଉଁ କାମ ପାଇଁ ଆସିଛୁ ତାହା ଆଉ କରିପାରିବୁନାହିଁ।“ ଏ ଆତ୍ମାର ଭୂମି ବୋଲି ତ ଏଠି ଏତେ ଆକର୍ଷଣ; ଏଠି ଅବତାରୀ ବି ଅଟକିଯାଏ। ସେଦିନ କପିଳମୁନି କହିଗଲେ, ”ଉତ୍କଳସ୍ୟ ସମଦେଶ, ଦେଶନାସ୍ତି ମହୀତଳେ।“ ଓଡ଼ିଆ ଭାଷା ଦକ୍ଷିଣ ଭାଷା ଭଳି କ୍ଷୀପ୍ର ନୁହେଁ କିମ୍ବା ଉତ୍ତର ଭାରତ ଭାଷା ପରି ଧୀର ମଧ୍ୟ ନୁହେଁ। ଏହା ମଧ୍ୟମ। ଏହା ଦକ୍ଷିଣ ଓ ଉତ୍ତର ଭାରତର ଏକ ଅଦ୍ଭୁତ ସମନ୍ବୟ। ଓଡ଼ିଆର ଖାଦ୍ୟ ପୋଷାକ ପରିପାଟି ନିଜର ସ୍ବତନ୍ତ୍ରତା ସତ୍ତ୍ୱେ ଉତ୍ତର ଭାରତର ଏକ ଅପୂର୍ବ ସମନ୍ବୟ। ଆତ୍ମାର ଭୂମିରେ ଠିଆହୋଇ ମଧୁସୂଦନ ରାଓ ଲେଖିଗଲେ ”ବିଶ୍ୱେ ଦେଖ, ମଧୁମୟରେ ଭୁବନ, ବିଶ୍ୱେ ଦେଖ ମଧୁମୟ।“ ମଧୁମୟୀ ମା’ ଶ୍ରୀମାଙ୍କୁ ଜଣେ ପ୍ରଶ୍ନ କରିଥିଲେ, ”ଅତିମାନସ ମହାଶକ୍ତିକୁ ଧାରଣ କରିବାକୁ କେଉଁ ଜାତିର ନାମ ପ୍ରଥମ?“ ଶ୍ରୀମା କିଛି ସମୟ ନୀରବ ରହି ଅସୀମ ଆକାଶକୁ ଚାହିଁ କହିଲେ ‘ଓଡ଼ିଶା’। ଆଜି ଓଡ଼ିଶାର ଜୟନ୍ତୀ ପାଳନ ବେଳେ ଆମ ମନରେ ଦ୍ୱନ୍ଦ୍ୱ ଉପୁଜୁଛି। ଏହା ମଧ୍ୟ ସ୍ବାଭାବିକ। ଆଜି ଓଡ଼ିଶାର କୋଟିଆର କିଛି ଗ୍ରାମପୁଞ୍ଜକୁ ଆନ୍ଧ୍ର ନିଜର ବୋଲି ଦାବି କରୁଛି। ସେପଟେ ପଶ୍ଚିମାଞ୍ଚଳର କିଛି ଗ୍ରାମ ଛତିଶଗଡ଼ରେ ମିଶିବାକୁ ଅଣ୍ଟା ଭିଡ଼ିଲେଣି ବୋଲି ଗଣମାଧ୍ୟମରେ ପ୍ରଚାର ଓ ପ୍ରସାର ହେଉଛି। ଏକ ସଂଘୀୟ ରାଷ୍ଟ୍ରରେ ଏସବୁ କଥା ଶୋଭା ପାଏନା। ବର୍ତ୍ତମାନ ସମୟ ଆସିଛି ଦଳମତ ନିର୍ବିଶେଷରେ ଏସବୁ ବିରୋଧରେ ପ୍ରତିବାଦର ସ୍ବର ଶାଣିତ କରିବା।
ସେଦିନ ଭାର୍ଗବୀ ନଦୀକୂଳରେ ଗୋପବନ୍ଧୁଙ୍କ ସମେତ ପଞ୍ଚସଖା ଏହି ଶପଥ ନେଇଥିଲେ ଯେ, ଆଜି ଆମେ ଓଡ଼ିଶାକୁ ଯେଉଁ ଅବସ୍ଥାରେ ଦେଖୁଛେ ମୃତ୍ୟୁବେଳକୁ ତାକୁ ଢେର୍‌ ଉନ୍ନତ ଅବସ୍ଥାରେ ଦେଖିବା। ଆଜି ଉତ୍କଳ ଦିବସ ପାଳନ ଅବସରରେ ଆମ ସମସ୍ତଙ୍କର ଏହାହିଁ ସ୍ବପ୍ନ ହେବା ଆବଶ୍ୟକ।

– ଡ. ସିଦ୍ଧାର୍ଥ କାନୁନ୍‌ଗୋ
ସେବାନିବୃତ୍ତ ଅତିରିକ୍ତ ଶାସନ ସଚିବ
ମୋ:୯୪୩୮୦୭୨୮୫୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ମଧ୍ୟାହ୍ନଭୋଜନର ପୌଷ୍ଟିକ ଦିଗକୁ ନେଇ ବହୁସମୟରେ ପ୍ରଶ୍ନ ଉଠୁଛି। ଏଥିପାଇଁ ପ୍ରାୟ ସବୁ ସ୍କୁଲରେ ଶିକ୍ଷକମାନେ ଚିନ୍ତାରେ ପଡ଼ୁଛନ୍ତି। ହେଲେ ନାଗାଲାଣ୍ଡ କୋହିମା ଜିଲାର ବିଶ୍ୱେମାର୍‌…

ସୁଖ ପରିଭାଷା

ଡାକ୍ତରୀ ପଢ଼ିବାକୁ ମନା କରିବା ଦ୍ବାରା ମା’ବାପାଙ୍କର ସ୍ବପ୍ନକୁ ଧୂଳିସାତ କରିଦେଇଥିଲେ ମଧ୍ୟ ନିଜ ପସନ୍ଦରେ ଫିଜିକ୍ସ ଅନର୍ସ ରଖି ପଢ଼ିବାର ସୁଯୋଗ ହାସଲ କରିପାରିଥିବାରୁ ବାପୁନ…

ତଳକୁ ଚାହିଁବା ହେଉ

ଭାରତରେ ଗଣତନ୍ତ୍ରର ଅର୍ଥ ଓ ବାସ୍ତବତା ମଧ୍ୟରେ ଥିବା ବ୍ୟବଧାନ ସାଧାରଣ ଜନତାଙ୍କୁ ବିସ୍ମିତ କରିଛି । ମୁଷ୍ଟିମେୟ ଶାସକ ଗୋଷ୍ଠୀ ପାଇଁ ଗଣତନ୍ତ୍ର ଆଜି ପାଲଟିଛି…

ସମ୍ବର ପରିବର୍ତ୍ତେ ଡାଲମା

ଅଗଷ୍ଟ ୧୫ରେ ଭାରତ ତା’ର ୮୦ତମ ସ୍ବାଧୀନତା ଦିବସ ପାଳନ କରିଛି। ପାରମ୍ପରିକ ଭାବେ ନୂଆଦିଲ୍ଲୀର ଐତିହାସିକ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରିଛନ୍ତି।…

ଶ୍ରୀଅରବିନ୍ଦଙ୍କ ଦୃଷ୍ଟିରେ ପାରିବାରିକ ଜୀବନ

ଶ୍ରୀଅରବିନ୍ଦଙ୍କ ଅନୁସାରେ କଥିତ ପରିବାର ହେଉଛି ମଣିଷର ଜୀବନଗତ ପ୍ରକୃତିର ଏକ ଆବଶ୍ୟକ ସୃଷ୍ଟି ଯାହା ମୌଳିକ, ସାମାଜିକ ଏବଂ ଜୈବିକ ପ୍ରବୃତ୍ତିକୁ ପୂରଣ କରିବା ପାଇଁ…

ଗବେଷଣାରେ ମୌଳିକତାର ମୃତ୍ୟୁ

ଆଧୁନିକ ଭାରତରେ ବିଶ୍ୱବିଦ୍ୟାଳୟଗୁଡ଼ିକର ସଂଖ୍ୟା ଗତ କିଛି ଦଶନ୍ଧି ମଧ୍ୟରେ ବୃଦ୍ଧି ପାଇଛି ସତ, କିନ୍ତୁ ଶୈକ୍ଷିକ ମାନଦଣ୍ଡ ଏବଂ ଗବେଷଣାର ଗୁଣାତ୍ମକ ଦିଗଟି ଏବେ ଏକ…

Dillip Cherian

ତଳ ସ୍ତରରେ ଅନିଶ୍ଚିତତା

କେନ୍ଦ୍ର ସରକାର କ୍ୟାବିନେଟ୍‌ ସଚିବ ଟି.ଭି. ସୋମନାଥନ୍‌ ଏବଂ ସ୍ବରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ କାର୍ଯ୍ୟକାଳ ଆଉ ୧ ବର୍ଷ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଭାବୀ…

ରିଲ୍ସ ସାମ୍ରାଜ୍ୟ

ପୁଞ୍ଜିବାଦର ଅନ୍ତିମ ପର୍ଯ୍ୟାୟରେ ରାଷ୍ଟ୍ର ଆଉ ଶାସନ କରେନାହିଁ, ପର୍‌ଫର୍ମ (କାର୍ଯ୍ୟ) କରେ। ପ୍ରଧାନମନ୍ତ୍ରୀଙ୍କଠାରୁ ଗ୍ରାମପଞ୍ଚାୟତ ସଦସ୍ୟ- ସମସ୍ତେ ଯେପରି ଇତିହାସର ଚରିତ୍ର ନୁହନ୍ତିି, ଇନ୍‌ଷ୍ଟାଗ୍ରାମର କଣ୍ଟେଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri