ନୂଆଦିଲ୍ଲୀ,୧୬।୧୨: ଗୋଆ ଅଗ୍ନିକାଣ୍ଡ ଘଟଣା ପରେ ପଲାତକ ଲୁଥ୍ରା ବ୍ରଦର୍ସ ସୌରଭ ଏବଂ ଗୌରବଙ୍କୁ ମଙ୍ଗଳବାର ଭାରତ ଫେରାଇ ଅଣାଯାଇଛି। ଦିଲ୍ଲୀରେ ଲୁଥ୍ରା ବ୍ରଦର୍ସଙ୍କ ବିମାନ ଅବତରଣ କରିବା ମାତ୍ରେ ଗୋଆ ପୋଲିସ ତୁରନ୍ତ ଦୁଇ ଭାଇଙ୍କୁ ଗିରଫ କରିବା ପ୍ରକ୍ରିୟା ଆରମ୍ଭ କରିଦେଇଥିଲା। ପରେ ପୋଲିସ ସେମାନଙ୍କୁ ହେପାଜତକୁ ନେଇଥିଲା। ପୋଲିସ ଦୁଇ ଭାଇଙ୍କ ଡାକ୍ତରୀ ପରୀକ୍ଷା କରି ଟ୍ରାଞ୍ଜିଟ୍ ରିମାଣ୍ଡରେ ନେବା ପାଇଁ ଦିଲ୍ଲୀର ପଟିଆଲା କୋର୍ଟରେ ହାଜର କରିବ ବୋଲି ସୂଚନା ମିଳିଛି।
ମିଳିଥିବା ସୂଚନା ମୁତାବକ, ଗତ ଶନିବାର ମଧ୍ୟରାତ୍ରିରେ ବର୍ଚ ବାଇ ରୋମିଓ ଲେନ୍ ଦ୍ୱାରା ପରିଚାଳିତ ଗୋଆସ୍ଥିତ ନାଇଟ କ୍ଲବରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୨୫ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୬ଜଣ ଗୁରୁତର ଆହତ ହୋଇଥିଲେ। ଏହି ଘଟଣା ପରେ ଲୁଥ୍ରା ବ୍ରଦର୍ସ ଥାଇଲ୍ୟାଣ୍ଡ ପଲାଇଥିଲେ। ଡିସେମ୍ୱର ୧୧ ତାରିଖରେ ଥାଇଲ୍ୟାଣ୍ଡରୁ ଲୁଥ୍ରା ବ୍ରଦର୍ସଙ୍କୁ ଅଟକ ରଖାଯାଇଥିଲା। ଡିସେମ୍ୱର ୧୨ ତାରିଖରେ ସେମାନଙ୍କୁ ବ୍ୟାଙ୍କକକୁ ପ୍ରତ୍ୟର୍ପଣ କରାଯାଇଥିଲା। ପରେ ସେମାନଙ୍କୁ ଭାରତ ଅଣାଯାଇଛି।
Dharitri – Odisha’s No.1 Odia Daily


