କ୍ଷୁବ୍ଧ ଲଦାଖ

କେନ୍ଦ୍ର ସରକାର ୫ ଅଗଷ୍ଟ ୨୦୧୯ରେ ଜମ୍ମୁ ଓ କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ କରିଥିଲେ। ଏହା ଦ୍ୱାରା ଜମ୍ମୁ ଓ କଶ୍ମୀର ଦୀର୍ଘବର୍ଷ ଧରି ପାଇ ଆସୁଥିବା ବିଶେଷ ସୁବିଧା ହରାଇଥିଲା। ଏଭଳି ପଦକ୍ଷେପ ଜମ୍ମୁ ଓ କଶ୍ମୀରକୁ ଭାଙ୍ଗି ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ(ୟୁଟି)ରେ ପରିଣତ କରିଥିଲା। ଗୋଟେ ଜମ୍ମୁ ଓ କଶ୍ମୀର ନାମ ଧାରଣ କରିଥିବା ବେଳେ ଅନ୍ୟଟି ଲଦାଖ ହୋଇଥିଲା। ଦେଖିବାକୁ ଗଲେ ଜମ୍ମୁରେ ହିନ୍ଦୁ, କଶ୍ମୀରରେ ମୁସଲମାନ ସଂଖ୍ୟାଗରିଷ୍ଠ ଥିବା ବେଳେ ଲଦାଖ ପ୍ରାୟତଃ ବୌଦ୍ଧବହୁଳ। ଲଦାଖର ବୈଶିଷ୍ଟ୍ୟ ଦେଖିଲେ ଏହାର ପୂର୍ବରେ ଚାଇନା ଥିବା ବେଳେ ପଶ୍ଚିମରେ ପାକିସ୍ତାନ ରହିଛି। ଫଳରେ ଏହା ଭାରତ ପାଇଁ ଅତ୍ୟନ୍ତ ରଣନୀତିକ ମହତ୍ତ୍ୱ ରଖୁଛି। ଏହାର ଅଧିବାସୀ ବେଶ୍‌ ଶାନ୍ତିପ୍ରିୟ ଭାବେ ଜଣାଶୁଣା। ଭୌଗୋଳିକ ଦୃଷ୍ଟିରୁ ଏହା ଜମ୍ମୁ ଓ କଶ୍ମୀର ଭିତରେ ଥିବାରୁ ସ୍ବତନ୍ତ୍ରତା ପାଇପାରୁ ନ ଥିଲା। ଯେବେ ଏହା ଜମ୍ମୁ ଓ କଶ୍ମୀରଠାରୁ ଅଲଗା ହୋଇଗଲା ସେବେ ଲେହେ ରାସ୍ତାରେ ଲୋକେ ଉଲ୍ଲସିତ ହୋଇଯାଇଥିଲେ। ୫ ବର୍ଷରୁ ଅଧିକ ସମୟ ପରେ ମଧ୍ୟ ଲଦାଖର ରାଜନୈତିକ ଭବିଷ୍ୟତ ଅସ୍ପଷ୍ଟ ରହିଛି। ଉତ୍ତମ ଶାସନ ଓ ଅଧିକ ପ୍ରତିନିଧିତ୍ୱର ପ୍ରତିଶ୍ରୁତି ଏବେ ତିକ୍ତତାରେ ପରିଣତ ହେଲା ଭଳି ପ୍ରତୀୟମାନ ହେଉଛି। ତେଣୁ ଲଦାଖକୁ ରାଜ୍ୟ ମାନ୍ୟତା ଓ ସଂଖ୍ୟାଗରିଷ୍ଠ ଲଦାଖି ସମ୍ପ୍ରଦାୟ ସମ୍ବିଧାନର ଷଷ୍ଠ ପରିଚ୍ଛେଦରେ ଅନ୍ତର୍ଭୁକ୍ତ ହେବାର ଯୋଗ୍ୟତା ପୂରଣ କରିଥିବା ଦାବି କରୁଛନ୍ତି। ଲଦାଖ ସିଡ୍ୟୁଲ ସନ୍ନିବେଶିତ ହେଲେ ଏହା ସ୍ଥାନୀୟବାସୀଙ୍କୁ ଅଧିକ ରାଜନୈତିକ ଓ ଆର୍ଥିକ ସ୍ବାୟତ୍ତତା ପ୍ରଦାନ କରିବ। ସୂଚନା ଦିଆଯାଇପାରେ ଯେ, ସମ୍ବିଧାନର ୬ଷ୍ଠ ସିଡ୍ୟୁଲ ଆଦିବାସୀବହୁଳ ତ୍ରିପୁରା, ମେଘାଳୟ, ମିଜୋରାମ ଓ ଆସାମରେ ଲାଗୁ ହୋଇଛି। ତେବେ ଲଦାଖୀଙ୍କ ଅସନ୍ତୋଷ ୨୪ ସେପ୍ଟେମ୍ବରରେ ଲେହର ରାସ୍ତାରେ ପ୍ରକାଶ ପାଇଥିଲା ଯେତେବେଳେ ରାଜ୍ୟ ମାନ୍ୟତା ଓ ସାମ୍ବିଧାନିକ ସୁରକ୍ଷା ଦାବି କରୁଥିବା ବିକ୍ଷୋଭକାରୀମାନେ ଦୁଇ ଅନଶନକାରୀ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ହିଂସାତ୍ମକ ହୋଇପଡ଼ିଥିଲେ। କ୍ରୁଦ୍ଧ ବିକ୍ଷୋଭକାରୀଙ୍କର ପୋଲିସ ସହ ସଂଘର୍ଷ ହୋଇଥିଲା ଓ ଭାଜପାର ସ୍ଥାନୀୟ କାର୍ଯ୍ୟାଳୟକୁ ସେମାନେ ଜାଳି ଦେଇଥିଲେ। ହିଂସା ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ଲୁହବୁହା ଗ୍ୟାସ୍‌ ପ୍ରୟୋଗ କରିବା ସହ ଲାଠିଚାର୍ଜ ଓ ଗୁଳିଚାଳନା କରିବାରୁ ପରିଣତି ସ୍ବରୂପ ୪ ଜଣ ବିକ୍ଷୋଭକାରୀଙ୍କ ଜୀବନ ଯାଇଥିବା ବେଳେ ଅନେକେ ଆହତ ହୋଇଛନ୍ତି। ସ୍ଥିତି ଅସମ୍ଭାଳ ହେବାରୁ ପ୍ରଶାସନ ସେଠାରେ କର୍ଫ୍ୟୁ ଜାରି କରିବା ସହ ଇଣ୍ଟରନେଟ୍‌ ବନ୍ଦ କରିବାକୁ ବାଧ୍ୟ ହୋଇଛି। ବିକ୍ଷୋଭକୁ ହିଂସାତ୍ମକ ରୂପ ଦେବାରେ ସାମାଜିକ ତଥା ଜଳବାୟୁ କର୍ମୀ ସୋନମ ଓ୍ବାଙ୍ଗ୍‌ଚୁକ୍‌ଙ୍କ ହାତ ରହିଛି ବୋଲି କୁହାଯାଉଛି। ଏପରି କି ଲଦାଖ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଏସ୍‌. ଡି. ସିଂ ଜମଓ୍ବାଲ ପାକିସ୍ତାନ ସହ ଓ୍ବାଙ୍ଗ୍‌ଚୁକଙ୍କ ସମ୍ପର୍କ ଥିବା ନେଇ ତଦନ୍ତ କରାଯାଉଥିବା କହିଛନ୍ତି। ଇତିମଧ୍ୟରେ ତାଙ୍କୁ ଜାତୀୟ ସୁରକ୍ଷା ଆଇନ (ଏନ୍‌ଏସ୍‌ଏ) ବଳରେ ଗିରଫ କରାଯାଇ ରାଜସ୍ଥାନର ଯୋଧପୁର କେନ୍ଦ୍ରୀୟ କାରାଗାରକୁ ପଠାଇ ଦିଆଯାଇଛି। ତେବେ ବିକ୍ଷୋଭକାରୀ ନେତାମାନେ ପୋଲିସର ଅଭିଯୋଗକୁ ଅସ୍ବୀକାର କରିଛନ୍ତି।
ମନେପକାଇ ଦିଆଯାଇପାରେ ଯେ ଇଞ୍ଜିନିୟରରୁ ଇନୋଭେଟର ପାଲଟିଥିବା ତଥା ଚର୍ଚ୍ଚିତ ‘୩ ଇଡିଅଟ୍ସ’ ଚଳଚ୍ଚିତ୍ର କାହାଣୀର ପ୍ରେରଣାଦାୟୀ ଚରିତ୍ର ସୋନମ ଓ୍ବାଙ୍ଗ୍‌ଚୁକ୍‌ ମଧ୍ୟ ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳ ହେବା ପରେ ତାହାକୁ ସ୍ବାଗତ କରିଥିଲେ। କେନ୍ଦ୍ର ଶାସିତ ଅଞ୍ଚଳ ଦେଖିବାକୁ ପ୍ରତୀକ୍ଷା କରିଥିବା ଲୋକଙ୍କ ଉତ୍ସାହ ଶୀଘ୍ର ହ୍ରାସ ପାଇଲା ଯେତେବେଳେ ଲଦାଖୀମାନେ ଉପଲବ୍ଧ କଲେ ସେମାନଙ୍କ ୟୁଟିରେ କୌଣସି ବିଧାନସଭା ରହିବ ନାହିଁ। ଏପରିକି ଏହି ଅଞ୍ଚଳ ପୂର୍ବର ଜମ୍ମୁ ଓ କଶ୍ମୀର ବିଧାନସଭାରେ ଥିବା ୪ ବିଧାୟକ ପଦବୀକୁ ହରାଇଲା ଏବଂ ଏହାର ପ୍ରଶାସନ ସମ୍ପୂର୍ଣ୍ଣ ନୂଆଦିଲ୍ଲୀ ନିଯୁକ୍ତ ଅମଲାତନ୍ତ୍ରୀଙ୍କ ହାତରେ ରହିଲା। ଦେଖିବାକୁ ଗଲେ ଏହା ୨୦୧୯ ପୂର୍ବର ଶାସନ ବ୍ୟବସ୍ଥାଠାରୁ ମଧ୍ୟ ଖରାପ ଥିଲା। ଏହି ଅସନ୍ତୋଷ ଜମି ଅଧିକାର, ନିଯୁକ୍ତି ଏବଂ ଲଦାଖର ଜନସଂଖ୍ୟା, ପରିବେଶ ଓ ସଂସ୍କୃତିର ସଂରକ୍ଷଣ ନେଇ ଅନେକ ଭୟ ସୃଷ୍ଟି କରିଛି। ଜମ୍ମୁ ଓ କଶ୍ମୀରରେ ପରିବର୍ତ୍ତିତ ବାସସ୍ଥାନ (ଡୋମିସାଇଲ) ନିୟମ ଲଦାଖରେ ସମାନ ନୀତି ଦ୍ୱାରା ଜନସାଂଖିକ ପରିବର୍ତ୍ତନର ଆଶଙ୍କାକୁ ବଢ଼ାଇଛି। ଫଳରେ ଲଦାଖକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା, ସମ୍ବିଧାନର ୬ଷ୍ଠ ପରିଚ୍ଛେଦ ଅଧୀନରେ ସୁରକ୍ଷା (ଯେଉଁଥିରେ ବିଧାନପାଳିକା ଓ ନ୍ୟାୟିକ କ୍ଷମତା ସହିତ ସ୍ବୟଂଶାସିତ ଜିଲା ପରିଷଦ ଗଠନକୁ ଅନୁମତି ଦେଇଥାଏ) ଏବଂ ନିଯୁକ୍ତି ଓ ରାଜନୈତିକ ପ୍ରତିନିଧିତ୍ୱକୁ ସୁନିଶ୍ଚିତ କରିବା ଲାଗି ଦାବି ବଢ଼ିଲା।
କୁହାଯାଇପାରେ ଯେ, ଲୋକଙ୍କ ସ୍ବାଧୀନତାକୁ ସଙ୍କୁଚିତ କରିଦିଆଗଲେ ତାହାର ପ୍ରତିବାଦରେ ନାଗରିକ ତୀବ୍ର ସ୍ବର ଉତ୍ତୋଳନ କରିବା ସ୍ବାଭାବିକ। ଗଣତନ୍ତ୍ରରେ ଲୋକଙ୍କ ସ୍ବରକୁ ଅଗ୍ରାହ୍ୟ କରି ଦିଆଯାଇଥିବାରୁ ଅଧିବାସୀଙ୍କ ମଧ୍ୟରେ ପ୍ରଥମେ ଅସନ୍ତୋଷ ଓ ପରେ ତାହା ବିକ୍ଷୋଭର ରୂପ ଧାରଣ କଲା ବୋଲି କୁହାଯାଉଛି। ମୌଳିକ ଆବଶ୍ୟକତା ପୂରଣ ନ ହେଲେ ବିଦ୍ରୋହ ଅବଶ୍ୟମ୍ଭାବୀ। ଅନ୍ୟପକ୍ଷରେ ଲଦାଖରେ ଦେଖାଯାଇଥିବା ଅପ୍ରୀତିକର ସ୍ଥିତି ପାଇଁ ଜଳବାୟୁ କର୍ମୀ ଓ୍ବାଙ୍ଗଚୁକ୍‌ ବ୍ୟକ୍ତିଗତ ଭାବେ ଯଦି କାର୍ଯ୍ୟ କରିଥିବେ, ତାହା ହେଲେ ସେ ମଧ୍ୟ ଆଇନର ଊର୍ଦ୍ଧ୍ୱରେ ନୁହନ୍ତି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ ନୂଆଦିଲ୍ଲୀ ଓ ଲଦାଖ ମଧ୍ୟରେ ଅବିଶ୍ୱାସ ଢେର ବଢ଼ିଯାଇଛି। ତେଣୁ ଏହାକୁ ସଂଘର୍ଷ ଭାବେ ନ ଦେଖି ବରଂ ଅତି ସତର୍କତାର ସହିତ ପରିଚାଳନା କରାଯିବା ଦରକାର। ଲଦାଖ କେବଳ ଏକ ସୀମାନ୍ତ ଅଞ୍ଚଳ ନୁହେଁ, ଏହା ଏକ ଗୁରୁତ୍ୱପୂର୍ଣ୍ଣ ସୀମାରେଖା, ଯାହାର ଲୋକମାନେ ନିଜକୁ ଭାରତୀୟ ଭାବେ ଗର୍ବ ଅନୁଭବ କରିଥାଆନ୍ତି। ଦୀର୍ଘ ଦଶନ୍ଧି ଧରି ଲଦାଖୀମାନେ ଭାରତର ସୀମାକୁ ରକ୍ଷା କରିଆସିଛନ୍ତି। ଏପରିକି ଚାଇନା କିମ୍ବା ପାକିସ୍ତାନର ଅନୁପ୍ରବେଶ ବିରୋଧରେ ପ୍ରଥମ ପ୍ରତିରୋଧ ରେଖା ଭାବେ ମଧ୍ୟ ସେମାନେ କାର୍ଯ୍ୟ କରିଛନ୍ତି। ଭିନ୍ନମତ ପ୍ରକାଶ କରୁଥିବା ଲଦାଖୀମାନଙ୍କୁ ‘ଦେଶବିରୋଧୀ’ ଭାବେ ଅଭିହିତ କରାଗଲେ ତାହା ବିଚ୍ଛିନ୍ନତାକୁ ବଢ଼ାଇବା ଆଶଙ୍କା ରହୁଛି। ଏଭଳି ସ୍ଥଳେ ଲଦାଖର ଲୋକମାନଙ୍କୁ ଆଶ୍ୱାସନା ଦିଆଯିବା କଥା ଯେ ସେମାନଙ୍କ ଗଣତାନ୍ତ୍ରିକ ଆକାଂକ୍ଷା ଓ ସାଂସ୍କୃତିକ ପରିଚୟ ଜାତୀୟ ନିରାପତ୍ତାକୁ ଦୁର୍ବଳ ନ କରି ସୁରକ୍ଷିତ ହୋଇପାରିବ।
ଲଦାଖରେ ଅଶାନ୍ତି ନୂଆଦିଲ୍ଲୀ ପାଇଁ ଏକ ବଡ଼ ଆହ୍ବାନ ସୃଷ୍ଟି କରିଛି। ବିଶେଷକରି ମଣିପୁର ସଙ୍କଟର ଭୁଲ୍‌ ପରିଚାଳନା ଯୋଗୁ ଏହି ଉତ୍ତର ପୂର୍ବାଞ୍ଚଳ ରାଜ୍ୟରେ ଜାତିଗତ ହିଂସା ଆରମ୍ଭ ହେବାର ୨ ବର୍ଷ ୮ ମାସ ପରେ ମଧ୍ୟ ଜଳୁଛି। ଏପରି ଅଶାନ୍ତି ଦେଶର ସୀମା ମଧ୍ୟରେ ରଣନୀତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳଗୁଡ଼ିକରେ ନୂଆଦିଲ୍ଲୀର ବିଭ୍ରାନ୍ତିକର ବହିର୍ବ୍ୟାପାର ନୀତି ଦ୍ୱାରା ସୃଷ୍ଟ ସମସ୍ୟାଗୁଡ଼ିକୁ ଆହୁରି ଜଟିଳ କରୁଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

୨ଜଣଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ଡାଲା ଅଟୋ, ଚିକିତ୍ସିତ ଅବସ୍ଥାରେ ଚାଲିଗଲା ଜଣକର ଜୀବନ

ଦିଗପହଣ୍ଡି, ୨୧|୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା  ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତା ରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri