ନୂଆପଡ଼ା,୨୨ା୮(ମକାରୁ ବେମାଲ) -ରାସ୍ତା କାମ ସରିବା ପୂର୍ବରୁ ପିଚୁଉଠି ନଷ୍ଟହେବାକୁ ବସିଲାଣି। ଏପରି ଦୃଶ୍ୟ କୋମନା ବ୍ଲକ୍ ଅନ୍ତର୍ଗତ ବରକୋଟ ବିଜୁ ଏକ୍ସପ୍ରେସ୍ ଫୋର ୱେଠାରୁ ସୁନାବେଡ଼ାକୁ ସଂଯୋଗ କରୁଥିବା ରାସ୍ତାରେ ଦେଖିବାକୁ ମିଳିଛି। କୋମନା ବ୍ଲକ୍ ମିଛାପାଲି ପଞ୍ଚାୟତ ଚେରେଚୁଆଁଠାରୁ ଜାମଗାଁ ପର୍ଯ୍ୟନ୍ତ ୮.୧୦ କି.ମି. ପାହାଡ଼ିଆ ରାସ୍ତା ନିର୍ମାଣ ପାଇଁ ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ୮୮୦.୧୭ ଲକ୍ଷ ଟଙ୍କା ମଞ୍ଜୁର ହୋଇ ରାସ୍ତା କାମ ଚାଲିଛି। କାର୍ଯ୍ୟ ଆରମ୍ଭ ୨୦୨୩ ସେପ୍ଟେମ୍ବର ୨୭ ଥିବାବେଳେ ଶେଷ ୨୦୨୪ ମାର୍ଚ୍ଚ ୨୬ ବୋଲି ନାମଫଳକରେ ଉଲ୍ଲେଖ ରହିଛି ା ହେଲେ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ। ଗୋଟେ ପଟେ କାର୍ଯ୍ୟ ଚାଲିଥିବା ବେଳେ ଅନ୍ୟପଟେ ରାସ୍ତାରୁ ପିଚୁ ଉଠିବାରେ ଲାଗିଛି। ରାସ୍ତା କାମ ଆରମ୍ଭ ସମୟରେ ସୁନାବେଡ଼ା ଓ ସୋସେଙ୍ଗ ପଞ୍ଚାୟତବାସୀ ସୁବିଧାରେ ଯିବାଆସିବା କରିବେ ବୋଲି ଖୁସି ହେଉଥିଲେ। ବର୍ତ୍ତମାନ ରାସ୍ତା ଅବସ୍ଥା ଦେଖି ଖୁସି ମଉଳି ଯାଇଛି। ଚେରେଚୁଆଁଠାରୁ ଜାମଗାଁ ପର୍ଯ୍ୟନ୍ତ ପାହାଡ଼ିଆ ରାସ୍ତା କଂକ୍ରିଟ ହୋଇଥିବାବେଳେ ତଳ ରାସ୍ତା ପିଚୁ ହୋଇଛି। ହେଲେ ପିଚୁ ଏବେ ଉଠିବାରେ ଲାଗିଲାଣି ା ପୁଣି କଂକ୍ରିଟ ରାସ୍ତାର ଉଭୟ ପାର୍ଶ୍ୱରେ ଗାର୍ଡୱାଲ ଓ ଡ୍ରେନ୍ ନିର୍ମାଣ କରା ନ ଯିବାରୁ ବର୍ଷାରେ ପାହାଡର ପାଣି ଓ ପଥର ଖସି ରାସ୍ତାରେ ଜମା ହେଉଛି। ବର୍ଷାପାଣିରେ କଂକ୍ରିଟ ତଳୁ ମାଟି ଧୋଇହୋଇ ଘାଇ ସୃଷ୍ଟି ହେଉଛି। ଫଳରେ ରାସ୍ତାରେ ଗଛ ପଡି ଯାତାୟାତରେ ବାଧା ସୃଷ୍ଟି କରୁଛି। ମା’ ସୁନାଦେଡ଼ଙ୍କୁ ଦର୍ଶନ ପାଇଁ ପ୍ରତି ଦିନ ଶତାଧିକ ଲୋକ ଯିବାଆସିବା କରିବା ସହ ସୁନାବେଡା ଓ ସୋସେଙ୍ଗ ପଞ୍ଚାୟତର ଲୋକେ ବ୍ଲକ କିମ୍ବା ଜିଲା ମୁଖ୍ୟାଳୟକୁ ଯିବା ପାଇଁ ସେହି ରାସ୍ତା ଉପରେ ନିର୍ଭର କରନ୍ତି। ହେଲେ ରାସ୍ତା ଶୋଚନୀୟ ଯୋଗୁ ଛୋଟବଡ ଦୁର୍ଘଟଣା ଘଟିବାରେ ଲାଗିଛି। ରାସ୍ତା ନିମ୍ନମାନର ନେଇ ସୁନାବେଡ଼ାବାସୀ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଜିଲା ପ୍ରଶାସନ ତୁରନ୍ତ ଏଥିରେ ହସ୍ତକ୍ଷେପକରି ସମସ୍ୟା ସମାଧାନ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ଜିଲାପାଳ ମଧୁସୂଦନ ଦାଶଙ୍କୁ ପଚାରିବାରୁ ରାସ୍ତା କାମର ତଦନ୍ତ କରାଯିବ। ବହୁ ଶୀଘ୍ର ପିଚୁ କେମିତି ଉଠିଲା ତା’ର ଅନୁଧ୍ୟାନ କରାଯିବ। ଯେଉଁ ସ୍ଥାନରେ ଗାଡୱାଲ ଆବଶ୍ୟକ ଅଛି ନିର୍ମାଣ କରାଯିବ। ରାସ୍ତା ମରାମତି ପାଇଁ ସମୟ ଅଛି। ଶୀଘ୍ର ଏହାର ସମାଧାନ ହେବ ବୋଲି କହିଥିଲେ।


