ଜଳରେ ଗଢ଼ା ଜୀବନର ଧାରା। କ୍ରମବର୍ଦ୍ଧିଷ୍ଣୁ ଗୋଷ୍ଠୀଗତ ଜୀବନର ଅବସ୍ଥାନରେ ସଭ୍ୟତାର କ୍ରମବିକାଶ। ଭାରତୀୟ ଉପ ମହାଦେଶରେ ଗଢ଼ିଉଠିଥିବା ସିନ୍ଧୁ ସଭ୍ୟତା ବହୁ ପ୍ରାଚୀନ। ଏହାର କାଳ ନିରୂପଣ ପ୍ରାୟତଃ ଖ୍ରୀଷ୍ଟପୂର୍ବ ୩୩୦୦ରୁ ୨୬୦୦ ମଧ୍ୟରେ ହୋଇଥିବାର ସମ୍ଭାବନା ା ସିନ୍ଧୁନଦୀକୁ ନେଇ ଏ ସଭ୍ୟତାର ଆତ୍ମପ୍ରକାଶ ଓ କ୍ରମବିକାଶ ମଧ୍ୟ। ପାକିସ୍ତାନରେ ଥିବା ହରପ୍ପା ଓ ମହେଞ୍ଜୋଦାରୋ ଏହାର ଜ୍ୱଳନ୍ତ ନିଦର୍ଶନ ା ସିନ୍ଧୁନଦୀ ହିମାଳୟସ୍ଥ କୈଳାସ ପର୍ବତ ନିକଟବର୍ତ୍ତୀ ପୁଣ୍ୟକ୍ଷେତ୍ର ମାନସରୋବର ହ୍ରଦରୁ ଉତ୍ପନ୍ନ ା ଏହାର ବ୍ୟାପ୍ତି ଗଙ୍ଗା ଓ ବ୍ରହ୍ମପୁତ୍ରଠାରୁ ମଧ୍ୟ ଅଧିକ, ଯାହା ପ୍ରାୟତଃ ୩୧୮୦ କି.ମି. ପରିବ୍ୟାପ୍ତ ା
ଗଙ୍ଗା ୨୫୨୫ କି.ମି ଓ ବ୍ରହ୍ମପୁତ୍ର ୨୮୦୦ କି.ମି ପଥ ଅତିକ୍ରମ କରିଥିବାର ଆକଳନ କରାଯାଇଛି ା ଚାଇନାର ୟାଂଜି ନଦୀ ଏସିଆ ମହାଦେଶର ବୃହତ୍ତମ ନଦୀ ହୋଇଥିବା ବେଳେ ସିନ୍ଧୁ ଦ୍ୱିତୀୟ ବୃହତ୍ତମ ଓ ଜଳ ପ୍ରବାହ ଦୃଷ୍ଟିରୁ ବିଶ୍ୱର ୨୧ତମ ନଦୀ ା ଏହା ଚାଇନାରୁ ବାହାରି ଭାରତର ଲଦାଖରେ ପ୍ରବେଶ କରି ଉତ୍ତରକୁ ପାକିସ୍ତାନ ଅଧିକୃତ କଶ୍ମୀରର ଗିଲ୍ଗିଟ୍, ବଲୁଚିସ୍ତାନ ଦେଇ ଆଟୋକ୍ ପାହାଡ଼ରୁ ନିମ୍ନକୁ ଖସି ପୂରା ପାକିସ୍ତାନ ଦେଇ କରାଚୀଠାରେ ଆରବ ସାଗରରେ ମିଶିଛି ା ସତ୍ଲେଜ ନଦୀ ମଧ୍ୟ ଚାଇନାରୁ ବାହାରି ଭାରତରେ ପ୍ରବେଶ କରିଛି ା ଚେନାବ୍, ଝେଲମ, ରାବି ଓ ବ୍ୟାସ୍ର ମୂଳ ଉତ୍ସ ଭାରତ ା ସତ୍ଲେଜ୍ ସହ ଉପରୋକ୍ତ ଚାରୋଟି ନଦୀ ଭାରତର ପଞ୍ଜାବ ପ୍ରଦେଶରେ ଥିବାରୁ ଏହାକୁ ପଞ୍ଚନଦୀର ଦେଶ ପଞ୍ଜାବ କୁହାଯାଏ ା ଏ ସମସ୍ତ ପାଞ୍ଚଟି ନଦୀ ପାକିସ୍ତାନର ମିଥାନ୍କୋଟ୍ଠାରେ ସିନ୍ଧୁନଦୀ ସହ ମିଳିତ ହୋଇଛନ୍ତି ା
ଏତଦ୍ବ୍ୟତୀତ ଶ୍ୟାକ୍, ଗିଲ୍ଗିଟ୍, କାବୁଲ, ଗୋମାହ, କୁରମ୍ ଓ ଜନସ୍କାର ଭଳି କିଛି ଛୋଟ ନଦୀ ମଧ୍ୟ ସିନ୍ଧୁରେ ବିଲୀନ ହୋଇଛନ୍ତି ା ସିନ୍ଧୁ ଅବବାହିକା ପ୍ରାୟତଃ ୧୧ ଲକ୍ଷ ବର୍ଗ କି.ମି. ପରିବ୍ୟାପ୍ତ ଓ ପାକିସ୍ତାନର ପାଖାପାଖି ୬୫ ପ୍ରତିଶତ ଅଞ୍ଚଳ ଏଥିରେ ଅନ୍ତର୍ଭୁକ୍ତ ଓ ଉପକୃତ ମଧ୍ୟ ା ସିନ୍ଧୁନଦୀ ପାକିସ୍ତାନର ଜୀବନଧାରା ସହ ଓତପ୍ରୋତ ଭାବେ ଜଡିତ ା ଜଳସେଚନ, କୃଷି, ଜଳବିଦ୍ୟୁତ୍, ଶିଳ୍ପାୟନ,ପାନୀୟଜଳ ଓ ବିସ୍ତୀର୍ଣ୍ଣ ଅଞ୍ଚଳର ଉର୍ବରତା ହିଁ ସିନ୍ଧୁନଦୀର ପ୍ରମୁଖ ଦାନ।
ଭାରତ ପାକିସ୍ତାନ ବିଭାଜନ ପରେ ପାକିସ୍ତାନର ନେତୃବର୍ଗଙ୍କ ମନରେ ଭବିଷ୍ୟତର ଜଳପ୍ରବାହକୁ ନେଇ ସନ୍ଦେହ ସୃଷ୍ଟି ହେଲା। ଉପରମୁଣ୍ଡରେ ଭାରତର ଅବସ୍ଥିତି ଓ ସିନ୍ଧୁନଦୀ ଭାରତ ମଧ୍ୟ ଦେଇ ପାକିସ୍ତାନକୁ ପ୍ରବେଶ କରିଥିବା ବେଳେ କାଳେ ଭବିଷ୍ୟତରେ ଭାରତ ଉପର ମୁଣ୍ଡରେ ବଡ଼ ବଡ଼ ବନ୍ଧ ବାନ୍ଧି ଜଳ ପ୍ରବାହକୁ ରୋକିଦେବ କିମ୍ବା ସିନ୍ଧୁନଦୀର ଗତିପଥକୁ ବଦଳାଇ ଦେବ, ଏପରି ସନ୍ଦେହକୁ ଆଧାରକରି ପାକିସ୍ତାନ ବାରମ୍ବାର ଆନ୍ତର୍ଜାତିକ ମଞ୍ଚରେ ଅଭିଯୋଗ କରିବାକୁ ଲାଗିଲା। ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଟାଳଟୁଳ ନୀତି ଅବଲମ୍ବନ କରି ଏହାକୁ ଏଡ଼ାଇ ଯାଇଥିଲେ। ୧୯୫୧ରେ ଟେନିଜି ରିଭର ଭ୍ୟାଲି ଅଥରିଟି ଅଧ୍ୟକ୍ଷ ଡାଭିଡ ଇ ଲିଏନଥାଲ ଉଭୟ ଭାରତ ଓ ପାକିସ୍ତାନ ଗସ୍ତକରି ସିନ୍ଧୁନଦୀ ଅବବାହିକା ଉପରେ ଏକ ତଥ୍ୟ ସମ୍ବଳିତ ସନ୍ଦର୍ଭ ପ୍ରସ୍ତୁତ କଲେ। ଏ ସନ୍ଦର୍ଭ ପ୍ରସ୍ତୁତିର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଥିଲା କିଭଳି ଉଭୟ ପକ୍ଷ ସିନ୍ଧୁ ଅବବାହିକାକୁ ଏକ ଐକିକ ପ୍ରକଳ୍ପ ଭାବେ ବିବେଚନା କରି ପାରସ୍ପରିକ ବୃହତ୍ତର ଉନ୍ନତିମୂଳକ ଯୋଜନାର ପରିକଳ୍ପନା କରାଯାଇପାରିବ।
ତତ୍କାଳୀନ ଆଇବିଆର୍ଡି (ଇଣ୍ଟରନ୍ୟାଶନାଲ ବ୍ୟାଙ୍କ ଅଫ ରିକନଷ୍ଟ୍ରକ୍ସନ ଆଣ୍ଡ୍ ଡେଭଲପ୍ମେଣ୍ଟ), ଯାହା ପରେ ବିଶ୍ୱ ବ୍ୟାଙ୍କ ନାମରେ ନାମିତ ହେଲା, ଏହାକୁ କାର୍ଯ୍ୟକାରୀ କରିବା ପାଇଁ ମଧ୍ୟସ୍ଥତା କଲା। ୧୯୫୮ ମସିହା ପର୍ଯ୍ୟନ୍ତ ପାକିସ୍ତାନ ଏଥିରେ ସହମତ ନ ହୋଇ ସ୍ବାକ୍ଷର କରିବା ପାଇଁ ପଛଘୁଞ୍ଚା ଦେଲା। ଶେଷରେ ୧୯ ସେପ୍ଟେମ୍ବର ୧୯୬୦ରେ ଭାରତର ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁ ଓ ପାକିସ୍ତାନର ରାଷ୍ଟ୍ରପତି ଆୟୁବ୍ ଖଁା (ପୂର୍ବତନ ସେନାଧ୍ୟକ୍ଷ) ଏହି ଚୁକ୍ତିରେ ସ୍ବାକ୍ଷର କଲେ, ଯଦିଓ ନୀତିଗତ ନିଷ୍ପତ୍ତି ଅନୁଯାୟୀ ଏହା ୧ା୪ା୧୯୬୦ରୁ କାର୍ଯ୍ୟକାରୀ ହୋଇସାରିଥିଲା। ସନ୍ଧି ଅନୁସାରେ ରାବି, ବ୍ୟାସ୍ ଓ ସତ୍ଲେଜ୍ ନଦୀର ଜଳକୁ ଭାରତ ପୂର୍ଣ୍ଣତଃ ବ୍ୟବହାର କରିବ ଏବଂ ସିନ୍ଧୁ, ଝେଲମ୍ ଓ ଚେନାବ୍ ନଦୀର ଜଳ ପାକିସ୍ତାନ ବ୍ୟବହାର କରିବ। ଝେଲମ୍ ନଦୀ ପାକିସ୍ତାନରେ ନୀଲମ ନାମରେ ପରିଚିତ। ପ୍ରକାଶଥାଉ କି, ବ୍ୟାସ୍ ଏକ କ୍ଷୁଦ୍ରନଦୀ ଯାହା ସତ୍ଲେଜ୍ ନଦୀରେ ମିଶିଛି। ଆଇବିଆର୍ଡିର ଅନୁରୋଧ କ୍ରମେ ଭାରତ ତା’ର ଜଳଭାଗର ପୂର୍ଣ୍ଣ ଉପଯୋଗ ୩୧ା୩ା୧୯୭୦ ପରେ କରିବ, କାରଣ ସନ୍ଧି ସମୟରେ ପାକିସ୍ତାନରେ ନିୟମିତ ଜଳପ୍ରବାହ ପାଇଁ କେନାଲ ଡିଷ୍ଟ୍ରିବ୍ୟୁଶନ ସିଷ୍ଟମ ଉନ୍ନତି ହୋଇ ନ ଥିଲା। ଏଣୁ ଏ ଦଶବର୍ଷର ସାମୟିକ ବିରତି ଅବଧି ମଧ୍ୟ ଭାରତ ଉଦାରତା ପ୍ରକାଶ କରି ତା’ର ନିର୍ଦ୍ଧାରିତ ଜଳର ସିଂହଭାଗ ପାକିସ୍ତାନକୁ ଦେଇଛି। ସନ୍ଧି ଅନୁସାରେ ଆବଶ୍ୟକ ସ୍ଥଳେ ଭାରତ ମଧ୍ୟ ସିନ୍ଧୁ, ଚେନାବ୍ ଓ ଝେଲମ୍ ନଦୀର ୨୦% ଜଳ ବ୍ୟବହାର କରିପାରିବ। ଭାରତ ଚାହିଁଥିଲେ ନ୍ୟାୟତଃ ତା’ର ଜଳ ଅଂଶକୁ ବ୍ୟବହାର କରି ପାକିସ୍ତାନରେ ମରୁଡ଼ି, ବନ୍ୟା ଓ ବିଦ୍ୟୁତ୍ ସଙ୍କଟ ଉପୁଜାଇ ପାରିଥାନ୍ତା, ଯାହା ଭାରତ ଆଜିପର୍ଯ୍ୟନ୍ତ କରିନାହିଁ।
ବିଶ୍ୱର ଅନ୍ୟାନ୍ୟ ଦେଶର ଜଳ ସନ୍ଧି ଯଥା ଆମେରିକା- ମେକ୍ସିକୋ ମଧ୍ୟରେ ଥିବା ଦୁଇନଦୀ କୋଲୋରାଡୋ, ତିଜୁଆନା ଯେଉଁଠି ଉପରମୁଣ୍ଡରେ ଥିବା ଆମେରିକା ସମୁଦାୟ ଜଳର ୯୦% ବ୍ୟବହାର କରୁଥିବା ବେଳେ ତଳମୁଣ୍ଡରେ ଥିବା ମେକ୍ସିକୋକୁ ମାତ୍ର ୧୦% ଜଳ ଦେଉଛି। ସେହିପରି ଇସ୍ରାଏଲ-ଜୋଡାନ୍, ଦକ୍ଷିଣଆଫ୍ରିକା-ସୁଇଜରଲାଣ୍ଡ ଓ ଲେବାନନ୍-ସିରିଆ ମଧ୍ୟରେ ହୋଇଥିବା ଜଳ ସନ୍ଧିରେ ଉପରମୁଣ୍ଡରେ ଥିବା ଦେଶ ସର୍ବାଧିକ ଜଳ ବ୍ୟବହାର କରୁଛନ୍ତି। ଆଶ୍ଚର୍ଯ୍ୟର କଥା ଆକଳନ ଅନୁସାରେ ଭାରତ ଉପର ମୁଣ୍ଡରେ ଥାଇ ମଧ୍ୟ ସମୁଦାୟ ୬ଟି ନଦୀ ଜଳର ମାତ୍ର ୧୯.୪୮% ଓ ପାକିସ୍ତାନ ତଳମୁଣ୍ଡରେ ଥାଇକି ୮୦.୫୨% ଜଳ ବ୍ୟବହାର କରୁଛି ଯାହା ବିଶ୍ୱର ବିଭିନ୍ନ ଜଳ ସନ୍ଧିଠାରୁ ସ୍ବତନ୍ତ୍ର। ୨୦୧୦ରେ ଜାତିସଂଘ ସିନେଟ୍ର ଫରେନ୍ ରିଲେଶନ କମିଟି ରିପୋର୍ଟ ଅନୁସାରେ ସିନ୍ଧୁ ଜଳ ସନ୍ଧିକୁ ବିଶ୍ୱର ସଫଳ ଜଳ ସନ୍ଧିର ମାନ୍ୟତା ମିଳିଛି।
ଏହି ଜଳ ସନ୍ଧିରେ ଭବିଷ୍ୟତରେ ଜଳ ସ୍ଥିତିକୁ ନେଇ ଅନେକ ଦିଗକୁ ଅଣଦେଖା କରାଯାଇଥିବାର ଆଲୋଚନା କରାଯାଏ। ଏଗୁଡ଼ିକ ହେଲା ୧) ଜଳବାୟୁ ପରିବର୍ତ୍ତନରେ ଜଳସ୍ଥିତି, ୨) ଜଙ୍ଗଲ ଅବକ୍ଷୟ ଜନିତ ଜଳାଭାବ, ୩) ମୌସୁମୀର ପଟପରିର୍ତ୍ତନ, ୪) ଦ୍ରୁତ ଶିଳ୍ପାୟନରେ ପ୍ରଦୂଷଣର ପରିବେଶ ଉପରେ ପ୍ରଭାବ, ୫) ଅକାଳ, ୬) ପ୍ରକୃତିଗତ କାରଣରୁ ଜଳପ୍ରବାହରେ କ୍ଷୀଣତା, ୭) କୌଣସି କାରଣରୁ ରାବି, ବ୍ୟାସ୍ ଓ ସତ୍ଲେଜ୍ ନଦୀରେ ଶୁଷ୍କତା, ୮) କେଉଁ ଦେଶ ଭବିଷ୍ୟତରେ କେତେ ବନ୍ଧ ବାନ୍ଧିପାରିବ, ୯) ଉପରମୁଣ୍ଡରେ ଅବସ୍ଥିତ ଚାଇନା ଜଳପ୍ରବାହକୁ ରୋକିବା ପାଇଁ ବନ୍ଧ ବାନ୍ଧିଲେ ତା’ର ପ୍ରଭାବ, ୧୦) ଭବିଷ୍ୟତରେ ଭୌଗୋଳିକ ପରିବର୍ତ୍ତନ, ୧୧) କାଳର କରାଳ କ୍ରମେ ନଦୀଶଯ୍ୟା ସଙ୍କୁଚିତ ହୋଇ ଜଳଧାରଣ ଓ ପ୍ରବାହରେ କ୍ଷୀଣତା ଇତ୍ୟାଦି। ବିଶେଷକରି ଏହି ସନ୍ଧିକୁ ନଦୀର ବିଭାଜୀକରଣ କରାଗଲା କିନ୍ତୁ ନଦୀ ଜଳ ବଣ୍ଟନ ଉପରେ ଗୁରୁତ୍ୱ ଦିଆଗଲା ନାହିଁ।
ଯଦିଓ ୧୯୬୦ ସନ୍ଧିପରେ ପାକିସ୍ତାନ ୧୯୬୫, ୧୯୭୧ ଓ ୧୯୯୯ରେ ତିନୋଟି ଯୁଦ୍ଧ ଭାରତ ଉପରେ ଲଦି ଦେଇଛି, ତଥାପି ଉଦାରମନା ଭାରତ ଏ ସନ୍ଧି ବିରୋଧରେ ନ ଯାଇ ଏହାକୁ ସମ୍ମାନ ଦେଇଆସିଛି। ପାକିସ୍ତାନର ସମସ୍ତ ନକାରାତ୍ମକ କାର୍ଯ୍ୟଧାରା ଓ ବନ୍ଧୁତ୍ୱହୀନ ମନୋବୃତ୍ତି ସତ୍ତ୍ୱେ ଭାରତ ଆଜିପର୍ଯ୍ୟନ୍ତ ଏହି ସନ୍ଧିର ପୁନଃ ସମୀକ୍ଷା କିମ୍ବା ପ୍ରତ୍ୟାହାର ପ୍ରସଙ୍ଗ ଉତ୍ଥାପନ କରି ନ ଥିଲା ଓ ଏହି ଚୁକ୍ତିକୁ ସମ୍ମାନ ଦେଇଆସିଛି। ଜମ୍ମୁ-କଶ୍ମୀରବାସୀଙ୍କ ବାରମ୍ବାର ଦାବି ଯେ ଏହି ସନ୍ଧି ତାଙ୍କ ରାଜ୍ୟ ପାଇଁ ଅନୁକୂଳ ନୁହେଁ। ଦୀର୍ଘଦିନର ଅସନ୍ତୁଷ୍ଟତା ଓ ଦାବିକୁ ସମ୍ମାନ ଦେଇ ୨୦୦୩ରେ ଜମ୍ମୁ-କଶ୍ମୀର ବିଧାନସଭା ଏ ସନ୍ଧିକୁ ରଦ୍ଦ କରିବା ପଇଁ ଏକ ବିଧେୟକ ପାରିତ କରିଛନ୍ତି। ଏତଦ୍ ବ୍ୟତୀତ ଭାରତ ମଧ୍ୟ ଭିଏନା ବୈଠକରେ ସ୍ଥିରୀକୃତ ଧାରା-୬୨ ସିଦ୍ଧାନ୍ତ ଅନୁଯାୟୀ ଯଥାର୍ଥ ତଥ୍ୟ ସମ୍ବଳିତ ଯୁକ୍ତି ଉପସ୍ଥାପନ କରି ସନ୍ଧି ପ୍ରତ୍ୟାହାର ପାଇଁ ଆଇନତଃ ଆବେଦନ କରିପାରିବ। ଅନ୍ତର୍ଜାତୀୟ ନ୍ୟାୟାଳୟ ଦ୍ୱାରା ଅନୁମୋଦିତ ନୀତି ଅନୁସାରେ ସାମ୍ପ୍ରତିକ ପରିସ୍ଥିତିରେ ମୌଳିକ ଭିତ୍ତିଭୂମିର ପରିବର୍ତ୍ତନଜନିତ କାରଣ ଦର୍ଶାଇ ଚୁକ୍ତିକୁ ରଦ୍ଦ କରାଯାଇପାରିବ।
ସର୍ବୋପରେ ପ୍ରତ୍ୟେକ ଦ୍ୱିପାକ୍ଷିକ ଚୁକ୍ତି ଉଭୟ ପକ୍ଷର ବିଶ୍ୱାସ, ବନ୍ଧୁତା, ଭରସା, ସଦ୍ଭାବ, ସମନ୍ବୟ, ସହାବସ୍ଥାନ, ସହଯୋଗିତା ଓ ସହଭାଗିତା ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ, ଯାହା ପାକିସ୍ତାନ ଦୀର୍ଘ ୬୫ ବର୍ଷର ଅବଧିରେ ଦର୍ଶାଇବାର ଦୃଷ୍ଟାନ୍ତମୂଳକ ବାତାବରଣ ସୃଷ୍ଟି କରିପାରି ନାହିଁ।
ଜୋତିପ୍ରକାଶ କର
ଶକ୍ତିନଗର, କଟକ
ମୋ: ୯୪୩୮୫୩୨୪୫୭


