ଲାଠୋର, ୨୭ା୨(ଡି.ଏନ.ଏ.):ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ କରୁଆଝର ପଞ୍ଚାୟତ ଅଧୀନ ସାନଗୁର୍ଜିଭଟା ପାଲିପଡ଼ାରେ ସ୍ବଚ୍ଛ ପାନୀୟ ଜଳ ଯୋଗାଣ ପାଇଁ ଏକ ଜଳ ପ୍ରକଳ୍ପ ନିର୍ମାଣ ହୋଇଛି। ବସୁଧା ଯୋଜନାରେ ପ୍ରକଳ୍ପ ନିର୍ମାଣ ପରେ ପ୍ରତ୍ୟେକ ଘରକୁ ସ୍ବଚ୍ଛ ପାନୀୟ ଜଳ ଯୋଗାଣ ପାଇଁ ପାଇପ ସଂଯୋଗ କରାଯାଇଛି। ପରୀକ୍ଷାମୂଳକଭାବେ ଗୋଟିଏ ଦିନ ଜଳଯୋଗାଣ କରାଯାଇଥିଲା। ଏଡାପରଠାରୁ ଜଳଯେଗାଣ ସ୍ବଭାବିକ ହୋଇନାହିଁ। ଇତିମଧ୍ୟରେ ୩ ମାସରୁ ଊର୍ଦ୍ଧ୍ୱ ସମୟ ବିତି ଯାଇଥିଲେ ବି ଜଳ ଯୋଗାଣ କରାଯାଉନାହଁି। ପଡ଼ାବାସୀ ଜଳ ଯୋଗାଣ ପାଇଁ ଦାବି କରି ଆସୁଥିଲେ ମଧ୍ୟ ଏଥିପ୍ରତି କର୍ଣ୍ଣପାତ କରାଯାଉନାହିଁ। ଫଳରେ ପଡ଼ାବାସୀ ଅନ୍ୟନୋପାୟ ହୋଇ ନଳକୂପ ଉପରେ ଭରଷା କରି ଚଳୁଥିବା ପଡ଼ାର ବିଦେଶି ଛତ୍ରିଆ, ଦୁଆନ ମଲ୍ଳିକ, ଲିଙ୍ଗରାଜ ବର୍ଗେ, ହେମସାଗର ଧରୁଆ, ରତନ କେତକୀ ଓ ମହେଶ୍ୱର ବର୍ଗେ ଅଭିଯୋଗ କରିଛନ୍ତି। ପାଲିପଡ଼ାରେ ୪୦ପରିବାରର ୨ଶହରୁ ଊର୍ଦ୍ଧ୍ୱ ଅଧିବାସୀ ବାସ କରୁଛନ୍ତି। ପଡ଼ାରେ ୩ ଗୋଟି ନଳକୂପ ରହିଛି। ସେଥିମଧ୍ୟରୁ ଗୋଟିଏରୁ କମ୍ ପାଣି ବାହାରୁଛି। ଅନ୍ୟ ୨ଟି ନଳକୂପର ପାଣି ଆବଶ୍ୟକତାକୁ ମେଣ୍ଟାଉ ନାହିଁ। ଆଗକୁ ଗ୍ରୀଷ୍ମ ଋତୁ ଆସୁଥିବାରୁ ପଡ଼ାବାସୀ ନିରନ୍ତର ଜଳଯୋଗାଣ ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ଖପ୍ରାଖୋଲ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ଶ୍ୟାମ କୁମାରଙ୍କୁ ପଚାରିବାରୁ ଘଟଣା ବିଷୟରେ ବୁଝି ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି।


