Posted inଖେଳ

ଭାରତର ଏକମାତ୍ର ହକି-କ୍ରିକେଟ୍‌ ଅନ୍ତର୍ଜାତୀୟ ଖେଳାଳି

ଜଣେ କ୍ରୀଡ଼ାବିତ୍‌ ଯେତେବେଳେ ଏକାଧିକ ଲୋକପ୍ରିୟ କ୍ରୀଡ଼ାରେ ଅନ୍ତର୍ଜାତୀୟ ସ୍ତରରେ ଦେଶକୁ ପ୍ରତିନିଧିତ୍ୱ କରନ୍ତି ସେତେବେଳେ ତାଙ୍କର ଅସାଧାରଣ କ୍ରୀଡ଼ା ପ୍ରତିଭାର ପରିଚୟ ମିଳିଥାଏ। ଭାରତୀୟ କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ଆଜି ପର୍ଯ୍ୟନ୍ତ ଜଣେମାତ୍ର ବିରଳ କୀର୍ତ୍ତିମାନର ଅଧିକାରୀ ଭାବେ ଦେଶକୁ କ୍ରିକେଟ୍‌ ଏବଂ ହକିରେ ପ୍ରତିନିଧିତ୍ୱ କରିଛନ୍ତି, ସେ ହେଉଛନ୍ତି ଏମ୍‌.ଜେ. ଗୋପାଲନ୍‌…

ଅନ୍ତର୍ଜାତୀୟସ୍ତରରେ କୌଣସି ଗୋଟିଏ କ୍ରୀଡ଼ା ଶୃଙ୍ଖଳାରେ ଦେଶକୁ ପ୍ରତିନିଧିତ୍ୱ କରିବା ଜଣେ କ୍ରୀଡ଼ାବିତ୍‌ ପାଇଁ ଶ୍ରେଷ୍ଠ ସଫଳତା ଭାବେ ବିଚାର କରାଯାଇଥାଏ। କଠିନ ପରିଶ୍ରମ, ଅଧ୍ୟବସାୟ ଦ୍ୱାରା ପ୍ରତିଭାବାନ୍‌ କ୍ରୀଡ଼ାବିତ୍‌ମାନେ ଅନ୍ତର୍ଜାତୀୟସ୍ତରରେ ଦେଶକୁ ପ୍ରତିନିଧିତ୍ୱ କରିବାରେ ସକ୍ଷମ ହୋଇଥାନ୍ତି। କିନ୍ତୁ ଯେତେବେଳେ କୌଣସି ଜଣେ କ୍ରୀଡ଼ାବିତ୍‌ ଏକାଧିକ ଲୋକପ୍ରିୟ କ୍ରୀଡ଼ା ଶୃଙ୍ଖଳାରେ ଅନ୍ତର୍ଜାତୀୟସ୍ତରରେ ଦେଶକୁ ପ୍ରତିନିଧିତ୍ୱ କରନ୍ତି ତାହା ତାଙ୍କର ଅସାଧାରଣ କ୍ରୀଡ଼ା ପ୍ରତିଭାର ପରିଚୟ ଦେଇଥାଏ।
ବିଶ୍ୱ କ୍ରୀଡ଼ାରେ ଏଭଳି କିଛି ହାତଗଣତି ଅତ୍ୟନ୍ତ ପ୍ରତିଭାବାନ କ୍ରୀଡ଼ାବିତ୍‌ ଅଛନ୍ତି, ଯେଉଁମାନେ ତାଙ୍କ ଦେଶକୁ ଉଭୟ ହକି ଏବଂ କ୍ରିକେଟ୍‌ ଭଳି ଲୋକପ୍ରିୟ କ୍ରୀଡ଼ାରେ ପ୍ରତିନିଧିତ୍ୱ କରି ବିରଳ କୃତିତ୍ୱର ଅଧିକାରୀ ହୋଇପାରିଛନ୍ତି। ବିଂଶ ଶତାବ୍ଦୀର ଷାଠିଏ ଦଶକରେ ୧୯୬୧ ରୁ ୧୯୬୬ ମଧ୍ୟରେ ଅଷ୍ଟ୍ରେଲିଆ ପକ୍ଷରୁ ୨୯ଟି ଟେଷ୍ଟ ମ୍ୟାଚ୍‌ ଖେଳିଥିବା ବ୍ରାଏନ ବୁଥ୍‌ ୧୯୫୬ ମେଲବୋର୍ନ ଅଲିମ୍ପିକ୍ସରେ ଅଷ୍ଟ୍ରେଲିଆ ଜାତୀୟ ହକି ଦଳର ସଦସ୍ୟ ଭାବେ ଖେଳି ଏକ ବିରଳ କୀର୍ତ୍ତିମାନ ପ୍ରତିଷ୍ଠା କରିଥିଲେ। ବିଶ୍ୱ କ୍ରିକେଟ୍‌ର ଅନ୍ୟତମ ଶ୍ରେଷ୍ଠ କ୍ଷେତ୍ରରକ୍ଷକ ଭାବେ ଦକ୍ଷିଣ ଆଫ୍ରିକାର କିମ୍ବଦନ୍ତୀ ଖେଳାଳି ଜଣ୍ଟି ରୋଡ୍‌ସ ତାଙ୍କ ଦେଶ ପକ୍ଷରୁ ୫୨ ଟେଷ୍ଟ ଓ ୨୪୧ ଏକ ଦିବସୀୟ ମ୍ୟାଚ୍‌ ଖେଳିଥିବା ବେଳେ ଦକ୍ଷିଣ ଆଫ୍ରିକା ଜାତୀୟ ହକି ଦଳର ସଦସ୍ୟ ଭାବେ ୧୯୯୭ ବାସିର୍ର୍ଲୋନା ଅଲିମ୍ପିକ୍ସରେ ଭାଗନେବା ପାଇଁ ମନୋନୀତ ହୋଇଥିଲେ ମଧ୍ୟ ତାଙ୍କ ଦେଶ ଯୋଗ୍ୟତା ପର୍ଯ୍ୟାୟରେ ସୀମିତ ରହିଥିଲା।
ଭାରତୀୟ କ୍ରୀଡ଼ାବିତ୍‌ ମାନଙ୍କ ମଧ୍ୟରେ ଆଜି ପର୍ଯ୍ୟନ୍ତ ଯେଉଁ ଜଣେ ମାତ୍ର କ୍ରୀଡ଼ାବିତ୍‌ ଏପରି ବିରଳ କୀର୍ତ୍ତିମାନର ଅଧିକାରୀ ଭାବେ ଦେଶକୁ କ୍ରିକେଟ୍‌ ଏବଂ ହକିରେ ପ୍ରତିନିଧିତ୍ୱ କରିଛନ୍ତି ସେ ହେଲେ ଏମ୍‌.ଜେ. ଗୋପାଲନ୍‌। ଏହି ପ୍ରସଙ୍ଗ ଆଲୋଚନା ସମୟରେ ଆଉ ଜଣେ ବିରଳ ପ୍ରତିଭାବାନ୍‌ ଭାରତୀୟ କ୍ରୀଡ଼ାବିତ୍‌ଙ୍କ ନାମ ସ୍ବତଃପ୍ରବୃତ ମନକୁ ଆସେ। ସେ ହେଲେ ୩୦ ଦଶକରେ ଇଂଲଣ୍ଡ ଏବଂ ଭାରତ ପକ୍ଷରୁ ଖେଳିଥିବା ଏକମାତ୍ର କ୍ରୀଡ଼ାବିତ୍‌ ଇଫ୍‌ତକର ଅଲ୍ଲୀ ଖାଁ, ନଓ୍ବାବ୍‌ ଅଫ୍‌ ପଟୌଦୀ (ସିନିୟର)। ୧୯୨୭ରୁ ୧୯୩୧ ମଧ୍ୟରେ ଇଂଲଣ୍ଡର ପ୍ରସିଦ୍ଧ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିବା ସମୟରେ ତାଙ୍କ ବିଶ୍ୱବିଦ୍ୟାଳୟକୁ କ୍ରିକେଟ ଏବଂ ହକିରେ ପ୍ରତିନିଧିତ୍ୱ କରି ଉଭୟ ଖେଳରେ ସମ୍ମାନଜନକ ‘ବ୍ଲୁ’ ପାଇବାର ଗୌରବ ହାସଲ କରିଥିଲେ। ଭାରତୀୟ ହକି ଦଳ ୧୯୨୮ ଆମଷ୍ଟରଡାମ ଅଲିମ୍ପିକ୍ସ ପାଇଁ ହଲାଣ୍ଡ ଗସ୍ତ ସମୟରେ ଇଂଲଣ୍ଡରେ ପ୍ରାୟ ୩ ସପ୍ତାହ ରହି କେତେଗୁଡିଏ ଅଭ୍ୟାସ ମ୍ୟାଚ୍‌ ଖେଳିଥିଲେ।
ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ସହପାଠୀ ୟୁସୁଫ୍‌ ଖାଁ ଏବଂ ଜୟପାଲ ସିଂ ମୁଣ୍ଡା (ଯିଏକି ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଦଳର ଅଧିନାୟକ ମନୋନୀତ ହୋଇଥିଲେ)ଙ୍କ ସହିତ ଇଫ୍‌ତାର ଅଲ୍ଲୀ ଖାଁ ଭାରତ ପକ୍ଷରୁ କେତେଗୁଡ଼ିଏ ଅଭ୍ୟାସ ମ୍ୟାଚ ଖେଳିଥିଲେ ଏବଂ ଅନ୍ତିମ ଏକାଦଶର ସଦସ୍ୟ ଭାବେ ଚୟନ ହୋଇଥିଲେ ମଧ୍ୟ ବ୍ୟକ୍ତିଗତ କାରଣ ପାଇଁ ଭାରତୀୟ ଦଳରୁ ଓହରି ଯାଇଥିଲେ।
ଏବେ ଆସିବା ସେଇ ପ୍ରଥମ ଓ ଏକମାତ୍ର ଭାରତୀୟ କ୍ରୀଡ଼ାବିତ୍‌ ଯିଏକି ଓପଚାରିକ ଭାବେ ଭାରତକୁ ଉଭୟ କ୍ରିକେଟ୍‌ ଏବଂ ହକିରେ ପ୍ରତିନିଧିତ୍ୱ କରିଥିଲେ- ଏମ୍‌.ଜେ. ଗୋପାଲନ୍‌, ଚେନ୍ନାଇ (ତତ୍‌କାଳୀନ ମାଡ୍ରାସ ରେସିଡେନ୍ସି)ଠାରୁ ୫୦ କିମି ଦୂରରେ ଅବସ୍ଥିତ ଚିଙ୍ଗଲେପୁଟ୍‌ ଜିଲାର ମୋରଷାକାମ ଗ୍ରାମରେ ୧୯୦୯ରେ ଜନ୍ମଗ୍ରହଣ କରିଥିଲେ। ୩୦ ଦଶକ ପ୍ରାରମ୍ଭରେ ମାଡ୍ରାସ କ୍ରିକେଟର ଅନ୍ୟତମ ପ୍ରତିଷ୍ଠାତା ସି.ପି. ଜନଷ୍ଟୋନ୍‌ ଯୁବକ ଗୋପାଲନ୍‌ଙ୍କ କ୍ରିକେଟ୍‌ ପ୍ରତିଭା ଦ୍ୱାରା ପ୍ରଭାବିତ ହୋଇ ତାଙ୍କୁ ବର୍ମା ସେଲ୍‌ କମ୍ପାନୀରେ କର୍ମ ନିଯୁକ୍ତି ପାଇଁ ସହାୟତା କରିଥିଲେ। ଗୋପାଲନ ଜଣେ ମଧ୍ୟମ ଗତି ଦ୍ରୁତ ବୋଲର ଭାବେ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିଲେ ଏବଂ ଭାରତ ଗସ୍ତରେ ଆସିଥିବା ଅର୍ଥର ଗିଲଖ୍ରୀଷ୍ଟଙ୍କ ଏମ୍‌ସିସି ବିପକ୍ଷରେ ମାଡ୍ରାସ ତରଫରୁ ଖେଳି ଦୁଇଟି ଇନିଂସରେ ୧୦ ଉଇକେଟ୍‌ ଅକ୍ତିଆର କରିଥିଲେ। ୧୯୩୦ରେ ମାଡ୍ରାସ ତରଫରୁ ବିଜୟନଗରମ୍‌ ଏକାଦଶ ବିପକ୍ଷରେ ଖେଳି ତତ୍‌କାଳୀନ ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଇଂଲଣ୍ଡର ଜ୍ୟାକ୍‌ ହବସ୍‌ (ବିଜୟନଗରମ୍‌ ଦଳରୁ ଖେଳୁଥିବା)ଙ୍କୁ ଦୁଇଟିଯାକ ଇଂନିସରେ ସେ ଆଉଟ୍‌ କରିଥିଲେ। ୧୯୩୩ରେ ମାଡ୍ରାସର ପ୍ରସିଦ୍ଧ ଚିପକ୍‌ ଷ୍ଟାଡିୟମ୍‌ ସିଲୋନ୍‌ ବିପକ୍ଷରେ ବିରଳ ହାଟ୍ରିକ୍‌ ଅର୍ଜନ କରିଥିଲେ।
୧୯୩୪ରେ ଆରମ୍ଭ ହୋଇଥିଲା ଆନ୍ତଃରାଜ୍ୟ ରଣ୍‌ଜୀ ଟ୍ରଫି କ୍ରିକେଟ୍‌ ପ୍ରତିଯୋଗିତା। ପ୍ରଥମ ସଂସ୍କରଣରେ ମାଡ୍ରାସ ତରଫରୁ ଖେଳୁଥିବା ଗୋପାଲନ ମହୀଶୂର ବିପକ୍ଷରେ ଏହି ପ୍ରତିଯୋଗିତାର ପ୍ରଥମ ବଲ୍‌ (ଓଭର) ବୋଲିଂ କରିବାରେ ନିଆରା ସୌଭାଗ୍ୟ ହାସଲ କରିଥିଲେ। ୧୯୩୪ରେ କଲିକତା ସହରରେ ଇଂଲଣ୍ଡ ବିପକ୍ଷରେ ଭାରତ ପକ୍ଷରୁ ଏକମାତ୍ର ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ। ୧୯୩୬ରେ ଇଂଲଣ୍ଡ ଗସ୍ତରେ ଯାଇଥିବା ଭାରତୀୟ ଦଳର ସଦସ୍ୟ ହୋଇଥିଲେ ମଧ୍ୟ ମ୍ୟାଚ୍‌ ଖେଳିବାର ସୁଯୋଗ ପାଇ ନ ଥିଲେ।
ଗୋପାଲନ୍‌ଙ୍କ କ୍ରିକେଟ କ୍ୟାରିୟର
ଟେଷ୍ଟ ମ୍ୟାଚ୍‌ -୧, ରନ୍‌ – ୧୮, ଉଇକେଟ୍‌ – ୧
ପ୍ରଥମ ଶ୍ରେଣୀ ମ୍ୟାଚ୍‌ – ୭୮ , ରନ୍‌ – ୨୯୧୨, ୧୦୦-୧, ୫୦-୧୭, ଉଇକେଟ୍‌ – ୧୯୪
ଅନ୍ତର୍ଜାତୀୟ ହକି
ଅଧିକାଂଶ ସମୟରେ ଆମ ଜୀବନରେ ଏପରି ସମୟ ଆସେ ଯେତେବେଳେ ଗୋଟିଏ ସମୟରେ ମନଦେଇ ଭଲ ପାଉଥିବା ଦୁଇଟି ସମାନ ସୁଯୋଗ ଭିତରୁ କୌଣସି ଗୋଟିଏକୁ ବାଛିବା ଭଳି କଷ୍ଟକର ନିଷ୍ପତ୍ତି ନେବାକୁ ପଡ଼ିଥାଏ। ଏପରି ଏକ ଦ୍ୱନ୍ଦ୍ୱର ସମ୍ମୁଖୀନ ହୋଇଥିଲେ ଗୋପାଲନ। ଉଭୟ କ୍ରିକେଟ୍‌ ଏବଂ ହକି ଖେଳରେ ପାରଦର୍ଶିତା ହାସଲ କରିଥିବା ଗୋପାଲନଙ୍କୁ ଭାରତ ପକ୍ଷରୁ ବର୍ଲିନ ଅଲିମ୍ପିକ୍ସ ପାଇଁ ହକି ଦଳରେ ସାମିଲ ହେବା ଅଥବା ଭାରତୀୟ କ୍ରିକେଟ୍‌ ଦଳର ସଦସ୍ୟ ଭାବେ ଇଂଲଣ୍ଡ ଗସ୍ତ କରିବା ମଧ୍ୟରୁ ଗୋଟିଏକୁ ବାଛିବାର ଥିଲା ଏବଂ ସେ କ୍ରିକେଟ୍‌କୁ ବାଛିଥିଲେ।
କୁହାଯାଏ, ପ୍ରସିଦ୍ଧ ଇଂରାଜି ଖବରକାଗଜ ”ଦି ହିନ୍ଦୁ“ର କ୍ରୀଡ଼ା ସାମ୍ବାଦିକ ମୁରୁଗେସା ମୁବାଲିୟର ପ୍ରଥମେ ଗୋପାଲନଙ୍କ ହକି ପ୍ରତିଭାକୁ ଚିହ୍ନଟ କରିଥିଲେ ଏବଂ ତାଙ୍କୁ ଆବଶ୍ୟକ ”ହକି କିଟ୍‌ସ“ ପ୍ରଦାନ କରିଥିଲେ। ଉଭୟ କ୍ରିକେଟ୍‌ ଓ ହକିକୁ ସମଭାବରେ ଭଲ ପାଉଥିବା ଗୋପାଲନ ସକାଳେ କ୍ରିକେଟ ଏବଂ ଅପରାହ୍ନରେ ହକି ଅଭ୍ୟାସ କରୁଥିଲେ। ଭାରତୀୟ ହକି ଦଳର ସଦସ୍ୟ ଭାବେ ସେ ସିଲୋନ ଏବଂ ୧୯୩୫ରେ ନ୍ୟୁଜିଲାଣ୍ଡ ଗସ୍ତ କରି ଭାରତ ଖେଳିଥିବା ୪୮ଟି ମ୍ୟାଚ୍‌ରୁ ୩୯ରେ ଚୁଡ଼ାନ୍ତ ଏକାଦଶରେ ଖେଳି ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।
୧୯୩୬ରେ ଗୋପାଲନ ଇଂଲଣ୍ଡରେ ଟେଷ୍ଟ ମ୍ୟାଚ ଖେଳିବା ପାଇଁ ଭାରତୀୟ କ୍ରିକେଟ୍‌ ଦଳର ସଦସ୍ୟ ଭାବେ ମନୋନୀତ ହୋଇଥିଲେ। ସେଇ ସମୟରେ ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ ହକି ଦଳ ପକ୍ଷରୁ ଖେଳି ଉନ୍ନତ ପ୍ରଦର୍ଶନ କରିଥିବାରୁ ୧୯୩୬ ବର୍ଲିନ ଅଲିମ୍ପିକ୍ସ ପାଇଁ ଅନୁଷ୍ଠିତ ଚୟନ ଶିବିରକୁ ତାଙ୍କୁ ଡକାଯାଇଥିଲା ଏବଂ ଚୁଡ଼ାନ୍ତ ଭାରତୀୟ ଦଳରେ ସ୍ଥାନ ପାଇବା ପ୍ରାୟତଃ ନିଶ୍ଚିତ ଥିଲା। ଏହି ଦ୍ୱନ୍ଦ୍ୱ ଭିତରେ ଏକ ଐତିହାସିକ ଭୁଲ୍‌ କରି ସେ ଇଂଲଣ୍ଡ ଗସ୍ତରେ ଭାରତୀୟ କ୍ରିକେଟ୍‌ ଦଳରେ ସାମିଲ ହେବାକୁ ନିଷ୍ପତ୍ତି ନେଇଥିଲେ।
ଗୋପାଲନ ଭଲଭାବେ ଜାଣିଥିଲେ ଯେ ସେ ସମୟରେ ଭାରତୀୟ ଦଳରେ ମହମ୍ମଦ ନିଶାର ଏବଂ ଅମର ସିଂଙ୍କ ଭଳି ଦୁଇଜଣ ଖ୍ୟାତନାମା ଦ୍ରୁତ ବୋଲର ଥିବା ବେଳେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବା ତାଙ୍କ ପକ୍ଷେ ସମ୍ଭବ ହେବନାହିଁ। ତଥାପି ସେ ଭାରତୀୟ ଦଳରେ ସାମିଲ ହୋଇଥିଲେ ଏବଂ ବର୍ଲିନ ଅଲିମ୍ପିକ୍ସରେ ଭାରତୀୟ ହକି ଦଳରେ ଖେଳିବାର ସୁବର୍ଣ୍ଣ ସୁଯୋଗ ହରାଇଥିଲେ। ଏପରି ନିଷ୍ପତ୍ତି ତାଙ୍କୁ ଖୁବ୍‌ ମହଙ୍ଗା ପଡ଼ିଥିଲା। ଅସଫଳ ଭାରତୀୟ କ୍ରିକେଟ ଦଳ କୌଣସି ମ୍ୟାଚ ଜିତି ନ ପାରି ଦେଶକୁ ପ୍ରତ୍ୟାବର୍ତ୍ତନ କରିଥିବା ସମୟରେ ଧ୍ୟାନଚାନ୍ଦଙ୍କ ନେତୃତ୍ୱରେ ଭାରତୀୟ ହକି ଦଳ ଅଭୂତପୂର୍ବ ସଫଳତା ହାସଲ କରି ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ଜିତି ଦେଶ ପାଇଁ ଗୌରବ ଓ ସମ୍ମାନ ବୃଦ୍ଧି କରିଥିଲେ।
ଡିସେମ୍ବର ୨୧, ୨୦୦୩ ମସିହାରେ ପରଲୋକ ଗମନ କରିଥିବା ଏମ୍‌.ଜେ. ଗୋପାଲନଙ୍କ କ୍ରୀଡ଼ା ଜୀବନ ସୀମିତ ଥିଲେ ମଧ୍ୟ ଭାରତର ପ୍ରଥମ ଓ ଏକମାତ୍ର ଡବଲ ଇଣ୍ଟରନ୍ୟାଶନାଲ(କ୍ରିକେଟ୍‌ ଓ ହକି) ଭାବେ ଭାରତରେ କ୍ରୀଡ଼ା ଇତିହାସରେ ସେ ସ୍ମରଣୀୟ ହୋଇ ରହିବେ।

ଅଶୋକ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri