ଭାରତୀୟ ସଂସ୍କୃତି ଓ ମହାମାରୀ

ଡା. ଗୋପାଳ ଚନ୍ଦ୍ର ଦାଶ

ବିଗତ କିଛି ମାସ ଧରି ସମଗ୍ର ବିଶ୍ୱରେ କରୋନା ଭୂତାଣୁ ସଂକ୍ରମଣ ହେବାରେ ଲାଗିଛି। ପ୍ରଭାବଶାଳୀ ଚାଇନା, ସ୍ପେନ୍‌, ଫ୍ରାନ୍ସ, ଆମେରିକା, ଇଟାଲୀ ଓ ଜର୍ମାନୀ ଆଦି ଦେଶଗୁଡ଼ିକରେ ଏହା ଖୁବ୍‌ ଜୋରରେ ବ୍ୟାପିବାରେ ଲାଗିଛି। ଚାଇନାରୁ ଆରମ୍ଭ ହୋଇ ଏହି ଭୂତାଣୁ ସମଗ୍ର ବିଶ୍ୱକୁ ଗ୍ରାସ କରି ସାରିଲାଣି। ଭାରତ ଭଳି ବିକାଶଶୀଳ ଦେଶ ଏଥିରୁ ବର୍ତ୍ତିପାରି ନାହିଁ। ସେଥିପାଇଁ ସରକାର କଠୋର ପଦକ୍ଷେପ ନେଇ ଲକ୍‌ଡାଉନ୍‌ ପନ୍ଥା ଅବଲମ୍ବନ କରିଛନ୍ତି। ସ୍ବାସ୍ଥ୍ୟସେବାକୁ ତ୍ୱରାନ୍ବିତ କରିବା ପାଇଁ ପ୍ରଚେଷ୍ଟା ଜାରି ରହିଛି।ବର୍ତ୍ତମାନ କରୋନା ରୋଗ ସମଗ୍ର ବିଶ୍ୱରେ ମହାମାରୀର ରୂପ ନେଇଛି।
ଅନୁଧ୍ୟାନ କଲେ ଜଣାପଡ଼େ ଯେ, ଭାରତରେ ଏହି ରୋଗର ସଂକ୍ରମଣ ଗତି ୟୁରୋପ ଦେଶ ଭଳି ସେତେ ପ୍ରଖର ଗତିର ହୋଇପାରି ନାହିଁ। ଆମ ଭାରତୀୟ ସଂସ୍କୃତି ଏହି ରୋଗ ନ ବ୍ୟାପିବାର କେତେକାଂଶରେ ଫଳପ୍ରଦ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଭାରତୀୟ ସଂସ୍କୃତି ଓ ଚଳଣି ସର୍ବଶ୍ରେଷ୍ଠ। ଅତିଥିଙ୍କୁ ସ୍ବାଗତ କରିବା ବେଳେ ବିଦେଶୀମାନେ ହାତ ମିଳାଇବା, ଆଲିଙ୍ଗନ କରିବା ଓ ଚୁମ୍ବନ ଦେବା ବେଳେ ଭାରତୀୟମାନେ ହାତଯୋଡ଼ି ନମସ୍କାର କରିଥାଆନ୍ତି। ଅଙ୍ଗ ସ୍ପର୍ଶ ନ ହେବାରୁ ରୋଗ ବ୍ୟାପିବାର ଆଶଙ୍କା କମ୍‌ ରହିଥାଏ। ପରୋକ୍ଷରେ ବର୍ତ୍ତମାନ କୁହାଯାଉଥିବା ସୋସିଆଲ୍‌ ଡିଷ୍ଟାନ୍ସିଂ ଭଳି ଏହା କାମ କରିଥାଏ। ମୃତ ଶରୀରକୁ ପୋତିବା ବଦଳରେ ଭାରତୀୟମାନେ ପୋଡ଼ିଥାଆନ୍ତି। ରୋଗଗ୍ରସ୍ତ ମୃତ ଶରୀରକୁ ପୋଡ଼ିବା ଦ୍ୱାରା କୀଟାଣୁଗୁଡ଼ିକ ପୋଡ଼ିହୋଇ ଭସ୍ମ ହୋଇଯାଆନ୍ତି। ତେଣୁ ପରିବେଶରେ ଏହି କୀଟାଣୁ ସଂକ୍ରମିତ ହୋଇ ପାରି ନ ଥାଏ। ମାତ୍ର ବିଦେଶର ମୃତ ରୋଗୀକୁ ପୋତିବା ଦ୍ୱାରା ମାଟି ଓ ଭୂତଳ ଜଳ ସଂକ୍ରମିତ ହୋଇଥାଏ। ରୋଗ ବ୍ୟାପିବାର ଆଶଙ୍କା ଅଧିକ ଥାଏ। ପରିବାରର କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହେଲେ ଘରକୁ ଲିପାପୋଛା କରାଯାଇଥାଏ। ଲୁଗାପଟାଗୁଡ଼ିକ ଧୁଆଯାଇଥାଏ। ଏହି ବ୍ୟବସ୍ଥା ମଧ୍ୟ ପର୍ବପର୍ବାଣି ଯଥା ବିବାହ ଓ ବ୍ରତରେ କରାଯାଇଥାଏ। ଏହାଦ୍ୱାରା ବିଶୋଧନ ପ୍ରକ୍ରିୟା କ୍ରମାଗତ ଚାଲୁ ରହିଥାଏ। ବସନ୍ତ ଓ ହାଡ଼ଫୁଟି ରୋଗରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କୁ ଠାକୁରାଣୀ ଲାଗନ୍ତି ବୋଲି କହି ଅଲଗା ଘରେ ରଖି ଉପଚାର, ପିଲା ଜନ୍ମରେ ପ୍ରସୂତି ଓ ଶିଶୁକୁ ଅନ୍ତୁଡ଼ିଶାଳରେ ୧୦ ଦିନ ପର୍ଯ୍ୟନ୍ତ ଅଲଗା ରଖିବା ଓ ଶ୍ମଶାନରେ ଶବଦାହ କରିଥିବା ଭାଇ କୁଟୁମ୍ବମାନଙ୍କୁ ୧୦ ଦିନ ପର୍ଯ୍ୟନ୍ତ ଅଲଗା ରହିବା ଆଦି ପଦ୍ଧତିଗୁଡ଼ିକୁ ବର୍ତ୍ତମାନ ସମାଜ ଅନ୍ଧ ବିଶ୍ୱାସ ଭାବୁଥଲେ ମଧ୍ୟ ଏହି ସାମାଜିକ ବାସନ୍ଦ (ସୋସିଆଲ୍‌ ଆଇସୋଲେଶନ)କୁ ଧାର୍ମିକ ପଦ୍ଧତି ସହିତ ଯୋଡ଼ି ପରିବାର ଓ ସମାଜକୁ ରୋଗମୁକ୍ତ କରାଯାଉଥିଲା। ଉଦାହରଣ ସ୍ବରୂପ ସ୍ବୟଂ ଜଗନ୍ନାଥଙ୍କୁ ଜ୍ୱର ହେବାରୁ ୧୪ ଦିନ ପର୍ଯ୍ୟନ୍ତ ଅଣସର ଘରେ ରହିବାକୁ ପଡ଼ୁଥିଲା।
ଆମ ସଂସ୍କୃତି ଶୁଦ୍ଧ ଶାକାହାର ଭୋଜନ ପାଇଁ ମାନ୍ୟତା ପ୍ରଦାନ କରେ। ଶାକାହାର ଖାଦ୍ୟ ବଦଳରେ ମାଂସାହାର ଏହି ଭୂତାଣୁଜନିତ ରୋଗ ବ୍ୟାପିବାରେ ସାହାଯ୍ୟ କରୁଛି। ଘୁଷୁରିଠାରୁ ସ୍ବାଇନ୍‌ ଫ୍ଲୁ, କୁକୁଡ଼ାଠାରୁ ବାର୍ଡ ଫ୍ଲୁ ଓ ସାପ, ବେଙ୍ଗ, ମୂଷା, ବାଦୁଡ଼ିଠାରୁ ଅନ୍ୟ ଭୂତାଣୁ ରୋଗ ବ୍ୟାପୁଛି। ଏହି ଜୀବଜନ୍ତୁଗୁଡ଼ିକର ପାଳନ ଓ ମାଂସ ସେବନ ଦ୍ୱାରା ସମାଜରେ ରୋଗ ବ୍ୟାପୁଛି। ପଦାରେ ବୁଲି ଆସିବା ପରେ ଚପଲକୁ ବାହାରେ ରଖିବା, ଗୋଡ଼ ଧୋଇ ଘରକୁ ପ୍ରବେଶ କରିବା ଓ ନିୟମିତ ଭାବରେ ଲୁଗାପଟାକୁ ଧୋଇ ଖରାରେ ପକାଇବା ଦ୍ୱାରା ଘର ଭିତରକୁ ବାହାରୁ କୌଣସି ସଂକ୍ରମଣ ପ୍ରବେଶ କରିପାରି ନ ଥାଏ। ନିୟମିତ ଭାବରେ ସନ୍ଧ୍ୟା ସମୟରେ ପ୍ରତି ଘରେ ଘରେ ଘିଅ ଦୀପ ଜାଳିବା, ସଂକ୍ରାନ୍ତି, ଅମାବାସ୍ୟା ଓ ଅନ୍ୟ ପର୍ବପର୍ବାଣିରେ ହୋମଯଜ୍ଞ ଦ୍ୱାରା ଘରର ବାତାବରଣ ଶୁଦ୍ଧ ହୋଇଥାଏ। ସଂକ୍ରମଣ ରୋକାଯାଇ ଥାଏ। ଶୀତତାପ ନିୟନ୍ତ୍ରିତ ଘର ବଦଳରେ ଚାଳଘରେ ରହିବା ଓ ଗାଡ଼ି ବଦଳରେ ଖରାରେ ଚାଲିବା ଦ୍ୱାରା ଶରୀରରେ ସୂର୍ଯ୍ୟ କିରଣରୁ ଭିଟାମିନ ଡି ସୃଷ୍ଟି ହୋଇ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ଡାଇନିଂ ଟେବୁଲ ବଦଳରେ ତଳେ ବସି ଖାଇବା, ନିୟମିତ ବ୍ୟବଧାନରେ ଉପବାସ କରିବା, ଖାଲି ପେଟରେ ହଳଦୀ, ନିମ୍ବ ପତ୍ର ଓ ବେଲ ପତ୍ର ରସ ସେବନ କରିବା, ପ୍ରତିଦିନ ସ୍ନାନ କରିବା, ଶୋଇବା ପୂର୍ବରୁ ପାଦରେ ତେଲ ଲଗାଇବା, ପୂଜାଘର ଘିଅ, କର୍ପୂର ଓ ଝୁଣା ଦ୍ୱାରା ଆଳତି କରିବା ଇତ୍ୟାଦି ଆମ ସଂସ୍କୃତିର ଏକ ଅଭିନ୍ନ ଅଙ୍ଗ, ଯାହା ସୁସ୍ଥ ଓ ନୀରୋଗ ରହିବାରେ ସାହାଯ୍ୟ କରିଥାଏ। ଘର ଆଗରେ ଗାଈ ଗୁହାଳ ନିର୍ମାଣ ଦ୍ୱାରା ଗୋମୂତ୍ର ଓ ଗୋବରରୁ ଆସୁଥିବା ଗନ୍ଧ ପରିବେଶକୁ ଜୀବାଣୁମୁକ୍ତ କରିଥାଏ।
ମାଟି ପାତ୍ରରେ ରନ୍ଧନ, ତମ୍ବା ପାତ୍ର ଓ ସୁରେଇ ଜଳ ସେବନ ଶରୀରରେ ରୋଗ ନିରୋଧକ ଶକ୍ତି ସୃଷ୍ଟି କରିଥାଏ। ପଶୁପକ୍ଷୀଙ୍କୁ ମାରି ଖାଇବା ବଦଳରେ ବିଭିନ୍ନ ପର୍ବପର୍ବାଣିରେ ପୂଜନ ଓ ଅଗଣାରେ ବେଲ, ଲିମ୍ବ, ତୁଳସୀ ଗଛ ରୋପଣ କରି ପୂଜା କରିବା ଆଦି ପଦ୍ଧତି ଜୀବତନ୍ତ୍ର ଓ ବୃକ୍ଷଲତା ପ୍ରତି ସମ୍ମାନ ପ୍ରଦାନ କରିବା ସହିତ ପରିବେଶ ସନ୍ତୁଳନ ରଖିଥାଏ। ବର୍ତ୍ତମାନ ଜମିରେ, ଖାଦ୍ୟରେ ଅପମିଶ୍ରଣ, ସବୁଜ ପନିପରିବାରେ ବିଷାକ୍ତ ରଙ୍ଗ, ଶସ୍ୟ ଉତ୍ପାଦନ ଓ ସଂରକ୍ଷଣ ବେଳେ କୀଟନାଶକର ପ୍ରୟୋଗ ଖାଦ୍ୟର ଗୁଣବତ୍ତାକୁ ନଷ୍ଟ କରିଥାଏ। ସିନ୍ଥେଟିକ୍‌ ପନିର, ପୋଡ଼ା ମୋବିଲ ଓ ଡିଟର୍‌ଜେଣ୍ଟରୁ ଉତ୍ପାଦିତ ଦୁଗ୍ଧ, ନକଲି ମିଠା, କଳକାରଖାନାରୁ ନିଷ୍କାସିତ ଆବର୍ଜନାରେ ଭରପୂର ଜଳରାଶି, ରେଷ୍ଟୁରାଣ୍ଟରେ ପୋଡ଼ା ତେଲରେ ପ୍ରସ୍ତୁତ ଖାଦ୍ୟ, ବାରମ୍ବାର ଗରମ କରି ଫ୍ରିଜ୍‌ରେ ରଖାଯାଇଥିବା ଖାଦ୍ୟ, ବଡ଼ ବଡ଼ ଫୁଡ୍‌ ପ୍ଲାଜାରେ ଡିପ୍‌ ଫ୍ରିଜ୍‌ରେ ଦୀର୍ଘଦିନ ଧରି ରହିଥିବା ଖାଦ୍ୟ ସେବନ ଦ୍ୱାରା ଶରୀରର ପାଚନ ଶକ୍ତି କ୍ଷୟ ହେବା ସହିତ ରୋଗ ପ୍ରତିରୋଧକ ଶକ୍ତି କମିଯାଉଛି।
ସଂସ୍କୃତି ଓ ସଭ୍ୟତା ପରସ୍ପରର ପରିପୂରକ। ଆଧୁନିକ ସଭ୍ୟତା ନାମରେ ଆମର ପୁରାତନ ସଂସ୍କୃତିକୁ ଅନ୍ଧବିଶ୍ୱାସ ଓ ଅବୈଜ୍ଞାନିକ ମାନ୍ୟତା ଦେଇ ପରିତ୍ୟାଗ କରିବା ଦ୍ୱାରା ଦେଶରେ ମହାମାରୀର ପ୍ରକୋପ ବ୍ୟାପିବାରେ ଲାଗୁଛି। ବର୍ତ୍ତମାନଠାରୁ ସାବଧାନ ନ ହେଲେ ଆଗାମୀ ଦିନଗୁଡ଼ିକ ଜନ ସମାଜ ପାଇଁ ଦୁର୍ବିଷହ ହୋଇଉଠିବ।

ଚିକିତ୍ସା ନିର୍ଦ୍ଦେଶକ, ପୂର୍ବତଟ ରେଲ୍‌ଓ୍ବେ
ମୋ: ୮୪୫୫୮୮୭୫୦୧


Enter your email to get our daily news in your inbox.

All Right Reserved By Dharitri.Com

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri