ସଦାଚାରୀଙ୍କ ବିପକ୍ଷରେ

ଅଧ୍ୟାପକ ନିରଞ୍ଜନ ପାଢ଼ୀ

ସଦାଚାରୀ ସାଧୁ ପୁରୁଷମାନେ ସାଂପ୍ରତିକ ସମାଜରେ ଏକ ବିରଳ ସଂପ୍ରଦାୟ। ଯେନ ତେନ ପ୍ରକାରେଣ ଯାବତୀୟ ମିଥ୍ୟାଚାରକୁ ଆପଣେଇ ନେଇ ଦ୍ରୁତ ଗତିରେ ଦୌଡ଼ି ଚାଲିଥିବା ଲୋକଙ୍କ ଭିଡ଼ ଭିତରେ ଏମାନେ କାଁ ଭାଁ ଆତଯାତ ହେଉଥାନ୍ତି ଓ ନ୍ୟାୟ ନୀତିକୁ ଆଶ୍ରାକରି ମନ୍ଥର ଗତିରେ ବାଟ ଚାଲୁଥିବା ବେଳେ ବାରମ୍ବାର ଝୁଣ୍ଟିପଡ଼ି ଆହତ ହୋଇଥାନ୍ତି। ତଥାପି ଏମାନେ ବାଟ ଭାଙ୍ଗି ଅସତ୍ୟ ଅନାଚାରର ଗଣଦୌଡ଼ରେ ଯୋଗ ଦିଅନ୍ତି ନାହିଁ। ଲକ୍ଷ୍ୟ ସିଦ୍ଧିର ପାଗଳ ପ୍ରତିଯୋଗିତାରେ ଯେଉଁଠି ଜଣେ ଅନ୍ୟ ଜଣଙ୍କୁ ଅତିକ୍ରମ କରି ଆଗକୁ ମାଡ଼ିଯିବା ପାଇଁ ତତ୍ପର, ସେମିତି ଗଣ ଦୌଡ଼ରେ ମିଶି ନ ଯାଇ ସେମାନେ ଧୀର ଗତିରେ ଆଗକୁ ବଢ଼ୁଥାନ୍ତି ଓ ନିଜକୁ ନିଜେ ପ୍ରଶ୍ନ କରୁଥାନ୍ତି, ”ଏ ଜଗତ କ’ଣ ସବୁବେଳେ ଏମିତି ମିଥ୍ୟାଚାରର ଅନ୍ଧାରରେ ଡୁବି ରହିଥିବ ? ସତ୍ୟର ଆଲୋକରେ କେବେ କ’ଣ ଉଦ୍‌ଭାସିତ ହେବନାହିଁ ଆସନ୍ତାକାଲିର ସକାଳ ?“
ପ୍ରକୃତରେ ସଦାଚାରୀ ସାଧୁ ପୁରୁଷଟିଏ ହୋଇ ଆଜିର ସମୟରେ ଜୀବନ ନିର୍ବାହ କରିବା ବା ସତ୍ୟ ସଦାଚାର ସହ କୌଣସି ସାଲିସ ନ କରିବା ତ୍ୟାଗୀ ତପସ୍ବୀଙ୍କ ସାଧନାଠୁ ବଳି ଆହୁରି କଠୋର, ଅଧିକ କଷ୍ଟକର। ତାଙ୍କ ଆଗରେ ପ୍ରତିପକ୍ଷ ଜଣେ ଲାଞ୍ଚ ମିଛର ଲାଞ୍ଜ ଧରି ଅନାୟାସରେ ଆଶା ବୈତରଣୀ ପାର ହୋଇଯାଉଥିବ। ତା’ପାଇଁ ଅପ୍ରାପ୍ୟ ହୋଇ ରହିବ, ଏମିତି କିଛି ବି ଚିଜ ନ ଥିବ ଏ ଦୁନିଆରେ। ସେ ଚାହିଁଲେ ବାଘ ଭଳି ହିଂସ୍ର ପ୍ରାଣୀ ତା’ ଦେହରେ ଆସି ଘଷି ହେଉଥିବ। ଚନ୍ଦ୍ରର ଶୀତଳ କିରଣ ଅମା ଅନ୍ଧକାରରେ ବି ଉପଲବ୍‌ଧି ହେଉଥିବ। ମୂକଟିଏ ବାଚାଳ ପରି ପ୍ରଳାପ କରୁଥିବ ତ ପଙ୍ଗୁଟିଏ ପର୍ବତ ଡେଇଁ ଯିବାର ସାମର୍ଥ୍ୟ ରଖୁଥିବ। ଅଥଚ ସଦାଚାରୀ ଲୋକଟି ପାଇଁ ଏମନ୍ତ ଚମତ୍କାର ତ ଦୂରର କଥା, ସାଧାରଣ ଭାବେ ସର୍ବନିମ୍ନ ଅଧିକାର ମଧ୍ୟ ଅପ୍ରାପ୍ୟ ହୋଇ ରହିଥିବ ଚିରକାଳ। ସକଳ ପ୍ରକାର ଅପ୍ରାପ୍ତିର ବୋଝ ମୁଣ୍ଡାଇ ବଞ୍ଚି ରହିବା ଯେମିତି ଲାଞ୍ଚବିଦ୍ୱେଷୀଙ୍କ କପାଳ ଲିଖନ।
ଏମିତି ଜଣେ ସଦାଚାରୀ ସେ ଦିନ ନିଜ ଆଦର୍ଶକୁ ଅଭିଶାପ ଦେଇ ଅବସୋସ ପ୍ରକଟ କରୁଥିଲେ। କହୁଥିଲେ, ”କେଉଁ ଅଶୁଭ ମୁହୂର୍ତ୍ତରେ ଅସତ୍‌ ପଥରେ ଯାତ୍ରା ନ କରିବା ପାଇଁ ଶପଥ କରିଥିଲି କେଜାଣି, ଭାରି ହନ୍ତସନ୍ତ ହେଲିଣି ଏଥିପାଇଁ। ଜୀବନରେ ସମଗ୍ର ବୃତ୍ତିକାଳରେ କେବେ ବି କାହାକୁ ଲାଞ୍ଚ ନ ଦେବାକୁ ବା କାହାଠୁ ଲାଞ୍ଚ ନ ନେବାକୁ ଯେଉଁ ପଣ କରିଥିଲି, ସେଥିପାଇଁ ଢେର ମୂଲ୍ୟ ଦେଲିଣି, ଢେର ନିର୍ଯାତନା ଭୋଗିଲିଣି। ଲାଞ୍ଚ ଦେଇ କାମ ହାସଲ କରିବା ଭଳି ଆଦର୍ଶକୁ ଆଦରି ନେଇ ମୋର ଜଣେ ସହକର୍ମୀ ନିଜ ପରିସରରେ ଏତେ ପ୍ରଭାବଶାଳୀ ଯେ ସେ ଚାହିଁଲେ ବର୍ଷକରେ ତିନୋଟି ସ୍ଥାନକୁ ନିଜ ଇଚ୍ଛା ମୁତାବକ ବଦଳି ହୋଇପାରିବେ ତ ନିଜେ ନ ଚାହିଁଲେ ଦଶ ବର୍ଷ ଯାଏ ତାଙ୍କୁ ନିଜ ସ୍ଥାନରୁ କେହି ହଟାଇପାରିବେ ନାହିଁ। ଯେ କୌଣସି ସରକାରୀ ଫାଇଲ ତାଙ୍କ ପାଇଁ ପକ୍ଷୀରାଜ ଘୋଡ଼ାର ବେଗ ଧାରଣ କରିପାରୁଥିଲା ବେଳେ ମୋ ଭଳି ଲାଞ୍ଚ ଦେଇ କାମ ହାସଲ ନ କରିବାକୁ ପ୍ରତିଜ୍ଞା କରିଥିବା ଲୋକ ପାଇଁ ତାହାର ଗତି କଚ୍ଛପଠାରୁ ଆହୁରି ମନ୍ଥର। ଲାଞ୍ଚମିଛର ପ୍ରତିକୂଳ ସ୍ରୋତରେ ପହଁରିବା ଭଳି ଏକ ମିଥ୍ୟା ଆଦର୍ଶବୋଧକୁ ଆପଣାଇ ମୁଁ ଆଜି ପତ୍ନୀ, ପରିବାର ଆଖିରେ ଏକ ଅକର୍ମା ପୁରୁଷ।
ନିଜ ପରିସରରେ ଲାଞ୍ଚ ଦେଣନେଣ ପ୍ରକ୍ରିୟାକୁ ବୃତ୍ତିଗତ ସଫଳତାର ମୂଳମନ୍ତ୍ର ବିଚାରିଥିବା ଅନ୍ୟ ଜଣେ ବୃତ୍ତିଧାରୀଙ୍କ ପ୍ରତିକ୍ରିୟା ଆହୁରି ଅଭିନବ। ସେ କହନ୍ତି, ”ଆଦ୍ୟ ଜୀବନରେ ମୁଁ ବି ଥିଲି ଜଣେ ଆଦର୍ଶ ଯୁବକ। ଏକ ଶୁଦ୍ଧ ଚେତନାର ଆହ୍ବାନରେ ଜୀବନର କୌଣସି ସୋପାନରେ ସାମାନ୍ୟ ଅନୀତି ଅନାଚାର ନିଜ ମଧ୍ୟରେ ପ୍ରଶ୍ରୟ ଦେଉ ନ ଥିଲି। ଦୁର୍ନୀତି ନିବାରଣ ମଞ୍ଚର ନେତୃତ୍ୱ ନେଇ ମାଇକ୍ରୋଫୋନ୍‌ ଆଗରେ ଗଳା ଫଟାଇ ଚିତ୍କାର କରୁଥିଲି ଲାଞ୍ଚ ବିରୋଧରେ। ଲାଞ୍ଚ ଦେଉଥିବା ବା ନେଉଥିବା ଲୋକଙ୍କୁ ଫାଶୀ ଦିଆଯାଉ ବୋଲି ଯୁକ୍ତି ବାଢ଼ୁଥିଲି। ମାତ୍ର ଜଣ ଜଣ କରି ମୋର ସବୁ ସାଙ୍ଗ କିଛି ନା କିଛି ନିଯୁକ୍ତି ପାଇ ଚାଲିଗଲା ପରେ ମିଥ୍ୟାଚାରର ମାହାତ୍ମ୍ୟ କେତେ ବ୍ୟାପକ, ତାହା ପ୍ରଥମ କରି ଅନୁଭବ କଲି। ଗୋଟିଏ ପଇସା ରୋଜଗାର କରିବାର ସାମର୍ଥ୍ୟ ନ ଥାଇ ତଥା ଯେଉଁ ବୟସରେ ବାପାମା’ଙ୍କର ବୋଝ ବୋହିବାର କଥା, ସେଇ ବୟସରେ ସେମାନଙ୍କ ଉପରେ ବୋଝ ହୋଇ ଦୁର୍ନୀତି ନିବାରଣ ଯୁବ ମଞ୍ଚର ସଭାପତି ବୋଲାଇବାରେ କିଛି ଗୌରବ ନ ଥାଏ ବୋଲି ଯେଉଁଦିନ ହୃଦୟଙ୍ଗମ କଲି, ସେଦିନ ମୋ ସାଙ୍ଗମାନଙ୍କ ପଥରେ ପାଦ ରଖିଲି ଓ ଦିନ କେଇଟା ମଧ୍ୟରେ ଏକ ସଫଳ ମଣିଷରେ ରୂପାନ୍ତରିତ ହୋଇଗଲି। ସୁତରାଂ, ସଦାଚାରୀ ହୋଇ ଭୋକରେ ରହିବା ଅପେକ୍ଷା ଅସତ୍‌ ପଥରେ ଯାଇ ଜୀବନକୁ ଉପଭୋଗ କରିବାରେ ହିଁ ଥାଏ ଏକ ସଫଳ ଜୀବନର ସକଳ ସାର୍ଥକତା।“
ଲାଞ୍ଚ ସପକ୍ଷରେ ଆଉ ଏକ ରୋମାଞ୍ଚକର ସଂଳାପ ଜଣେ ଅଧ୍ୟାପକଙ୍କ ମୁହଁରୁ- ”ଟଙ୍କା କ’ଣ କାହାକୁ ପିତା ଲାଗେ ଯେ ଜଣେ ଅକାତରରେ ଅନ୍ୟ ଜଣଙ୍କ ହାତରେ ପାଞ୍ଚ ହଜାର ଟେକିଦେବ !
ମୋର ଲକ୍ଷେ ଟଙ୍କାର ବକେୟା ପ୍ରାପ୍ୟ ଗତ ପାଞ୍ଚ ବର୍ଷ ହେଲା ପଡ଼ିରହିଥିଲା। ଏଇ ପାଞ୍ଚ ବର୍ଷ ଭିତରେ ପନ୍ଦର ଥରରୁ ଊର୍ଦ୍ଧ୍ୱ ଦୌଡ଼ିଛି ମୁଁ ବାଲେଶ୍ୱରରୁ ଭୁବନେଶ୍ୱର। କେତେ ଟଙ୍କା ଖର୍ଚ୍ଚ ହୋଇଛି ଗାଡ଼ି ଭଡ଼ାରେ? କେତେ ସୁଧ ମିଳିଥାନ୍ତା ଲକ୍ଷେ ଟଙ୍କାର ପାଞ୍ଚବର୍ଷ ଭିତରେ ? ଏ ସବୁ କ୍ଷତି ତୁଳନାରେ ନିହାତି ମାମୁଲି ମାତ୍ର ପାଞ୍ଚ ହଜାର ଟଙ୍କା ଲାଞ୍ଚ। ମୁଁ ପ୍ରକୃତରେ ନିର୍ବୋଧ। ଅନ୍ୟମାନଙ୍କ ପରି ପାଞ୍ଚବର୍ଷ ପୂର୍ବରୁ ଏହି ଦେଣନେଣ ପ୍ରକ୍ରିୟାରେ ସାମିଲ ହୋଇଥିଲେ ଆଜି ଏତେ ଟଙ୍କାର ଲାଞ୍ଚ ଦେବାକୁ ପଡ଼ି ନ ଥାନ୍ତା !“
ପ୍ରଥମେ ସତ୍ୟ ସଦାଚାରକୁ ଆଦର୍ଶ ବିଚାରି ପରେ ଅସତ୍ୟ ପଥରେ ଯାତ୍ରା କରିବାକୁ ବୁଦ୍ଧିମତ୍ତା ବିଚାରୁଥିବା ସବୁ ଲୋକଙ୍କ ଯୁକ୍ତି ଶୁଣିବାକୁ ଏକାପରି। ସେମାନେ କହନ୍ତି, ”ଶୁଣିବାକୁ ମିଠା ଲାଗେ ଚରିତ୍ରବାନ, ସାଧୁ ବା ସଦାଚାରୀ ଭଳି ଉଚ୍ଚ ବିଶେଷଣମାନ। ମାତ୍ର ଜୋତା ପିନ୍ଧିଥିବା ଲୋକର ଜୋତା ଖେଞ୍ଚିବାର ଯନ୍ତ୍ରଣା ଜାଣିଲା ପରି ସଂସାର ସଡ଼କର ଯାତ୍ରୀ ହିଁ ଜାଣେ କେଡ଼େ କଷ୍ଟକର ଏ ଯାତ୍ରା। ଅତଏବ କଷ୍ଟକର ଯାତ୍ରାକୁ ସହଜ କରିବାକୁ ମୁହଁ ଲୁଚାଇ ଅପସରି ଯାଆନ୍ତି ନ୍ୟାୟ, ନୀତି, ସତ୍ୟ ଓ ସଦାଚାର ଭଳି ଯେତେ ଯାହା ସଂସ୍କାର। ସଂସ୍କାରନିଷ୍ଠତା ବଦଳରେ ପ୍ରଭାବଶାଳୀ ହୋଇପଡ଼େ ଜୀବନର ଆବଶ୍ୟକତା ଏବଂ ବାଲ୍ୟକାଳର ପିତାମାତା ପ୍ରଦତ୍ତ ସଂସ୍କାର ବା ପୁସ୍ତକରୁ ଆହରଣ କରାଯାଇଥିବା ସତ୍ୟ ସଦାଚାରର ଜ୍ଞାନ ବିସ୍ମୃତିର ଅନ୍ଧାରି ଗହ୍ବରକୁ ଠେଲି ହୋଇଯାଏ। ସକଳ ସଦାଚାରକୁ ବିସର୍ଜନ ଦେଇ ଜନ୍ମ ନିଏ ସହଜ ଉପଲବ୍ଧିର ଯେତେ ଯାହା ଗଳାବାଟ। ଜୀବନର ଆବଶ୍ୟକତା ସହ ମୂଲଚାଲ ବାଧ୍ୟ କରେ ମଣିଷକୁ ସାଲିସ କରିବା ପାଇଁ। ଫଳସ୍ବରୂପ ଏପଟେ ସାଧୁଙ୍କ ସଂଖ୍ୟାରୁ ଜଣେ କମିଯାଏ ତ ସେପଟେ ଅସାଧୁଙ୍କ ତାଲିକାରେ ଆଉ ଜଣଙ୍କର ନାମ ଯୋଡ଼ି ହୋଇଯାଏ।
ବହୁ ବର୍ଷ ତଳେ ଦେଶର ଉତ୍ତରାଞ୍ଚଳ ରାଜ୍ୟର ଜଣେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଜଣେ ବୃଦ୍ଧ ସ୍ବାଧୀନତା ସଂଗ୍ରାମୀ କହିଲେ, ”ଏ ଦେଶର ମୁକ୍ତି ପାଇଁ ମୁଁ ଦିନେ ସମର୍ପି ଦେଇଥିଲି ମୋ ଜୀବନ ଓ ଯୌବନ। ଦେଶ ପାଇଁ ସଂଗ୍ରାମ କରି ଅସହ୍ୟ ଅତ୍ୟାଚାର ସାମ୍‌ନା କରୁଥିଲା ବେଳେ ସ୍ବାଧୀନ ଭାରତରେ ମନ୍ତ୍ରୀ ହୋଇ କ୍ଷମତା ଉପଭୋଗ କରିବାକୁ ଆମର କିଛି ଲାଳସା ନ ଥିଲା। ମାତ୍ର ସ୍ବାଧୀନତା ପରେ ଦେଶ ପାଇଁ ଆମ ତ୍ୟାଗକୁ ସମ୍ମାନ ଜଣାଇ କୃତଜ୍ଞ ସରକାର ଆମ ପାଇଁ କେଇ ଟଙ୍କାର ପେନ୍‌ସନ୍‌ ଖଞ୍ଜି ଦେଇଥିଲେ। ସେ ପେନ୍‌ସନ୍‌ ଗଣ୍ଡିକ ହିଁ ଆମ ସଂଗ୍ରାମର ସନ୍ତକ, ଆମ ପରିଣତ ବୟସର ଏକମାତ୍ର ସମ୍ବଳ। ଅଥଚ ସେତକ ପାଇବା ପାଇଁ ବି ଆମକୁ ଲାଞ୍ଚ ଦେବାକୁ ପଡ଼ିବ ?“
ବୃଦ୍ଧ ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରଶ୍ନ ଥିଲା ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ଅହଙ୍କାର ଉପରେ ପ୍ରଚଣ୍ଡ ପ୍ରହାର। ସେ ବିରକ୍ତିର ସହ କହିଲେ, ”ତୁମେ ଯେଉଁ ଦେଶର ସ୍ବାଧୀନତା ପାଇଁ ସଂଗ୍ରାମ କରିଥିଲ, ସେଇ ଦେଶର ପ୍ରଗତି ପାଇଁ ଆମେ କିଛି କମ୍‌ ପରିଶ୍ରମ କରୁନାହୁଁ। ରାଜ୍ୟର ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଆମେ ରାତିରେ ଶାନ୍ତିରେ ଶୋଇପାରୁ ନ ଥିବା ବେଳେ ତୁମର ଏ ମାମୁଲି ଅଭିଯୋଗ ଶୁଣିବାକୁ ମୋର ସମୟ ନାହିଁ। ସାମାନ୍ୟ କେଇ ଟଙ୍କାର ଲାଞ୍ଚ ଅଭିଯୋଗକୁ ନେଇ ମୁଖ୍ୟମନ୍ତ୍ରୀ ମୁଣ୍ଡ ପୂରାଇଲେ ରାଜ୍ୟର ଅର୍ଥନୈତିକ ବିକାଶ ପାଇଁ ଚିନ୍ତା କରିବାକୁ ସମୟ ମିଳିବ କେଉଁଠୁ ?“ ମୁଖ୍ୟମନ୍ତ୍ରୀ ମହୋଦୟ ପକେଟରୁ ପାଞ୍ଚଶହ ଟଙ୍କା କାଢ଼ି ବୃଦ୍ଧଙ୍କ ହାତକୁ ବଢ଼ାଇଲେ ଓ କହିଲେ, ”ଶହେ ଟଙ୍କା ଲାଞ୍ଚ ଦେଇ ତୁମ ପେନ୍‌ସନ୍‌ ନେଇ ଆସିବ ଓ ବାକି ଚାରିଶହ ପାଖରେ ରଖିଥିବ। ଭବିଷ୍ୟତରେ ଆଉ କିଛି କାମ ପାଇଁ କେହି ଅଧିକାରୀ ଯଦି ଲାଞ୍ଚ ମାଗନ୍ତି, ସେଇ ଟଙ୍କା ଦେଇ କାମ କରିନେବ। ପୁଣି କେବେ ଏଠାକୁ ଦୌଡ଼ି ମୋ ସମୟ ନଷ୍ଟ କରିବ ନାହିଁ।
ସେଦିନ ସେଇ ବୃଦ୍ଧ ସ୍ବାଧୀନତା ସଂଗ୍ରାମୀ ଫେରି ଆସିଲେ ତାଙ୍କ ସଂଗ୍ରାମର ମୂଲ ସେତକ ସେଇଠି ଥୋଇ। ଘଟଣାଟି ଘଟିବାର ପ୍ରାୟ ଚାଳିଶ ବର୍ଷ ବିତିଗଲାଣି। ଉଭୟ ମୁଖ୍ୟମନ୍ତ୍ରୀ ଓ ସେଇ ସଦାଚାରୀ ବୃଦ୍ଧ ମହୋଦୟ ଏ ସଂସାରରୁ ବାହୁଡ଼ି ଗଲେଣି। ମାତ୍ର ଆମ ଶାସନ ବ୍ୟବସ୍ଥାରେ ସେତେବେଳେ ଦୁର୍ନୀତି ଓ ଦୁରାଚାରର ପରିଭାଷା ଯେମିତି ଥିଲା, ଆଜି ତହିଁରେ କିଛି ପରିବର୍ତ୍ତନ ଆସିନାହିଁ। କେବଳ ଯାହା ବଦଳି ଯାଇଛି ଟଙ୍କାର ପରିମାଣ। ଶହେଟା ହଜାର ହୋଇଯାଇଛି ଓ ହଜାରଟା ଲକ୍ଷ। ଅନ୍ୟ ଅର୍ଥରେ ମିଥ୍ୟାଚାରର ମୂଲ୍ୟ ବୃଦ୍ଧି ଘଟିଛି ଓ ସଦାଚାର ହରାଇ ବସିଛି ଏହାର ଗ୍ରହଣୀୟତା !!
ପ୍ରଜ୍ଞା ନିଳୟ, ବିଦ୍ୟାପତିନଗର, ଚକେଇସିହାଣି, ଭୁବନେଶ୍ୱର
ମୋ: ୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଞ୍ଜାବର ଗୁରୁବିନ୍ଦର ସିଂ ସୋହି ଗହମ ବଦଳରେ ଫୁଲ ଚାଷ କରି ବର୍ଷକୁ ୨୨ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଗୁରୁବିନ୍ଦର ରହୁଛନ୍ତି ନାନୋଓ୍ବାଲରେ। ଏହି ଗାଁରେ…

‘ଏକ୍‌ଲା ଚଲୋରେ’ର ବିକୃତ ପ୍ରକଟନ

“ତୋର୍‌ ଡାକ୍‌ ଶୁନେ ଯଦି କେଉ ନା ଆସେ, ତବେ ଏକ୍‌ଲା ଚଲୋରେ“- ନୋବେଲ ପୁରସ୍କାରପ୍ରାପ୍ତ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କର ଦେଶାମତ୍ବୋଧକ ସଙ୍ଗୀତର ଏହି ପଂକ୍ତି ଆଜି…

କୃଷି କୃଷକର କଥା ଓ ବ୍ୟଥା

ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ। ରାଜ୍ୟର ପ୍ରାୟ ଶତକଡ଼ା ସତୁରି ଭାଗ ଲୋକ ଜୀବନ ଜୀବିକା ପାଇଁ କୃଷି ଉପରେ ନିର୍ଭର କରିଥାନ୍ତି। ତେଣୁ ଓଡ଼ିଶାର…

ଫାଳିକିଆ ଆଇନ

ସଶସ୍ତ୍ର ଦୁର୍ବୃତ୍ତମାନେ ସେପ୍ଟେମ୍ବର ୧୩ରେ ମଣିପୁରର ତାମେଙ୍ଗଲଙ୍ଗ ଜିଲାରେ ଦୁଇଟି ପୃଥକ୍‌ ସ୍ଥାନରେ ଆକ୍ରମଣ କରିବାରୁ ଜଣେ ୬ ବର୍ଷର ଶିଶୁ ଆହତ ହେବା ସହ ୪…

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?