ପଞ୍ଚମ ସ୍ତମ୍ଭର ଅଭ୍ୟୁଦୟ

ପ୍ରକାଶ ତ୍ରିପାଠୀ
ଗତ ସତୁରି ଦଶକ ଶେଷ ପର୍ଯ୍ୟନ୍ତ ରେଡିଓ ଓ ଖବରକାଗଜ ଥିଲା ଖବର ଜାଣିବାର ଏକମାତ୍ର ଉତ୍ସ। ରେଡିଓରୁ ମନୋରଞ୍ଜନ କାର୍ଯ୍ୟକ୍ରମ ସହ ଦେଶବିଦେଶର ଖବର ଶୁଣୁଥିଲୁ। ରେଡିଓରେ ଖବର ଶୁଣିବାକୁ ଅପେକ୍ଷାକରି ବସି ରହୁଥିଲୁ। ସେହିପରି ଖବରକାଗଜରେ କି କି ଖବର ବାହାରିଛି, ତାକୁ ପଢ଼ିବାକୁ ଉତ୍ସୁକତାର ସହ ହକରକୁ ଚାହିଁ ରହୁଥିଲୁ। ଟିଭି ଆସିବା ପରେ ଅଶୀ ଦଶକ ପରଠାରୁ ରେଡିଓର ଆକର୍ଷଣ କମି କମି ଆସିଲା। ଘଟଣାର ଦୃଶ୍ୟ ସବୁ ଟିଭି ପରଦାରେ ଦେଖିଲୁ। ଦିନଯାକର କାର୍ଯ୍ୟବ୍ୟସ୍ତତାରୁ ମୁକୁଳି ସାରେ ଘରେ ବସି ଖବର ସହ ମନୋରଞ୍ଜନ କାର୍ଯ୍ୟକ୍ରମ ଦେଖିଲୁ। ଏବେ ସେ ସମୟ ଆଉ ନାହିଁ। ଏବେ ଟିଭିରୁ ଖବର ଦେଖିଲା ବେଳେ ମନେହୁଏ ସତେ ଯେପରି ଖବରଗୁଡ଼ିକ କେଉଁଠି ଦେଖିସାରିଛୁ। ସକାଳେ ଖବରକାଗଜ ଖୋଲିବା ପରେ ମନେହୁଏ ସତେଯେମିତି ସବୁ ଖବର କେଉଁଠି ପଢ଼ିସାରିଛି। ସବୁ ଖବର ବାସି ବାସି ଲାଗୁଛି। ଆମ୍ଭମାନଙ୍କୁ ଏବେ ପ୍ରତି ମୁହୂର୍ତ୍ତରେ ସବୁ ଜଣେଇ ପାରୁଥିବା, ସବୁ ଦେଖାଇ ପାରୁଥିବା ଓ ସବୁ ପଢ଼ାଇ ପାରୁଥିବା ମାଧ୍ୟମଟି ହେଉଛି ସୋସିଆଲ ମିଡିଆ ବା ସାମାଜିକ ଗଣମାଧ୍ୟମ। ଆମେ ପଢ଼ିଥିଲୁ ଗଣତନ୍ତ୍ରର ତିନୋଟି ସ୍ତମ୍ଭ ସମ୍ପର୍କରେ। ସ୍ତମ୍ଭ ତିନୋଟି ହେଲା ବ୍ୟବସ୍ଥାପକ, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା। ଏହା ସହ କ୍ରମେ ଯୋଡ଼ି ହୋଇଗଲା ଅଲିଖିତ ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ। କିନ୍ତୁ ଏବେ ଆମ ସମସ୍ତଙ୍କ ଅଜାଣତରେ ଗଣତନ୍ତ୍ରରେ ଆଉ ଏକ ସ୍ତମ୍ଭ ଯୋଡ଼ି ହୋଇଗଲାଣି ଓ ତାହା ହେଉଛି ସୋସିଆଲ ମିଡିଆ ବା ସାମାଜିକ ଗଣମାଧ୍ୟମ। ଏହି ଅଲିଖିତ ପଞ୍ଚମ ସ୍ତମ୍ଭଟି କ୍ରମଶଃ ଏତେ ଶକ୍ତିଶାଳୀ ହେବାକୁ ବସିଲାଣି ଯେ ଏହାକୁ ନିୟନ୍ତ୍ରଣ କରିବା କାଠିକରପାଠ।
ଦି ରଏଟର୍ସ ଇନ୍‌ଷ୍ଟିଚ୍ୟୁଟ ଡିଜିଟାଲ ନ୍ୟୁଜ ରିପୋର୍ଟ ପକ୍ଷରୁ ପ୍ରକାଶିତ ସର୍ବେକ୍ଷଣରୁ ଜଣାପଡ଼େ ଯେ, ୨୦୧୩ରୁ ୨୦୧୬ ମଧ୍ୟରେ ଆମେରିକା, ବ୍ରିଟେନ, ଜର୍ମାନୀ, ଫ୍ରାନ୍ସ ଓ ଜାପାନ ଆଦି ଦେଶରେ ମୋବାଇଲ ଫୋନ୍‌ରେ ସୋସିଆଲ ମିଡିଆର ବହୁଳ ଭାଗୀଦାରି ଯୋଗୁ ଟିଭି ଓ ଖବରକାଗଜ ପ୍ରତି ଲୋକଙ୍କ ସ୍ପୃହା କମି କମି ଆସୁଛି। ଏ ଦିଗରେ ଯୁକ୍ତରାଷ୍ଟ୍ର ଆମେରିକା ବହୁ ଆଗରେ। ଏହିସବୁ ଦେଶର ନେଟିଜେନ (ଇଣ୍ଟରନେଟ ବ୍ୟବହାର କରୁଥିବା ମଣିଷ)ଙ୍କ ପାଖରେ ଏତିକି ଫୁର୍‌ସତ୍‌ ମିଳୁନାହିଁ ଯେ ସେମାନେ ନିଜ ନିଜ ଆତ୍ମୀୟଙ୍କ ସହ ଦୁଇପଦ କଥା ହୋଇପାରୁଛନ୍ତି ନା ନିଜର ପର୍ସନାଲ କମ୍ପ୍ୟୁଟର ଖୋଲିପାରୁଛନ୍ତି। ଏପରି କି ଘରକୁ ଆସୁଥିବା ଦୈନିକ ଖବରକାଗଜ ଓ ମାଗାଜିନ ଖୋଲା ନ ହୋଇ କବାଡିଆଙ୍କୁ ବିକ୍ରି କରିଦିଆଯାଉଛି। ବିକଶିତ ଦେଶଗୁଡ଼ିକରେ ସୋସିଆଲ ମିଡିଆର ଅଭ୍ୟୁଦୟର ମାୟା ଅନ୍ୟାନ୍ୟ ଦେଶକୁ ଆକ୍ରାନ୍ତ କରିବାକୁ ଲାଗିଲାଣି। ଭାରତ ଏଥିରୁ ବାଦ୍‌ ନୁହେଁ। ତଥ୍ୟରୁ ଜଣାପଡ଼େ ଭାରତରେ ଏବେ ପ୍ରାୟ ୫୬ କୋଟି ଲୋକ ସକ୍ରିୟ ଭାବେ ଇଣ୍ଟରନେଟ ସହ ଯୋଡ଼ିହୋଇ ରହିଛନ୍ତି। ଅର୍ଥାତ୍‌ ପ୍ରାୟ ସମାନସଂଖ୍ୟକ ଲୋକ ସୋସିଆଲ ମିଡିଆରେ ବି ସମ୍ପୃକ୍ତ ଅଛନ୍ତି। ଚଳିତବର୍ଷ ଶେଷ ସୁଦ୍ଧା ଏହା ୬୦ କୋଟି ଅତିକ୍ରମ କରିବାର ସମ୍ଭାବନା ରହିଛି। ଭାରତର ଅଢ଼େଇ ଲକ୍ଷ ଗ୍ରାମପଞ୍ଚାୟତରେ ହାଇସ୍ପିଡ ଇଣ୍ଟରନେଟ ବ୍ୟବସ୍ଥା ପହଞ୍ଚାଯିବାକୁ ସରକାରଙ୍କ ଲକ୍ଷ୍ୟ ଥିବାରୁ ଭାରତରେ ଶହେ କୋଟିରୁ ଊର୍ଦ୍ଧ୍ୱ ଲୋକ ସୋସିଆଲ ମିଡିଆରେ ଯଦି ସାମିଲ ହୋଇଯିବେ ତେବେ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଭାରତରେ ୩୫ ବର୍ଷରୁ କମ୍‌ ବୟସର ଯୁବତୀଯୁବକଙ୍କ ମଧ୍ୟରୁ ପ୍ରାୟ ୫୬ ଭାଗ ଦେଶବିଦେଶରେ ଘଟୁଥିବା ଘଟଣାବଳୀ ସମ୍ପର୍କରେ ନିଜ ମୋବାଇଲ ଫୋନ୍‌ରୁ ଖବର ଜାଣିଥାନ୍ତି। ମାତ୍ର ୧୬ ଭାଗ ଯୁବତୀଯୁବକ ପ୍ରିଣ୍ଟ ମିଡିଆ ଓ ୨୬ ଭାଗ ଇଲେକ୍ଟ୍ରୋନିକ ମିଡିଆ ବା ଟିଭିରୁ ଖବର ଜ୍ଞାତ ହୋଇଥାନ୍ତି। ଯଦି ଏହି ହାର ଅବ୍ୟାହତ ରୁହେ, ତେବେ ଆଗାମୀ ଦିନରେ ଉଭୟ ଛାପା ଓ ଟିଭି ଗଣମାଧ୍ୟମ ନିଶ୍ଚିତ ଦୁଃସମୟ ଦେଇ ଗତିକରିବେ। ଏବେଠାରୁ ତ ଅନେକ ଖବରକାଗଜ ପାଠକମାନଙ୍କୁ ବାନ୍ଧି ରଖିବା ପାଇଁ ବା ଅଧିକ ପାଠକ ସୃଷ୍ଟି କରିବା ପାଇଁ ଅନେକ ମାଗଣା ଯୋଜନା ହାତକୁ ନେଲେଣି। ”ନିୟମିତ ଖବରକାଗଜ ପଢ଼ନ୍ତୁ ଓ ମାସ ଶେଷରେ ନିଶ୍ଚିତ ଉପହାର ପାଆନ୍ତୁ।“ ସେହିଭଳି ବିଭିନ୍ନ ଟିଭି ଚ୍ୟାନେଲ ମଧ୍ୟ ଦର୍ଶକ ବୃଦ୍ଧି ଲକ୍ଷ୍ୟରେ ବିଭିନ୍ନ ଯୋଜନା ପ୍ରସ୍ତୁତିରେ ଲାଗିପଡ଼ିଲେଣି। କେବଳ ଭାରତରେ ନୁହେଁ, ବିଶ୍ୱବ୍ୟାପୀ ସମାନ ଅବସ୍ଥା ପରିଲକ୍ଷିତ ହେଲାଣି। କାନାଡା ଓ ଆମେରିକାରେ କିଛି ପ୍ରମୁଖ ଖବରକାଗଜ ସଂସ୍ଥା ମାଗଣାରେ ପାଠକମାନଙ୍କୁ ଖବରକାଗଜ ଯୋଗାଇ ଦେଉଥିଲେ ମଧ୍ୟ ପାଠକମାନେ ଆଉ ଆଗଭଳି ଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଆମେରିକା ଓ ୟୁରୋପର ପ୍ରାୟ ୨୪ଟି ଦେଶରେ ପ୍ରିଣ୍ଟ ମିଡିଆ ଓ ଇଲେକ୍ଟ୍ରୋନିକ ମିଡିଆର ଅବସ୍ଥା ଏଭଳି ସ୍ତରକୁ ଆସିଯାଉଥିବାରୁ ଉଭୟ ଗଣମାଧ୍ୟମ ସୋସିଆଲ ମିଡିଆ ଅନ୍ତର୍ଗତ ଫେସ୍‌ବୁକ, ଟୁଇଟର, ସ୍ନାପଚାଟ, ୟୁଟ୍ୟୁବ ଆଦି ସୋସିଆଲ ଆପ୍‌ର ସହାୟତା ନେବା ସହ ସେଠାରେ ନିଜର ସ୍ଥିତି ଜାହିର କଲେଣି। କାରଣ ସେଠାକାର ପାଠକମାନେ ସୋସିଆଲ ମିଡିଆ ଆପ୍‌ ଉପରେ ଅଧିକ ଭରସା କରୁଛନ୍ତି।
ସୋସିଆଲ ମିଡିଆର କ୍ରମବର୍ଦ୍ଧିଷ୍ଣୁ ପରିସରକୁ ଦେଖି ଏହା ମାଧ୍ୟମରେ ମିଥ୍ୟା ଖବର, ମିଥ୍ୟା ଭିଡିଓ ତଥା ମିଥ୍ୟା ସୂଚନା ପ୍ରସାରଣ ବି ବୃଦ୍ଧି ଘଟୁଛି। ମଣିଷ ଏବେ ସେମାନଙ୍କର ଜୀବନଶୈଳୀ ବଦଳାଇ ଚାଲିଛନ୍ତିିି। ସେମାନଙ୍କ ଦୈନନ୍ଦିନ ଜୀବନରୁ ଟିଭି, ସିନେମା, ସଙ୍ଗୀତ, ଖବରକାଗଜର ଆବଶ୍ୟକତା କମି କମି ଆସିଲାଣି ଓ ସେହି ସ୍ଥାନ ନେଉଛି ସାମାଜିକ ଗଣମାଧ୍ୟମ। ବହୁଳ ଆଦୃତ ହେଉଥିବା ସୋସିଆଲ ମିଡିଆର ପଛପଟର ଅନ୍ଧାରକୁ କେହି ଦେଖୁ ନ ଥିବା ଦୁଃଖର ବିଷୟ। ଫେସ୍‌ବୁକର ସୂଚନା ଅନୁଯାୟୀ ନଭେମ୍ବର ୨୦୧୯ ଭିତରେ ପ୍ରାୟ ୩୦୦ କୋଟି ମିଥ୍ୟା ଫେସ୍‌ବୁକ ଆକାଉଣ୍ଟକୁ ହଟାଇ ଦିଆଯାଇ ସାରିଲାଣି, ଯାହା ମାଧ୍ୟମରେ କି ମିଥ୍ୟା ଖବର ଓ ଭିଡିଓମାନ ପ୍ରସାରଣ ଘଟୁଥିଲା। ଏହାଠାରୁ ଅଧିକ ଫେକ୍‌ ବା ମିଥ୍ୟା ଆକାଉଣ୍ଟ ଏବେ ବି ବିଦ୍ୟମାନ ଓ ପ୍ରତି ମୁହୂର୍ତ୍ତରେ ଏହାର ସଂଖ୍ୟା ବଢ଼ି ବଢ଼ି ଚାଲିଛି ଯାହା ସାଧାରଣ ଲୋକଙ୍କୁ ବିଭ୍ରାନ୍ତ କରିଚାଲିଛି। ଇଣ୍ଟର୍‌ନେଟ ଓ ସୋସିଆଲ ମିଡିଆର ଅପବ୍ୟବହାର ରୋକିବା ନିମନ୍ତେ ଅନେକ ରାଷ୍ଟ୍ର ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଥିଲେ ମଧ୍ୟ ଏହାର ଆଶାନୁରୂପ ସୁଫଳ ମିଳିପାରୁନାହିଁ। ଗୋଟିଏ ପଟେ ସୋସିଆଲ ମିଡିଆ ସାମ୍ପ୍ରତିକ ସମୟରେ ସାମାଜିକ ଓ ଅର୍ଥନୈତିକ ପ୍ରଗତିର ସୂତ୍ରଧର ହେଉଥିଲାବେଳେ ଅନ୍ୟପଟେ ଅସତ୍ୟ ଖବର, କୁତ୍ସାରଟନା, ବିଶୃଙ୍ଖଳା ତଥା ଦେଶଦ୍ରୋହ ଆଦି ବେନିୟମ କାର୍ଯ୍ୟକଳାପରେ ବ୍ୟବହୃତ ହେଉଛି। ଉଦାହରଣ ଭାବେ କଶ୍ମୀର ଘଟଣାକୁ ନିଆଯାଇପାରେ। ଗତ ଅଗଷ୍ଟରେ ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପରେ ସୋସିଆଲ ମିଡିଆରେ ଏ ସଂକ୍ରାନ୍ତରେ ଏକ ଭିଡିଓ ଦେଖିବାକୁ ମିଳିଥିଲା। ଶ୍ରୀନଗର ଓ ବାରମୂଳାରେ ପ୍ରାୟ ଦଶହଜାର ମୁସଲିମ ୩୭୦ ଧାରା ଉଚ୍ଛେଦ ବିରୋଧରେ ଆନ୍ଦୋଳନ କରୁଥିବାର ଦୃଶ୍ୟ ଏହି ଭିଡିଓରେ ସ୍ଥାନିତ ଥିଲା। ତୁରନ୍ତ ଏହି ଭିଡିଓଟିକୁ ଇଣ୍ଡିଆ ଟୁଡେ ଆଣ୍ଟିଫେକ୍‌ ନ୍ୟୁଜ୍‌ ଓ୍ବାର୍‌ ରୁମ୍‌ରେ ପରୀକ୍ଷା କରାଯିବା ପରେ ଜଣାପଡ଼ିଥିଲା ଯେ ଏହି ଭିଡିଓଟି ୟୁଟ୍ୟୁବ୍‌ ଓ ଟୁଇଟରରେ ଡିସେମ୍ବର ୧୨, ୨୦୧୮ରେ ଅପ୍‌ଲୋଡ୍‌ ହୋଇଥିଲା, ଯାହାର କି ୩୭୦ ଧାରା ଉଚ୍ଛେଦ ସହ କୌଣସି ସମ୍ପର୍କ ନ ଥିଲା। ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି ଲକ୍ଷ୍ୟରେ ଏହିପରି ଅସଂଖ୍ୟ ଭିଡିଓ ସେ ସମୟରେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା, ଯାହାର କି ଲେଶମାତ୍ର ସତ୍ୟତା ନାହିଁ। ସେହିପରି ଗତ ସାଧାରଣ ନିର୍ବାଚନ ପ୍ରଚାର ସମୟରେ ସୋସିଆଲ ମିଡିଆରେ ଏତେସଂଖ୍ୟକ ଫେକ୍‌ ଭିଡିଓ ଓ ନ୍ୟୁଜ୍‌ ସ୍ଥାନ ପାଇଥିଲା ଯେ କେଉଁଟା ସତ୍ୟ ଓ କେଉଁଟା ମିଥ୍ୟା ତାହା ଜାଣିବାକୁ ଉଚ୍ଚଶିକ୍ଷିତ ଲୋକ ମଧ୍ୟ ସକ୍ଷମ ହୋଇପାରି ନ ଥିଲେ। ଫେସ୍‌ବୁକରେ ଅପ୍‌ଲୋଡ୍‌ ହେଉଥିବା ମିଥ୍ୟା ଖବର, ସୂଚନା ଓ ଭିଡିଓକୁ ତନଖି କରିବା ପାଇଁ ଏହା ସହ ସମ୍ପୃକ୍ତ ଥିବା ଏକ ଓ୍ବେବ୍‌ସାଇଟ ‘ବୁମ୍‌’ର ମ୍ୟାନେଜିଂ ଡାଇରେକ୍ଟର ଜେନ୍‌ସି ଜାକବଙ୍କ ବକ୍ତବ୍ୟ ହେଉଛି, ଜନସାଧାରଣଙ୍କ ଭାବପ୍ରବଣତାକୁ ପରଖି ମିଥ୍ୟା ତଥ୍ୟ ଓ ଭିଡିଓ ସୋସିଆଲ ମିଡିଆରେ କ୍ରମାଗତ ଭାବେ ବୃଦ୍ଧି ପାଉଛି। ବର୍ତ୍ତମାନ ଭାରତରେ ୧୦ଟି ଭାଷାର ମିଥ୍ୟା ତଥ୍ୟ ସମ୍ବଳିତ ଲେଖା ଓ ଚିତ୍ରକୁ ହଟାଇବା ପାଇଁ ଆଠଟି ଟିମ୍‌ ଦିନରାତି କାର୍ଯ୍ୟ କରୁଛନ୍ତି। ତଥାପି ଏହା ଆୟତ୍ତ ବାହାରେ। ଅଭିଯୋଗ ଉଠେ ଯେ, ରାଜନୈତିକ ଦଳର ଆଇଟି ସେଲ୍‌ ପକ୍ଷରୁ ଅନେକ ସଂଖ୍ୟାରେ ଫେକ୍‌ ଆକାଉଣ୍ଟ ଖୋଲାଯାଉଛି। ଏଭଳି କ୍ଷେତ୍ରରେ ସୋସିଆଲ ମିଡିଆର ପ୍ରତ୍ୟେକ ଆକାଉଣ୍ଟକୁ ଆଧାର ସହ ସଂଯୋଗ କରାଯାଇପାରିଲେ ଅନେକ କିଛି ସୁଫଳ ମିଳିପାରନ୍ତା। ଏ ସଂକ୍ରାନ୍ତରେ ପ୍ରସ୍ତାବ ଆସୁଛି, ମାତ୍ର ଚାପି ଦିଆଯାଉଛି। କାରଣ ଏହା କାର୍ଯ୍ୟକାରୀ ହେଲେ ଆବଶ୍ୟକ ବେଳେ ଏଥିରୁ ଫାଇଦା ଉଠାଇବା ଆଉ ସମ୍ଭବ ହେବ ନାହିଁ। ନିଜ ପାଇଁ ତାଳି ଓ ବିରୋଧୀଙ୍କ ପାଇଁ ଗାଳି ହୋଇଯାଇଛି ପଞ୍ଚମ ସ୍ତମ୍ଭ ସୋସିଆଲ ମିଡିଆରେ କିଛି ଗୋଷ୍ଠୀଙ୍କର ମୁଖ୍ୟ ଉଦ୍ଦେଶ୍ୟ। ବ୍ୟକ୍ତିଗତ ଅଧିକାର, ଦେଶର ଏକତା, ଅଖଣ୍ଡତା ଓ ସାର୍ବଭୌମତ୍ୱର ସୁରକ୍ଷାକୁ ଦୃଷ୍ଟିରେ ରଖି ସୋସିଆଲ ମିଡିଆ ବ୍ୟବହୃତ ହୋଇପାରିଲେ ଗଣତନ୍ତ୍ର ପ୍ରତି ଏହା ଅଧିକ ଲାଭଦାୟକ ହୋଇପାରନ୍ତା।
ଇମେଲ-prakastripathy09@gmail.com


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?