ଆର୍ଥିକ ପ୍ୟାକେଜ୍‌ର ଉପହାସ

ବିଚିତ୍ର ବିଶ୍ୱାଳ

ଆମ ଓଡ଼ିଆରେ ଗୋଟେ କଥା ଅଛି, ‘ଉପରେ ପାଣି ଦେଇ ଭିତରେ ଚେର କାଟିବା’। ଏହାର ଅର୍ଥ ହେଉଛି, ଲୋକଙ୍କୁ ଲାଗୁଥିବ ପାଣି ଦେଇ ଗଛକୁ ବଞ୍ଚାଯାଉଛି, କିନ୍ତୁ ଅସଲରେ ଭିତରେ ଚେର କାଟି ଗଛକୁ ମାରିବାର ବ୍ୟବସ୍ଥା କରାଯାଉଥିବ। ଲକ୍‌ଡାଉନ୍‌ର ଶିକାର ଲୋକମାନଙ୍କ କ୍ଷେତ୍ରରେ ଆମ ସରକାର ଠିକ୍‌ ସେପରି କରିଛନ୍ତି।
କରୋନାଜନିତ ଦୀର୍ଘ ଦୁଇମାସରୁ ଊର୍ଦ୍ଧ୍ୱ କାଳ ଲକ୍‌ଡାଉନ୍‌ ଯୋଗୁ ଦେଶର କୋଟି କୋଟି ଜନସାଧାରଣଙ୍କ ଜୀବନ ଜୀବିକା ବିପନ୍ନ ହୋଇଯାଇଛି। ଲକ୍ଷାଧିକ ଲୋକ ରୋଜଗାର ହରେଇ ବେକାର ହୋଇଯାଇଛନ୍ତି। କୃଷକମାନେ ଅସହାୟ ହୋଇପଡ଼ିଛନ୍ତି। ଶ୍ରମିକମାନଙ୍କ ଅବସ୍ଥା ତ ନ କହିବା ଭଲ। ଏ ପରିସ୍ଥିତିରେ ଦେଶବାସୀଙ୍କୁ ଏହି ସଙ୍କଟରୁ ଉଦ୍ଧାର କରିବା ପାଇଁ ପ୍ରଧାନମନ୍ତ୍ରୀ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରିଛନ୍ତି ଓ ଦେଶବାସୀଙ୍କୁ ଆତ୍ମନିର୍ଭରଶୀଳ ହେବାକୁ ଆହ୍ବାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ଚିରାଚରିତ ଢଙ୍ଗରେ ଏହାକୁ ‘ଆତ୍ମନିର୍ଭରଶୀଳ ଭାରତ’ ଯୋଜନା ଭାବେ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣା ଓ ତା’ପରେ ତାଙ୍କ ସରକାରଙ୍କ କାମ ଦେଖି ଏହା ସଂପୂର୍ଣ୍ଣ ଭାବେ ଉପରେ ପାଣି ଦେଇ ଭିତରେ ଚେର କାଟିବା ଭଳି ଜଣାଯାଉଛି।
ପ୍ରଧାନମନ୍ତ୍ରୀଙ୍କ ୨୦ ଲକ୍ଷ କୋଟିର ପ୍ୟାକେଜ୍‌ ଘୋଷଣା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଏହାକୁ ଯେତେବେଳେ ପାଞ୍ଚ ଦିନ ଧରି ବ୍ୟାଖ୍ୟା କଲେ, ସେତେବେଳେ ବୁଝି ହୋଇଗଲା ଯେ, ଏହା ବୁଡ଼ି ଯାଉଥିବା ଦେଶର ଅର୍ଥନୀତି ଓ କୋଟି କୋଟି ଲୋକଙ୍କର ଉଜୁଡ଼ି ଯାଇଥିବା ଜୀବନ ଜୀବିକା ପ୍ରତି ସଞ୍ଜୀବନୀ ହେବା ପରିବର୍ତ୍ତେ ସେମାନଙ୍କ ପାଇଁ କେବଳ ମରୀଚିକା ହୋଇ ଆସୁଛି। ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ଆତ୍ମନିର୍ଭର ଭାରତ ପ୍ରତି ତାଙ୍କର ଯେ ଆଦୌ ଆନ୍ତରିକତା ନାହଁି, ଏହା ବେଶ୍‌ ସ୍ପଷ୍ଟ ଭାବେ ବୁଝି ହେଉଛି। ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭରଶୀଳ ଭାରତର ଘୋଷଣା ପରେ ପରେ ଅର୍ଥମନ୍ତ୍ରୀ ଘୋଷଣା କରିଦେଲେ ଦେଶର ଏକାଧିକ କ୍ଷେତ୍ରରେ ବିଦେଶୀ ପୁଞ୍ଜିନିବେଶ କରାଯିବ। ଏହି ବିଦେଶୀ ପୁଞ୍ଜିନିବେଶ ଶବ୍ଦକୁ ଟିକେ ଭଲ ଭାବେ ବୁଝିଲେ, ଏହାର ଅର୍ଥ ହେଉଛି, ଦେଶର ଏକାଧିକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ ବିଦେଶୀ କମ୍ପାନୀମାନଙ୍କୁ ବିକ୍ରି କରିଦିଆଯିବ। ଭାରତ ସରକାରଙ୍କ ଅଧିକାର ସେଥିରେ ଆଦୌ ରହିବ ନାହଁି କିମ୍ବା ମାତ୍ର କେତେ ପ୍ରତିଶତ ରହିବ। ଗୋଟିଏ କଥା ବୁଝି ହେଉନାହଁି, ‘ଆତ୍ମନିର୍ଭରଶୀଳ’ ଓ ‘ଘରୋଇକରଣ’, ଦୁଇଟା ଯାକ ଏକାଠି କିପରି ସମ୍ଭବ? ଗୋଟିଏ ପଟେ ସରକାର ଲୋକମାନଙ୍କୁ କହୁଛନ୍ତି, ଆତ୍ମନିର୍ଭରଶୀଳ ହୁଅ, କିନ୍ତୁ ଅନ୍ୟପଟେ ନିଜେ ଆତ୍ମନିର୍ଭରଶୀଳ ନ ହୋଇ ସରକାରୀ କ୍ଷେତ୍ରଗୁଡ଼ିକୁ ବିଦେଶୀ କମ୍ପାନୀମାନଙ୍କ ହାତକୁ ଟେକି ଦେଉଛନ୍ତି। ତା’ହେଲେ ସରକାରଙ୍କ ପ୍ରକୃତ ଉଦ୍ଦେଶ୍ୟ କ’ଣ?
ଅର୍ଥମନ୍ତ୍ରୀ ସୀତାରାମନଙ୍କ ଘୋଷଣା ଅନୁଯାୟୀ ସରକାର ଖଣି, ବିମାନ ଚଳାଚଳ, ପ୍ରତିରକ୍ଷା, ରେଳ ଓ ଆହୁରି ଅନେକ କ୍ଷେତ୍ରକୁ ଘରୋଇ କମ୍ପାନୀମାନଙ୍କ ହାତକୁ ଟେକି ଦେବାକୁ ଯାଉଛନ୍ତି। ଏପର୍ଯ୍ୟନ୍ତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ହାତରେ ଥିବା କୋଇଲା କ୍ଷେତ୍ରରେ ଘରୋଇ ପୁଞ୍ଜିନିବେଶକୁ ଅନୁମତି ଦିଆଯାଇଛି। ମହାକାଶ ଯାତ୍ରା ଓ ଗବେଷଣା କ୍ଷେତ୍ରରେ ଘରୋଇ ସଂସ୍ଥାଗୁଡ଼ିକୁ ସାମିଲ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଆଜି ପର୍ଯ୍ୟନ୍ତ ଆମ ଦେଶରେ ଏହି କାର୍ଯ୍ୟ ଇସ୍ରୋ ହଁି କରୁଥିଲା। ପ୍ରତିରକ୍ଷା ପରି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ବିଦେଶୀ ପୁଞ୍ଜିନିବେଶକୁ ୭୪ ପ୍ରତିଶତକୁ ବୃଦ୍ଧି କରାଯାଇଛି। ପୂର୍ବରୁ ଏହା ୪୯ ପ୍ରତିଶତ ଥିଲା। ଏବେ ବିଦେଶୀମାନେ ଆମ ଦେଶର ପ୍ରତିରକ୍ଷା କ୍ଷେତ୍ରରେ ମାଲିକାନା ଜାହିର କରିପାରିବେ। ଏଥିରୁ ବୁଝାପଡ଼ୁଛି, ସରକାରଙ୍କ ନିଜର ଆତ୍ମନିର୍ଭରଶୀଳତା ଉପରେ ଭରସା ନାହଁି। ଯଦି ଥାଆନ୍ତା ତେବେ ଗୁରୁତ୍ୱପୂର୍ଣ୍ଣ ରାଷ୍ଟ୍ରାୟତ୍ତ କ୍ଷେତ୍ରଗୁଡ଼ିକୁ ବିଦେଶୀଙ୍କ ହାତକୁ ଟେକି ଦେବା ପାଇଁ ଆଗଭର ହୁଅନ୍ତେ କାହଁିକି? ଯଦି ସରକାରଙ୍କର ନିଜ ଉପରେ ଆତ୍ମନିର୍ଭରଶୀଳ ହେବାକୁ ଭରସା ପାଉନାହଁି, ତେବେ ସେ ଲୋକମାନଙ୍କୁ ଆହ୍ବାନ ଦେଉଛନ୍ତି କିପରି? ନା ଏହା କେବଳ ଫମ୍ପା ଘୋଷଣା! ଏତଦ୍‌ବ୍ୟତୀତ ପୂର୍ବରୁ ସରକାର ଖୁଚୁରା କ୍ଷେତ୍ରକୁ ବି ବିଦେଶୀ କମ୍ପାନୀଙ୍କ ପାଇଁ ଖୋଲି ସାରିଛନ୍ତି। ଦେଶବାସୀଙ୍କ ତରଫରୁ ଅନେକ ବିରୋଧ ସତ୍ତ୍ୱେ ବି ସରକାର ନିଜ ଜିଦ୍‌ରେ ଅଟଳ ରହି ଖୁଚୁରା କ୍ଷେତ୍ରକୁ, ଯେଉଁଥିରେ କୋଟି କୋଟି ଲୋକଙ୍କ ଜୀବନ ଜୀବିକା ନିର୍ଭର କରେ, ସେଥିରେ ବିଦେଶୀ ପୁଞ୍ଜିନିବେଶକୁ ଅନୁମତି ଦେଇଛନ୍ତି। ତା’ହେଲେ ଲୋକମାନେ ଆତ୍ମନିର୍ଭରଶୀଳ ହେବେ କିପରି? କେବଳ ଘରୋଇ କମ୍ପାନୀଙ୍କ ପାଇଁ ରାସ୍ତା ଖୋଲି ଦିଆଯାଉନି, ସେମାନଙ୍କୁ ଅନେକ ସବ୍‌ସିଡି ଓ ଛାଡ଼୍‌ ବି ଦିଆଯାଉଛି। ଗୋଟିଏ ପଟେ ସରକାରଙ୍କ ପାଖରୁ ୧୫ ହଜାର ଟଙ୍କା ଋଣ ନେଇ (ସରକାରଙ୍କ ପ୍ୟାକେଜ୍‌ ଅନୁଯାୟୀ) ଯେକୌଣସି ଗୋଟେ ଛୋଟ ସଂସ୍ଥା ଆରମ୍ଭ କରିଥିବା ଗୋଟେ ଲୋକ, କୋଟି କୋଟି ଟଙ୍କା ସବ୍‌ସିଡି ଓ ଏକାଧିକ ସୁବିଧା ପାଉଥିବା ଏହି ଧନକୁବେର କମ୍ପାନୀମାନଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତାରେ ତିଷ୍ଠିପାରିବ କି? ଏହା କଦାପି ସମ୍ଭବ ନୁହେଁ। କାରଣ ବାଘ ସହିତ ଛେଳି କେବେ ବି ପ୍ରତିଦ୍ୱନ୍ଦ୍ୱିତା କରିପାରିବ ନାହଁି। ବଡ଼ ପୁଞ୍ଜିର ଚରିତ୍ର ହେଉଛି ସେ ଛୋଟ ପୁଞ୍ଜିକୁ ଗିଳିଦେବ। ୧୫ ହଜାର ଟଙ୍କାର ଋଣ ନେଇ ସଂସ୍ଥା ଆରମ୍ଭ କରିଥିବା ଲୋକଟି ଆତ୍ମନିର୍ଭରଶୀଳ ହେବା ପରିବର୍ତ୍ତେ ଆତ୍ମପ୍ରବଞ୍ଚନାର ଶିକାର ହେବ। ତେଣୁ ସରକାର କେବଳ ଆତ୍ମନିର୍ଭରଶୀଳ କଥା କହିଲେ ହେବ ନାହଁି, ସେଥିପାଇଁ ପରିବେଶକୁ ବି ଅନୁକୂଳ କରିବା ପାଇଁ ହେବ। ଆତ୍ମନିର୍ଭରଶୀଳତା କଥା କହୁଥିବା ସରକାର ହ୍ୟାଣ୍ଡଲୁମ୍‌ ଓ ହାଣ୍ଡିକ୍ରାଫ୍ଟକୁ ବି ଜିଏସ୍‌ଟିରୁ ମୁକ୍ତ ରଖିନାହାନ୍ତି। କରୋନାର ଏହି ବିପଦ ସମୟରେ ଲୋକମାନଙ୍କୁ ଆତ୍ମନିର୍ଭରଶୀଳ କରେଇବା ପାଇଁ ହେଲେ, ସେମାନଙ୍କୁ ଅସଲ ଅର୍ଥରେ ସହଯୋଗ କରିବା ପାଇଁ ହେବ। ସେମାନଙ୍କୁ ମାତ୍ର କେଇ ହଜାର ଟଙ୍କା ଋଣ ଦେଇ ତାଙ୍କୁ ଅମ୍ବାନୀ କି ଆଦାନୀ କିମ୍ବା କେଉଁ ବିଦେଶୀ କମ୍ପାନୀଙ୍କ ଆହାର ହେବା ପାଇଁ ଛାଡ଼ି ଦେବା ଆଦୌ ନ୍ୟାୟସଙ୍ଗତ ଓ ଯୁକ୍ତିଯୁକ୍ତ ନୁହେଁ।
ଲକ୍‌ଡାଉନ୍‌ ଥାଉ ଥାଉ ସରକାର ପ୍ରଥମେ ପ୍ୟାକେଜ୍‌ ଘୋଷଣା କରି ଓ ତା’ପରେ ତୁରନ୍ତ ଯେପରି ରାଷ୍ଟ୍ରାୟତ୍ତ କ୍ଷେତ୍ରଗୁଡ଼ିକୁ ଘରୋଇ କ୍ଷେତ୍ର ହାତକୁ ଟେକି ଦେଲେ, ଯେମିତି ବୁଝାପଡ଼ୁଛି, ସରକାର ଏମିତି ଏକ ସୁଯୋଗ ଅପେକ୍ଷାରେ ଥିଲେ, ନିଜ ଅର୍ଥଦାତା କମ୍ପାନୀମାନଙ୍କ ନିର୍ବାଚନ ସମୟରେ ଦେଇଥିବା ଋଣ ଶୁଝିବା ପାଇଁ।
ପ୍ରଧାନମନ୍ତ୍ରୀ ପ୍ରଥମ ଦିନ ଘୋଷଣା କରିଥିବା ୨୦ ଲକ୍ଷ କୋଟି ଟଙ୍କାର ପରିମାଣ ଶୁଣି ଲୋକ ଯେତିକି ଖୁସି ହୋଇଥିଲେ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ତା’ର ବ୍ୟାବହାରିକ ବ୍ୟାଖ୍ୟା କରିବା ବେଳେ ଲୋକମାନଙ୍କର ଖୁସି ପାଣିରେ ମିଳେଇ ଗଲା। ୨୦ ଲକ୍ଷ କୋଟିର ସିଂହ ଭାଗ କେବଳ ଋଣ, ଋଣ ଓ ଋଣ ପାଇଁ ହଁି ଉଦ୍ଦିଷ୍ଟ। ଲୋକମାନେ ଜୀବନ ଜୀବିକା ହରେଇ ଅତ୍ୟନ୍ତ ସଂକଟଜନକ ପରିସ୍ଥିତିରେ ଥିବା ବେଳେ, ସରକାର ସେମାନଙ୍କ ପାଇଁ କେବଳ ଋଣର ହଁି ବ୍ୟବସ୍ଥା କରିଛନ୍ତି। ଯେତେବେଳେ ଲୋକମାନଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି, ଘରେ ଖାଦ୍ୟର ସଙ୍କଟ ଠିଆ ହୋଇଛି, ଜମିରେ ଫସଲ ପଚିଗଲାଣି, ଦୁଇ ମାସରୁ ଊର୍ଦ୍ଧ୍ୱ ହେବ ଛୋଟ ବେପାରୀମାନଙ୍କର ବେପାର ବନ୍ଦ, ସେତେବେଳେ ସେମାନେ ଋଣ ନେଇ (ଅଳ୍ପ ସୁଧରେ ବି ହେଉ) ନିଜକୁ ଠିଆ କରିବା ପାଇଁ ସାହସ ଜୁଟେଇ ପାରିବେ କି? ସେମାନେ ତ ଆଉ ଅମ୍ବାନୀ, ଆଦାନୀଙ୍କ ପରି ପୁଞ୍ଜିପତି ନୁହନ୍ତି ବା ନୀରବ ମୋଦି ବା ବିଜୟ ମାଲ୍ୟା ପରି ଋଣ ଟଙ୍କା ଫାଙ୍କି ଦେଇ ବିଦେଶକୁ ଉଡ଼ିଯାଇ ପାରିବେ ନାହଁି! ତେଣୁ ଏଭଳି ପରିସ୍ଥିତିରେ ଆଶା କରାଯାଉଥିଲା, ସରକାର ଲୋକଙ୍କ ସଙ୍କଟକୁ ବୁଝି, ତାଙ୍କୁ ସୁହାଇଲା ପରି ଏକ ଅର୍ଥନୈତିକ ପ୍ୟାକେଜ୍‌ ଆଣିବେ। କିନ୍ତୁ ସରକାର ଯେଉଁ ପ୍ୟାକେଜ୍‌ ଆଣିଛନ୍ତି, ସେଥିରେ ଅନେକ ଲୋକଙ୍କର ଭୂମିକା ହଁି ରହିବ ନାହଁି। କାରଣ ଏପରି ଅନିଶ୍ଚିତ ପରିସ୍ଥିତିରେ ଅନେକ ଲୋକ ଋଣ ନେବାକୁ ଆଗଭର ହେବେ ନାହଁି। ଯଦି ବି ନେବେ, ସେଥିରେ ସେମାନେ ନିଜ ସଂସ୍ଥା ଠିଆ କରିପାରିବେ ନାହଁି। ଏପରି ସଂକଟଜନକ ପରିସ୍ଥିତିରୁ ଲୋକମାନଙ୍କୁ ମୁକାଳିବା ପାଇଁ ପ୍ରଥମେ ସେମାନଙ୍କୁ ସିଧା ଆର୍ଥିକ ସାହାଯ୍ୟ ଦରକାର ଥିଲା। ଚାଷୀ, ଶ୍ରମିକ, ଛୋଟ ବେପାରୀ ଯେଉଁମାନେ ଲକ୍‌ଡାଉନ୍‌ ଯୋଗୁ ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି, ସେମାନଙ୍କୁ ସରକାର ଯଦି ସିଧା ଅନ୍ତତଃପକ୍ଷେ ଅତି କମ୍‌ରେ ୧୦ ହଜାର ଟଙ୍କାର ଆର୍ଥିକ ସାହାଯ୍ୟ ଦେଇଥାନ୍ତେ, ସେମାନେ ଅଧିକ ଉପକୃତ ହୋଇଥାନ୍ତେ ଓ ଅଣ୍ଟା ସଳଖି ଠିଆ ହେବାକୁ ବଳ ପାଇଥାନ୍ତେ। ତା’ପରେ ଋଣର ବ୍ୟବସ୍ଥା କରାଯାଇପାରିଥାନ୍ତା। ତା’ହେଲେ ଲୋକମାନେ ନିଜ ଭଗ୍ନ ମନୋବଳକୁ ଠିଆ କରି ନୂଆ କରି ରୋଜଗାରର ବ୍ୟବସ୍ଥା କରିଥାନ୍ତେ। ଯାହା ସେମାନଙ୍କ ଅବସ୍ଥାକୁ ସଜାଡ଼ିବା ସହିତ ଦେଶର ଅର୍ଥନୀତିକୁ ନୂଆ ଜୀବନ ଦେଇଥାନ୍ତା। କିନ୍ତୁ ସରକାରଙ୍କ ପ୍ୟାକେଜ୍‌ ଲୋକମାନଙ୍କ ପାଇଁ କେବଳ ଶୁଷ୍କ ସଂଖ୍ୟାରେ ହଁି ସୀମିତ ହୋଇଯାଇଛି।
ଲକ୍‌ଡାଉନ୍‌ ଲୋକମାନଙ୍କୁ ଯେତିକି ହଇରାଣ କରିଛି, ସରକାରଙ୍କ ପ୍ୟାକେଜ୍‌ ବି ସେମାନଙ୍କୁ ସେତିକି ଉପହାସ କରିଛି। କାରଣ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କ ପାଇଁ ସେଥିରେ ଠୋସ୍‌ କିଛି ନାହଁି। ଉପରେ ପୁଣି ସରକାର ରାଷ୍ଟ୍ରାୟତ୍ତ କ୍ଷେତ୍ର ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକୁ ଘରୋଇ ଓ ବିଦେଶୀ କମ୍ପାନୀଙ୍କ ପାଇଁ ଖୋଲି ଦେଇଛନ୍ତି। ଏହାଦ୍ୱାରା ଲକ୍‌ଡାଉନ୍‌ ମାଡ଼ ଖାଇଥିବା ଲୋକମାନଙ୍କର ଲକ୍‌ ତଥା ଭାଗ୍ୟ କେବେ ବି ସୁଧୁରିବ ନାହଁି।
ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?