ହାତୀ ପାଇଁ କୁମ୍ଭୀରକାନ୍ଦଣା

ଜୁନ୍‌ ୩ରେ କେରଳରେ ଗର୍ଭିଣୀ ହାତୀ ବାଣଭର୍ତ୍ତି ସପୁରି ଖାଇ ମରିଯିବା ପରେ ସମଗ୍ର ଦେଶରେ ଭୀଷଣ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏଭଳି ଅମାନୁଷିକ କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କୁ କଠୋର ଦଣ୍ଡ ଦିଆଯିବା ନେଇ ଦାବି ଜୋର ଧରିଥିଲା। ସୋସିଆଲ ମିଡିଆରେ ଯେଭଳି ଭାବେ ଏହି ଖବର ଟ୍ରେଣ୍ଡିଂ କରିଥିଲା, ତାହା ଆଗରୁ କଦାପି ଦେଖିବାକୁ ମିଳି ନ ଥିଲା। ବିଶ୍ୱାସ କରାଯାଉଥିଲା ଯେ ଭୂପୃଷ୍ଠ ଉପରେ ବିଚରଣ କରୁଥିବା ଏହି ବୃହତ୍‌କାୟ ପ୍ରାଣୀ ପ୍ରତି ଅତ୍ୟାଚାର କମିବ। କିନ୍ତୁ ତାହା ଘଟୁନାହିଁ। ଛତିଶଗଡ଼ର ବଳରାମପୁର ଓ ସୁରଜପୁର ଜିଲାରେ ଥିବା ଜଙ୍ଗଲରେ ଜୁନ୍‌ ୯, ଜୁନ୍‌ ୧୦ ଓ ୧୧ ତାରିଖରେ କ୍ରମାଗତ ଭାବେ ୩ଟି ମାଈ ହାତୀଙ୍କ ମୃତଦେହ ମିଳିଥିଲା। ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିଲେ ବିଷ ଦିଆଯାଇ ମାରି ଦିଆଯାଇଥିବାର କେତେକ ପ୍ରମାଣ ମିଳିଛି। ଓଡ଼ିଶା କଥା ଦେଖିଲେ, ୧୪ ଜୁନ୍‌ରେ କେନ୍ଦୁଝର ଜିଲା ବୈତରଣୀ ସଂରକ୍ଷିତ ଜଙ୍ଗଲର ଚମ୍ପୁଆ ରେଞ୍ଜ ଯୋଡ଼ା ସେକ୍ସନ ଅଧୀନ ଗୁରୁବେଢ଼ା ଜଙ୍ଗଲରେ ଗୋଟିଏ ହାତୀର ଦାନ୍ତ ଓ ଅନ୍ୟଟିର ଶୁଣ୍ଢ କାଟି ନିଆଯିବା ପରେ ସେମାନଙ୍କ ମୃତ୍ୟୁ ଘଟିଛି। ସାଧାରଣ ଲୋକ ଯେତେବେଳେ ବନ୍ଧୁବାନ୍ଧବଙ୍କ ମୃତ୍ୟୁ ଘଟେ ଶ୍ମଶାନରେ ଶବଦାହ କରୁଥାନ୍ତି ସେତେବେଳେ ସମଗ୍ର ଜୀବନକୁ ଶ୍ମଶାନ ବୈରାଗ୍ୟ ଦୃଷ୍ଟିରେ ଦେଖନ୍ତି। ସେଭଳି ହାତୀ ମୃତ୍ୟୁ ସମ୍ପର୍କିତ ଗଣମାଧ୍ୟମରେ ଖବର ପ୍ରକାଶ ପାଇଲେ ଭାରତର ବ୍ୟବସ୍ଥାପକମାନେ କ୍ଷଣକ ପାଇଁ ସେହିଭଳି ମାନସିକତା ପୋଷଣ କରନ୍ତି। ତତ୍‌କ୍ଷଣାତ୍‌ ପାସୋରି ମଧ୍ୟ ଯାଆନ୍ତି।
ହାତୀ ଓ ମଣିଷ ସଂଘର୍ଷର ଉଦାହରଣ ଖୋଜିଲେ ବହୁତ ମିଳିବ। ଗତ ୧୫ ଦିନର ପରିସଂଖ୍ୟାନ ଦେଖିଲେ କେବଳ କେରଳ, ଛତିଶଗଡ଼ ଏବଂ ଓଡ଼ିଶାରେ ୬ ହାତୀଙ୍କ ପ୍ରାଣ ଗଲାଣି। ପ୍ରତିଟି ହାତୀ ମୃତ୍ୟୁ ପଛରେ ମଣିଷର ପ୍ରଚ୍ଛନ୍ନ ହାତ ଥିବା ଜଣାପଡ଼ିଛି। ବନ୍ୟପ୍ରାଣୀଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ମାରିଦିଆଯିବା ଘଟଣାରୁ ଏହା ସ୍ପଷ୍ଟ ହେଉଛି ଯେ, ଶିକାରୀ ଏବଂ ଏହିଭଳି ବ୍ୟବସାୟରେ ଲିପ୍ତ ଥିବା ବ୍ୟକ୍ତିମାନେ ପ୍ରଚଳିତ ଆଇନକୁ ଖାତିର କରୁନାହାନ୍ତି। ପୁଣି ଦେଖାଯାଉଛି, ବନ ବିଭାଗ ଅଧିକାରୀ ଓ କର୍ମଚାରୀମାନେ କୌଣସି ଅସ୍ବାଭାବିକ ପରିସ୍ଥିତି ଉପୁଜିଲେ ଶିକାରୀଙ୍କ ସହ ସାଲିସ କରି ଫାଇଦା ଉଠାଇଥାଆନ୍ତି। ସେଥିପାଇଁ ଗିରଫ ହେଉଥିବା ଶିକାରୀ ଖୁବ୍‌ ଶୀଘ୍ର ମୁକ୍ତ ହୋଇଯାଉଛନ୍ତି। ଛତିଶଗଡ଼ରେ ଲାଗ୍‌ଲାଗ୍‌ ୩ ଦିନରେ ୩ ମାଈ ହାତୀଙ୍କ ମୃତ୍ୟୁକୁ ସେଠାକାର ବନ୍ୟପ୍ରାଣୀପ୍ରେମୀ କଦାପି ସ୍ବାଭାବିକ ମୃତ୍ୟୁ ନୁହେଁ ବୋଲି ଅଭିଯୋଗ କରିବା ସହିତ ଏହାର ତଦନ୍ତ ପାଇଁ ରାଜ୍ୟ ସରକାର ଧାର୍ଯ୍ୟ କରିଥିବା ଏକ ମାସ ସମୟସୀମାକୁ ସମାଲୋଚନା କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ୩ ମାଈ ହାତୀଙ୍କ ମୃତ୍ୟୁ ପରେ ଛତିଶଗଡ଼ ସରକାର ମାସେ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବାକୁ ଜଙ୍ଗଲ ବିଭାଗ ଦ୍ୱାରା ଗଠିତ ୪ ଜଣିଆ ପ୍ୟାନେଲକୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ବନ୍ୟପ୍ରାଣୀ କର୍ମକର୍ତ୍ତାମାନେ ଏକ ମାସ ସମୟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ, ଏଭଳି ଗମ୍ଭୀର ବିଷୟରେ ତଦନ୍ତ ସମୟସୀମାକୁ କମାଇ ଦିଆଯାଇ ତୁରନ୍ତ ରିପୋର୍ଟ ପ୍ରକାଶ କରାଯିବା ଦରକାର।
ଏଥିସହିତ ମନେରଖିବାକୁ ହେବ ଯେ ଶିକାରୀଙ୍କ ବ୍ୟତୀତ ସ୍ଥାନୀୟ ଗ୍ରାମବାସୀ ଓ ଚାଷୀ ମଧ୍ୟ ବନ୍ୟଜନ୍ତୁଙ୍କ ଶତ୍ରୁ ପାଲଟି ଯାଉଛନ୍ତି। ହାତୀଙ୍କ ଚଲାପଥରେ ଚାଷକାର୍ଯ୍ୟ କରାଯାଉଥିବାରୁ ତାହାର କ୍ଷତି ଘଟିଲେ ପଶୁଙ୍କ ପ୍ରତି ଉତ୍‌କ୍ଷିପ୍ତ ହୋଇ ବାଣ, ବୋମା ଏବଂ ଇଲେକ୍‌ଟ୍ରିକ୍‌ ତାରବାଡ଼ ଭଳି ଅନେକ ଉପାୟରେ ସେମାନଙ୍କୁ ମାରି ଦିଆଯାଉଛି। କେରଳର ଗର୍ଭିଣୀ ହାତୀ ହତ୍ୟା ମଧ୍ୟ ଏହିଭଳି କାରଣରୁ ଘଟିଥିଲା। କୁହାଯାଉଛି ଯେ ସପୁରି ଭିତରେ ରଖାଯାଇଥିବା ବାଣ ବାର୍‌ହାଙ୍କ ପ୍ରତି ଉଦ୍ଦିଷ୍ଟ ଥିଲା।
ଓଡ଼ିଶା କଥା ଦେଖିଲେ ଯେତେଗୁଡ଼ିଏ ହାତୀ ମୃତ୍ୟୁ ଘଟୁଛି ତାହାର ନିୟମିତ ତଦନ୍ତ କରାଯାଉଛି କି ନାହିଁ, ଯଦି କରାଯାଉଛି ତାହାର କୌଣସି ରିପୋର୍ଟ କେବେ ବାହାରୁଥିବା ଭଳି ଦୃଷ୍ଟିଗୋଚର ହେଉନାହଁ। ସେହିଭଳି ଏଠାରେ କ୍ରମାଗତ ଭାବେ ବାଘ ଛାଲ ଜବତ ହେଉଥିବା ଦେଖିବାକୁ ମିଳୁଛି। ଜୁନ୍‌ ୬ ତାରିଖରେ ନୟାଗଡ଼ ବନଖଣ୍ଡ ଦଶପଲ୍ଲା ରେଞ୍ଜ୍‌ର ଗିରିପୂଜା ଜଙ୍ଗଲରୁ ଦୁଇଟି କଲରାପତରିଆ ବାଘ ଓ ଦୁଇଟି ଚିତା ହରିଣ ଛାଲ ଜବତ ହୋଇଥିଲା। ପୁନର୍ବାର ଜୁନ୍‌ ୧୩ରେ ଖୋର୍ଦ୍ଧା ବନଖଣ୍ଡ ଜାମୁଗଣ୍ଡରୁ ୨ ବାଘ ଛାଲ ଓ ହାଡ଼ ଜବତ କରାଯାଇଥିଲା। ଏହି ପଶୁ-ମଣିଷ ଲଢ଼େଇ ବ୍ୟବସାୟ ପାଇଁ ହେଉ ବା ଚାଷ ସକାଶେ ଏବେ ତୀବ୍ରତର ହେବାରେ ଲାଗିଛି। ହାତୀ ସୁରକ୍ଷା ଦିଗରେ ‘ଧରିତ୍ରୀ’ ପକ୍ଷରୁ ୨୦୧୪ ମସିହାରେ ଜନସଚେତନତା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଥିଲା। ସେହି ସମୟରେ ଦେଖାଦେଇଥିଲା ଯେ ସାମାଜିକ ଓ ସରକାରୀ ଦିଗରୁ ଏହି ସମସ୍ୟା ପ୍ରତି ଖୋଲା ମନରେ ଆଗ୍ରହ ପ୍ରକାଶ ପାଉନାହିଁ। ବିଶେଷକରି ହାତୀ ବଞ୍ଚାଇବା ଦିଗରେ ଯେଉଁ ଦୀର୍ଘମିଆଦୀ ପଦକ୍ଷେପ ନିଆଯିବା ଆବଶ୍ୟକ ଯଥା- ପଶୁ ଚାଲିବା ପାଇଁ କରିଡର, ତା’ର ଉଭୟ ପାର୍ଶ୍ୱରେ ସେମାନଙ୍କ ଖାଦ୍ୟ ଉପଯୋଗୀ ଗଛ ରୋପଣ, ଜନବସତିଠାରୁ ଦୂରତା, ବିଭିନ୍ନ କରିଡରକୁ ଯୋଡ଼ିବା ଏବଂ ହାତୀ ଓ ଅନ୍ୟ ବନ୍ୟଜନ୍ତୁଙ୍କ ବାସସ୍ଥଳୀ ପାଖରେ ଶିଳ୍ପ ସ୍ଥାପନ କରା ନ ଯିବା ଭଳି କେତୋଟି ଅତ୍ୟାବଶ୍ୟକ ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି। ଏହାସବୁ ପ୍ରଥମେ କରାଗଲେ, ପରବର୍ତ୍ତୀ ସମୟରେ ପଶୁଙ୍କ ସୁରକ୍ଷା ପାଇଁ ବହୁବିଧ ପଦକ୍ଷେପ ନିଆଯାଇପାରନ୍ତା। କିନ୍ତୁ ମୌଳିକ କାର୍ଯ୍ୟ କରାଯାଉ ନ ଥିବାରୁ ଖୋଦ୍‌ ରାଜଧାନୀ ଭୁବନେଶ୍ୱର ନିକଟରେ ଥିବା ଭରତପୁର, ଡମପଡ଼ା ଜଙ୍ଗଲ ମଧ୍ୟରେ ଶିଳ୍ପାୟନ କରାଯିବା ସହିତ ଜନବସତି ପାଇଁ ଅନୁମତି ଦିଆଯାଉଛି। କେବଳ ସେତିକି ନୁହେଁ, କରିଡରକୁ ବିଚ୍ଛେଦ କରିବା ଭଳି ଜାତୀୟ ରାଜପଥ ମଧ୍ୟ ନିର୍ମାଣ କରାଯାଉଛି। ସେଥିରେ ଯୁକ୍ତି ବଢ଼ାଯାଉଛି ଯେ, ଭିତ୍ତିଭୂମି ସୃଷ୍ଟି କରି ମଣିଷର ଉନ୍ନତି ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ବନ୍ୟପ୍ରାଣୀଙ୍କ ସୁରକ୍ଷା ଗୁରୁତ୍ୱ ଧାରଣ କରୁନାହିଁ। ଏଭଳି ଯୁକ୍ତି କରୁଥିବା ମାନସିକତା ବୁଝିବା ପାଇଁ ଅକ୍ଷମ ଯେ ପୃଥିବୀର ଭାରସାମ୍ୟ ବଜାୟ ରହିଲେ ମଣିଷ ଜାତି ବଞ୍ଚିରହିବା ସହିତ ଉନ୍ନତି କରିପାରିବ। ସବୁଆଡ଼େ ୬ ଲେନ୍‌ ବିଶିଷ୍ଟ ଜାତୀୟ ରାଜପଥ ଏବଂ ଶିଳ୍ପ ସ୍ଥାପନ ଶେଷରେ ମଣିଷକୁ ବିନାଶ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri