ପୁରାଣରେ ବିଜ୍ଞାନ: ବିଶ୍ୱାସରୁ ଅନ୍ଧବିଶ୍ୱାସ

ପ୍ର. ରମେଶ ଚନ୍ଦ୍ର ପରିଡ଼ା

ନିକଟରେ ଲୋକ ସଭାର ଦୁଇଜଣ ମହିଳା ସଦସ୍ୟ ସୁପ୍ରିୟା ସୁଲେ (ମହାରାଷ୍ଟ୍ର) ଏବଂ ଥାମିଝାଚି ଥାଗାପାଣ୍ଡିଆନ୍‌ (ତାମିଲନାଡୁ) ଦେଶର ଏକ ପ୍ରମୁଖ ଖବରକାଗଜକୁ ଦେଇଥିବା ସାକ୍ଷାତ୍‌କାରରେ କେନ୍ଦ୍ର ମନ୍ତ୍ରୀମାନଙ୍କୁ ମିଥ୍ୟା-ବିଜ୍ଞାନର ପ୍ରଚାର ଓ ପ୍ରସାର କରିବାରୁ ନିବୃତ୍ତ ରଖିବାକୁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ଏହା ମନେପକାଇ ଦିଏ କିଛି ବର୍ଷ ତଳେ ଜଣେ ନେତା ତାଙ୍କ ଅଭିଭାଷଣରେ ଭାରତୀୟମାନେ ପ୍ରଥମେ ଉଡ଼ାଜାହାଜ ତିଆରି କରିଥିବାର ଏବଂ ତାହା ହେଉଛି ପୁରାଣ ବର୍ଣ୍ଣିତ ପୁଷ୍ପକ ବିମାନ ବୋଲି ସୂଚିତ କରିଥିବା କଥା। ତେବେ ସେ କହି ନ ଥିଲେ ଏହା କେଉଁ ପ୍ରଯୁକ୍ତିବିଦ୍ୟା ବିଷାରଦ କେଉଁଠି ତିଆରି କରିଥିଲେ। ଏଥିରେ କେଉଁ ଇନ୍ଧନ ବ୍ୟବହୃତ ହେଉଥିଲା ଏବଂ ତହିଁରୁ କେବଳ ଗୋଟିଏ ତିଆରି କଲା ପରେ ଏହାର କାରଖାନା ବନ୍ଦ କରି ଦିଆଗଲା କାହିଁକି ଇତ୍ୟାଦି। ଏବେ ଜଣେ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ରାଜନେତା ତଥା ନିଜକୁ ବୈଦିକ ବିଜ୍ଞାନରେ ବିଜ୍ଞ ଏବଂ ପରମ୍ପରାପ୍ରେମୀ ବୋଲି ପ୍ରମାଣିତ କରିବାକୁ ବ୍ୟାକୁଳ ବ୍ୟକ୍ତିବିଶେଷ ଏପ୍ରକାର ଅବାନ୍ତର କଥାମାନ କହି ଆସୁଥିଲାବେଳେ ଆମ ଗଣମାଧ୍ୟମ ତାହାକୁ ଯଥାଶୀଘ୍ର ପହଞ୍ଚାଇ ଦେଉଛି ସରଳ ବିଶ୍ୱାସୀ ଜନସାଧାରଣଙ୍କ ନିକଟରେ। ପରିଣାମରେ ଆମେ ବିଶ୍ୱାସ କରି ଆସିଥିବା ଏହି ପୌରାଣିକ ଉପାଖ୍ୟାନଗୁଡ଼ିକୁ ବିଜ୍ଞାନର କଷଟି ପଥରରେ ପରୀକ୍ଷା କରିବାର ଆବଶ୍ୟକ ପଡୁଛି। ଅତଏବ ଅନେକ ସ୍ଥଳେ ତାହା ଉଭା ହେଉଛି ଅନ୍ଧବିଶ୍ୱାସର ରୂପ ନେଇ।
ପୁଷ୍ପକ ବିମାନ ସମ୍ପର୍କୀୟ କାହାଣୀକୁ ବାଦ୍‌ ଦେଲେ ଆଉ ଯେଉଁ ଦୁଇଟି ଘଟଣାକୁ ନେଇ ସେମାନେ ଆମ ପୁରାଣ ଯୁଗର ବୈଜ୍ଞାନିକମାନେ ଆଧୁନିକ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାରେ ଧୂରୀଣ ଥିଲେ ବୋଲି ଦୃଷ୍ଟାନ୍ତ ରୂପେ ଉପସ୍ଥାପିତ କରନ୍ତି ତାହା ହେଲା ମହାଭାରତର କୁନ୍ତୀ ଏବଂ ଗାନ୍ଧାରୀଙ୍କର ମାତୃତ୍ୱ ଲାଭ ପ୍ରକ୍ରିୟାକୁ ନେଇ। ସେମାନଙ୍କ ମତରେ କୁନ୍ତୀ ଏଥିପାଇଁ ‘ଇନ୍‌ଭିଟ୍ରୋ ଫର୍ଟିଲାଇଜେସନ’ ବା ଗର୍ଭାଶୟ ବାହାରେ କୃତ୍ରିମ ଉପାୟରେ ସମାୟନର ଆଶ୍ରୟ ନେଇଥିଲାବେଳେ ଗାନ୍ଧାରୀ ଏଥିପାଇଁ କ୍ଲୋନିଂ ପଦ୍ଧତିକୁ ଆପଣାଇଥିଲେ। ଏହି ସମ୍ଭାବନାଗୁଡ଼ିକର ଅସାରତା ପ୍ରମାଣିତ କରିବାକୁ ହେଲେ ପ୍ରଥମେ ଏହା ମୂଳରେ ଥିବା ବୈଜ୍ଞାନିକ ତତ୍ତ୍ୱ ଏବଂ ଏହାକୁ କାର୍ଯ୍ୟକାରୀ କରୁଥିବା ପ୍ରଯୁକ୍ତି ବିଦ୍ୟାକୁ ବୁଝିବାକୁ ହେବ। ତା’ ପରେ ମହାଭାରତ ଯୁଗରେ ଏହାର ପ୍ରୟୋଗ ସମ୍ଭବ କି ନାହିଁ ତାହା ସ୍ଥିର କରିବାକୁ ପଡ଼ିବ।
ପ୍ରଥମେ ଚାଲନ୍ତୁ ‘ଇନ୍‌ଭିଟ୍ରୋ ଫର୍ଟିଲାଇଜେସନ’ ଯାହାକୁ ଆମେ ସାଧାରଣ ପରିଭାଷାରେ ‘ଟେଷ୍ଟଟ୍ୟୁବ୍‌ ବେବି’ ବୋଲି କହୁଛେ, ସେ ବିଷୟ ବିଚାରକୁ ନେବା। ପ୍ରାକୃତିକ ଉପାୟରେ ସନ୍ତାନଟିଏ ସୃଷ୍ଟି ହେବାର ପ୍ରଥମ ପାବଚ୍ଛ ହେଲା ଏକ ପରିପକ୍ୱ ଡିମ୍ବାଣୁ ସହିତ ଶୁକ୍ରାଣୁଟିଏ ନିଃସିପ୍ତ ହେବା। ଏହି ଦୁଇଟି ‘ହାପ୍‌ ଲଏଡ୍‌’ ଜୀବକୋଷ (ଅର୍ଦ୍ଧ ସଂଖ୍ୟକ କ୍ରୋମୋଜୋମ୍‌ଧାରୀ)ର ମିଳନରୁ ସମାଚୟନ ପ୍ରାପ୍ତ ଡିମ୍ବାଣୁଟିଏ ଉପତ୍ନ୍ନ ହୁଏ; ଯାହାକି କ୍ରମେ ଭ୍ରୂଣରେ ପରିଣତ ହୁଏ।
ତଥାକଥିତ ଟେଷ୍ଟଟ୍ୟୁବ୍‌ ବେବି ଲାଗି ଏ କାର୍ଯ୍ୟ କୃତ୍ରିମ ଉପାୟରେ ସମାହିତ କରାଯାଇ ତାହାକୁ ନାରୀର ଗର୍ଭାଶୟରେ ପ୍ରତିରୋପଣ କରାଯାଏ। ସେଥିପାଇଁ ତାକୁ ବାରମ୍ବାର ଡାକ୍ତରୀ ପରୀକ୍ଷା କରିବାକୁ ଏବଂ ପ୍ରସବର ଅନେକଦିନ ଆଗରୁ ଡାକ୍ତରଖାନାରେ ରହିବାକୁ ପଡ଼େ। ଆମେ ଦ୍ୱାପର ଯୁଗ ବୋଲି କହୁଥିବା କୁନ୍ତୀଙ୍କ ସମୟରେ ଏ ସବୁ ବ୍ୟବସ୍ଥା ଉପଲବ୍ଧ ଥିବାର ମହାଭାରତରେ କୌଣସିଠାରେ ବର୍ଣ୍ଣିତ ନାହିଁ। ଅନ୍ୟପକ୍ଷରେ, ଯଦି ତାହା ଥିଲା ତା’ହେଲେ କେବଳ କୁନ୍ତୀ କାହିଁକି ତା’ର ସୁଯୋଗ ନେଲେ, ଅନ୍ୟମାନେ ନେଲେ ନାହିଁ? ପୁନଶ୍ଚ କୁନ୍ତୀଙ୍କର ପ୍ରଥମ ସନ୍ତାନ କର୍ଣ୍ଣ ସେ ଅବିବାହିତା ଥିବା ସମୟରେ ଜନ୍ମ ହୋଇଥିଲେ। ତାଙ୍କ ଭଳି ଜଣେ ସଂଭ୍ରାନ୍ତ ରାଜକୁମାରୀ ସେ ଅବସ୍ଥାରେ ଏ ପଦ୍ଧତିରେ ପୁତ୍ରବତୀ ହେବା ଅବାନ୍ତର ମନେହୁଏ ନାହିଁ କି? ସେହିପରି ଉଭୟ କୁନ୍ତୀ ଏବଂ ମାଦ୍ରିଙ୍କର ସନ୍ତାନମାନେ ଜଣେ ଜଣେ ଦେବତାଙ୍କ କୃପାରୁ ଜନ୍ମ ହେବାର ମହାଭାରତରେ ବର୍ଣ୍ଣିତ ଅଛି। ଯଦି ଏଥିପାଇଁ ଟେଷ୍ଟଟ୍ୟୁବ୍‌ ବେବି ପଦ୍ଧତି ପ୍ରୟୋଗ ହୋଇଥିବାର ଆମେ ମାନିବା ତା’ହେଲେ ସେହି ଦେବତାମାନଙ୍କଠାରୁ ଶୁକ୍ରାଣୁ ସଂଗ୍ରହ କରି ତାହାକୁ କୁନ୍ତୀ ବା ମାଦ୍ରିଙ୍କ ପରିପକ୍ୱ ଡିମ୍ବାଣୁରେ ସମାୟନ କରାଯାଇଥିଲା ବୋଲି ସ୍ବୀକାର କରିବାକୁ ପଡ଼ିବ ଏବଂ ଏହା କରିଥିବା ବ୍ୟକ୍ତିଜଣକ ନିଶ୍ଚୟ ଜଣେ ଉଚ୍ଚକୋଟୀର ପ୍ରଜନନ ବିଶେଷଜ୍ଞ ବୋଲି ମାନିବାକୁ ହେବ। ତେବେ ପୁରାଣରେ ତାଙ୍କର ପରିଚୟ ତ କେଉଁଠି ସୂଚିତ କରାଯାଇନାହିଁ? ଶେଷରେ, କୃତ୍ରିମ ପ୍ରଜନନ ପଦ୍ଧତି ଯଦି ସେ କାଳରେ ଏତେ ଉନ୍ନତ ଥିଲା ତା’ହେଲେ ଏହି ରାଣୀମାନେ ‘ସରୋଗେଟ୍‌ ମଦର’ ନିଯୁକ୍ତ କରିବା ବଦଳରେ ନିଜେ ଗର୍ଭଧାରଣର କଷ୍ଟ ନେଲେ କାହିଁକି?
ଏବେ ବିଚାର କରିବା ଗାନ୍ଧାରୀଙ୍କର କ୍ଲୋନିଂ ମାଧ୍ୟମରେ ସନ୍ତାନ ଜନ୍ମ ଦେବାର ସମ୍ଭାବନାକୁ। ସାଧାରଣତଃ ଏ ପ୍ରକ୍ରିୟାରେ ଡିମ୍ବାଣୁଟିଏ ନେଇ ତାହାର ନ୍ୟଷ୍ଟିକୁ ଅପସାରଣ କରାଯାଏ ଏବଂ ସେଠାରେ ପ୍ରତିରୋପଣ କରାଯାଏ ଏକ ଡାଇପ୍‌ଲଏଡ, ଅର୍ଥାତ୍‌ ସମ୍ପୂର୍ଣ୍ଣ ସଂଖ୍ୟକ କ୍ରୋମୋଜୋମ୍‌ଧାରୀ ଜୀବକୋଷର ନ୍ୟଷ୍ଟି। ତତ୍ପରେ ତାହାକୁ ଉପଯୁକ୍ତ ମାଧ୍ୟମରେ ରଖି ବିଦ୍ୟୁତ୍‌ ସ୍ଖଳନ ଦ୍ୱାରା ସକ୍ରିୟ କରି ଯୁଗ୍ମଜଟିଏ ସୃଷ୍ଟି କରାଯାଏ ଏବଂ ତହିଁରୁ ଉତ୍ପନ୍ନ ହୁଏ ଆଦ୍ୟଭ୍ରୂଣ। ଏହାକୁ ଗର୍ଭାଶୟ ମଧ୍ୟରେ ସ୍ଥାପନ କଲେ ତାହା ବିକଶିତ ହୋଇ ଶାବକରେ ପରିଣତ ହୁଏ। ଏହାଠାରେ ଥାଏ ନ୍ୟଷ୍ଟି ପ୍ରଦାନ କରିଥିବା ବ୍ୟକ୍ତିର ସମସ୍ତ ଜିନୀୟ ଚରିତ୍ର। ତେଣୁ ସେ ହୁଏ ତା’ର କ୍ଲୋନ ଅର୍ଥାତ୍‌ ଅବିକଳ ନକଲ। ଅନ୍ୟପକ୍ଷରେ ଏହି ଆଦ୍ୟ ଭ୍ରୂଣରୁ ଜୀବକୋଷ (ଷ୍ଟେମସେଲ) ନେଇ ସେ ପ୍ରତ୍ୟେକଙ୍କୁ ପରସ୍ପରର ନକଲ ବା କ୍ଲୋନ ରୂପେ ବିକଶିତ କରାଯାଇପାରିବ।
ଏପରିସ୍ଥଳେ ଗାନ୍ଧାରୀଙ୍କ ଶତପୁତ୍ର ଯଦି କ୍ଲୋନିଂ ପଦ୍ଧତିରେ ଉତ୍ପନ୍ନ ହୋଇଥିଲେ, ତେବେ ସେଥିରେ ତାଙ୍କର ଡିମ୍ବାଣୁ ଏବଂ ଧୃତରାଷ୍ଟ୍ରଙ୍କ ଜୀବକୋଷର ନ୍ୟଷ୍ଟି ନିଶ୍ଚିତ ରୂପେ ବ୍ୟବହୃତ ହୋଇଥିବ। ତହିଁରୁ ଉତ୍ପନ୍ନ ଆଦ୍ୟଭ୍ରୂଣରୁ ଜୀବକୋଷ ଅଲଗା କରି ୧୦୦ ଜଣ ନାରୀଙ୍କ ଗର୍ଭାଶୟରେ ପ୍ରତିରୋପଣ କରାଯାଇଥିବ। ପୁନଶ୍ଚ ଆଦ୍ୟଭ୍ରୂଣଟି ୬/୮ଟି ଜୀବକୋଷ ବିଶିଷ୍ଟ ହେଲା ବେଳକୁ ତାହା ଗର୍ଭାଶୟରେ ପ୍ରତିରୋପଣ କରାଯାଏ। ତା’ହେଲେ ତ ଏ ପ୍ରକ୍ରିୟାକୁ ଅନେକବାର ଦୋହରାଇବାକୁ ପଡ଼ିଥିବ। ହେଲେ, ମହାଭାରତରେ ତ ସେପରି କିଛି ସୂଚନା ନାହିଁ। ଶେଷରେ ଆଉ ଏକ ପ୍ରଶ୍ନ ହେଲା ଯେ, ଏହି ପିଲାମାନେ ଧୃତରାଷ୍ଟ୍ରଙ୍କର ଅବିକଳ ନକଲ ହେବା କଥା। କିନ୍ତୁ ତାହା ତ ହୋଇନାହିଁ।
ବର୍ତ୍ତମାନ ସୁଦ୍ଧା କ୍ଲୋନିଂ ବିବିଧ ରୂପେ କେବଳ ମେଣ୍ଢାଠାରୁ ଆରମ୍ଭ କରି ଗାଈ, ଓଟ, କୁକୁର, ବିରାଡ଼ି ଆଦି ଜୀବଜନ୍ତୁ ସୃଷ୍ଟି କରାଯାଇସାରିଲାଣି। ତେବେ ମଣିଷଠାରେ ଏହା ପ୍ରୟୋଗ କରିବା କଥା କେତେକେ ଦାବି କରୁଥିଲେ ହେଁ ତାହା ପ୍ରମାଣିତ ହୋଇପାରିନାହିଁ। ଏପରିସ୍ଥଳେ ଆଜକୁ ହଜାର ହଜାର ବର୍ଷ ତଳେ ଭାରତୀୟମାନେ କିମ୍ବା ଅନ୍ୟ କେହି ଯଦି ଟେଷ୍ଟଟ୍ୟୁବ୍‌ ବେବି ଏବଂ କ୍ଲୋନିଂ ପ୍ରଯୁକ୍ତି ବିଦ୍ୟାରେ ପାରଦର୍ଶିତା ଲାଭ କରିଥିଲେ, ତା’ହେଲେ ତାହାକୁ ସେମାନେ କେବଳ କୁନ୍ତୀ ଓ ଗାନ୍ଧାରୀଙ୍କ କ୍ଷେତ୍ରରେ ପ୍ରୟୋଗ କଲେ କାହିଁକି? ସେହିପରି ଏଥିରେ ସିଦ୍ଧି ଲାଭ କରିଥିବା ବିଜ୍ଞ ପୁରୁଷ, ସେମାନେ ଏଥିପାଇଁ ବ୍ୟବହାର କରୁଥିବା ବିଜ୍ଞାନାଗାର ଏବଂ ତାଙ୍କ ସହାୟକଙ୍କ ବିଷୟରେ ତ ମହାଭାରତରୁ କିଛି ଜଣାପଡ଼େ ନାହିଁ। ପୁନଶ୍ଚ ତାଙ୍କର ଏ ବିଦ୍ୟା ହଜିଲା କେଉଁଠି ଏବଂ କିପରି?
ଆମକୁ ମନେରଖିବାକୁ ପଡ଼ିବ ଯେ, ପୁରାଣ କଦାପି ଇତିହାସ ନୁହେଁ। ଏହା ଅନେକାଂଶରେ କଳ୍ପନା ପ୍ରସୂତ। ଏକ ଶୃଙ୍ଖଳିତ ସମାଜ ଗଠନ ଲାଗି ସାଧାରଣ ଲୋକଙ୍କ ବିଶ୍ୱାସ ଜିଣିବା ପାଇଁ ଏହା ଅଭିପ୍ରେତ। ଉଦାହରଣସ୍ବରୂପ, ଈଶ୍ୱର ଅଛନ୍ତି କି ନାହିଁ ସେ ବିଷୟରେ ଚିନ୍ତା କଲେ ଏକ ନିର୍ଦ୍ଦିଷ୍ଟ ଉପସଂହାରରେ ପହଞ୍ଚତ୍ ହୁଏନା। ତଥାପି, ବିଶ୍ୱର ୮୭ ଶତାଂଶ ଲୋକ ତାଙ୍କ ସ୍ଥିତିରେ ବିଶ୍ୱାସ କରନ୍ତି। ବ୍ୟକ୍ତି ବିଶେଷଙ୍କ ଦେହ ଓ ମନ ଠାରୁ ଆରମ୍ଭ କରି ସମାଜ ପର୍ଯ୍ୟନ୍ତ ସମସ୍ତଙ୍କ ଉପରେ ଏହାର ସୁଫଳ ରହିଛି। ଅତଏବ ସେ ଥାଆନ୍ତୁ ବା ନ ଥାଆନ୍ତୁ, ସେଥିରେ ମୁଣ୍ଡ ନ ଖେଳାଇ ଆମେ ସାଧାରଣ ଲୋକେ ତାଙ୍କୁ ବିଶ୍ୱାସ କରିବା ଶୁଭଙ୍କର। ତେବେ, ଈଶ୍ୱର ହୁଅନ୍ତୁ ବା କୌଣସି ପୌରାଣିକ ଉପାଖ୍ୟାନ ହେଉ ତା’ ଉପରେ ମିଥ୍ୟା-ବିଜ୍ଞାନର ବୋଳଟିଏ ବୋଳିଦେବା ଆଜି କାଲି କେତେକଙ୍କର ଫେଶନ ପାଲଟି ଯାଇଛି। ସେମାନେ ଏ ବିଶ୍ୱାସକୁ ଅନ୍ଧବିଶ୍ୱାସରେ ପରିଣତ କରି ଦେଉଛନ୍ତି। ତାଙ୍କ ପକ୍ଷେ ଏଥିରୁ ନିବୃତ୍ତ ରହିବା ସମାଜ ପାଇଁ ମଙ୍ଗଳକର ହେବ।
ଉଷା ନିବାସ,୧୨୪/୨୪୪୫
ଖଣ୍ଡଗିରି ବିହାର, ଭୁବନେଶ୍ୱର
ମୋ: ୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?