ନୋଟ୍‌ର ମାୟା, ରୋଗର ଛାୟା

ଈପ୍ସିତା ମହାନ୍ତି

ଆମ ପକେଟ୍‌ ଅବା ପର୍ସରେ ଥିବା ନୋଟ୍‌ ଓ ମୁଦ୍ରାଗୁଡ଼ିକ କେତେ ପରିଷ୍କୃତ, ସେ ବିଷୟରେ ଆମେ କିନ୍ତୁ କେବେ ଧ୍ୟାନ ଦେଇ ନ ଥାଉ। ମାୟା ଅର୍ଥାତ୍‌ ଧନ ସର୍ବଦା ଚଞ୍ଚଳ ସ୍ବଭାବର ହୋଇଥାଏ। ନୋଟ୍‌ ଓ ମୁଦ୍ରାର ଏହି ମାୟା କିନ୍ତୁ ରୋଗର ଛାୟା ସୃଷ୍ଟିକାରୀ। କୌଣସି ନୋଟ୍‌ ଅବା ମୁଦ୍ରା ସର୍ବଦା ଜଣଙ୍କ ପାଖରେ ରହି ନ ଥାଏ। ଏଗୁଡ଼ିକ ଜଣଙ୍କ ପକେଟ୍‌ରୁ ଆଉ ଜଣଙ୍କ ପକେଟ୍‌କୁ ଘୂରି ବୁଲିଥାଏ। ଅନେକ ହାତ ଦେଇ ଆମ ପକେଟ୍‌ରେ ପହଞ୍ଚି ଥାଏ। ଏଗୁଡ଼ିକ ଯେତେ ପୁରୁଣା ହୋଇଥାଏ, ସେତେ ଅଧିକ ସଂଖ୍ୟକ ରୋଗ ଜୀବାଣୁ ରହିଥାନ୍ତି ଏଥିରେ। ରୋଗ ଜୀବାଣୁ, କୀଟାଣୁ, କବକ, ପରଜୀବୀ ଓ ଭୂତାଣୁ ଆମ ହାତ ଦେଇ ଶରୀର ଭିତରେ ପ୍ରବେଶ କରିଥାଏ। ତେଣୁ ସମ୍ପ୍ରତି କରୋନା ମହାମାରୀ ସମୟରେ କରୋନା ଭୂତାଣୁ ଭୟ ଲୋକଙ୍କୁ ଘାରିବା ସ୍ବାଭାବିକ।
୨୦୧୫ରେ ଦିଲ୍ଲୀସ୍ଥିତ ବୈଜ୍ଞାନିକ ଏବଂ ଔଦ୍ୟୋଗିକ ଅନୁସନ୍ଧାନ ପରିଷଦର ଗବେଷକଗଣ ୧୦ଟଙ୍କିଆ, ୨୦ଟଙ୍କିଆ ଓ ୧୦୦ଟଙ୍କିଆ ନୋଟ୍‌ର ନମୁନା ସଂଗ୍ରହ କରିଥିଲେ। ଏଗୁଡ଼ିକୁ ଯାଞ୍ଚ କରିବାରୁ ୭୦ ପ୍ରତିଶତ ନୋଟ୍‌ରେ କବକ ପରି ଅଣୁଜୀବ ବା ଫଙ୍ଗସ୍‌, ୯ପ୍ରତିଶତ ନୋଟ୍‌ରେ ବୀଜାଣୁ ଓ ୧ପ୍ରତିଶତ ନୋଟ୍‌ରେ ଭୂତାଣୁ ରହିଥିବା ଜଣାପଡ଼ିଥିଲା। ଏସବୁ ନୋଟ୍‌ରେ ୭୮ ପ୍ରକାରର ରୋଗ ସୃଷ୍ଟିକାରୀ ଅଣୁଜୀବ ରହିଥିବା ଗବେଷକଗଣ ଚିହ୍ନଟ କରିଥିଲେ।
ଏହି ସମସ୍ୟାର ପରିଧିକୁ ଯେତେ ଅଧିକ ପରିବ୍ୟାପ୍ତ କରିବା ସେତେ ମହତ୍ତ୍ୱପୂର୍ଣ୍ଣ ତଥ୍ୟ ଆମେ ପାଇପାରିବା। ଚାଇନାର ୟୁଆନ୍‌ ବିଶ୍ବର ସବୁଠାରୁ ମଇଳା ନୋଟ୍‌ ଓ ମୁଦ୍ରା ରୂପେ ଅପଖ୍ୟାତି ପାଇବା ସବୁଠାରୁ ବିଚଳିତ କରିଦେଲା ଭଳି ଖବର। କାରଣ ଦୁନିଆର ଅନ୍ୟ ଦେଶର ନୋଟ୍‌ ଓ ମୁଦ୍ରା ତୁଳନାରେ ୟୁଆନରେ ଅଧିକ ରୋଗ ଜୀବାଣୁ, ବୀଜାଣୁ ଓ ଭୂତାଣୁ ରହିଥିବା ଜଣାଯାଏ। ବାୟୋ ମେଡିସିନ୍ସ ଏଣ୍ଡ ବାୟୋ ଟେକ୍ନୋଲୋଜି ନାମକ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନ ଅନୁସାରେ ପ୍ରାୟ ୯୮ ପ୍ରତିଶତ ଭାରତୀୟ ନୋଟ୍‌ରେ ରୋଗ ଜୀବାଣୁ ଓ ଭୂତାଣୁ ରହିଛନ୍ତି। ସେହିଭଳି ସୌଦି ଆରବର ରିୟାଲରେ ୮୮ରୁ ୧୦୦ ପ୍ରତିଶତ ହାନିକାରକ ବୀଜାଣୁ ରହିଥିବା ଜଣାଯାଇଛି। ପୁଣି ଯାଞ୍ଚ କରିବାରୁ ଫିଲିସ୍ଥିନର ୯୬ ପ୍ରତିଶତ, କଲମ୍ବିଆର ୯୧ ପ୍ରତିଶତ ଏବଂ ଦକ୍ଷିଣ ଆଫ୍ରିକାର ୯୦ ପ୍ରତିଶତ ନୋଟ୍‌ ଓ ମୁଦ୍ରାରେ ହାନିକାରକ ରୋଗ ବୀଜାଣୁ ଓ ଭୂତାଣୁ ରହିଥିବା ଜଣା ପଡିଛି । କିନ୍ତୁ ବୀଜାଣୁ ଓ ଭୂତାଣୁଯୁକ୍ତ ନୋଟ୍‌ ଓ ମୁଦ୍ରା ପ୍ରକୃତରେ ସଂକ୍ରମଣ ଘଟାଇଥାନ୍ତି, ଯାହାଦ୍ବାରା ଆମ ଫୁସଫୁସ୍‌, ବୃକକ୍‌ ଓ ଯକୃତର କ୍ଷତି ଘଟିଥାଏ । ମୁଣ୍ଡ ବୁଲେଇବା, ଛାତି ଓ ଗଳାରେ ଯନ୍ତ୍ରଣା ହେବା ସହ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ ମଧ୍ୟ ହୋଇଥାଏ। ଏହି ଦୃଷ୍ଟିରୁ ବ୍ୟାଙ୍କରେ ଯଦି କେହି ହିସାବ ରକ୍ଷକର ଦାୟିତ୍ୱ ନିର୍ବାହ କରୁଥାନ୍ତି, ତେବେ ତାଙ୍କ ଶରୀର ପ୍ରତି ଯଥେଷ୍ଟ ବିପଦ ରହିଅଛି । ବିମୁଦ୍ରୀକରଣ ବେଳେ ଅନେକ ପୁରୁଣା ନୋଟ୍‌ ବଦଳ ଦ୍ବାରା ଏପରି ମାତ୍ରାଧିକ ଘଟଣା ସାମ୍ନାକୁ ଆସିଥିଲା।
ଲକ୍ଷ୍ନୌସ୍ଥିତ କିଙ୍ଗ୍‌ ଜର୍ଜ ମେଡିକାଲ ୟୁନିଭରସିଟି (ବର୍ତ୍ତମାନର ଛତ୍ରପତି ସାହୁଜୀ ମହାରାଜ ଭେଷଜ ବିଶ୍ବବିଦ୍ୟାଳୟ) ଭିନ୍ନ ଭିନ୍ନ ସ୍ଥାନରୁ ୯୬ଟି ନୋଟ୍‌ ଓ ୪୮ଟି ମୁଦ୍ରା ସଂଗ୍ରହ କରି ଗବେଷଣା କରିବାରୁ ସମସ୍ତ ନୋଟ୍‌ ଓ ମୁଦ୍ରା ଜୀବାଣୁ, ବୀଜାଣୁ, କବକ, ପରଜୀବୀ ଓ ଭୂତାଣୁଙ୍କ ଦ୍ବାରା ସଂକ୍ରମିତ ବୋଲି ଜଣାପଡିଥିଲା। ଏହି ନୋଟ୍‌ରେ ଇ-କୋଲାଇ ନାମକ ବୀଜାଣୁ ମଧ୍ୟ ରହିଥିଲା, ଯାହା ତରଳ ଝାଡାର ବାହାକ ଏବଂ ବୃକକ୍‌କୁ ଅଚଳ କରିଦେଇଥାଏ।
ଦେଖିବାକୁ ଗଲେ ନୋଟ୍‌ର ଆକାର ଓ ମୂଲ୍ୟ ଯେତେ କମ୍‌ ହୋଇଥାଏ, ସେଥିରେ ବୀଜାଣୁଙ୍କ ସଂଖ୍ୟା ସେତେ ଅଧିକ ହୋଇଥାଏ। ଅର୍ଥାତ୍‌ ଯାହା ପାଖରେ ଯେତେ ଅଧିକ ସଂଖ୍ୟକ ୧୦, ୨୦ ଓ ୧ଶହ ଟଙ୍କିଆ ନୋଟ୍‌ ଥାଏ, ତା’ ପାଇଁ ବିପଦର ମାତ୍ରା ସେତେ ଅଧିକ ହୋଇଥାଏ। କାରଣ କମ୍‌ ମୂଲ୍ୟଯୁକ୍ତ ନୋଟ୍‌ର ଆକାର ଅପେକ୍ଷାକୃତ ସାନ ହୋଇଥାଏ କିନ୍ତୁ ଏଗୁଡ଼ିକ ବହୁ ସ୍ଥାନ ଦେଇ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଥାନ୍ତି। ନୋଟ୍‌ ଓ ମୁଦ୍ରାର ବ୍ୟବହାର ପରେ ନିଜ ହାତକୁ ପରିଷ୍କାର କରିବା ପାଇଁ କେହି ଧ୍ୟାନ ଦେଇ ନ ଥାନ୍ତି। ବରଂ ଜିଭରେ ଆଙ୍ଗୁଠି ଲଗାଇ ନୋଟ୍‌ ଗଣିବାର ଅଭ୍ୟାସ ଆପଣେଇ ନେଇଥାନ୍ତି । ଏଭଳି ଅଭ୍ୟାସକୁ ଯଥାଶୀଘ୍ର ପରିତ୍ୟାଗ କରିବା ସହ ଏଗୁଡିକର ବ୍ୟବହାର ପରେ ନିଜ ହାତକୁ ଭଲଭାବେ ଧୋଇ ନେବା ଉଚିତ । କାରଣ ନୋଟ୍‌ ଓ ମୁଦ୍ରାର ବ୍ୟବହାରକୁ ଆମେ କଦାପି ବନ୍ଦ କରିପାରିବା ନାହିଁ ।
ନୋଟ୍‌ ଓ ମୁଦ୍ରାରେ କେବଳ ଜୀବାଣୁ ନ ଥାନ୍ତି; ଆମେରିକାରେ ପ୍ରଚଳିତ ୯୦ ପ୍ରତିଶତ ଡଲାରରେ କୋକେନ୍‌ ନାମକ ଉତ୍ତେଜକ ନିଶା ଦ୍ରବ୍ୟ ରହିଥିବା ଜଣାଯାଇଛି। ବ୍ରିଟେନରେ ହୋଇଥିବା ୨୦୧୦ର ଏକ ଅଧ୍ୟୟନ ଅନୁସାରେ; ଏଠାରେ ପ୍ରଚଳିତ ଶତ ପ୍ରତିଶତ ନୋଟ୍‌ରେ କୋକେନ୍‌ ରହିଥିବା କୁହାଯାଇଛି।
ସାଧାରଣ ଭାବେ ଆଧୁନିକ ନୋଟ୍‌ ସୂତା, ଲିନେନ୍‌, ପ୍ଲାଷ୍ଟିକ ଓ କାଗଜରେ ତିଆରି। କାଗଜ ନୋଟ୍‌ ପୁରୁଣା ହେଲେ ବୀଜାଣୁଙ୍କୁ ଧରି ରଖିବାରେ ସହାୟକ ହୋଇଥାଏ। ୨୦୧୨ରେ ଅକ୍ସଫୋର୍ଡ ୟୁନିଭରସିଟି ଦ୍ବାରା ହୋଇଥିବା ଗବେଷଣାର ତଥ୍ୟ ଅନୁସାରେ ଗୋଟିଏ ନୋଟ୍‌ରେ ହାରାହାରି ୨୬ହଜାର ପ୍ରଜାତିର ବୀଜାଣୁ ରହିଥାନ୍ତି। ଚାଇନାର ଗୋଟିଏ ୟୁଆନ ନୋଟ୍‌ରେ ୧ଲକ୍ଷ ୭୮ହଜାର ବୀଜାଣୁ ରହିଥିବା, ୨୦୦୩ରେ ହଂକଂର ଏକ ବିଶ୍ବବିଦ୍ୟାଳୟ ଦ୍ବାରା ସମ୍ପାଦିତ ଗବେଷଣାରୁ ବୈଜ୍ଞାନିକମାନେ ଜାଣି ପାରିଥିଲେ । ୨୦୦୬ର ଏକ ଅଧ୍ୟୟନରୁ ଜଣାପଡିଛି, ମହିଳାମାନେ ବ୍ୟବହାର କରୁଥିବା ହ୍ୟାଣ୍ଡବ୍ୟାଗ୍‌ ସର୍ବସାଧାରଣ ଶୌଚାଳୟର ଚଟାଣ ପରି ଅପରିଷ୍କୃତ । ତେଣୁ ମହିଳାଙ୍କୁ ନିଜ ପର୍ସ କିମ୍ବା ହ୍ୟାଣ୍ଡବ୍ୟାଗରେ ନୋଟ୍‌ ରଖିବା ବେଳେ ଯଥେଷ୍ଟ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ।
କେତେକ ଅନ୍ତଃରାଷ୍ଟ୍ରୀୟ ବ୍ୟାଙ୍କ୍‌ ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ନୋଟ୍‌ଗୁଡିକୁ ଉତ୍ତପ୍ତ କରି ବିଶୋଧନ କରିଥାନ୍ତି। ଜାପାନର ୟୁ.ଏଫ୍‌.ଜେ. ବ୍ୟାଙ୍କ୍‌ ୧୯୯୦ରୁ ଏଭଳି କରି ଆସୁଅଛି । ଅବଶ୍ୟ ସମୟକ୍ରମେ ବିଶୋଧିତ ନୋଟ୍‌ରେ ମଧ୍ୟ ରୋଗ ଜୀବାଣୁ କାୟା ବିସ୍ତାର କରି ନେଇଥାନ୍ତି। ତେଣୁ ବିଶ୍ବର ୨୦ରୁ ଅଧିକ ଦେଶରେ କାଗଜ ବଦଳରେ ପ୍ଲାଷ୍ଟିକ୍‌ ନୋଟ୍‌ ପ୍ରଚଳନ ହେଲାଣି। ଏହାକୁ ଯେ କେହି ବି ସହଜରେ ପରିଷ୍କାର କରିପାରୁଛନ୍ତି। ଏବେ ତ କ୍ୟାଶ୍‌ଲେସ୍‌ ନେଣଦେଣ ଉପରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଉଛି କିନ୍ତୁ ଆମ ଦେଶରେ ଭିତ୍ତିଭୂମି ସୁଦୃଢ ନ ଥିବାରୁ ସାଧାରଣ ଲୋକେ ଏଭଳି ବ୍ୟବସ୍ଥାଠାରୁ ବହୁ ଦୂରରେ।

ବୈପାରୀଗୁଡ଼ା, କୋରାପୁଟ
ମୋ: ୬୩୭୦୬୭୯୪୦୫
Imohanty.1991@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?