ଦୟା ବଢ଼ାଉଛି ଅପରାଧ

ସହଦେବ ସାହୁ

ଭଗବାନଙ୍କ ଦୟା ନ ଥିଲେ ମୁଁ ବା କିଏ, ବଡ ବଡ ଯୋଦ୍ଧାମାନେ ଏ ଭବସାଗର ପାର ହୋଇପାରିବେ ନାହିଁ ା ଭକ୍ତ ଯେପରି କହେ କୃତାର୍ଥ ନାଗରିକ ବି ସେହିପରି କହେ, ମୁଖ୍ୟମନ୍ତ୍ରୀଙ୍କ ଦୟା ହୋଇ ନ ଥିଲେ ମୁଁ କିଏ ନା ଆପୋଲୋ କିଏ, ମୋତେ କ’ଣ ଆପୋଲୋ ପଚାରିଥାନ୍ତା, ମାଗଣା ଅର୍ଥାତ୍‌ ସରକାରୀ ଖର୍ଚ୍ଚରେ ଚିକିତ୍ସା କରିଥାନ୍ତା? ଦୟାର ଗୂଢ ଅର୍ଥ ଟିକେ ବୁଝନ୍ତୁ ା ପ୍ରାପ୍ୟ ବା ‘ଯାହା ତୁମେ ପାଇବା କଥା’ ସେଥିପାଇଁ କାହିଁକି ତୁମେ କାହାର ଦୟାର ପାତ୍ର ହେବ? ତାହା ଦେବା ବା ଯୋଗାଇବା ତ ସେ ଲୋକର କର୍ତ୍ତବ୍ୟ! ଯିଏ କର୍ତ୍ତବ୍ୟ କରେ ସେ ଦୟା କ’ଣ କଲା? ସେ ତା’ କାମ କରୁଛି!
ଦୟା ଭଲ ଗୁଣ ନୁହେଁ, ଦୟା ଭିତରେ ଲୁଚି ରହିଛି ପାତରଅନ୍ତର କରିବା ଦୋଷ (ଗୁଣ କହୁଛ କି!), ଦୟାକୁ ସାଧାରଣ ଲୋକ ଯେପରି ଭାବେ ଦୟା ତାହା ନୁହେଁ ା ଦୟା ବା ଅନୁକମ୍ପା ଆମେ କେତେବେଳେ ଖୋଜୁ? ଯେତେବେଳେ ଆମ କାମଟା ନିୟମ ଭିତରେ ହୋଇପାରେ ନାହିଁ ା ଦୟା ଯିଏ କରେ ତା’ ପାଖରେ ସବୁ କାମ ବେନିୟମର, ସେ ଲୋକ ଭଲ ମନ୍ଦ ବାଛିପାରୁନାହିଁ କିମ୍ବା ନିଜର ଖାତିର ବଢାଇବା ପାଇଁ ତୁମକୁ ଦୟା କରୁଛି ବୋଲି କହେ। ନିୟମ ଭିତରେ କାମ ହେଲେ ତୁମେ ତ କାହାରି ଦୟାର ପାତ୍ର ହେବ ନାହିଁ ା ଦୟା ଭଲ ଗୁଣ ନୁହେଁ, ନିୟମ ଅନୁଯାୟୀ କାମ କଲେ ସମସ୍ତେ ପ୍ରାପ୍ୟ ପାଇବେ।
ଅବଶ୍ୟ ବ୍ୟାଖ୍ୟା କରୁଥିବା ଲୋକ ଏମିତି ବ୍ୟାଖ୍ୟା କରିପାରେ ଯେ ତୁମେ ଯାହାକୁ ନିୟମ ବୋଲି ଭାବୁଛ ସିଏ ତାକୁ ବେନିୟମ ବା ନିୟମର ବାହାରେ ବୋଲି ଯୁକ୍ତି କରିପାରେ ା ଲାଞ୍ଚ (ଭୋଗ) ଦେଲେ ଯେଉଁ କାମ ହୋଇଯାଏ ବିନା ଲାଞ୍ଚରେ ସେ କାମ କାହିଁକି ହେଉନାହିଁ? ତୁମ ବିଚାରରେ ଯାହା ନିୟମାଧୀନ ସମ୍ପୃକ୍ତ ଅଧିକାରୀ ତାକୁ ବେନିୟମ ବା ନିୟମର ବହିର୍ଭୂତ ଦେଖାଇଦେବ, ତେଣୁ ତୁମ କାମ ହୋଇପାରିବ ନାହିଁ। ତେଣୁ ଦୟା ଏକ ପକ୍ଷପାତିତା, ଯେଉଁ ପକ୍ଷପାତିତା ଲାଞ୍ଚ ଦ୍ୱାରା ଧୋଇଦିଆଯାଇପାରେ। ଠାକୁରଙ୍କ ପାଖରେ ପ୍ରାୟଶ୍ଚିତ୍ତ ରୂପକ ଲାଞ୍ଚ ଦେଲେ ପାପ ହୋଇଯାଏ ବୋଲି ପୁରୋହିତ କୁହନ୍ତି ନାହିଁ କି?
ସେ ଦିନ ମଞ୍ଚଟାରେ ଏମ୍‌ଏଲ୍‌ଏ କହିଲେ, ମନ୍ତ୍ରୀ ଆଉ ସଚିବଙ୍କର ଦୟା (ସଚିବ ସେଠି ନ ଥିଲେ ସେ ସଚିବଙ୍କ କଥା ଉଠାଇ ନ ଥାନ୍ତେ), ହୋଇ ନ ଥିଲେ ତାଙ୍କ ପ୍ରସ୍ତାବିତ ରାସ୍ତାଟି ମଞ୍ଜୁର ହୋଇପାରି ନ ଥାନ୍ତା। ତାଙ୍କ କହିବାର ଅର୍ଥ ତାଙ୍କ ପ୍ରସ୍ତାବିତ ରାସ୍ତାଟି କୌଣସି ମଞ୍ଜୁର ସମ୍ପର୍କୀୟ କୌଣସି ନିୟମ ଭିତରେ ପଡୁ ନ ଥିଲା। ମନ୍ତ୍ରୀ (ଅବଶ୍ୟ ସଚିବ ଜରିଆରେ ଯାଇଥିବା ଫାଇଲର ଟିପ୍ପଣି ଉପରେ ନିର୍ଭର କରି) ମଞ୍ଜୁର କରିଛନ୍ତି ନିୟମ ବାହାରେ। ଆଇନ କାନୁନର ଶାସନରେ ଦୟା ହେଉଛି ଏକ ବେନିୟମ କାମ। ସଂକ୍ଷେପରେ ଦୟା ହେଉଛି ଏକ ଅପରାଧ। ଆଇନ ଆଖିରେ ଧର୍ତ୍ତବ୍ୟ ା
ଆଇନର ଶାସନ ଚାଲିଥିଲେ କେହି କାହାର ଦୟା ଉପରେ ନିର୍ଭର କରନ୍ତା ନାହିଁ, କିନ୍ତୁ କେତେକ ଆଇନରେ ପକ୍ଷପାତ ନିହିତ ଅଛି ା ତାହାର କାରଣ ଯୁଗ ଯୁଗ ଧରି କେତେକ ଗୋଷ୍ଠୀ ବା ଜାତି ପ୍ରାଧାନ୍ୟ ବଜାୟ ରଖିଆସିଛନ୍ତି ଏବଂ ପ୍ରଚଳିତ ଆଇନ ସେହି ପ୍ରାଧାନ୍ୟର ସ୍ବାକ୍ଷର ବହନ କରୁଛି। ନ୍ୟସ୍ତସ୍ବାର୍ଥ ଆଇନକୁ ବଦଳିବା ପାଇଁ ସାମାଜିକ ବିପ୍ଳବ ଦରକାର ା
ଯେତେ ଯିଏ କହନ୍ତୁ ନା କାହିଁକି, ମଣ୍ଡଳ କମିଶନ ସୁପାରିସ୍‌ ଏହିଭଳି ଏକ ନୀରବ ବିପ୍ଳବର ନିଦର୍ଶନ। ଏ ସୁପାରିସଗୁଡିକୁ ଗ୍ରହଣ କରିବାରେ ସରକାରଙ୍କ କେତେ ଆନ୍ତରିକତା ଅଛି ସେ ପ୍ରଶ୍ନର ଉତ୍ତର ଆମେ ଏଠି ଖୋଜିବା ନାହିଁ, ସାମାଜିକ ଅନ୍ୟାୟକୁ ଦୂର କରିବାର ଗୋଟିଏ ଛୋଟ ପଦକ୍ଷେପ ବୋଲି ମଣ୍ଡଳ କମିଶନର ସୁପାରିସକୁ ଧରିନେବା ଉଚିତ ହେବ। ଅବଶ୍ୟ ଉପସ୍ଥିତ ବ୍ୟବସ୍ଥାରୁ ଫାଇଦା ଉଠାଉଥିବା ଉଚ୍ଚ ବର୍ଗର ଲୋକେ ଅସନ୍ତୁଷ୍ଟ। ଉପସ୍ଥିତ ଆଇନରେ କିଭଳି ଦୟାର ଆବିର୍ଭାବ ଥିଲାବାଲା ଲୋକଙ୍କୁ, ଜ୍ଞାତିକୁଟୁମ୍ବଙ୍କୁ ତଥା ଅନୁଗତମାନଙ୍କୁ ବେନିୟମ ସାହାଯ୍ୟ କରୁଛି ତାହା ଦେଖନ୍ତୁ।
ଭଗବାନ ବି ନିୟମର ବଶବର୍ତ୍ତୀ। ବିଧାୟକ ବିଧାନର ଅଧୀନ ନ ହେଲେ ଦୁନିଆ ଦୁଇଟା ଶ୍ରେଣୀରେ ବିଭକ୍ତ ହୋଇଯିବ। ଗୋଟିଏ ନିୟମର ଅଧୀନ, ଅନ୍ୟଟି ନିୟମର ଊର୍ଦ୍ଧ୍ୱରେ। ଯିଏ ନିୟମ ତିଆରି କରେ ସିଏ ବି ନିୟମକୁ ମାନିବାକୁ ବାଧ୍ୟ। ନିୟମ ଥରେ ହୋଇଗଲା ପରେ ସମସ୍ତଙ୍କ ପାଇଁ ସମାନ ଭାବରେ ଲାଗୁ ହେବ। ନିୟମ ଭିତରେ ଯିଏ ପାଇଲା ସିଏ ପାଇବା ଏକ ହକ୍‌, ଏକ ଅଧିକାର ା ତାକୁ ଯିଏ ବାଧା ଦେବ ସିଏ ଅପରାଧ କରୁଛି। ଦୟା ଦେଖାଇବା ଲୋକ ନିୟମର ଖିଲାପ କରୁଛି, ପାଇବା ଲୋକକୁ ବଞ୍ଚିତ କରି ନ ପାଇବା ଲୋକକୁ ଦେଉଛି। ତେଣୁ ସିଏ ଅପରାଧୀ, ଯିଏ ପାଇଲା ସିଏ ଅପରାଧର ଆବେଟର୍‌ ବା ଉତ୍ସାହକ। ସୃଷ୍ଟିଟାକୁ ଚଳାଇବା ପାଇଁ ଭଗବାନ କେତେଗୁଡିଏ ନିୟମ କରିଛନ୍ତି। ଜୀବ ସୃଷ୍ଟି କରି ତାକୁ କରାମତି ଦେଇଛନ୍ତି, ବୁଦ୍ଧି ଦେଇଛନ୍ତି। ମଣିଷକୁ ବିଚାର କରିବାର ଶକ୍ତି ଦେଇଛନ୍ତି ା ପ୍ରତ୍ୟେକ ପ୍ରାଣୀ ନିଜର ମାର୍ଗ ନିଜେ ତିଆରି କରି ନେବ ବା ବାଛି ନେବ। ଗୋଟିଏ କାମରୁ ଆଉ ଗୋଟିଏ କାମ ଆପେ ଆପେ ଉତୁରିବ। କାର୍ଯ୍ୟକାରଣ ଚିନ୍ତା କରିବାର ଶକ୍ତି ଦେଇ ଭଗବାନ ଭାବିଥିବେ ମଣିଷ ଏଣିକି ଠିକ୍‌ ବାଟରେ ଚାଲିବ। ନ ଚାଲିଲେ ନିଜେ ନିଜର ଗାତ ଖୋଳିବ। ତା’ ସତ୍ତ୍ବେ ମଣିଷ ଭଗବାନଙ୍କ ଦୟା ଚାହେଁ। ଅର୍ଥାତ୍‌ ଯେଉଁଟା ତାହାର ପ୍ରାପ୍ୟ ନୁହେଁ, ଯେଉଁଟି ସେ ସୃଷ୍ଟିର ନିୟମ ଅନୁଯାୟୀ ପାଇବ ନାହିଁ, ସେଥିଲାଗି ସେ ଚେଷ୍ଟା କରେ, ଭଗବାନଙ୍କ ଦୟା ଚାହେଁ, ସେ ଚାହେଁ ତାହା ପାଇଁ ଭଗବାନ ନିଜେ ତିଆରି କରିଥିବା ନିୟମ ଭାଙ୍ଗନ୍ତୁ ା
ଦୁଇ ପ୍ରକାର ଲୋକଙ୍କଠାରୁ ଦୁଇ ପ୍ରକାର ପରିସ୍ଥିତିରେ ମଣିଷ ଦୟା ଚାହେଁ ା ୧- ନିୟମସିଦ୍ଧ ହୋଇଥିଲେ ବି କାମଟାକୁ ଅଟକାଇବାର କ୍ଷମତା ଯାହାର ଅଛି, ତା’ ଠାରୁ ଏବଂ ୨. ବେନିୟମ ହେଲେ ବି କାମଟା କରିବା ବା କରେଇଦେବାର କ୍ଷମତା ଯାହାର ଅଛି, ତା’ଠାରୁ ା ଗୋଟିଏ ଋଣାତ୍ମକ, ଅନ୍ୟଟି ଯୋଗାତ୍ମକ ା ପାଇବାବାଲାର ବିରୋଧୀ ଓ ସପକ୍ଷ ଉଭୟ ରୂପରେ ଦୟାର ଆବିର୍ଭାବ ହୋଇଥାଏ ା ଯେଉଁ ଦିଗରୁ ଦେଖିଲେ ବି ଦୟା ଦେଖାଇବା ଅର୍ଥ ନିୟମ ଭାଙ୍ଗିବା, ସାଦା କଥାରେ କହିଲେ ଦୋଷ କରିବା।
ମହାଭାରତରେ ଦ୍ରୌପଦୀଙ୍କ ପାଞ୍ଚ ପତି ହେବାର କାରଣ ତାଙ୍କ ଶାଶୁ କୁନ୍ତୀ କହିଲେ ଯେଉଁ ଭିକ୍ଷା ଆଣିଛ ପାଞ୍ଚ ଭାଇ ସମାନ ଭାବରେ ବାଣ୍ଟିନିଅ ା
ଭାଇମାନେ ମାଆଙ୍କ କଥାକୁ ଶିରୋଧାର୍ଯ୍ୟ କଲେ। ଶ୍ରୀକୃଷ୍ଣ ବୁଝାଇଦେଲେ ଯେ ଏଥିରେ ମାଆଙ୍କ ଦୋଷ ନାହିଁ ା ଏ ହେଉଛି ଦ୍ରୌପଦୀଙ୍କ ପୂର୍ବ ତପସ୍ୟାର ଫଳ ା
ସେ ଶିବଙ୍କୁ ବର ମାଗିଥିଲେ, ପର ଜନ୍ମରେ ପାଞ୍ଚଟି ବିଶିଷ୍ଟ ଗୁଣ ଥିବା ସ୍ବାମୀଟିଏ ମିଳୁ ା ଶିବ ସ୍ପଷ୍ଟ କରି କହିଥିଲେ କୌଣସି ଏକ ବ୍ୟକ୍ତିଠାରେ ପାଞ୍ଚଟି ଯାକ ଗୁଣ ଏକାଠି ନ ଥିବ ା ଯେହେତୁ ସେ ଦୟା କରୁଛନ୍ତି, ପ୍ରତ୍ୟେକ ଗୁଣର ଗୋଟିଏ ଗୋଟିଏ ବୀର ପୁରୁଷ, ଅର୍ଥାତ୍‌ ପାଞ୍ଚୋଟି ବୀରଙ୍କୁ ସେ ପତି ରୂପେ ପାଇବେ।
ସାଧାରଣ ନିୟମ ଭିତରେ ଯାହା ପଡୁନାହିଁ, ତାକୁ ହାସଲ କରିବାର ଉଦ୍ୟମରୁ (ବର ମାଗିବାରୁ ବା ଦୟା ଚାହିଁବାରୁ) ଏଭଳି ଅଦ୍ଭୁତ ଫଳ ମିଳିଥାଏ। ଚେତାବନୀ ଶୁଣାଇ ସେ କହିଛନ୍ତି, କୌଣସି ବର ମାଗିବା ପୂର୍ବରୁ ଟିକେ ଭାବିବା ଉଚିତ ା କିନ୍ତୁ ମଣିଷ ଲୋଭୀ ା ଐଶ୍ୱରୀୟ ଦୟା ତ କଠୋର ଶାରୀରିକ ଓ ମାନସିକ ତପସ୍ୟା ଦରକାର କରେ ା ମାନବୀୟ ଦୟା ପାଇବା ଲାଗି ଏତେ କଷ୍ଟ ଦରକାର ନାହିଁ, ସହଜ ଉପାୟ ଭିତରେ ଅଛି ପଦଲେହନ, ଧନଧାନ୍ୟ ସମର୍ପଣ, ଅଥବା ଯୌନ-ସନ୍ତୁଷ୍ଟୀକରଣ।
ମନେରଖନ୍ତୁ, ଯଦି କେହି କହେ ଆପଣଙ୍କ ଦୟାରୁ ତାହାର ଅମୁକ କାମଟି ହୋଇଗଲା, ସେ ପ୍ରକୃତରେ କହୁଛି ଆପଣଙ୍କ ଦୋଷରୁ, ଆପଣ ନିୟମ-ବହିର୍ଭୁକ୍ତ କାମ ଯୋଗୁ, ତା’ କାମଟା ହୋଇପାରିଲା ା ଯେଉଁ ନିୟମ ସମସ୍ତଙ୍କ ପାଇଁ ଲାଗୁ ହେଉଛି ସେ ନିୟମ ଭିତରେ ତା’ କାମ ହେବା କଥା ନୁହେଁ; ଜଙ୍ଘନ୍ୟ ଅପରାଧରେ କୋର୍ଟର ବିଚାରାଧୀନ ଥିବା ଲୋକକୁ ଲୋକପ୍ରତିନିଧି କରିବା ଦଳଙ୍କ ହାଇକମାଣ୍ଡ ବା ସୁପ୍ରିମୋଙ୍କ ‘ଦୟା’ ନୁହେଁ କି?
ଇଂଲିଶରେ ଗୋଟିଏ କଥା ଅଛି, ‘ସୋ ମି ଦି ମ୍ୟାନ୍‌, ଆଇ ଉଇଲ୍‌ ସୋ ୟୁ ଦି ରୁଲ୍‌ ା’ ଲୋକଟା କିଏ, କହୁନା, ମୁଁ ତାକୁ ସୁହାଇଲା ଭଳି ନିୟମ କାଢିଦେବି ା ଏ ହେଲା ଦୟା ା ଏବେ ବୁଝିଲେ ତ, ଦୟା ମାନେ କ’ଣ? ଅପରାଧ, ଆଇନଭଙ୍ଗ, ପ୍ରିୟାପ୍ରୀତି ତୋଷଣ, ବିରାଦରୀ ପ୍ରୀତି, ଅଯୋଗ୍ୟକୁ ଯୋଗ୍ୟ ମନେକରିବା ଇତ୍ୟାଦି ଇତ୍ୟାଦି। ଦୟା ଏକ ସାମାଜିକ ବ୍ୟାଧି।
Email:sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?