ଦୟା ବଢ଼ାଉଛି ଅପରାଧ

ସହଦେବ ସାହୁ

ଭଗବାନଙ୍କ ଦୟା ନ ଥିଲେ ମୁଁ ବା କିଏ, ବଡ ବଡ ଯୋଦ୍ଧାମାନେ ଏ ଭବସାଗର ପାର ହୋଇପାରିବେ ନାହିଁ ା ଭକ୍ତ ଯେପରି କହେ କୃତାର୍ଥ ନାଗରିକ ବି ସେହିପରି କହେ, ମୁଖ୍ୟମନ୍ତ୍ରୀଙ୍କ ଦୟା ହୋଇ ନ ଥିଲେ ମୁଁ କିଏ ନା ଆପୋଲୋ କିଏ, ମୋତେ କ’ଣ ଆପୋଲୋ ପଚାରିଥାନ୍ତା, ମାଗଣା ଅର୍ଥାତ୍‌ ସରକାରୀ ଖର୍ଚ୍ଚରେ ଚିକିତ୍ସା କରିଥାନ୍ତା? ଦୟାର ଗୂଢ ଅର୍ଥ ଟିକେ ବୁଝନ୍ତୁ ା ପ୍ରାପ୍ୟ ବା ‘ଯାହା ତୁମେ ପାଇବା କଥା’ ସେଥିପାଇଁ କାହିଁକି ତୁମେ କାହାର ଦୟାର ପାତ୍ର ହେବ? ତାହା ଦେବା ବା ଯୋଗାଇବା ତ ସେ ଲୋକର କର୍ତ୍ତବ୍ୟ! ଯିଏ କର୍ତ୍ତବ୍ୟ କରେ ସେ ଦୟା କ’ଣ କଲା? ସେ ତା’ କାମ କରୁଛି!
ଦୟା ଭଲ ଗୁଣ ନୁହେଁ, ଦୟା ଭିତରେ ଲୁଚି ରହିଛି ପାତରଅନ୍ତର କରିବା ଦୋଷ (ଗୁଣ କହୁଛ କି!), ଦୟାକୁ ସାଧାରଣ ଲୋକ ଯେପରି ଭାବେ ଦୟା ତାହା ନୁହେଁ ା ଦୟା ବା ଅନୁକମ୍ପା ଆମେ କେତେବେଳେ ଖୋଜୁ? ଯେତେବେଳେ ଆମ କାମଟା ନିୟମ ଭିତରେ ହୋଇପାରେ ନାହିଁ ା ଦୟା ଯିଏ କରେ ତା’ ପାଖରେ ସବୁ କାମ ବେନିୟମର, ସେ ଲୋକ ଭଲ ମନ୍ଦ ବାଛିପାରୁନାହିଁ କିମ୍ବା ନିଜର ଖାତିର ବଢାଇବା ପାଇଁ ତୁମକୁ ଦୟା କରୁଛି ବୋଲି କହେ। ନିୟମ ଭିତରେ କାମ ହେଲେ ତୁମେ ତ କାହାରି ଦୟାର ପାତ୍ର ହେବ ନାହିଁ ା ଦୟା ଭଲ ଗୁଣ ନୁହେଁ, ନିୟମ ଅନୁଯାୟୀ କାମ କଲେ ସମସ୍ତେ ପ୍ରାପ୍ୟ ପାଇବେ।
ଅବଶ୍ୟ ବ୍ୟାଖ୍ୟା କରୁଥିବା ଲୋକ ଏମିତି ବ୍ୟାଖ୍ୟା କରିପାରେ ଯେ ତୁମେ ଯାହାକୁ ନିୟମ ବୋଲି ଭାବୁଛ ସିଏ ତାକୁ ବେନିୟମ ବା ନିୟମର ବାହାରେ ବୋଲି ଯୁକ୍ତି କରିପାରେ ା ଲାଞ୍ଚ (ଭୋଗ) ଦେଲେ ଯେଉଁ କାମ ହୋଇଯାଏ ବିନା ଲାଞ୍ଚରେ ସେ କାମ କାହିଁକି ହେଉନାହିଁ? ତୁମ ବିଚାରରେ ଯାହା ନିୟମାଧୀନ ସମ୍ପୃକ୍ତ ଅଧିକାରୀ ତାକୁ ବେନିୟମ ବା ନିୟମର ବହିର୍ଭୂତ ଦେଖାଇଦେବ, ତେଣୁ ତୁମ କାମ ହୋଇପାରିବ ନାହିଁ। ତେଣୁ ଦୟା ଏକ ପକ୍ଷପାତିତା, ଯେଉଁ ପକ୍ଷପାତିତା ଲାଞ୍ଚ ଦ୍ୱାରା ଧୋଇଦିଆଯାଇପାରେ। ଠାକୁରଙ୍କ ପାଖରେ ପ୍ରାୟଶ୍ଚିତ୍ତ ରୂପକ ଲାଞ୍ଚ ଦେଲେ ପାପ ହୋଇଯାଏ ବୋଲି ପୁରୋହିତ କୁହନ୍ତି ନାହିଁ କି?
ସେ ଦିନ ମଞ୍ଚଟାରେ ଏମ୍‌ଏଲ୍‌ଏ କହିଲେ, ମନ୍ତ୍ରୀ ଆଉ ସଚିବଙ୍କର ଦୟା (ସଚିବ ସେଠି ନ ଥିଲେ ସେ ସଚିବଙ୍କ କଥା ଉଠାଇ ନ ଥାନ୍ତେ), ହୋଇ ନ ଥିଲେ ତାଙ୍କ ପ୍ରସ୍ତାବିତ ରାସ୍ତାଟି ମଞ୍ଜୁର ହୋଇପାରି ନ ଥାନ୍ତା। ତାଙ୍କ କହିବାର ଅର୍ଥ ତାଙ୍କ ପ୍ରସ୍ତାବିତ ରାସ୍ତାଟି କୌଣସି ମଞ୍ଜୁର ସମ୍ପର୍କୀୟ କୌଣସି ନିୟମ ଭିତରେ ପଡୁ ନ ଥିଲା। ମନ୍ତ୍ରୀ (ଅବଶ୍ୟ ସଚିବ ଜରିଆରେ ଯାଇଥିବା ଫାଇଲର ଟିପ୍ପଣି ଉପରେ ନିର୍ଭର କରି) ମଞ୍ଜୁର କରିଛନ୍ତି ନିୟମ ବାହାରେ। ଆଇନ କାନୁନର ଶାସନରେ ଦୟା ହେଉଛି ଏକ ବେନିୟମ କାମ। ସଂକ୍ଷେପରେ ଦୟା ହେଉଛି ଏକ ଅପରାଧ। ଆଇନ ଆଖିରେ ଧର୍ତ୍ତବ୍ୟ ା
ଆଇନର ଶାସନ ଚାଲିଥିଲେ କେହି କାହାର ଦୟା ଉପରେ ନିର୍ଭର କରନ୍ତା ନାହିଁ, କିନ୍ତୁ କେତେକ ଆଇନରେ ପକ୍ଷପାତ ନିହିତ ଅଛି ା ତାହାର କାରଣ ଯୁଗ ଯୁଗ ଧରି କେତେକ ଗୋଷ୍ଠୀ ବା ଜାତି ପ୍ରାଧାନ୍ୟ ବଜାୟ ରଖିଆସିଛନ୍ତି ଏବଂ ପ୍ରଚଳିତ ଆଇନ ସେହି ପ୍ରାଧାନ୍ୟର ସ୍ବାକ୍ଷର ବହନ କରୁଛି। ନ୍ୟସ୍ତସ୍ବାର୍ଥ ଆଇନକୁ ବଦଳିବା ପାଇଁ ସାମାଜିକ ବିପ୍ଳବ ଦରକାର ା
ଯେତେ ଯିଏ କହନ୍ତୁ ନା କାହିଁକି, ମଣ୍ଡଳ କମିଶନ ସୁପାରିସ୍‌ ଏହିଭଳି ଏକ ନୀରବ ବିପ୍ଳବର ନିଦର୍ଶନ। ଏ ସୁପାରିସଗୁଡିକୁ ଗ୍ରହଣ କରିବାରେ ସରକାରଙ୍କ କେତେ ଆନ୍ତରିକତା ଅଛି ସେ ପ୍ରଶ୍ନର ଉତ୍ତର ଆମେ ଏଠି ଖୋଜିବା ନାହିଁ, ସାମାଜିକ ଅନ୍ୟାୟକୁ ଦୂର କରିବାର ଗୋଟିଏ ଛୋଟ ପଦକ୍ଷେପ ବୋଲି ମଣ୍ଡଳ କମିଶନର ସୁପାରିସକୁ ଧରିନେବା ଉଚିତ ହେବ। ଅବଶ୍ୟ ଉପସ୍ଥିତ ବ୍ୟବସ୍ଥାରୁ ଫାଇଦା ଉଠାଉଥିବା ଉଚ୍ଚ ବର୍ଗର ଲୋକେ ଅସନ୍ତୁଷ୍ଟ। ଉପସ୍ଥିତ ଆଇନରେ କିଭଳି ଦୟାର ଆବିର୍ଭାବ ଥିଲାବାଲା ଲୋକଙ୍କୁ, ଜ୍ଞାତିକୁଟୁମ୍ବଙ୍କୁ ତଥା ଅନୁଗତମାନଙ୍କୁ ବେନିୟମ ସାହାଯ୍ୟ କରୁଛି ତାହା ଦେଖନ୍ତୁ।
ଭଗବାନ ବି ନିୟମର ବଶବର୍ତ୍ତୀ। ବିଧାୟକ ବିଧାନର ଅଧୀନ ନ ହେଲେ ଦୁନିଆ ଦୁଇଟା ଶ୍ରେଣୀରେ ବିଭକ୍ତ ହୋଇଯିବ। ଗୋଟିଏ ନିୟମର ଅଧୀନ, ଅନ୍ୟଟି ନିୟମର ଊର୍ଦ୍ଧ୍ୱରେ। ଯିଏ ନିୟମ ତିଆରି କରେ ସିଏ ବି ନିୟମକୁ ମାନିବାକୁ ବାଧ୍ୟ। ନିୟମ ଥରେ ହୋଇଗଲା ପରେ ସମସ୍ତଙ୍କ ପାଇଁ ସମାନ ଭାବରେ ଲାଗୁ ହେବ। ନିୟମ ଭିତରେ ଯିଏ ପାଇଲା ସିଏ ପାଇବା ଏକ ହକ୍‌, ଏକ ଅଧିକାର ା ତାକୁ ଯିଏ ବାଧା ଦେବ ସିଏ ଅପରାଧ କରୁଛି। ଦୟା ଦେଖାଇବା ଲୋକ ନିୟମର ଖିଲାପ କରୁଛି, ପାଇବା ଲୋକକୁ ବଞ୍ଚିତ କରି ନ ପାଇବା ଲୋକକୁ ଦେଉଛି। ତେଣୁ ସିଏ ଅପରାଧୀ, ଯିଏ ପାଇଲା ସିଏ ଅପରାଧର ଆବେଟର୍‌ ବା ଉତ୍ସାହକ। ସୃଷ୍ଟିଟାକୁ ଚଳାଇବା ପାଇଁ ଭଗବାନ କେତେଗୁଡିଏ ନିୟମ କରିଛନ୍ତି। ଜୀବ ସୃଷ୍ଟି କରି ତାକୁ କରାମତି ଦେଇଛନ୍ତି, ବୁଦ୍ଧି ଦେଇଛନ୍ତି। ମଣିଷକୁ ବିଚାର କରିବାର ଶକ୍ତି ଦେଇଛନ୍ତି ା ପ୍ରତ୍ୟେକ ପ୍ରାଣୀ ନିଜର ମାର୍ଗ ନିଜେ ତିଆରି କରି ନେବ ବା ବାଛି ନେବ। ଗୋଟିଏ କାମରୁ ଆଉ ଗୋଟିଏ କାମ ଆପେ ଆପେ ଉତୁରିବ। କାର୍ଯ୍ୟକାରଣ ଚିନ୍ତା କରିବାର ଶକ୍ତି ଦେଇ ଭଗବାନ ଭାବିଥିବେ ମଣିଷ ଏଣିକି ଠିକ୍‌ ବାଟରେ ଚାଲିବ। ନ ଚାଲିଲେ ନିଜେ ନିଜର ଗାତ ଖୋଳିବ। ତା’ ସତ୍ତ୍ବେ ମଣିଷ ଭଗବାନଙ୍କ ଦୟା ଚାହେଁ। ଅର୍ଥାତ୍‌ ଯେଉଁଟା ତାହାର ପ୍ରାପ୍ୟ ନୁହେଁ, ଯେଉଁଟି ସେ ସୃଷ୍ଟିର ନିୟମ ଅନୁଯାୟୀ ପାଇବ ନାହିଁ, ସେଥିଲାଗି ସେ ଚେଷ୍ଟା କରେ, ଭଗବାନଙ୍କ ଦୟା ଚାହେଁ, ସେ ଚାହେଁ ତାହା ପାଇଁ ଭଗବାନ ନିଜେ ତିଆରି କରିଥିବା ନିୟମ ଭାଙ୍ଗନ୍ତୁ ା
ଦୁଇ ପ୍ରକାର ଲୋକଙ୍କଠାରୁ ଦୁଇ ପ୍ରକାର ପରିସ୍ଥିତିରେ ମଣିଷ ଦୟା ଚାହେଁ ା ୧- ନିୟମସିଦ୍ଧ ହୋଇଥିଲେ ବି କାମଟାକୁ ଅଟକାଇବାର କ୍ଷମତା ଯାହାର ଅଛି, ତା’ ଠାରୁ ଏବଂ ୨. ବେନିୟମ ହେଲେ ବି କାମଟା କରିବା ବା କରେଇଦେବାର କ୍ଷମତା ଯାହାର ଅଛି, ତା’ଠାରୁ ା ଗୋଟିଏ ଋଣାତ୍ମକ, ଅନ୍ୟଟି ଯୋଗାତ୍ମକ ା ପାଇବାବାଲାର ବିରୋଧୀ ଓ ସପକ୍ଷ ଉଭୟ ରୂପରେ ଦୟାର ଆବିର୍ଭାବ ହୋଇଥାଏ ା ଯେଉଁ ଦିଗରୁ ଦେଖିଲେ ବି ଦୟା ଦେଖାଇବା ଅର୍ଥ ନିୟମ ଭାଙ୍ଗିବା, ସାଦା କଥାରେ କହିଲେ ଦୋଷ କରିବା।
ମହାଭାରତରେ ଦ୍ରୌପଦୀଙ୍କ ପାଞ୍ଚ ପତି ହେବାର କାରଣ ତାଙ୍କ ଶାଶୁ କୁନ୍ତୀ କହିଲେ ଯେଉଁ ଭିକ୍ଷା ଆଣିଛ ପାଞ୍ଚ ଭାଇ ସମାନ ଭାବରେ ବାଣ୍ଟିନିଅ ା
ଭାଇମାନେ ମାଆଙ୍କ କଥାକୁ ଶିରୋଧାର୍ଯ୍ୟ କଲେ। ଶ୍ରୀକୃଷ୍ଣ ବୁଝାଇଦେଲେ ଯେ ଏଥିରେ ମାଆଙ୍କ ଦୋଷ ନାହିଁ ା ଏ ହେଉଛି ଦ୍ରୌପଦୀଙ୍କ ପୂର୍ବ ତପସ୍ୟାର ଫଳ ା
ସେ ଶିବଙ୍କୁ ବର ମାଗିଥିଲେ, ପର ଜନ୍ମରେ ପାଞ୍ଚଟି ବିଶିଷ୍ଟ ଗୁଣ ଥିବା ସ୍ବାମୀଟିଏ ମିଳୁ ା ଶିବ ସ୍ପଷ୍ଟ କରି କହିଥିଲେ କୌଣସି ଏକ ବ୍ୟକ୍ତିଠାରେ ପାଞ୍ଚଟି ଯାକ ଗୁଣ ଏକାଠି ନ ଥିବ ା ଯେହେତୁ ସେ ଦୟା କରୁଛନ୍ତି, ପ୍ରତ୍ୟେକ ଗୁଣର ଗୋଟିଏ ଗୋଟିଏ ବୀର ପୁରୁଷ, ଅର୍ଥାତ୍‌ ପାଞ୍ଚୋଟି ବୀରଙ୍କୁ ସେ ପତି ରୂପେ ପାଇବେ।
ସାଧାରଣ ନିୟମ ଭିତରେ ଯାହା ପଡୁନାହିଁ, ତାକୁ ହାସଲ କରିବାର ଉଦ୍ୟମରୁ (ବର ମାଗିବାରୁ ବା ଦୟା ଚାହିଁବାରୁ) ଏଭଳି ଅଦ୍ଭୁତ ଫଳ ମିଳିଥାଏ। ଚେତାବନୀ ଶୁଣାଇ ସେ କହିଛନ୍ତି, କୌଣସି ବର ମାଗିବା ପୂର୍ବରୁ ଟିକେ ଭାବିବା ଉଚିତ ା କିନ୍ତୁ ମଣିଷ ଲୋଭୀ ା ଐଶ୍ୱରୀୟ ଦୟା ତ କଠୋର ଶାରୀରିକ ଓ ମାନସିକ ତପସ୍ୟା ଦରକାର କରେ ା ମାନବୀୟ ଦୟା ପାଇବା ଲାଗି ଏତେ କଷ୍ଟ ଦରକାର ନାହିଁ, ସହଜ ଉପାୟ ଭିତରେ ଅଛି ପଦଲେହନ, ଧନଧାନ୍ୟ ସମର୍ପଣ, ଅଥବା ଯୌନ-ସନ୍ତୁଷ୍ଟୀକରଣ।
ମନେରଖନ୍ତୁ, ଯଦି କେହି କହେ ଆପଣଙ୍କ ଦୟାରୁ ତାହାର ଅମୁକ କାମଟି ହୋଇଗଲା, ସେ ପ୍ରକୃତରେ କହୁଛି ଆପଣଙ୍କ ଦୋଷରୁ, ଆପଣ ନିୟମ-ବହିର୍ଭୁକ୍ତ କାମ ଯୋଗୁ, ତା’ କାମଟା ହୋଇପାରିଲା ା ଯେଉଁ ନିୟମ ସମସ୍ତଙ୍କ ପାଇଁ ଲାଗୁ ହେଉଛି ସେ ନିୟମ ଭିତରେ ତା’ କାମ ହେବା କଥା ନୁହେଁ; ଜଙ୍ଘନ୍ୟ ଅପରାଧରେ କୋର୍ଟର ବିଚାରାଧୀନ ଥିବା ଲୋକକୁ ଲୋକପ୍ରତିନିଧି କରିବା ଦଳଙ୍କ ହାଇକମାଣ୍ଡ ବା ସୁପ୍ରିମୋଙ୍କ ‘ଦୟା’ ନୁହେଁ କି?
ଇଂଲିଶରେ ଗୋଟିଏ କଥା ଅଛି, ‘ସୋ ମି ଦି ମ୍ୟାନ୍‌, ଆଇ ଉଇଲ୍‌ ସୋ ୟୁ ଦି ରୁଲ୍‌ ା’ ଲୋକଟା କିଏ, କହୁନା, ମୁଁ ତାକୁ ସୁହାଇଲା ଭଳି ନିୟମ କାଢିଦେବି ା ଏ ହେଲା ଦୟା ା ଏବେ ବୁଝିଲେ ତ, ଦୟା ମାନେ କ’ଣ? ଅପରାଧ, ଆଇନଭଙ୍ଗ, ପ୍ରିୟାପ୍ରୀତି ତୋଷଣ, ବିରାଦରୀ ପ୍ରୀତି, ଅଯୋଗ୍ୟକୁ ଯୋଗ୍ୟ ମନେକରିବା ଇତ୍ୟାଦି ଇତ୍ୟାଦି। ଦୟା ଏକ ସାମାଜିକ ବ୍ୟାଧି।
Email:sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri