ଓ୍ବେଲିଂଟନ୍,୨୦।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଜାରି ରହିଛି। ନ୍ୟୁଜିଲାଣ୍ଡର ପ୍ରଥମ ପାଳି ଶେଷ ହୋଇଥିବା ବେଳେ ହେନରୀ ନିକୋଲସ ଓ ଗ୍ଲେନ ଫିଲିପ୍ସଙ୍କ ଶତକୀୟ ପାଳି ବଳରେ ଦଳ ୩୬୮ ରନ୍ର ବଡ଼ ସ୍କୋର କରିଛି। ଏହାର ଜବାବରେ ଭାରତର ବ୍ୟାଟିଂ ଜାରି ରହିଛି। ଭାରତୀୟ ଇନିଂସ ଆରମ୍ଭ ହେବା ସହ ଯୁବ ଓପନର୍ ଯଶସ୍ବୀ ଜୟସ୍ବାଲ ଏକ ଉପଲବ୍ଧି ହାସଲ କରିଛନ୍ତି। ସେ ନିଜ ସାଥୀ ରବୀନ୍ଦ୍ର ଜାଡେଜାଙ୍କୁ ପଛରେ ପକାଇ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ର ୨୦୨୫-୨୭ ସାଇକଲରେ ୮୦୦ରୁ ଅଧିକ ରନ ପୂରଣ କରିଛନ୍ତି।
ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ର ୨୦୨୫-୨୭ ସାଇକଲରେ ସର୍ବାଧିକ ରନ ସଂଗ୍ରହକାରୀ ହେଉଛନ୍ତି ଇଂଲଣ୍ଡର ଜୋ ରୁଟ। ତାଙ୍କ ନାମରେ ୧୨୭୨ ରନ ରହିଛି। ଭାରତୀୟ ଖେଳାଳିଙ୍କ ମଧ୍ୟରେ ଅଧିନାୟକ ଶୁବମନ ଗିଲ ୧୧ଟି ମ୍ୟାଚ୍ରୁ ୧୦୨୪ ରନ ସହ ଶୀର୍ଷରେ ଅଛନ୍ତି। ଏହି ମ୍ୟାଚ ପୂର୍ବରୁ ଭାରତ ପକ୍ଷରୁ ସର୍ବାଧିକ ରନ କରିଥିବା ଖେଳାଳିଙ୍କ ତାଲିକାରେ ଜୟସ୍ବାଲ ଚତୁର୍ଥ ସ୍ଥାନରେ ଥିଲେ। ତାଙ୍କ ଓ ଜାଡେଜାଙ୍କ ରନ ସଂଖ୍ୟା ସମାନ ଥିଲେ ମଧ୍ୟ ଅଧିକ ବ୍ୟାଟିଂ ହାର ଯୋଗୁ ଜାଡେଜା ଆଗରେ ଥିଲେ। ତେବେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ରେ ଜୟସ୍ବାଲ ରନ ସଂଗ୍ରହ କରିବା ପରେ ଜାଡେଜାଙ୍କୁ ପଛରେ ପକାଇ ତୃତୀୟ ସ୍ଥାନକୁ ଉଠିଛନ୍ତି।
ନ୍ୟୁଜିଲାଣ୍ଡର ପ୍ରଥମ ପାଳି ପରେ ଭାରତ ବ୍ୟାଟିଂ ଆରମ୍ଭ କରିଥିଲା। ପ୍ରଥମ ଚାରି ଓଭରରେ ଭାରତ ଖାତା ଖୋଲିପାରି ନଥିଲା। ପଞ୍ଚମ ଓଭରରେ ଯଶସ୍ବୀ ଜୟସ୍ବାଲ ଏକ ଚୌକା ମାରି ନିଜ ସହ ଦଳର ରନ ଖାତା ମଧ୍ୟ ଖୋଲିଥିଲେ। ଏହା ସହ ସେ ଏହି ସାଇକଲରେ ୮୦୦ରୁ ଅଧିକ ରନ ପୂରଣ କରିଥିଲେ। ଏହା ତାଙ୍କର ୧୨ତମ ମ୍ୟାଚ। ଏହି ସାଇକଲରେ ତାଙ୍କ ନାମରେ ୩ଟି ଶତକ ଓ ୩ଟି ଅର୍ଦ୍ଧଶତକ ରହିଛି। ନ୍ୟୁଜିଲାଣ୍ଡର ବଡ଼ ସ୍କୋରର ପିଛା କରିବା ପାଇଁ ଜୟସ୍ବାଲଙ୍କଠାରୁ ଏକ ବଡ଼ ପାଳି ଆଶା କରାଯାଉଛି।
ମ୍ୟାଚ୍ର ଦ୍ୱିତୀୟ ଦିନରେ ନ୍ୟୁଜିଲାଣ୍ଡର ପ୍ରଥମ ପାଳି ୩୬୮ ରନ୍ରେ ଶେଷ ହୋଇଥିଲା। ହେନରୀ ନିକୋଲସ ୩୩୫ଟି ବଲ୍ଣ ସମ୍ମୁଖୀନ ହୋଇ ୧୭୫ ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ସେହିପରି ଗ୍ଲେନ ଫିଲିପ୍ସ ୨୧୬ଟି ବଲ୍ରୁ ୧୧୮ ରନର ଗୁରୁତ୍ୱପୂର୍ଣ୍ଣ ପାଳି ଖେଳିଥିଲେ।
ଫିଲିପ୍ସ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଭାରତ ବିପକ୍ଷରେ ତିନୋଟି ଯାକ ଫର୍ମାଟରେ ଶତକ ହାସଲ କରିବାରେ ପ୍ରଥମ ଓ ଏକମାତ୍ର ଖେଳାଳି ହୋଇଛନ୍ତି। ଏହି ଦୁଇ ବ୍ୟାଟରଙ୍କ ବ୍ୟତୀତ ନ୍ୟୁଜିଲାଣ୍ଡର ଅନ୍ୟ କୌଣସି ବ୍ୟାଟର୍ ବଡ଼ ପାଳି ଖେଳିପାରି ନଥିଲେ। ଏବେ ଭାରତୀୟ ବ୍ୟାଟରମାନେ ନ୍ୟୁଜିଲାଣ୍ଡର ସ୍କୋରର ଜବାବ କିପରି ଦେଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି।
Dharitri – Odisha’s No.1 Odia Daily

