ଶକ୍ତି ଉପାସନା ଓ ନାରୀ ଅସ୍ମିତା

ମାନବୀୟ ଚିନ୍ତନରେ ଶକ୍ତିର ପ୍ରତୀକ ନାରୀ। ସେ ସ୍ନେହମୟୀ, କରୁଣାମୟୀ ଓ ମମତାମୟୀ ଜନନୀ। ସଂସାରର ସଞ୍ଚାଳିକା। ବିଶ୍ୱଚକ୍ରର ନାଭିକେନ୍ଦ୍ର। କୁହାଯାଏ ସେ ସୃଜନକାଳରେ ମହାସରସ୍ବତୀ, ପାଳନ ବେଳାରେ ମହାଲକ୍ଷ୍ମୀ ଓ ବିନାଶ କାଳରେ ମହାକାଳୀ ରୂପରେ ପୂଜିତା।
ଜ୍ଞାନର ଆଲୋକ ବଳରେ ଯିଏ ଅଜ୍ଞାନତା ରୂପକ ଅନ୍ଧକାରକୁ ଦୂର କରନ୍ତି, ସେ ଜ୍ୟୋତିର୍ମୟୀ ବା ସରସ୍ବତୀ। ସେଥିପାଇଁ ଜ୍ଞାନର ପ୍ରତୀକ ସ୍ବରୂପ ତାଙ୍କ ହସ୍ତରେ ଅଛି ପୁସ୍ତକ। ଶାସ୍ତ୍ରରେ ଯେଉଁ ଶବ୍ଦକୁ ବ୍ରହ୍ମ ସହିତ ତୁଳନା କରାଯାଇଛି ଶବ୍ଦ ଓ ବାକ୍ୟର ଅଧିଷ୍ଠାତ୍ରୀ ଦେବୀ ଭାବରେ ତାଙ୍କୁ କୁହାଯାଏ ବାକ୍ୟେଶ୍ୱରୀ ବା ବାଗ୍‌ଦେବୀ। ମହାଲକ୍ଷ୍ମୀ ଶସ୍ୟର ଦେବୀ- ଅନ୍ନ ଓ ଆନନ୍ଦର ପ୍ରତୀକ। ସେ ସଚରାଚର ଧରିତ୍ରୀର ମାଆ। ସେହି ଶୋଭାମୟୀ ଶସ୍ୟ ଲକ୍ଷ୍ମୀଙ୍କୁ ସ୍ବାଗତ ଜଣାଇବା ପାଇଁ ଆରମ୍ଭ ହୋଇଥିଲା ଶାରଦୀୟ ଲକ୍ଷ୍ମୀପୂଜାର ଆୟୋଜନ।
ବିନାଶ କାଳରେ ମା’ ଧାରଣ କରନ୍ତି ମହାକାଳୀ ରୂପ, ଯେଉଁ ରୂପ ଧାରଣ କରିଥିଲେ ମହିଷା ସଂହାର ବେଳେ। ସେତେବେଳେ ତାଙ୍କର ରୂପ ଥିଲା ଶ୍ୟାମା। ମୁକ୍ତକେଶ। କ୍ରୋଧରେ ଆଖି ରକ୍ତରଞ୍ଜିତ। ହସ୍ତରେ ଖଣ୍ଡା ଓ ଖର୍ପର ଇତ୍ୟାଦି ଅସ୍ତ୍ର। ଗତି ଅତ୍ୟନ୍ତ କ୍ଷିପ୍ର। ସାଥୀରେ ଅନେକ ସହଚରୀ। ତାଙ୍କ କ୍ରୋଧ ଓ କାରୁଣ୍ୟକୁ ଭିତ୍ତିକରି ଆମେ ତିଆରି କରିଛୁ ଅନେକ ରୂପ। କେଉଁଠି ଭୁଜ ସଂଖ୍ୟା ଚାରି ତ କେଉଁଠି ଆଠ। କେଉଁଠି ଷୋହଳ ତ କେଉଁଠି ସହସ୍ର। ନାମ ବି ଅନେକ। କିନ୍ତୁ ସବୁଠି କ୍ରୋଧ ଜର୍ଜରିତ ଭାବ ଏବଂ ରୂପ ଓ ଆଚରଣରେ ଉଗ୍ରତା। ସେ ପରା ସ୍ନେହମୟୀ ଜନନୀ। ସମଗ୍ର ସଂସାରର ପାଳନକତ୍ତର୍‌ରୀ। ଅଥଚ ତାଙ୍କର ଏ ଉଗ୍ରରୂପ କାହିଁକି ? କାରଣ ପୁତ୍ର ହତ୍ୟା ଜନିତ ଉନ୍ମାଦନା। ସେ ପୁତ୍ର ଅନ୍ୟ କେହି ନୁହେଁ, ଦୁଷ୍ଟ ଓ ଅହଂକାରୀ ମହିଷାସୁର। ମତ୍ତଗର୍ବୀ ମହିଷାର ଅତ୍ୟାଚାରରେ ଯେତେବେଳେ ମେଦିନି କମ୍ପିଲା ଓ ତ୍ରିଭୁବନ ଥରହର ହେଲା, ତା’ର ମୁକାବିଲା କରି ନ ପାରି ଶକ୍ତିଙ୍କ ଶରଣାପନ୍ନ ହେଲେ ଦେବତାମାନେ। ସେମାନଙ୍କ ଅନୁରୋଧ ଏଡ଼ି ନ ପାରି ଦୁଷ୍ଟ ସଂହାର ନିମନ୍ତେ କାତ୍ୟାୟିନୀ ରୂପ ଧାରଣ କଲେ ଶକ୍ତିମୟୀ ମା’। ସମର ଭୂମିରେ ସାମ୍ନାସାମ୍ନି ହେଲେ ମା ଓ ପୁଅ। କିନ୍ତୁ ପୁଅର ପରାକ୍ରମ ଆଗରେ ବାରମ୍ବାର ପରାହତ ହେଲା ମା’ର ସମସ୍ତ ଚେଷ୍ଟା। ଅଗତ୍ୟା ମହିଷାସୁରକୁ ମୋହାଚ୍ଛନ୍ନ କରିବା ପାଇଁ ବିବସନା ହେଲେ ମା’। ପ୍ରଦର୍ଶନ କଲେ ସୃଜନ ଓ ସୃଷ୍ଟିର ଉଲଙ୍ଗ ସତ୍ୟ। ସେ ଦିବ୍ୟ ଜ୍ୟୋତିକୁ ଚାହିଁପାରିଲାନି ପ୍ରବଳପ୍ରତାପୀ ମହିଷା। ମୁହୂର୍ତ୍ତକ ମଧ୍ୟରେ ଚୂର୍ଣ୍ଣ ହେଲା ତା’ର ଦର୍ପ, ସାମର୍ଥ୍ୟ ଓ ଅହଂକାର। ଅସୁର ଭୂଲୁଣ୍ଠିତ ହେଲା ଅତି ଅସହାୟ ଭାବରେ।
ମା’ ଆଖି ସାମ୍ନାରେ ପଡ଼ି ରହିଲା ତ୍ରିଭୁବନ ବିଜୟୀ ପୁତ୍ରର ନିର୍ଜୀବ ଶରୀର। ସହି ପାରିଲେନି ସ୍ନେହମୟୀ ମା’। ବିଳପି ଉଠିଲା ଅନ୍ତରାତ୍ମା। ପାଗଳ କରିଦେଲା ମାତୃତ୍ୱର ମୋହ। ସେ ଜୁଆଡ଼େ ଚାହିଁଲେ ତାଙ୍କ କ୍ରୋଧ ଜର୍ଜରିତ ଆଖି ଆଗରେ ନାଚି ଉଠିଲା ଦୁରାଚାରୀ ମହିଷାର ରୂପ। ତାଙ୍କ ଦୃଷ୍ଟିରେ ସବୁ ପୁଅ ପାଲଟିଗଲେ ମହିଷା। କାହିଁକି ବଞ୍ଚତ୍ରହିବେ ସେମାନେ? ସେମାନଙ୍କର ସଂହାର ଲୋଡ଼ା। କ୍ରୋଧ ଉପରୁ ନିୟନ୍ତ୍ରଣ ହରାଇ ଧାରଣ କଲେ ସଂହାରିଣୀ ମୂର୍ତ୍ତି। ଆଗକୁ ବଢ଼ିଲା ମା’ ଓ ତାଙ୍କ ଅନୁଚରୀମାନଙ୍କ ଲୋହିତ ଯାତ୍ରା। ପୁନଶ୍ଚ ଚିନ୍ତାରେ ପଡ଼ିଲେ ଦେବଗଣ। ଦେବୀଙ୍କୁ ଶାନ୍ତ କରିବାର ଅନ୍ୟ କିଛି ଉପାୟ ନ ଦେଖି ଲୋଡ଼ିଲେ ଶିବଙ୍କ ସହଯୋଗ। ଗୋଟେ ଉନ୍ମାଦିନୀ ମା’ର ବାଟ ଓଗାଳିବା ପାଇଁ ଉପାୟ ଖୋଜିଲେ ଭୋଳାନାଥ ଶିବ। ନିମିଷକେ ମିଳିଗଲା ଉପାୟ। ଦେବୀ ଜନନୀ ଭାବରେ ସନ୍ତାନକୁ ଯେତିକି ଭଲ ପାଆନ୍ତି, ପ୍ରିୟତମା ଭାବରେ ସେତିକି ଭଲ ପାଆନ୍ତି ଫୁଲକୁ ଓ ସ୍ବାମୀକୁ। ଏହି ସିଦ୍ଧାନ୍ତ ନେଇ ପ୍ରଭୁ ହାତରେ ଧରିଲେ ପାରିଜାତ। ଦେବୀଙ୍କ ଗନ୍ତବ୍ୟରେ ଦିଗ କଳି ଊର୍ଦ୍ଧ୍ୱମୁଖ ହୋଇ ଶୋଇପଡ଼ିଲେ ମଝି ରାସ୍ତାରେ। ଫୁଲ ସାଜିଲା ଦେବୀଙ୍କ ଗତିର ପ୍ରତିବନ୍ଧକ। ଫୁଲକୁ ଦେଖୁ ଦେଖୁ ଶାନ୍ତ ପଡ଼ିଗଲା ମନ। ଫୁଲଟି ଧରିବାକୁ ବଢ଼େଇ ଦେଲେ ହାତ, ଅଜାଣତରେ ପାଦ ପଡ଼ିଗଲା ସ୍ବାମୀଙ୍କ ଛାତିରେ। ଫେରିଆସିଲା ଚୈତନ୍ୟ। ଦୂରେଇଗଲା ଉନ୍ମାଦନା। ଶକ୍ତି ହେଲେ ଶିବମନସ୍କ। ଏବେ ସେ ଶାନ୍ତ, ବରଦମୁଦ୍ରା ଓ ଅବିଚଳିତା। ଦେବୀଙ୍କର ଏହି ଶାନ୍ତ ସ୍ବଭାବ ତଥା ଗତିର ସ୍ଥିରତାକୁ ଅନୁଭବ କରି ଅନୁଚରୀମାନେ ଯିଏ ଯେଉଁଠି ଥିଲେ ସେଠାରେ ସେମିତି ସ୍ଥିର ହୋଇ ରହିଗଲେ ଅବିକଳ ମୁଦ୍ରାରେ। ଓଡ଼ିଶାର ପ୍ରାୟ ପ୍ରତ୍ୟେକ ଗାଁରେ ସେମାନେ ଏବେ ପୂଜା ପାଉଛନ୍ତି ଅଲଗା ଅଲଗା ନାମରେ ଗ୍ରାମଦେବତୀ ଭାବରେ। ଆଜି ସେହି ଶକ୍ତିମୟୀ ମା’ଙ୍କର ଆରାଧନା ମହାକାଳୀ ରୂପରେ।
ନାରୀ ଅମିତ ଶକ୍ତିର ଉତ୍ସ। ଘର, ପରିବାର, ସନ୍ତାନ ଓ ବନ୍ଧୁବାନ୍ଧବ କଥା ବୁଝିବା ସହିତ ବୃତ୍ତିଗତ ଜୀବନରେ ବି ସେ ଛୁଇଁପାରେ ସର୍ବୋଚ୍ଚ ଶିଖର। ଏତେ ସାମର୍ଥ୍ୟର ଅଧିକାରିଣୀ ହୋଇ ସୁଦ୍ଧା ତାକୁ କୁହାଯାଉଛି ଅବଳା ଓ ଦୁର୍ବଳା। ତା’ର ଉତ୍ଥାନ ପାଇଁ ଚାଲିଛି ନାନା ପ୍ରଚାର ସ୍ଲ୍ଳୋଗାନ ଓ ଅଭିଯାନ। ନାରୀ ଶକ୍ତି ବିକାଶର ମୂଳମନ୍ତ୍ର ହେଉଛି ରାଜନୈତିକ ଇଚ୍ଛାଶକ୍ତି, ଯାହାର ଅଭାବରେ ନାରୀ ଅସ୍ମିତା ଆଜି ବନ୍ଧା ପଡ଼ିଛି ପିତୃକୈନ୍ଦ୍ରିକ ସ୍ବାର୍ଥପରତା ପାଖରେ।
ନାରୀ ଉତ୍ଥାନ ନିମନ୍ତେ ସ୍ବାଧୀନତା ପରଠାରୁ ଦେଶରେ କାର୍ଯ୍ୟକାରୀ ହେଉଛି ଅନେକ ଆଇନ ଓ ଯୋଜନା। ଏହା ସତ୍ତ୍ୱେ ସମାଜର ବିଭିନ୍ନ କ୍ଷେତ୍ରରେ ନାରୀ ସାବ୍ୟସ୍ତ କରିପାରିନି ଆନୁପାତିକ ପ୍ରତିନିଧିତ୍ୱ। ଏଥିପାଇଁ ରାଜନୈତିକ ପ୍ରତାରଣା ଯେତିକି ଦାୟୀ, ସେତିକି ଦାୟୀ ନାରୀର ସରଳତା। ନାରୀର ମନ ମୋହିବା ପାଇଁ ପୁରୁଷ ତାକୁ ବନ୍ଦନୀୟା ବୋଲି କହି ଅଜାଡ଼ିଦିଏ ଅଜସ୍ର ପ୍ରଶଂସା। ଏଥିରେ ଉଲ୍ଲସିତ ହୋଇ ନାରୀ ପୁରୁଷର ପ୍ରପଞ୍ଚପଣକୁ ବୁଝିପାରେନି କିମ୍ବା ବୁଝିଲେ ମଧ୍ୟ ପ୍ରଶ୍ନ ପଚାରେ ନାହିଁ ସୌଜନ୍ୟ ପାଇବା ଆଶାରେ। ନାରୀର ଏହି ଦୁର୍ବଳତାକୁ ଭିତ୍ତିକରି ନିର୍ବାଚନ ସମୟରେ ମହିଳା କାର୍ଡ ଖେଳନ୍ତି ସବୁ ରାଜନୈତିକ ଦଳ। ଅଥଚ ସେମାନଙ୍କ ଆନୁପାତିକ ପ୍ରାର୍ଥିତ୍ୱକୁ ଦିଅନ୍ତିନି ସ୍ବୀକୃତି। ଏଭଳି ଅଭିସନ୍ଧିମୂଳକ ଆଭିମୁଖ୍ୟର ଏକ ସଦ୍ୟତମ ଦୃଷ୍ଟାନ୍ତ ହେଉଛି ବହୁଚର୍ଚ୍ଚିତ ନାରୀଶକ୍ତି ବନ୍ଦନ ଅଧିନିୟମ। ଏହି ଆଇନ ଆଣିବା ପାଇଁ ଡକାଗଲା ସଂସଦରେ ସ୍ବତନ୍ତ୍ର ଅଧିବେଶନ। ବିନା ପ୍ରତିବାଦରେ ସମର୍ଥନ ଦେବାକୁ ବାଧ୍ୟହେଲେ ସବୁ ରାଜନୈତିକ ଦଳ। ସହଜରେ ବିଧେୟକ ଗୃହୀତ ହେଲା ଏବଂ ମହିଳାମାନଙ୍କ ଭିତରେ ଖେଳିଗଲା ଆନନ୍ଦର ଲହରି। ନାରୀନେତ୍ରୀଙ୍କ ପକ୍ଷରୁ ସରକାରଙ୍କ ଉପରେ ଅଜାଡ଼ି ହୋଇପଡ଼ିଲା ପ୍ରଶଂସା। କିନ୍ତୁ ଦୁର୍ଭାଗ୍ୟର ବିଷୟ ଏହି ଆଇନ କାର୍ଯ୍ୟକାରୀ ହେବନି ୨୦୨୪ ସାଧାରଣ ନିର୍ବାଚନରେ। ପରବର୍ତ୍ତୀ ନିର୍ବାଚନ (୨୦୨୯) କଥା ବି ସନ୍ଦେହଜନକ। କାରଣ ଯେଉଁମାନେ ମହିଳା ଆରକ୍ଷଣ ସମ୍ପର୍କରେ ଲମ୍ବା ଲମ୍ବା ଭାଷଣ ଦିଅନ୍ତି ଓ ଆଇନ ତିଆରି କରନ୍ତି, ସେମାନଙ୍କୁ ଜଣାଅଛି ଆଇନକୁ ଅଖଞ୍ଜ କରି ରଖିବାର କୌଶଳ।

  • ଡ. ପ୍ରଫୁଲ୍ଲ କୁମାର ସାହୁ
    ବିଜୁ ପଟ୍ଟନାୟକ ନଗର, ଭଦ୍ରକ
    ମୋ: ୬୩୭୧୬୪୨୪୬୪

Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?