ଫେରିବ କି ସ୍ବପ୍ନଶିଳ୍ପର ସୁଦିନ

ହରିହର ତ୍ରିପାଠୀ

 

ମହାମାରୀ କରୋନା ମଣିଷ ଜୀବନର ସବୁକ୍ଷେତ୍ରକୁ ପ୍ରଭାବିକ କରିଥିବା ବେଳେ ଯେଉଁ କେତୋଟି କ୍ଷେତ୍ରକୁ ସମ୍ପୂୂର୍ଣ୍ଣ ଅଚଳ କରିଦେଇଛି ସେମାନଙ୍କ ଭିତରୁ ସିନେମା ଶିଳ୍ପ ଅନ୍ୟତମ। ଗତ ଚାରିମାସ ଧରି ସାରା ଦେଶରେ ସିନେମା ହଲ ବନ୍ଦ ରହିଛି । ତେବେ ଏହା ଭିତରେ ଖବର ଆସୁଛି ସିନେମା ହଲ ଖୋଲିବ। ସିନେମାକୁ ଭାରତରେ କୁହାଯାଏ ସ୍ବପ୍ନର କାରିଗରୀ। ସ୍ବପ୍ନର ସୌଦାଗରମାନେ ଅନୁପମ ଦୃଶ୍ୟାୟନ ଜରିଆରେ ଜନସାଧାରଣଙ୍କୁ ନେଇଯାନ୍ତି ଅଦ୍ଭୁତ ସ୍ବପ୍ନଲୋକକୁ । ନଗରଠାରୁ ମଫସଲ ଯାଏ ଏଠି ଚଳଚ୍ଚିତ୍ର ସବୁରି ପ୍ରିୟ। ସେଥିପାଇଁ ଭାରତର ବିଶାଳ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ହିନ୍ଦୀ, ଇଂଲିଶ ସମେତ ବିଭିନ୍ନ ଆଞ୍ଚଳିକ ଭାଷାରେ ବହୁସଂଖ୍ୟକ ଚଳଚ୍ଚିତ୍ର ପ୍ରସ୍ତୁତ ହୁଏ। ସମଗ୍ର ବିଶ୍ୱ ପରିପ୍ରେକ୍ଷୀରେ ସର୍ବାଧିକ ସିନେମା ତିଆରି ହୁଏ ଆମ ଦେଶରେ। ପ୍ରଯୋଜକମାନେ ଅର୍ଜନ କରନ୍ତି ବିପୁଳ ଲାଭ, କିନ୍ତୁ ତା’ ସହିତ ଲେଖକ, ନିର୍ଦ୍ଦେଶକ, କ୍ୟାମେରାମ୍ୟାନ, ଅଭିନେତା-ଅଭିନେତ୍ରୀଙ୍କଠାରୁ ଆରମ୍ଭକରି ବିଭିନ୍ନ ଶ୍ରେଣୀର ବୈଷୟିକ କାରିଗର, ସ୍ପଟବୟ ପ୍ରମୁଖ ସ୍ଥାୟୀ ତଥା ସାମୟିକ ନିଯୁକ୍ତି ପାଇଥାନ୍ତି। ଅନୁରୂପ ଭାବେ ଜନଗହଳି ପାଇଁ ସ୍ଥାନୀୟ ଜନତା ଅଥବା ଶିଳ୍ପ ଶ୍ରମିକଙ୍କର ବି ଦରକାର ପଡ଼େ। ସମସ୍ତେ ଏହି ଶିଳ୍ପୋଦ୍ୟୋଗରୁ ରୋଜଗାର କରନ୍ତି। ପ୍ରସ୍ତୁତି ପରେ ଏହାର ବ୍ୟବସାୟରେ ମଧ୍ୟ ଅନେକଙ୍କ ଉପାର୍ଜନର ସୁଯୋଗ ଥାଏ। କ୍ୟାମେରାରେ ଉତ୍ତୋଳିତ ଚଳଚ୍ଚିତ୍ରର ମାଧ୍ୟମ ବଡ଼ ପରଦା କିମ୍ବା ଛୋଟପରଦା ଯାହା ହେଉନା କାହିଁକି ସବୁ ବ୍ୟବସ୍ଥା ମାନ୍ଦାରେ ଚାଲିଛି । ହିସାବରୁ ଜଣାଯାଇଛି, ଗତ ୪ ମାସର ଭୂତାଣୁଜନିତ ପ୍ରଭାବ ଯୋଗୁ ଏହି ସ୍ବପ୍ନଶିଳ୍ପରେ ବ୍ୟବସାୟ ଅଧାକୁ ନିମ୍ନକୁ ଖସିଆସିଥିବା କୁହାଯାଉଛି। ଏହାର ସୁଯୋଗ ନେଇ ଅନେକ ପ୍ରଯୋଜନା ସଂସ୍ଥା ବିଭିନ୍ନ ବିଭାଗରେ ତଳସ୍ତରରେ କାମକରୁଥିବା କର୍ମଚାରୀଙ୍କ ଦରମା ଦେଇନାହାନ୍ତି।
ଫଳରେ ସ୍ବଳ୍ପ ରୋଜଗାରୀଙ୍କ ସଂସାର ଚଳାଇବା କଷ୍ଟକର ହୋଇପଡ଼ିଛି। ଏହି ପୃଷ୍ଠଭୂମିରେ ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଅଭିନେତ୍ରୀମାନେ ଏହି ଶିଳ୍ପସହ ସଂଶ୍ଲିଷ୍ଟ ସମସ୍ତ ଦିନମଜୁରିଆ ଓ ସାମୟିକ ଶ୍ରମିକମାନଙ୍କୁ ବାକିଆ ଦେୟ ଦେଇଦେବାକୁ ନିବେଦନ କରିଛନ୍ତି।
କାରଣ ଏହି ମନୋରଞ୍ଜନ ଶିଳ୍ପରେ ସମ୍ପୃକ୍ତ ଉପର ସ୍ତରର ବିଶିଷ୍ଟ ଓ ତଳସ୍ତରର କର୍ମୀମାନଙ୍କ ମଧ୍ୟରେ ଖୁବ୍‌ ବଡ଼ଧରଣର ପାର୍ଥକ୍ୟ ରହିଛି। ଏହା ହିଁ ନିମ୍ନ ଭାଗରେ କାର୍ଯ୍ୟରତ ଲୋକଙ୍କ ଦୁର୍ଦ୍ଦଶା ବଢ଼ାଇଦେଇଛି ।
ଅନ୍ୟପକ୍ଷରେ ଫିଲ୍ମଶିଳ୍ପ ମଧ୍ୟ ନୂଆନୂଆ ସମସ୍ୟାର ସମ୍ମୁଖୀନ ହେବାରେ ଲାଗିଛି। ସିନେମା ଓ ଟିଭି ସିରିଜ୍‌ର ନିର୍ମାଣଭୂମି ମୁମ୍ବାଇରେ ବର୍ତ୍ତମାନ କୋଭିଡ-୧୯ ସ୍ଥିତି ଅଣାୟତ୍ତ ହୋଇଥିବାରୁ ପ୍ରଯୋଜକ-ନିର୍ଦ୍ଦେଶକମାନେ ଏଠାରେ ଶୁଟିଂକାର୍ଯ୍ୟ ନ କରି ଦେଶର ଅନ୍ୟ କମ୍‌ ସଂକ୍ରମିତ ରାଜ୍ୟର ଗ୍ରୀନ୍‌ ଜୋନ୍‌ରେ ଉପଯୁକ୍ତ ସ୍ଥାନ ସନ୍ଧାନରେ ଅଛନ୍ତି । ତେଣୁ ସେମାନେ ମୁମ୍ବାଇରୁ ଅନେକ ଲାଗୁଆ ବୈଷୟିକ ଡିଜାଇନର ତଥା କର୍ମୀଙ୍କୁ ସାଥିରେ ନ ନେଇ ସ୍ଥାନୀୟ ଅଞ୍ଚଳରୁ ଯୋଗାଡ଼ କରୁଛନ୍ତି । ଏତଦ୍‌ବ୍ୟତୀତ ଫିଲ୍ମ-କ୍ରିୟୁ ସଂଖ୍ୟାରେ ଏବଂ ସେମାନଙ୍କ ବୟସକୁ ବିଚାରକୁ ନେବାକୁ ପଡୁଛି । ଅର୍ଥାତ୍‌ ଅଧିକ ସଂଖ୍ୟା ଓ ବୟସ ଉପରେ ପ୍ରତିବନ୍ଧକ ଲଗାଇବା ବ୍ୟତୀତ ପରିଚାଳକଙ୍କ ନିକଟରେ ଅନ୍ୟପନ୍ଥା ନାହିଁ । ପରିଣାମରେ ମୁମ୍ବାଇରେ ରହୁଥିବା ଅନେକ ସୁଦକ୍ଷ ଲୋକ ଯେ ଏବେ ବେକାର ହୋଇଯାଇଛନ୍ତି ତାହା କହିବା ଅନାବଶ୍ୟକ।
କୋଭିଡ୍‌ ପରବର୍ତ୍ତୀ ସମୟରେ ହେବାକୁ ଥିବା ସିନେମାର ରୂପରେଖ ନେଇ ମଧ୍ୟ ନାନା ଆଲୋଚନା ଚାଲୁ ରହିଛି । ସାମାଜିକ ଦୂରତା ଆଗାମାୀ ଦିନରେ ଏକ ଜରୁରୀ ଆବଶ୍ୟକତା ହେବାକୁ ଯାଉଥିବାରୁ ଚଳଚ୍ଚିତ୍ରର ଦୃଶ୍ୟାୟନରେ ଏଣିକି କୌଣସି ଚୁମ୍ବନ ଓ ଆଲିଙ୍ଗନ ପରି ଅନ୍ତରଙ୍ଗ ମୁହୂର୍ତ୍ତ ରହିପାରିବ ନାହିଁ, ଯାହା ଦର୍ଶକମାନଙ୍କୁ ଆକର୍ଷିତ କରିବାରେ ବାଧକ ହେବ । ସ୍ବାଭାବିକ ଭାବେ ନିବେଶରୁ ଲାଭ ମିଳିବା ମଧ୍ୟ କଷ୍ଟକର ହେବ ଏବଂ ଏହି ଶିଳ୍ପର ଅଭିବୃଦ୍ଧି ବ୍ୟାହତ ହେବ ଆଗାମୀ ଦିନରେ ଆଉ ଏକ ବାଟରେ ବି ସାଧାରଣ ପ୍ରେକ୍ଷାଳୟ ଓ ମଲ୍ଟିପ୍ଲେକ୍ସରେ ପ୍ରଦର୍ଶିତ ହେବାଲାଗି ନିର୍ମିତ ସିନେମା ଉପରେ ପଡ଼ିବ ।
ଏକ୍ଷେତ୍ରରେ ଆଉ ଏକ ଅଜଣାକଥା ହେଉଛି, ଏହି ଶିଳ୍ପରେ ସମ୍ପୃକ୍ତ ଥିଲେ ଦେଶର ବିଭିନ୍ନ ଅଞ୍ଚଳରୁ ଆସି ମୁମ୍ବାଇରେ ରହୁଥିବା ବହୁ ସଂଖ୍ୟକ ପ୍ରବାସୀ ଶ୍ରମିକ ବିଭିନ୍ନ ଫିଲ୍ମ ଓ ଟିଭି ପ୍ରୋଜେକ୍ଟର । ସେଟ୍‌ରେ ଏମାନେ କୁଶଳୀ ଓ ଅଣ-କୁଶଳୀ ଶ୍ରମିକ ରୂପେ ପ୍ରାୟ ୭୦-୮୦ ଦିନ ଲେଖାଏ କାମ ପାଉଥିଲେ। ଏମାନଙ୍କ ଭିତରୁ କେହି ସ୍ପଟ୍‌ ବୟ, ଲାଇଟ୍‌ ମେନ୍‌, ମେକ୍‌-ଅପ୍‌ ଆର୍ଟିଷ୍ଟ, ପେଣ୍ଟର, କାର୍ପେଣ୍ଟର, ଆର୍ଟ ଡିପାର୍ଟମେଣ୍ଟ କର୍ମଚାରୀ ହିସାବରେ ନିଯୁକ୍ତି ପାଇ ମାସକୁ ୨୦-୩୦ହଜାର ରୋଜଗାର କରିପାରୁଥିଲେ।
ଅନେକ ରକମର ମୂଲ୍ୟବାନ ଉପକରଣ ବ୍ୟବହାର କ୍ଷେତ୍ରରେ ଏହି କର୍ମଚାରୀମାନେ ବର୍ଷ ବର୍ଷ ଧରି ତାଲିମ ନେଇ, କାର୍ଯ୍ୟକରି କୁଶଳୀ ହୋଇପାରିଥିଲେ। କିନ୍ତୁ ଏବେ ପ୍ରବାସୀମାନେ ଫେରିଯାଇଥିବାରୁ ସିନେମା ଶିଳ୍ପକୁ ଜୋରଦାର୍‌ ଝଟକା ଲାଗିଛି।
ଏଭଳି ସ୍ଥିତିରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅନଲକ୍‌ -୩ ରେ ସିନେମା ହଲ ଖୋଲିବାକୁ ଗୃହ ମନ୍ତ୍ରଣାଳୟକୁ ଯେଉଁ ସୁପାରିସ କରିଛି, ତାହାର ଫଳାଫଳ କ’ଣ ହେବ ସେକଥା ଏବେ ବି କହିବା ସମ୍ଭବ ହୋଇପାରୁନାହିଁ। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଅମିତ ଖାରେଙ୍କ କହିବା ଅନୁଯାୟୀ, ଅଗଷ୍ଟ ୧ କିମ୍ବା ଅଗଷ୍ଟ ୩୧ରେ ସିନେମା ହଲ ଖୋଲିବାକୁ ପ୍ରସ୍ତାବ ଦିଆଯାଇଛି। ତେବେ ଯଦି ସିନେମା ଖୋଲାଯାଏ,ତେବେ ଦୁଇ ମିଟର ସାମାଜିକ ଦୂରତାର ନିୟମ ପାଳନ କରାଯିବ।
ଲୋକମାନେ ପ୍ରଥମ ଲାଇନ୍‌ରେ ଗୋଟିଏ ସିଟ୍‌ ଛାଡି ପ୍ରେକ୍ଷାଳୟରେ ବସିବେ ଏବଂ ଦ୍ୱିତୀୟ ଲାଇନ ଖାଲି ରହିବ। ଏଥିସହ ଥିଏଟର ବାହାରେ ସାମାଜିକ ଦୂରତା ଅନୁସରଣ କରିବା ବାଧ୍ୟତାମୂଳକ ହେବ। ଅନ୍ୟପକ୍ଷରେ ସିନେମା ହଲ ମାଲିକମାନଙ୍କୁ କେବଳ ୨୫ ପ୍ରତିଶତ ସିଟ୍‌ ପୂରଣ କରିବାକୁ ଅନୁମତି ଦିଆଯିବ। ଏହା ସହିତ ସେଠାରେ ପରିଷ୍କାର ପରିଚ୍ଛନ୍ନତାର ସମ୍ପୂର୍ଣ୍ଣ ଯତ୍ନ ନେବାକୁ ପଡିବ। ତେବେ ହଲ ମାଲିକମାନେ ଏହି ନିୟମକୁ ବିରୋଧ କରିବା ଆରମ୍ଭ କରିଛନ୍ତି। ତାଙ୍କ କହିବାନୁସାରେ, ୨୫ ପ୍ରତିଶତ କ୍ଷମତାବିଶିଷ୍ଟ ପ୍ରେକ୍ଷାଳୟ ଖୋଲିବା ଅପେକ୍ଷା ନ ଖୋଲିବା ଭଲ। ଏଭଳି ସ୍ଥିତିରେ ବାସ୍ତବରେ ପରଦାରେ କୃତ୍ରିମ ଜୀବନ ଫେରିପାରିବ କି ନାହିଁ ତାହା ଏବେ ବି ସନ୍ଦେହରେ।
ବଡବେତରା, କେନ୍ଦ୍ରାପଡ଼ା, ମୋ:୯୪୩୯୯୦୩୨୨୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଟ୍ରିସ୍କୁଟର ବିଷୟରେ କେବେ ଶୁଣିଛନ୍ତି କି। ଏଭଳି ସ୍କୁଟର ନିର୍ମାଣ କରିଛନ୍ତି ମାଙ୍ଗାଲୁରର ଗଣପତି ଭଟ୍ଟ । ଏହି ସ୍କୁଟର ରାସ୍ତାରେ ନ ଚାଲି କେବଳ...

ନକାରାତ୍ମକ ଖବର ଜାଣିବାର ଇଚ୍ଛା

ଡା. ସମ୍ରାଟ କର ସେଦିନ ବଡ଼ିସକାଳୁ ମୋର କମ୍ପ୍ୟୁଟର କ୍ଷିପ୍ରଲିଖ ସହକାରୀ ଶ୍ରଦ୍ଧେୟ ଶ୍ରୀକାନ୍ତର ଫୋନ ବାଜିଉଠିଲା। ସକାଳୁଆ ଶୁଭେଚ୍ଛା ଜଣାଇବା ସହ ବ୍ୟସ୍ତଭରା କଣ୍ଠରେ...

ଶକ୍ତ ବ୍ରେକ୍‌ ଆବଶ୍ୟକ

ଡ. ସନ୍ତୋଷ କୁମାର ମହାପାତ୍ର ଥରେ ଜଣେ ବନ୍ଧୁ ଦେଖାହେଲେ ଏବଂ ପଚାରିଲେ- ”ତମେ ସର୍ବଦା ବାମପନ୍ଥୀ ଚିନ୍ତାଧାରାରେ ଲେଖୁଛ ଏବଂ ଅନ୍ୟକୁ ସମାଲୋଚନା କରୁଛ।...

ହ୍ବେନ୍‌ ଇନ୍‌ ରୋମ୍‌…

ନିକଟରେ କାନାଡ଼ାର ଭାଙ୍କୋଭର ସହରରେ ଭାରତୀୟ ଛାତ୍ର ଚିରାଗ ଆନ୍ତିଲଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଚିରାଗଙ୍କ ଘର ହରିୟାଣାରେ ଓ ସେ ୨୦୨୨ରେ ଉଚ୍ଚଶିକ୍ଷା ପାଇଁ...

ଏଇ ଭାରତରେ

ଘରର ସୌନ୍ଦର୍ଯ୍ୟ ପାଇଁ ବଗିଚାରେ ସୀମିତ ନରହି ସେଥିରୁ କେମିତି କିଛି ଉତ୍ପାଦନ ହୋଇପାରିବ ତାହା ଉପରେ ଗୁରୁତ୍ୱ ଦିଆଯିବା ଦରକାର। ଗୋଟିଏ କି ଦୁଇ...

ଗଣତାନ୍ତ୍ରିକ ଏକଚ୍ଛତ୍ରବାଦ

ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ   ଗଣତନ୍ତ୍ର ଏବଂ ଏକଚ୍ଛତ୍ରବାଦ ଦୁଇଟି ବିପରୀତବୋଧକ ଶବ୍ଦ ହୋଇଥିଲେ ମଧ୍ୟ ସମୟ ସମୟରେ ଗଣତନ୍ତ୍ରର ଖୋଳପା ପିନ୍ଧି ସଂଖ୍ୟାଗରିଷ୍ଠତାକୁ ଆଶ୍ରୟ କରି...

ସ୍ମାର୍ଟ ପିଲାଙ୍କ ମାଆବାପା

ଅଧ୍ୟାପକ ନିରଞ୍ଜନ ପାଢ଼ୀ   ଅଳ୍ପଦିନ ତଳେ ରାଜଧାନୀର ଏକ ନାମୀଦାମୀ ଇଂରାଜୀ ସ୍କୁଲର ବାର୍ଷିକ ଉତ୍ସବ ଅବସରରେ ଆୟୋଜିତ ହୋଇଥିଲା ଏକ ଅଭିନବ କାର୍ଯ୍ୟକ୍ରମ।...

ଯୁଦ୍ଧାଭିମୁଖୀ

ଦୁଇବର୍ଷ ପୂର୍ବେ ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ଏବଂ ଗତବର୍ଷ ୭ ଅକ୍ଟୋବରରେ ଇସ୍ରାଏଲ-ହମାସ ଯୁଦ୍ଧର ପରିଣତି ବିଶ୍ୱ ଦେଖିଚାଲିଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ୧୩...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri