ଜାପାନର ଆଇଚି-ନାଗୋୟାରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଚାଇନା, ଜାପାନ, ଦକ୍ଷିଣ କୋରିଆ ପରେ ଭାରତ ୪ର୍ଥ ସ୍ଥାନରେ ରହିଛି। ଏହା ୨୧ ସ୍ବର୍ଣ୍ଣ, ୨୭ ରୌପ୍ୟ ଓ ୩୭ କାଂସ୍ୟକୁ ମିଶାଇ ୮୫ ପଦକ ହାସଲ କରିଛି। ଏତିକି ସଫଳତା କାହିଁରେ କ’ଣ ବୋଲି ଆଦୌ କହିହେଉ ନାହିଁ। କାରଣ ଚାଇନାର ହାଙ୍ଗଝୌରେ ୨୦୨୩ରେ ହୋଇଥିବା ଏସିଆନ ଗେମ୍ସରେ ଭାରତ ୨୮ ସ୍ବର୍ଣ୍ଣ, ୩୮ ରୌପ୍ୟ ଓ ୪୦ କାଂସ୍ୟ ପଦକ ପାଇ ମୋଟ ୧୦୬ ପଦକ ଜିତିଥିଲା। ଏଥର ଭାରତ ପୂର୍ବାପେକ୍ଷା ୨୧ ପଦକ କମ୍ ପାଇଛି। ୨୦୩୬ ଗ୍ରୀଷ୍ମ ଅଲିମ୍ପିକ୍ସ ଆୟୋଜନ କରିବାକୁ ଭାରତ ଇଚ୍ଛା ରଖିଛି। ହେଲେ ଆମ ଦେଶର ସ୍ପୋର୍ଟିଂ ସ୍କୋର ନୈରାଶ୍ୟଜନକ ଅବସ୍ଥାରେ ଅଛି। ଖେଳାଳିଙ୍କ ମନୋବଳ ବଢ଼ାଇବା ଲାଗି ୧୫୦ କୋଟି ଦେଶବାସୀ ପଦକଧାରୀଙ୍କୁ ପ୍ରଶଂସା କଲେ ମଧ୍ୟ ବାସ୍ତବତାକୁ ବୁଝିବା ଦରକାର। ଭାରତୀୟ ଖେଳାଳିଙ୍କ କ୍ରମାଗତ ପ୍ରଦର୍ଶନ ସ୍ତର ବଜାୟ ରଖିବାର ଅଭାବ ଦେଶବାସୀଙ୍କୁ ହତାଶ କରିବା ସ୍ବାଭାବିକ। ଭାରତର କ୍ରୀଡ଼ା କ୍ଷେତ୍ରରେ ଅଗ୍ରଗତି କେବଳ କିଛି ଶ୍ରେଷ୍ଠ ଖେଳାଳିଙ୍କ ସଫଳତା ପାଖରେ ଅଟକିଯାଉଛି। ମନେରଖିବାକୁ ହେବ ଯେ, ଏ ଦେଶରେ ଏକ ଖେଳୁଆଡ଼ ମନୋଭାବର ଘୋର ଅଭାବ ରହିଛି। ଏଠାରେ ସାଧାରଣରେ ଲୋକେ ଶାରୀରିକ ବ୍ୟାୟାମ କରିବା ବା ଛୋଟବେଳୁ କୌଣସି ଖେଳରେ ଗଭୀର ଭାବେ ମଜିବାର ଦେଖିବାକୁ ମିଳେ ନାହିଁ। ଉଦାହରଣ ସ୍ବରୂପ, ବ୍ରାଜିଲ ଓ ଆର୍ଜେଣ୍ଟିନାରେ ଫୁଟ୍ବଲ ଖେଳିବା ପାଇଁ ନିଶା ପିଲାଦିନୁ ରହିଥାଏ। ସେହିପରି ଜାମାଇକା ଭଳି ଆଫ୍ରିକୀୟ ଦେଶରେ ଦୌଡ଼କୁଦ ଭଳି କ୍ରୀଡ଼ା ସକାଶେ ପ୍ରବଳ ଉତ୍ସାହ ଥାଏ। ଆମେରିକାରେ ବିଭିନ୍ନ ପ୍ରକାର କ୍ରୀଡ଼ା ପାଇଁ ଅନେକ ଆଗ୍ରହ ରହିଆସିଛି। ଅନ୍ୟପଟେ ଚାଇନା ସରକାର ଲାଗିପଡ଼ି ସ୍କୁଲସ୍ତରରୁ ଖେଳକୁ ପ୍ରାଧାନ୍ୟ ଦେଇଥାଆନ୍ତି। ପରିତାପର ବିଷୟ ଯେ, ଭାରତରେ ଖେଳ ଖେଳିବାରେ ନୁହେଁ, ଦେଖିବାରେ ଅଧିକ ଆଗ୍ରହ ଲକ୍ଷ୍ୟ କରାଯାଏ।
ଭାରତୀୟ ପରିବାରଗୁଡ଼ିକ ଖେଳକୁଦ ଅପେକ୍ଷା ପାରମ୍ପରିକ ଶିକ୍ଷା ଇଞ୍ଜିନିୟରିଂ, ଡାକ୍ତରୀ, ଆଇନ, ବାଣିଜ୍ୟ, ଅର୍ଥନୀତି ବିଷୟବସ୍ତୁକୁ ନେଇ ଚାକିରି ମିଳୁଥିବା ଦିଗକୁ ଅଧିକ ପ୍ରାଥମିକତା ଦେଉଥିବାରୁ ଖେଳକୁଦକୁ ପ୍ରାୟତଃ ସଉକ ସ୍ତରରେ ରଖି ଦେଉଛନ୍ତି। କାଳେ କ୍ରୀଡ଼ାରେ ସଫଳତା ନ ମିଳିବ ଓ ତାହା ବିପଦପୂର୍ଣ୍ଣ କ୍ୟାରିୟର ହୋଇଯିବ, ସେହି ଡରରେ ଅନେକେ ଏହି କ୍ଷେତ୍ରକୁ ଆସୁନାହାନ୍ତି। ପୁଣି ବିଦ୍ୟାଳୟସ୍ତରରେ ନିର୍ଦ୍ଦିଷ୍ଟ ଶାରୀରିକ ଶିକ୍ଷା ପାଠ୍ୟକ୍ରମ, ଉନ୍ନତ ଖେଳପଡ଼ିଆ କିମ୍ବା ବୃତ୍ତିଗତ ପ୍ରଶିକ୍ଷକଙ୍କ ଅଭାବ ରହିଥାଏ। ଖେଳକୁଦକୁ ଏକ ମୁଖ୍ୟ ବିଷୟ ଭାବରେ ଗ୍ରହଣ କରା ନ ଯାଇ କେବଳ ଏକ ଅବସର ବିତାଇବାର ପିରିୟଡ୍ ଭାବେ ଧରି ନିଆଯାଉଛି। ଖେଲୋ ଇଣ୍ଡିଆ ମିଶନ କଥା କୁହାଯାଉଥିଲେ ମଧ୍ୟ ତାହାର ପ୍ରଭାବ ସୁଦୂରପ୍ରସାରୀ ହୋଇପାରୁ ନାହିଁ। ଯେଉଁ କିଛି ଖେଳାଳି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନାମ କମାଉଛନ୍ତି, ସେମାନେ ନିଜର ବ୍ୟକ୍ତିଗତ ପ୍ରଚେଷ୍ଟାରେ ଆଗକୁ ବଢ଼ୁଛନ୍ତି।
ଭାରତରେ ଆଜିର ସ୍ଥିତି ସହ ପୂର୍ବ ସମୟକୁ ତୁଳନା କଲେ ସେତେବେଳେ ଗ୍ରାମାଞ୍ଚଳରେ ଖେଳକୁଦ ପାଇଁ ପଡ଼ିଆଟିଏ ରହୁଥିଲା। ଏବେ ସ୍କୁଲ ପଡ଼ିଆ ଛଡ଼ା ଖୋଲା ପଡ଼ିଆ କାଁଭାଁ ଦେଖିବାକୁ ମିଳୁଛି। ସହର କଥା ନ କହିବା ଭଲ। ସହରରେ ଯୁଆଡ଼େ ଦେଖିବେ କୋଠାମୟ। ହାତଗଣତି ଷ୍ଟାଡିୟମକୁ ଛାଡ଼ିଦେଲେ ଅନ୍ୟ କେଉଁଠାରେ ଖେଳିବାର ସୁଯୋଗ ନାହିଁ। ଅଲିମ୍ପିକ୍ସ ଆୟୋଜନ କରିବାକୁ ଚାହୁଁଥିବା ଭାରତ ସେହି ପ୍ରକାର ଭିତ୍ତିଭୂମି ସୃଷ୍ଟି କରିବାରେ ବିଫଳ ହୋଇଥିବାରୁ ଦକ୍ଷ କ୍ରୀଡ଼ାବିତ୍ ସୃଷ୍ଟି ହେବା କାଠିକର ପାଠ। କେବଳ କ୍ରିକେଟକୁ ନେଇ ଯାହା ପିଲାମାନେ ଦୌଡ଼ାଦୌଡ଼ି କରୁଛନ୍ତି। କେବଳ ଗୋଟିଏ ଖେଳରେ ମନ ଲଗାଇଲେ ତାହା ସାମଗ୍ରିକ କ୍ରୀଡ଼ାରେ ଉନ୍ନତି ଆଣିପାରିବ ନାହିଁ। ପୁଣି ଯାହା କିଛି ଭିତ୍ତିଭୂମି ବା ପ୍ରଶିକ୍ଷଣ କେନ୍ଦ୍ରଗୁଡ଼ିକ ରହିଛି, ସେଠାରେ ସାଧାରଣ ଲୋକର ପିଲା ପହଞ୍ଚତ୍ପାରୁ ନାହାନ୍ତି। ସାର୍ବଜନୀନ କ୍ରୀଡ଼ା ନୀତି ବିକଶିତ ହୋଇପାରି ନ ଥିବାରୁ ଆମକୁ ଅଳ୍ପରେ ସନ୍ତୁଷ୍ଟ ହୋଇ ସେହି କେତେ ଜଣ କ୍ରୀଡ଼ାବିତ୍ଙ୍କ ସଫଳତାକୁ ନିଜ ଆଡ଼କୁ ଟାଣି ନେଇ ବାହାବା ନେବାକୁ ପଡ଼ୁଛି। ଏଭଳି ସ୍ଥଳେ କେବଳ ସରକାର କାହିଁକି, ବଡ଼ କର୍ପୋରେଟ ସଂସ୍ଥାଗୁଡ଼ିକ ଖେଳର ବିକାଶ ପାଇଁ କୌଣସି ସ୍ତରରେ ଉଦ୍ୟମ କରୁନାହାନ୍ତି। ଯେଉଁ ଖେଳାଳି ନିଜ ଉଦ୍ୟମରେ ପ୍ରସିଦ୍ଧି ଅର୍ଜନ କରୁଛନ୍ତି ବିଜ୍ଞାପନ ଭାବେ ପ୍ରଦର୍ଶନ କରିବାକୁ କମ୍ପାନୀଗୁଡ଼ିକ କେବଳ ସେହିମାନଙ୍କୁ ଆପଣାଇନେଉଛନ୍ତି। ତେଣୁ ସରକାର ଏଭଳି କର୍ପୋରେଟ ସଂସ୍ଥାକୁ କମ୍ପାନୀ ସାମାଜିକ ଦାୟିତ୍ୱବୋଧ (ସିଏସ୍ଆର୍) ପାଣ୍ଠି ବ୍ୟବସ୍ଥା ଭଳି କ୍ରୀଡ଼ା ଓ କ୍ରୀଡ଼ାବିତ୍ଙ୍କ ପ୍ରୋତ୍ସାହନ ପାଇଁ ବ୍ୟୟ ପୃଥକ୍ ଭାବେ ରଖି ଯୋଜନା ପ୍ରସ୍ତୁତ କରିବା ନିମନ୍ତେ ନିର୍ଦ୍ଦେଶ ଦେଇପାରନ୍ତେ। ଅନୁରୂପ ଭାବେ ଛୋଟ ବେଳୁ ଖେଳାଳି ଚିହ୍ନଟ କରି ସେମାନଙ୍କୁ ଦୀର୍ଘମିଆଦୀ ପ୍ରୋତ୍ସାହନ ଦେଲେ ଅଧିକ କ୍ରୀଡ଼ାବିତ୍ ସୃଷ୍ଟି ହୋଇପାରନ୍ତେ। ଏଥିସହିତ ପରିବାରଠାରୁ ସରକାରଙ୍କ ପର୍ଯ୍ୟନ୍ତ କ୍ରୀଡ଼ା ପ୍ରତି ଆଦର, ସମ୍ମାନ ଓ ସହଯୋଗ ବଢ଼ିଲେ ଭାରତ ହୁଏତ ବିଶ୍ୱ କ୍ରୀଡ଼ା ମାନଚିତ୍ରରେ ନିଜର ଏକ ଛାପ ଛାଡ଼ିପାରନ୍ତା।
Dharitri – Odisha’s No.1 Odia Daily

