ରେଳ ଘରୋଇକରଣ ଜନ ବିରୋଧୀ

କିଶୋର ଜେନା

 

ପୁଞ୍ଜିବାଦର ମୁଖ୍ୟ ଦର୍ଶନ ହେଉଛି ସମସ୍ତ ସରକାରୀ ଓ ରାଷ୍ଟ୍ରାୟତ୍ତ କ୍ଷେତ୍ରର ଘରୋଇକରଣ, ଯାହାର ଅର୍ଥ ବ୍ୟକ୍ତିମାଲିକାନାର ପ୍ରତିଷ୍ଠା ଏବଂ ଲାଭ କରିବା। ଆମ ଦେଶରେ ଘରୋଇକରଣର ସୂଚନାପର୍ବ ଆରମ୍ଭ ହୁଏ ୧୯୯୧ରେ ନରସିଂହ ରାଓଙ୍କ ପ୍ରଧାନମନ୍ତ୍ରିତ୍ୱ ସମୟରେ। ସେହି ସମୟରୁ ଅନ୍ୟାନ୍ୟ ସହ ଭାରତୀୟ ରେଳବାଇର ଘରୋଇକରଣର ପ୍ରଚେଷ୍ଟା ଆରମ୍ଭ ହୋଇଥିଲା। କିନ୍ତୁ ଏହା ବିରୁଦ୍ଧରେ ବ୍ୟାପକ ପ୍ରତିବାଦ ହେବାରୁ ୧୯୯୨ଠାରୁ ଏ ପର୍ଯ୍ୟନ୍ତ ବିଗତ ସରକାରଗୁଡ଼ିକର ଏହି ଉଦ୍ୟମ ସାମୟିକ ଭାବେ ରୂପାୟିତ ହୋଇପାରି ନ ଥିଲା। କିନ୍ତୁ ବତ୍ତର୍ର୍ମାନର କେନ୍ଦ୍ର ସରକାର ଦେଶର ସାମ୍ପ୍ରତିକ ପରିସ୍ଥିତିର ସୁଯୋଗ ନେଇ ଘରୋଇକରଣ ଲକ୍ଷ୍ୟରେ ଭାରତୀୟ ରେଳର ୧୯୫୧ଟି ଦୂରଗାମୀ ଯାତ୍ରୀବହୁଳ ଟ୍ରେନ ବ୍ୟକ୍ତିମାଲିକାନା ହାତରେ ଦେଇଦେବାକୁ ସିଦ୍ଧାନ୍ତ ନେଇଛନ୍ତି। ଏଥିପାଇଁ ଟେଣ୍ଡର ଆହ୍ବାନ କରାଯାଇଛି। ସାମ୍ପ୍ରତିକ ପରିସ୍ଥିତି କ’ଣ? (୧) ଦେଶରେ କରୋନା ମହାମାରୀ ଯୋଗୁ ଜନତା ଦିଗହରା; (୨) ଏକ ଉଦ୍ଦେଶ୍ୟ ମୂଳକ ଉଗ୍ର ଜାତୀୟତାବାଦ ସାରା ଦେଶରେ ସୃଷ୍ଟି କରାଯାଇଛି; (୩) ଶାସକ ଦଳର ସଂସଦରେ ଅତିମାତ୍ରାରେ ନିରଙ୍କୁଶ ସଂଖ୍ୟାଗରିଷ୍ଠତା; (୪) ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ସହ ବିରୋଧୀ ଶକ୍ତି ଦୁର୍ବଳ ଓ ବିଭେଦଗ୍ରସ୍ତ। ଏଣୁ ଶାସକ ଦଳ ଏହି ସମୟକୁ ଏହାର ଲକ୍ଷ୍ୟ ପୂରଣ ପାଇଁ ଠିକ୍‌ ବୋଲି ମନେକରି ଦେଶରେ ବ୍ୟାପକ ଭାବେ ଘରୋଇକରଣ କରିଚାଲିଛି।
ରେଳ ମନ୍ତ୍ରଣାଳୟର ବକ୍ତବ୍ୟ ହେଉଛି, ସାଧାରଣ ଯାତ୍ରୀମାନଙ୍କୁ ଉତ୍ତମ ସେବା ଦେବା ପାଇଁ ରେଳବାଇର ପୁଞ୍ଜି ନାହିଁ। ଏଣୁ ପୁଞ୍ଜି ସଂଗ୍ରହ ପାଇଁ ଏହି ସିଦ୍ଧାନ୍ତ। ଏହାଦ୍ୱାରା ରେଳବାଇକୁ ୩୦,୦୦୦ କୋଟି ଟଙ୍କାର ପୁଞ୍ଜି ମିଳିବ ଓ ସେହିପରି ସାଧାରଣ ଯାତ୍ରୀ ଉନ୍ନତ ସେବା ପାଇବେ, ଟ୍ରେନର ଗତି ବୃଦ୍ଧି ହେବ ଓ ରେଳବାଇର ସାମଗ୍ରିକ ଉନ୍ନତି ହେବ। ରେଳ ମନ୍ତ୍ରଣାଳୟ କହୁଛି ଯେ, ସମ୍ପୃକ୍ତ ଘରୋଇ ସଂସ୍ଥାମାନେ ଉନ୍ନତ ମାନର କୋଚ ନିର୍ମାଣ କରିବେ ଏବଂ ରକ୍ଷଣାବେକ୍ଷଣ କାର୍ଯ୍ୟ ସେମାନେ ହିଁ କରିବେ। ରେଳ ପ୍ରଶାସନ ଏହିସବୁ ଘରୋଇ ସଂସ୍ଥାକୁ ରେଳବାଇର ବର୍ତ୍ତମାନର ଭିିତ୍ତିଭୂମିକୁ ବ୍ୟବହାର କରିବାକୁ ଦେବ ଏବଂ ରେଳବାଇର ଗାର୍ଡ ଓ ଡ୍ରାଇଭରମାନେ ଏହି ଟ୍ରେନଗୁଡ଼ିକରେ କାମ କରିବେ।
ରେଳ ମନ୍ତ୍ରଣାଳୟର ବକ୍ତବ୍ୟ ଗ୍ରହଣୀୟ ନୁହେଁ। ପ୍ରଥମ ଦଫା ୩୦,୦୦୦ କୋଟି ଟଙ୍କାର ଭିତ୍ତି କ’ଣ? ବିପୁଳ ପରିମାଣର ଅର୍ଥ ବିନିମୟରେ ଘରୋଇ ସଂସ୍ଥା ନୂଆ କୋଚ୍‌ ନିର୍ମାଣ କରିବେ। ଏହି ସଂସ୍ଥାଗୁଡ଼ିକୁ ଏବେ ରେଳ ଲାଇନ ବସାଇବାକୁ ପଡ଼ିବ ନାହିଁ। ବର୍ତ୍ତମାନର ରେଳ ଲାଇନରେ ସେମାନଙ୍କ ଟ୍ରେନ ଚଳାଇବେ। କିନ୍ତୁ ରକ୍ଷଣାବେକ୍ଷଣ କାର୍ଯ୍ୟ ତ କରିବାକୁ ହେବ। ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ। ଭାରତୀୟ ରେଳର ସିଂହଭାଗ କାର୍ଯ୍ୟ ଠିକ୍‌ ଭାବେ ରକ୍ଷଣାବେକ୍ଷଣ (କୋଚ୍‌, ବଗି, ୱାଗନ, ରେଳଲାଇନ, ସିଗ୍‌ନାଲ, ବିଦ୍ୟୁତ୍‌ ସରବରାହ ଓ ଅନ୍ୟାନ୍ୟ ବହୁ ଆନୁଷଙ୍ଗିକ କାର୍ଯ୍ୟ) ସମ୍ପନ୍ନ ନ ହେଲେ ଦୁର୍ଘଟଣା ଘଟିବ। ଭାରତୀୟ ରେଳର ୧୩ଲକ୍ଷ କର୍ମଚାରୀଙ୍କ ମଧ୍ୟରୁ ୮/୯ ଲକ୍ଷ ବିଭିନ୍ନ ବିଭାଗର ରକ୍ଷଣାବେକ୍ଷଣ କାର୍ଯ୍ୟ ସହ ସମ୍ପୃକ୍ତ। ରେଳବାଇ କର୍ମଚାରୀଙ୍କ ବେତନର ସାମାନ୍ୟ ଅଂଶ ଦେବ। ଏହି ନୂଆ କର୍ମଚାରୀ ସମସ୍ତେ ଠିକା ଶ୍ରମିକ ହେବେ। ଏମାନେ ରେଳରେ ଗୁରୁତ୍ୱପୂର୍ଣ୍ଣ ରକ୍ଷଣାବେକ୍ଷଣ କାର୍ଯ୍ୟକୁ କେତେ ପରିମାଣରେ ଠିକ୍‌ ଭାବେ କରିପାରିବେ, ତାହା ହିଁ ବିରାଟ ପ୍ରଶ୍ନ। ବିପଦ ଏବଂ ଦୁର୍ଘଟଣାର ସମ୍ଭାବନା ବଢ଼ିବ। ଏହା ମଧ୍ୟ ସିଦ୍ଧାନ୍ତ ହୋଇଛି ଯେ, ବେସରକାରୀ ସଂସ୍ଥା ରେଳବାଇରେ ସେବା ଦେବା କ୍ଷେତ୍ରରେ କୌଣସି ପ୍ରକାରର ସାମାଜିକ ଦାୟିତ୍ୱ (ବରିଷ୍ଠ ନାଗରିକ, ମହିଳା, କ୍ୟାନ୍‌ସର ରୋଗୀ, ଦିବ୍ୟାଙ୍ଗ, ବର୍ତ୍ତମାନ ଓ ପ୍ରାକ୍ତନ ସାଂସଦ, ବିଧାୟକ, ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଶିକ୍ଷା ପରିଭ୍ରମଣ, କ୍ରୀଡ଼ାବିତ୍‌ଙ୍କ ପ୍ରତିଯୋଗିତା ପାଇଁ ଗମନାଗମନ ଇତ୍ୟାଦି କ୍ଷେତ୍ରରେ ଭଡ଼ାରେ ରିହାତି ) ପାଳନ କରିବେ ନାହିଁ। ଯାତ୍ରୀଙ୍କ ଯାତାୟାତ ଭଡ଼ା ସେମାନେ ନିର୍ଦ୍ଧାରଣ କରିବେ। ଫଳରେ ଟ୍ରେନ ଭଡ଼ା ଅବଶ୍ୟ ମାତ୍ରାଧିକ ବୃଦ୍ଧି ପାଇବ। କାରଣ ସମ୍ପୃକ୍ତ ସଂସ୍ଥାକୁ ୩୦ ହଜାର କୋଟି ସହ ଲାଭ ଅସୁଲ କରିବାକୁ ପଡ଼ିବ। ଭାରତୀୟ ରେଳର ଘରୋଇକରଣ କେବଳ ୧୫୦ଟି ଟ୍ରେନ ମଧ୍ୟରେ ସୀମାବଦ୍ଧ ରହିବ ନାହିଁ। ଏହାପରେ ଆହୁରି ମେଲ୍‌, ଏକ୍ସପ୍ରେସ୍‌ ଟ୍ରେନ, ସହରତଳି (ଲୋକାଲ) ଟ୍ରେନ ୱାର୍କଶପ୍‌ ଏବଂ ପ୍ରଡକ୍ସନ ୟୁନିଟ୍‌କୁ ଘରୋଇକରଣର ପରିସରକୁ ଅଣାଯିବାର ଆଶଙ୍କା ରହିଛି। ଏବେ ରେଳବାଇରେ ଯେଉଁ ୧୩ଲକ୍ଷ ନିୟମିତ କର୍ମଚାରୀ ନିଯୁକ୍ତ ଅଛନ୍ତି ସେମାନଙ୍କ ମଧ୍ୟରେ ଯେଉଁମାନଙ୍କ ବୟସ ୫୦ ବା ଚାକିରିକାଳ ୩୦ ବର୍ଷ ପୂର୍ଣ୍ଣ ହୋଇଥିବ ସେମାନଙ୍କୁ ବାଧ୍ୟତାମୂଳକ ଅବସର ଦିଆଯିବ। ଯାହା ବିଏସ୍‌ଏନ୍‌ଏଲ୍‌ରେ କରାଯାଇଛି, ଏବେ ତୈଳ କମ୍ପାନୀ ବିପିସିଏଲ୍‌ରେ ଅନୁରୂପ ନିର୍ଦ୍ଦେଶ ଦିଆଯାଇଛି। ଆଉ ନିୟମିତ ସ୍ଥାୟୀ କର୍ମଚାରୀଙ୍କୁ ଅବସର ଦେଇ ସେହି ସ୍ଥାନରେ କମ୍‌ ମଜୁରିରେ ଠିକା ଅସ୍ଥାୟୀ କର୍ମଚାରୀ ନିଯୁକ୍ତ ହେବେ। ରେଳବାଇରେ ନିଯୁକ୍ତି ସଂଖ୍ୟା ହ୍ରାସ ପାଇବ।
ଭାରତୀୟ ରେଳ ଦେଶର ଏକାତ୍ମତା ଓ ଐକ୍ୟର ପ୍ରତୀକ। ଏହା ଜୀବନ ରେଖା ବୋଲି କୁହାଯାଏ। ଦେଶ ସ୍ବାଧୀନ ହେବା ପୂର୍ବରୁ ଏହା ବିଭିନ୍ନ କମ୍ପାନୀଗୁଡ଼ିକର ନିୟନ୍ତ୍ରଣାଧୀନ ଥିଲା। ସ୍ବାଧୀନତା ପରେ ସମସ୍ତ ରେଳବାଇକୁ କେନ୍ଦ୍ର ସରକାରଙ୍କ ଅଧୀନକୁ ଅଣାଗଲା। ଏଥର ଯଦି ସମଗ୍ର ଭାରତୀୟ ରେଳକୁ ଘରୋଇ ସଂସ୍ଥା ହାତରେ ସମର୍ପି ଦିଆଯାଏ, ତେବେ ଏଥିରେ ସାମଗ୍ରିକ ଭାବେ ବିଶୃଙ୍ଖଳା ସୃଷ୍ଟି ହୋଇପାରେ।
ଏହା ସତ୍ୟ ସଂପ୍ରତି ଭାରତୀୟ ରେଳର ଆୟ ହ୍ରାସ ପାଇଛି। ରେଳ ପ୍ରଶାସନରେ ଏକ ପରିଭାଷା ପ୍ରଚଳିତ ତାହା ହେଉଛି ଅପରେଟିଙ୍ଗ ରେସିଓ ଅର୍ଥାତ୍‌ ବାର୍ଷିକ ଆୟବ୍ୟୟର ତୁଳନାତ୍ମକ ଚିତ୍ର। ବିଗତ ଶତକର ୭୦/୮୦ ଦଶକରେ ଏହି ଅନୁପାତ ଥିଲା ପ୍ରାୟ ୭୫:୧୦୦ ଅର୍ଥାତ୍‌ ୭୫ ଟଙ୍କା ବ୍ୟୟ କରି ଟଙ୍କାର ଆୟ। ବର୍ତ୍ତମାନ ରେଳ ବ୍ୟବସ୍ଥାରେ କ୍ଷତି ହେଉଛି। ଏଣୁ ରେଳବାଇର କୌଣସି ନୂତନ ପ୍ରକଳ୍ପ ହାତକୁ ନିଆଯାଉ ନାହିଁ। ଖାଲି ପଡ଼ିଥିବା ଲକ୍ଷାଧିକ ପଦପଦବୀ ପୂରଣ ହେଉ ନାହିଁ। ଏଥିପାଇଁ ଦାୟୀ ସରକାରୀ ନୀତି ଓ କର୍ମଚାରୀଙ୍କ ଉଦାସୀନତା।
ଭାରତୀୟ ରେଳ ଆୟର ମୂଳ ଉତ୍ସ ହେଉଛି ମାଲ ପରିବହନ। ସ୍ବାଧୀନୋତ୍ତର ସମୟରୁ ବେଶ୍‌ କେଇ ବର୍ଷ ଧରି ବାର୍ଷିକ ଆୟର ତୁଳନାତ୍ମକ ଚିତ୍ର ଥିଲା ମାଲ ପରିବହନର ଆୟ ୭୫ପ୍ରତିଶତ ଯାତ୍ରୀ ପରିବହନରୁ ଆୟ ୨୫ପ୍ରତିଶତ। ଯାତ୍ରୀ ପରିବହନରେ ରେଳର କ୍ଷତି ହୁଏ। ଏହି ଚିତ୍ର କେବଳ ଭାରତ ନୁହେଁ, ସାରା ପୃଥିବୀରେ ରେଳ ବ୍ୟବସ୍ଥାରେ। ଭାରତରେ ସଂପ୍ରତି ଯାତ୍ରୀ ପରିବହନରେ ୪୩ ପଇସା କ୍ଷତି ହୁଏ। ସମ୍ପ୍ରତି ପଣ୍ୟ ପରିବହନ ବାବଦରେ ରେଳର ଆୟ ପ୍ରାୟ ୩୦ ପ୍ରତିଶତ କମିଯାଇଛି।
ଭାରତ ସରକାର ରାଜକୋଷରୁ ବିପୁଳ ପରିମାଣର ଅର୍ଥ ନେଇ ଦେଶର ବିଭିନ୍ନ ଅଂଶରେ ବିଶାଳ ଦୀର୍ଘକାୟ ଜାତୀୟ ରାଜପଥ ନିର୍ମାଣ କରିଛନ୍ତି। ଏହା ସମର୍ଥନ ଯୋଗ୍ୟ ଓ ପ୍ରଶଂସନୀୟ। କିନ୍ତୁ ରେଳର ଆୟରେ ଏହା ପ୍ରତିବନ୍ଧକ ସୃଷ୍ଟି କରିଛି। ବଡ଼ ବଡ଼ ଶିଳ୍ପୋଦ୍ୟୋଗୀ ଏବଂ ବ୍ୟବସାୟୀମାନେ ଜାତୀୟ ରାଜପଥକୁ ବ୍ୟବହାର କରି ହଜାର ହଜାର ଟ୍ରକ ମାଧ୍ୟମରେ ବିଭିନ୍ନ ଜିନିଷପତ୍ର ଦେଶବ୍ୟାପି ପଠାଇ ଲାଭ ଉଠାଉଛନ୍ତି, ଯାହା ଅତୀତରେ ରେଳ ପରିବାହିତ କରୁଥିଲା। ସରକାରୀ ଅର୍ଥରେ ସଡ଼କ ନିର୍ମାଣକୁ ଅଗ୍ରାଧିକାର ଦିଆଯାଉଛି। ଆଉ ପ୍ରଦୂଷଣମୁକ୍ତ ଗରିବଙ୍କ ପରିବହନ ରେଳ କ୍ଷେତ୍ରରେ କୁହାଯାଉଛି ରେଳ ଯଦି ୧ମିଟର ନୂଆ ଲାଇନ ବସାଇବାକୁ ଚାହେଁ, ତେବେ ତାକୁ ଆୟ ବଢ଼ାଇ ବାସ୍ତବାୟିତ କରିବାକୁ ହେବ। ରେଳବୋର୍ଡର ୨୦୧୩ରେ ପ୍ରକାଶିତ ”ଇଣ୍ଡିଆନ ରେଳ“ର ଏକ ସଂଖ୍ୟାରେ ପ୍ରକାଶ ପାଇଥିଲା ଯେ,୧୯୫୦-୫୧ରୁ ୨୦୦୭-୦୮ ପର୍ଯ୍ୟନ୍ତ ଭାରତୀୟ ରେଳର ଲାଇନ ୫୩,୦୦୦ କି.ମି.ରୁ ୬୩,୦୦୦ କି.ମି. ବୃଦ୍ଧି ପାଇଥିବାବେଳେ ସେହି ସମୟରେ ଜାତୀୟ ରାଜପଥ ୧୯,୮୦୦ କି.ମି.ରୁ ବୃଦ୍ଧି ପାଇଛି ୨,୨୧,୩୦୦ କି.ମି.କୁ।
ଭାରତୀୟ ରେଳବାଇ ଏହାର କ୍ରମଶଃ ନିମ୍ନଗାମୀ ଆୟରୁ ପ୍ରତିବର୍ଷ ବିପୁଳ ପରିମାଣର ଅର୍ଥ ବ୍ୟୟ କରିବାକୁ ପଡ଼େ ବିଭିନ୍ନ ବାବଦରେ। ଯେପରି କିଛି ସର୍ବନିମ୍ନ ପ୍ରକଳ୍ପ ନିର୍ମାଣ, କର୍ମଚାରୀଙ୍କ ବେତନ, ଭତ୍ତା ଓ ପେନ୍‌ସନ ପ୍ରଦାନ କରିବା ଛଡ଼ା ସାମାଜିକ ଦାୟିତ୍ୱ ପାଳନ, କେନ୍ଦ୍ର ସରକାରଙ୍କୁ ଲାଭାଂଶ ଦେବା, ଭାରତୀୟ ରେଳବାଇ ଅର୍ଥ ନିଗମ (ଆଇଆରଏଫସି)ର ଋଣ ଟଙ୍କାର ପରିଶୋଧ କରିବା ଇତ୍ୟାଦି। ୨୦୦୮-୦୯ରୁ ୨୦୧୨-୧୩ ପର୍ଯ୍ୟନ୍ତ ରେଳବାଇକୁ ଏହାର ଆୟ ୧,୪୬,୨୮.୨୩ କୋଟି ଟଙ୍କାରୁ ଏହି ୫ ବର୍ଷରେ ସାମାଜିକ ଦାୟିତ୍ୱ ବାବଦକୁ ୭୯,୮୨୧ କୋଟି ଟଙ୍କା ଲାଭାଂଶ ବା ଡିଭିଡେଣ୍ଡ ପ୍ରଦାନ ୨୬,୨୦୯.୨୩ କୋଟି ଟଙ୍କା ଓ ଆଇଆରଏଫସିକୁ ୪୦ ହଜାର କୋଟି ଟଙ୍କା ପରିଶୋଧ କରିଛି। ଏହି ବ୍ୟୟର ବୋଝ ଏବେ ମଧ୍ୟ ପ୍ରତିବର୍ଷ ବହନ କରିବାକୁ ପଡ଼ୁଛି। ରେଳବାଇକୁ ଯଦି ସାମାଜିକ ଦାୟିତ୍ୱ ପାଳନ, ଲାଭାଂଶ ପ୍ରଦାନ ଓ ଆଇଆରଏଫସିକୁ ଋଣ ପରିଶୋଧରୁ ଅବ୍ୟାହତି ଦିଆଯାଆନ୍ତା, ତେବେ ରେଳବାଇର ଆର୍ଥିକ ଅବସ୍ଥା ଅନେକ ପରିମାଣରେ ସୁଧୁରିଯାଆନ୍ତା। ଏସବୁ ପ୍ରତି କେନ୍ଦ୍ର ସରକାର ଦୃଷ୍ଟି ଦେଲେ ଭାରତୀୟ ରେଳ କ୍ଷତିର ସମ୍ମୁଖୀନ ହେବ ନାହିଁ।
ଉତ୍କଳମଣି ମାର୍ଗ, ଅପର୍ଣ୍ଣାନଗର, ଚାଉଳିଆଗଞ୍ଜ, କଟକ
ମୋ: ୯୪୩୭୩୮୪୮୬୭


Enter your email to get our daily news in your inbox.

All Right Reserved By Dharitri.Com

ଚକ୍ଷୁଷ୍ମାନ ଧୃତରାଷ୍ଟ୍ର

ଜଣେ ବକ୍ତା କହୁଥାନ୍ତି,”ଆପଣମାନେ ଧୃତରାଷ୍ଟ୍ରଙ୍କ ଚରିତ୍ରକୁ କେବଳ କ୍ଷମତାଲିପ୍ସା ଦୃଷ୍ଟିକୋଣରୁ ବିଚାର କଲେ ତାହା ହୁଏତ ତାଙ୍କ ଚରିତ୍ରର ଅସମ୍ପୂର୍ଣ୍ଣ ଅଧ୍ୟୟନ ହେବ। କ୍ଷମତାର ଲାଳସା ପଛରେ…

ହାଇତିର ଖାଦ୍ୟ ସଙ୍କଟ ଓ ବିଶ୍ୱର ବିବେକ

ଏକବିଂଶ ଶତାବ୍ଦୀର ଆଧୁନିକ ମଣିଷ ଯେତେବେଳେ ମହାକାଶରେ ନୂଆ ବସତି ଖୋଜୁଛି, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସାହାଯ୍ୟରେ ପୃଥିବୀକୁ ନୂତନ ରୂପ ଦେବାକୁ ଚେଷ୍ଟା କରୁଛି ଏବଂ…

ପ୍ରଶଂସା ନୁହେଁ ପ୍ରୋତ୍ସାହନ

ଜାପାନର ଆଇଚି-ନାଗୋୟାରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଚାଇନା, ଜାପାନ, ଦକ୍ଷିଣ କୋରିଆ ପରେ ଭାରତ ୪ର୍ଥ ସ୍ଥାନରେ ରହିଛି। ଏହା ୨୧ ସ୍ବର୍ଣ୍ଣ, ୨୭ ରୌପ୍ୟ…

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?